Latest Odisha News

ସାଧାରଣ ନିର୍ବାଚନ ୨୦୨୪: ପ୍ରଥମ ପର୍ଯ୍ୟାୟରେ ଘରୁ ମତଦାନ କରିବେ ୪୧୫୮ ମତଦାତା

ଭୁବନେଶ୍ୱର: ଭୋଟ୍ ଦେବା ସମସ୍ତ ଭାରତୀୟ ନାଗରିକଙ୍କ ଅଧିକାର । ପ୍ରତିଟି ଭୋଟ୍ ମୂଲ୍ୟବାନ ଅଟେ । ଭାରତୀୟ ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ପ୍ରତିଟି ଭୋଟ୍ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଯେଉଁ ମତଦାତାମାନେ ଭୋଟ୍ ପାଇଁ ମତଦାନ କେନ୍ଦ୍ରକୁ ଆସିବାରେ ଅସମର୍ଥ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ‘ଘରୁ ମତାଦନ’ (ହୋମ୍‌ ଭୋଟିଙ୍ଗ୍‌)ର ବ୍ୟବସ୍ଥା କରାଯାଇଛି ।

BjdElectrycity

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ (ଦେଶରେ ସାମଗ୍ରିକ ଦୃଷ୍ଟିରୁ ଚତୁର୍ଥ ପର୍ଯ୍ୟାୟ) ଚାରୋଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଅନ୍ତର୍ଗତ ଅନେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ‘ଘରୁ ମତଦାନ’ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏକ ଐତିହାସିକ ନିଷ୍ପତ୍ତି କ୍ରମରେ ପ୍ରଥମ ଥର ପାଇଁ ଦେଶରେ ସାଧାରଣ ନିର୍ବାଚନରେ ୮୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବରିଷ୍ଠ ମତଦାତା ଏବଂ ୪୦ ପ୍ରତିଶତରୁ ଉର୍ଦ୍ଧ୍ୱର ଭିନ୍ନକ୍ଷମ (ବେଞ୍ଚମାର୍କ ଡିସାବିଲିଟି) ମତଦାତାଙ୍କ ପାଇଁ ଭାରତ ନିର୍ବାଚନ ଆୟୋଗ ‘ଘରୁ ମତଦାନ’ (ହୋମ୍‌ ଭୋଟିଙ୍ଗ)ର ବ୍ୟବସ୍ଥା କରିଛନ୍ତି । ଏଭଳି ମତଦାତାମାନେ ଚାହିଁଲେ ସେମାନଙ୍କୁ ମତଦାନ କେନ୍ଦ୍ରକୁ ଆସି ମତଦାନ କରିବା ପାଇଁ ପ୍ରଶାସନ ତରଫରୁ ଗାଡ଼ି ମଧ୍ୟ ଯୋଗାଇ ଦିଆଯିବ । ଅନ୍ୟଥା ସେମାନେ ଘରୁ ମତଦାନ କରିବାର ବିକଳ୍ପକୁ ମଧ୍ୟ ବାଛି ପାରିବେ ।

ଏହି କ୍ରମରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୪୧୫୮ ଜଣ ମତାଦାତା ‘ଘରୁ ମତଦାନ’ ବିକଳ୍ପକୁ ବାଛିଛନ୍ତି । ଏହା ମଧ୍ୟରେ ୨୧୯୬ ଜଣ ୮୫ ବର୍ଷ ବୟସରୁ ଉର୍ଦ୍ଧ୍ୱର ବ୍ୟକ୍ତି ହୋଇଥିବାବେଳେ ୧୯୬୨ ଜଣ ୪୦%ରୁ ଉର୍ଦ୍ଧ୍ୱର ଭିନ୍ନକ୍ଷମତା ରହିଥିବା ମତଦାତା ଅଟନ୍ତି । କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ମତଦାତାଙ୍କ ଭୋଟ ଗ୍ରହଣ କରାଯାଇଛି । ଅନ୍ୟ ନିର୍ବାଚନ ମଣ୍ଡଳୀରେ ମଧ୍ୟ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସ୍ଥିରୀକୃତ ତାରିଖ ଓ ସମୟ ଅବଧିରେ ‘ଘରୁ ମତାଦାନ’ ବ୍ୟବସ୍ଥା କରାଯିବ । ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଚାରି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟିଯାକ ବିଧାନସଭା କ୍ଷେତ୍ରରେ ଯୋଗ୍ୟ ମତଦାତାମାନେ ‘ଘରୁ ମତଦାନ’ ବିକଳ୍ପକୁ ବାଛିଛନ୍ତି ।

ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଘରୁ ମତଦାନ କରିଥିବା ସମସ୍ତ ମତଦାତାଙ୍କୁ ଭାରତୀୟ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିବାରୁ ଅଭିନନ୍ଦନ ଜଣାଇବା ସହ ‘ଘରୁ ମତଦାନ’ ବ୍ୟବସ୍ଥାକୁ ଏକ ଐତିହାସିକ ତଥା ପ୍ରଗତିଶୀଳ ବ୍ୟବସ୍ଥା ରୂପେ ବର୍ଣ୍ଣନା କରିଛନ୍ତି । କୌଣସି ମଧ୍ୟ ବାଧାବିଘ୍ନ ଯେପରି ଜଣେ ନାଗରିକଙ୍କୁ ନିଜର ବହୁମୂଲ୍ୟ ମତଦାନ କରିବାରେ ବାଧକ ନହୁଏ, ତାହାକୁ ଦୃଷ୍ଟିରେ ରଖି ‘ଘରୁ ମତଦାନ’ର ବିକଳ୍ପ ଦିଆଯାଉଛି ।

ପ୍ରତିଟି ଭୋଟକୁ ଭାରତୀୟ ଗଣତନ୍ତ୍ରର ମୁଖ୍ୟସ୍ରୋତରେ ସାମିଲ କରି ଦେଶରେ ମୁକ୍ତ, ସ୍ୱଚ୍ଛ, ନିରପେକ୍ଷ, ଅବାଧ ଓ ସମ୍ମିଳିତ ନିର୍ବାଚନ ପ୍ରକ୍ରିୟା ଦ୍ୱାରା ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ରାଜ୍ୟର ପ୍ରତିଟି ଘରୁ ମତାଦାନ କରୁଥିବା ମତଦାତାଙ୍କ ଭୋଟ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଧଳ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.