Latest Odisha News

BREAKING NEWS

ଧରାବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା, ଉତ୍ସବ ମୁଖର ପୁରୀ ସହର

ପୁରୀ: ଧରାଵତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା । ଭକ୍ତଙ୍କ ଗହଣରେ ଚାଲିଛି ମା ଙ୍କ ପୂଜାର୍ଚନା । ଚଣ୍ଡୀପାଠ ଓ ମନ୍ତ୍ରଧ୍ଵନି ମଧ୍ୟରେ ବିଭିନ୍ନ ପୀଠ ପରିସରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ମାଙ୍କ ଆଗମନରେ ଉଲ୍ଲସିତ ହୋଇଛି ଭକ୍ତପ୍ରାଣ । ମହାଷ୍ଟମୀ ଉପବାସ କରି ମହିଳାମାନେ ପରିବାରର ଶୁଭ ମନାସିଛନ୍ତି । ଷୋଳପୂଜା ସମୟରେ ଶ୍ରୀମନ୍ଦିର ମଧ୍ୟରେ ବିମଳା ମନ୍ଦିରକୁ ମହିଳା ମାନଙ୍କୁ ବାରଣ ଥିବାରୁ ବିଭିନ୍ନ ଶକ୍ତିପୀଠରେ ମାଙ୍କ ଆଶୀର୍ବାଦ ସେମାନେ ନେଇଛନ୍ତି ।

ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଆଧ୍ୟାତ୍ମିକ ସହର ଶ୍ରୀକ୍ଷେତ୍ର । ଗତକାଲି ଠାରୁ ମା’ଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ଆଜି ଶ୍ରୀକ୍ଷେତ୍ରର କ୍ଷେତ୍ରାଧୀଶ୍ଵରୀ ମା ବିମଳାଙ୍କ ସହ ବିଭିନ୍ନ ପୀଠରେ ପାଳିତ ହେଉଛି ପବିତ୍ର ମହାଅଷ୍ଟମୀ । ଷୋଡଶ ଉପଚାର ସହ ମାଙ୍କର ଚାଲିଛି ଗୁପ୍ତପୂଜା । ନିଷାର୍ଦ୍ଧରେ ମା ଵିମଳାଙ୍କ ନିକଟରେ ଛାଗ ବଳୀ ପଡିବାର ପରମ୍ପରା ରହିଛି। ମା ବିମଳାଙ୍କ ପ୍ରତିନିଧି ମା କାକୁଡିଖାଇଙ୍କୁ ମଧ୍ୟ ଅନୁରୂପ ଭାବରେ ପ୍ରତୀକାତ୍ମକ କାକୁଡି ବଳି ଦିଆଯିବ। ଏଥିପାଇଁ ମା ବିମଳାଙ୍କ ନିକଟରୁ ଗତକାଲି ପୂଜା ହୋଇଥିବା ଖଡ୍ଗ ମା କାକୁଡିଖାଇଙ୍କ ନିକଟକୁ ଆସିଥିଲା। ଶ୍ରୀକ୍ଷେତ୍ରର ଅଷ୍ଟଶକ୍ତିପୀଠ ସହିତ ସମସ୍ତ ପୂଜାମଣ୍ଡପରେ ଗୋଶାଣୀଙ୍କ ମହାଷ୍ଟମୀ ପାଇଁ ଗହଳିଚହଳି ଲାଗିରହିଛି । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୂଜା କମିଟି ମାନଙ୍କ ସହ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମନ୍ୱୟ ରକ୍ଷା କରାଯାଇଛି।

ଶ୍ରୀକ୍ଷେତ୍ରର କ୍ଷେତ୍ରଧୀଶ୍ଵରୀ ମା ବିମଳାଙ୍କ ସହ ସମସ୍ତ ଶକ୍ତିପୀଠ ଆଜି ଚଳଚଞ୍ଚଳ। ଭକ୍ତିପୂତ ପରିବେଶ ମଧ୍ୟରେ ଏହି ପୀଠ ଗୁଡିକରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ସେପଟେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ପରେ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଦେଇ ଶଙ୍ଖୁଡ଼ି ଭୋଗ ଭିତରକୁ ପ୍ରବେଶ କରିବ। ମାଙ୍କ ଆଜ୍ଞାମାଳ ଆସିବା ପରେ ପନିକିରେ ସିନ୍ଦୁର,ଚନ୍ଦନ ଲାଗି ହୋଇ ସେହି ପନିକିରେ ତିନିଦିନ ଧରି ମାଛକଟା ହୋଇ ମାଙ୍କୁ ଭୋଗ ହେବାର ରହିଛି ବଳିଷ୍ଠ ପରମ୍ପରା। ଏଥିସହ ଦୁଇଟି ଲେଖାଏଁ ଛାଗ ବଳି ପଡିବାର ମଧ୍ୟ ବିଧି ରହିଛି ।

Leave A Reply

Your email address will not be published.