Latest Odisha News

BREAKING NEWS

ଦଳବଦ୍ଧ ରାଜନୀତି :ମଳ ସଫା ହେବା ଦରକାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଦେଶର ରାଜନୀତି ସ୍ୱାଧୀନତା ପରେ ପାଲଟିଛି ଦଳର ରାଜନୀତି । ଦଳ – ଏଠି ଦଳ, ସେଠି ଦଳ, ସବୁଠି ଦଳ – କେତେ ଦଳ ! ଗୋଟିଏ ତ ଦେଶ, ଗୋଟିଏ ତ ଗଣତନ୍ତ୍ର – ଅଥଚ ଏତେ ଦଳ ! ତା’ହେଲେ ଏ ଦଳମାନଙ୍କର ଦେଶ କ’ଣ ଶହେ ଫୁଲ ଫୁଟୁଥିବା ଗୋଟିଏ ବଗିଚା ନୁହେଁ ? ପ୍ରତ୍ୟେକ ଦଳର କ’ଣ ଅଲଗା ଅଲଗା ଅଭିଧାନ, ସଂବିଧାନ ? ଲକ୍ଷ ଲକ୍ଷ ଲକ୍ଷ୍ୟ ? ସେ ଲକ୍ଷ ଲକ୍ଷ ଲକ୍ଷ୍ୟ କ’ଣ କୋଟି କୋଟି ଭାରତୀୟର ଗୋଟିଏ ସୁନ୍ଦର ଭବିଷ୍ୟତ ନିର୍ମାଣ ସପକ୍ଷରେ ନିଷ୍ପତିଟିଏ ନେଇ ପାରେନା ? ଦେଶର ମଣିଷକୁ ଗୋଟିଏ ନ୍ୟାୟସଂଗତ ଜୀବନ ଭୋଗିବାର ସ୍ୱୀକୃତିଟିଏ ଦେଇପାରେନା ? ବହୁବାର ବହୁ ସାକ୍ଷାତକାରରେ ଆମର ଅନେକ ନେତାକହିଥାନ୍ତି  –‘ମୁଁ ରାଜନୀତି କଲି ଦେଶସେବା କରିବାକୁ’ । ଦୁର୍ଭାଗା ଦେଶର ବ୍ୟବସ୍ଥା ବଦଳାଇବାକୁ’?

କୃଷି ପ୍ରଧାନ ଭାରତ ବର୍ଷରେ ମର୍ଯ୍ୟାଦାସଂପନ୍ନ ବଂଚିବାର ବାଟକୁ ବଦଳାଇ ଦେଇ ସାରିଛନ୍ତି ଗଣତାନ୍ତ୍ରିକ ଗର୍ଦ୍ଦଭ ଓ ଅର୍ଥନୈତିକ ଅଥର୍ବମାନେ । ସାତସାତଟା ଦଶନ୍ଧି ଧରି ଏମାନେ ମିଳିମିଶି ପ୍ରଗତିର ପରିଭାଷା ପ୍ରସ୍ତୁତ କରିଛନ୍ତି ଶିଳ୍ପସମୃଦ୍ଧିକୁ ମାପକାଠି କରି । କିନ୍ତୁ ଫଳ କ’ଣ ହେଲା ? ମୁନାଫାଧର୍ମୀ ମାଲିକାନାଧୀନ କଳକାରଖାନାଗୁଡିକର ବିଷାକ୍ତ ବୁଢିଆଣୀ ଜାଲରେ ଛନ୍ଦି ହୋଇପଡିଲା ଚାଷ କ୍ଷେତର ଭାରତବର୍ଷ । ପରିବେଶ ପ୍ରଦୂଷଣଠାରୁ ଆରମ୍ଭ କରି ଶଦ୍ଦପ୍ରଦୂଷଣ ପର୍ଯ୍ୟନ୍ତ ସବୁପ୍ରକାର ପ୍ରକୋପରେ ପ୍ରପୀଡିତ ହେଲେ ପ୍ରବଚିଂତ ପ୍ରଜାବର୍ଗ । ନିଜକୁ ରାଜା ମଣୁ ଥିବା ମନ୍ତ୍ରୀମାନେ ଖାତିର୍‌ କଲେକି ଏ ଅକ୍ଷମଣୀୟ କ୍ଷତିକୁ ?

ଶିଳ୍ପକୁ ରାଶିରାଶି ଋଣମଂଜୁର କରାଯାଇ ବରଂ ସହରର ଗୋଦାମ କରି ଦିଆଗଲା ଗାଆଁଗଣ୍ଡାକୁ । ଅଧିବାସୀର ଜମି ଓ ଆଦିବାସୀର ଜଙ୍ଗଲ ଆଡକୁ ଆଖି ପଳାଇଲା ଠିକାଦାରୀ ଠଗୀ ସଂସ୍କୃତି । ଶିଳ୍ପ ସାମ୍ରାଜ୍ୟ ତାର ଉପନିବେଶ ବିସ୍ତାର ପାଇଁ ଉତ୍ପାତ ଆରମ୍ଭ କଲା ସୌଦାଗରୀ ସୌଧ ସଭ୍ୟତାର ମୂଳଦୂଆ ପକାଇ । ଏବେ ଚାଷ ଜମି ସବୁ ଚାଲିଯାଉଚି କଂଟ୍ରାକ୍ଟରମାନଙ୍କ କଂଟାବାଡ ଘେରାଇଲାକା ଅଧୀନକୁ, ବିଲଡରମାନଙ୍କ ବୈଷୟିକ ବଳୟକୁ । ଫ୍ଲାଟ୍‌ ସବୁ ଗଢା ହେଉଛି ଚଢାଦରରେ ବିକ୍ରିବଟା ପାଇଁ । ଆପାର୍ଟମେଂଟ୍ ଓ ଡିପାର୍ଟମେଂଟ୍ ‌ମଝିରେ ଅର୍ଥନୀତି ଓ ରାଜନୀତି ମନ୍ତ୍ରଣାରତ ।

ଗରିବମାନଙ୍କ ଭାରତବର୍ଷ ଆଜି ଅନୁର୍ବରତାରେ ଅତିଷ୍ଠ । ଏଠିଘାସରେ ବିଷ, ଧାନରେ ଧୂଷ, ଧର୍ମରେ ଧାସ, ଶାସନତନ୍ତ୍ରରେ ସର୍ବନାଶ । ଶିଳ୍ପାଭିମୁଖୀ ଅର୍ଥନୀତିର ଅନ୍ୟାୟ ଅତିକ୍ରମ କରିସାରିଛି ଅନ୍ତିମ ସୀମା, ଲଂଘନ କରିସାରିଛି ଲକ୍ଷ୍ମଣରେଖା । ଶିଳ୍ପପତି ଋଣ ପରିଶୋଧ ନକରିପାରିଲେ ରୁଗ୍‌ଣ ଶିଳ୍ପ ଘୋଷଣା ବାଟେ ଛାଡ ପାଇଯିବା ବେଳକୁ ଏ ଦେଶର ଦରିଦ୍ର ଦୁର୍ଗତ କୃଷକ ବା କୃଷିଶ୍ରମିକ କିନ୍ତୁ ଋଣ ଶୁଝି ନ ପାରି ମାଡ ଖାଇଯାଉଚି ପୂରାପୂରି । ଋଣଯନ୍ତ୍ର ପାଲିଛି କୃଷିକାରୀ ପାଇଁ ମରଣଯନ୍ତା । ନିକଟ ଅତୀତରେ ଭାରତବର୍ଷର ଋଣଗ୍ରସ୍ତ ଗରିବ ଚାଷୀ ସମାଜରେ ଆତ୍ମହତ୍ୟାର ହାର ଯେପରି ଅଚିନ୍ତନୀୟ ଆତଙ୍କଜନକ ଅବସ୍ଥାରେ ଉପନୀତ ହୋଇଥିଲା, ତାହା କ’ଣ ପାସୋରି ପାରିବ କିଏ? କୃଷି ଓ ଶିଳ୍ପର ସମୀକରଣ ପରିବର୍ତେ ବିଷମୀକରଣ ଯୋଗୁ ଗରିବ ଭାରତବର୍ଷର ଭବିଷ୍ୟତ ଉପରେ ଆଜି ଖଣ୍ଡା ଝୁଲୁ ନାହିଁକି ?

ବର୍ତମାନ ଯେଉଁ ବି ସଦୃଶ ବ୍ୟବସ୍ଥାରେ ବିଧ୍ୱସ୍ତ ଏ ଦେଶ – ତା’ର ‘ସେବା’ ନୁହେଁ, ଶଲ୍ୟଚିକିତ୍ସା ବା ଆଶୁ ଅସ୍ତ୍ରୋପଚାର ଦରକାର । କିଛିକାରବାରୀ କିଛି ଦରବାରୀ  କିଛି ବୁଦ୍ଧିଜୀବୀ  କିଛି ଟୀକାକାର କିଛି ଠିକାଦାର କିଛି ମହାଜନ କିଛି ମାତବର ମିଶି ସ୍ୱାଧୀନତା ପରେ ଯେଉଁ ‘ରାଷ୍ଟ୍ର’ ଠିଆ କରାଇଛନ୍ତି, ତାହା କ’ଣ ସମୁଦାୟ ଜନସାଧାରଣଙ୍କର ସେଇ ସର୍ବଶ୍ରୀ ସଂପନ୍ନ ଦେଶ ନା ସେଇ ସ୍ୱାଭାବ ସୁନ୍ଦର ସ୍ୱଦେଶ ? ସେଇ ଦେଶ ଦରକାର, ଯାହା ନବଜନ୍ମନେବ ପରବର୍ତୀ ପ୍ରଜନ୍ମର ପ୍ରସୂତିଶାଳାରେ ।

ଜନ ସମୁଦାୟ ଜନ ସମୁଦ୍ରର ଜୋର୍‌ଦାର ଜୁଆର । ସେ ଜୁଆରରେ ଦେଶ ପାଇଁ ସେତୁବନ୍ଧ ବନ୍ଧା ହେବ । ଦଳ ଓ ରାଜନୀତି ଏଇ ଜନସମୁଦ୍ରରେ ହିଁ ସେତୁ ବନ୍ଧର ପ୍ରତିଷ୍ଠା ପାଇଁ ପ୍ରତିବଦ୍ଧ ହେବା ପ୍ରୟୋଜନ । ଏହି ଦୃଷ୍ଟିରୁ ବହୁସ୍ଫୀତ ବେତନ ଓ ବର୍ଦ୍ଧିତ ଭତା ସହ ସ୍ୱତନ୍ତ୍ର ସୁବିଧାଭୋଗୀ ସ୍ୱଳ୍ପ ସଂଖ୍ୟକ ପ୍ରଶିକ୍ଷିତ ପ୍ରତାରକଙ୍କୁ ନେଇ କୌଣସି ପ୍ରଶାସନ ବ୍ୟବସ୍ଥା ନୁହେଁ, ଦେଶର ମଣିଷକୁ ଅଗ୍ରାଧିକାର ଦେଇ ଗାଁଗଣ୍ଡାରୁ ସହରର ସରହଦବ୍ୟାପୀ ଏକ ଜନ ସଂଗ଼ଠନାଧୀନ ସୁପରିକଳ୍ପିତ ପରିଚାଳନା ବ୍ୟବସ୍ଥା ଜାରି କରାଯିବା କଥା । ଦଳ ଓ ରାଜନୀତିର ସେଇ ପୁରୁଣାଢାଂଚା ଦ୍ୱାରା ଏମିତି ନୂଆ ଭାରତର ନିଆରା ନକ୍‌ସା କେମିତି ବା ଅଙ୍କାଯାଇପାରେ ? ପାଠୁଆ ବାବୁ ସାହେବମାନଙ୍କର ପ୍ରଚୁର ପୋଥିବାଇଗଣକୁ ନେଇ ଅସଲ ଭାରତବର୍ଷର ଫସଲ କ୍ଷେତଟିଏ ପାଇଁ ମଂଜି କି ବିହନ ବୁଣିବା ସମ୍ଭବ କି?

ଏବେ ସବୁ ଆଡେ ଶସ୍ତା ସ୍ଲୋଗାନ୍ । ବସ୍ତା ବସ୍ତା ଭାଷଣ ବାଜିର ରିହାତି – ରାଜନୀତି । ଏ ଦଳ କହୁଚିସେ ଦଳ ଚୋର, ସେ ଦଳ କହୁଚି ଏ ଦଳ ତସ୍କର । ଲୋକେ କହୁଛନ୍ତି ସବୁ ଦଳ – ପଙ୍ଗପାଳ । ଶାସନ ତନ୍ତ୍ରର ଶସ୍ୟକ୍ଷେତ୍ରରେ ପ୍ରବେଶ କରିବା ପାଇଁ ସମସ୍ତେ ପାଗଳ । ଆଗେ ଆମର ରାଷ୍ଟ୍ରନୀତିଜ୍ଞ ଥିଲେ – ଯେଉଁମାନଙ୍କ ସଂଖ୍ୟ ହ୍ରାସ ଘଟିଛି ଶୋଚନୀୟଭାବରେ । ଏବେ ଅବଶ୍ୟ ରାଜନୀତିଜ୍ଞ ଅଛନ୍ତି କେତେକ – ମାତ୍ର ଚଳନ୍ତି ରାଜନୀତିର ଚକ୍ରବ୍ୟୂହରେ ସେମାନେ ନିଷ୍ପ୍ରଭ ଚରିତ୍ର ଜଣେଜଣେ । ବର୍ତମାନର ରାଜନୀତି ଏକ ପ୍ରକାର ପ୍ରଜାଶୋଷଣଧର୍ମୀ ପ୍ରବୃତି ନ ହେଲେ ରାଜକୋଷ ଲୁଣ୍ଠନ ମୁଖୀବାଜନୀତି । ରାଜନୀତିକୁ ବା ରାଜନୀତିରେ ବଦଳାଇ ଦେଇଥିବା ଅପଶକ୍ତିର ଆଜ୍ଞାବହ ବର୍ଗ ଗୋଟିଏ ଗୋଟିଏ ଦଳ ଗଢିସାରା ଦେଶକୁ ଦଖଲ କରିବାକୁ ବ୍ୟଗ୍ର । ଏମାନେ କେବଳ ମିଥ୍ୟାଚାରୀ, ଭ୍ରଷ୍ଟାଚାରୀ, ବ୍ୟଭିଚାରୀ, ଅବିଚାରୀ ବା ମୁଖାଧାରୀ ନୁହନ୍ତି, ଦରକାର ପଡିଲେଏମାନେ ବି ଭାରତୀୟ ଗଣତନ୍ତ୍ରର ହତ୍ୟାକାରୀ ହେବାକୁ ହାତ ମିଳାନ୍ତି ପରସ୍ପର ସହିତ ।

ଗୋଟିଏ ଚୁଡାନ୍ତ ବିଡମ୍ବନାର ପର୍ଯ୍ୟାୟରେ ପହଂଚି ସାରିଛି ଭାରତବର୍ଷର ରାଜନୀତି । ତାହା ହେଉଛି, କେବଳ ବଣିକ ବର୍ଗ ଓ ଧନିକ ବର୍ଗର ସମବାୟ ସମିତିକୁ ନେଇ ଗଢା ହେଉଛି ଶାସନ ଓ ପ୍ରଶାସନ ବ୍ୟବସ୍ଥା । କେବଳ ଧନୀଲୋକେ ନିର୍ବାଚନୀ ରାଜନୀତିର ମଇଦାନରେ ଦଳୀୟ ଟିକେଟ୍ ପାଇ ଯାତ୍ରା ଦେଖାଉଛନ୍ତି ଜନଗଣଙ୍କୁ । ଜଣେ ଗରିବ ଲୋକ ଯେତେ ଯୋଗ୍ୟତା, ଦକ୍ଷତା ଓ ଆନ୍ତରିକତାର ଅଧିକାରୀ ହେଉ ପଛେ – ଏ ଚନ୍ଦନ ଚର୍ଚ୍ଚିତ ଚିହ୍ନା ବ୍ରାହ୍ମଣମାନଙ୍କ ଚିତାଚଇତନୀ ରାଜନୀତିତାକୁ ନେତୃତ୍ୱ ସ୍ତରକୁ ଉନ୍ନୀତ କରାଇ ସୁଯୋଗ ଦିଏନା । ଗରିବ ଲୋକଟିଏ ଖୁବ୍ ‌ବେଶିରେ ମୁଖିଆକର୍ମୀ ପର୍ଯ୍ୟନ୍ତ ଯାଇପାରେ, ମାତ୍ର ଟିକେଟ୍‌ କିଣି ନିର୍ବାଚନ ଜିଣି ନେତା ହେବା କି ମନ୍ତ୍ରୀ ହେବା ତା’ ପକ୍ଷରେ ସହଜ ବ୍ୟାପାର ନୁହେଁ ।

ଗଣତନ୍ତ୍ରରୁ ଗରିବ କ୍ରମେ ବିଦାୟ ନେଉଛି । ଗରିବ ନାଆଁରେ ଗୁରୁ ଗମ୍ଭୀର ଧ୍ୱନି ଦେଇ ଧନୀ ଏବେ ନିଜକୁ ବୋଲାଉଛି ନେତା – ଏ ଜନତାର ହର୍ତାକର୍ତା – ଦୈବ ବିଧାତା । ବ୍ୟୟବହୁଳ ନିର୍ବାଚନ କେବଳ ନକଲି ନେତୃତ୍ୱର ରାଜନୈତିକ ବିସ୍ତାରବାଦ ନିମନ୍ତେ ବାଟ ଫିଟାଉଛି । ଏହାଦ୍ୱାରା ଜାତୀୟ ସମ୍ପତି ଉପରେ ଶ୍ୱେନଦୃଷ୍ଟି ପକାଉଥିବା ଧନୀ ଧୂର୍ତମାନେ ଜାତୀୟ ବିପତିକୁ ନେଇ ମିନିଟିଏ ବି ମୁଣ୍ଡବ୍ୟଥାରେ ଘାରିହେଉଥିବା ଉପଲବ୍‌ଧି କରିପାରୁନାହାନ୍ତି କେହି । ‘ଦାରିଦ୍ର‌୍ୟ’ ଏଭଳି ଏକ ସୂତ୍ର, ଯାହାକୁ ନେଇ ଏଠି ଏବେ ରାଜନୈତିକ ଦାରିବୃତି ନିଜ ନିଷିଦ୍ଧ ବଜାର ବିଛାଇବାରେ ବେଶ୍‌ ସଫଳ ହୋଇପାରିଛି । କିନ୍ତୁ ଏ ‘ସଫଳତା’ ଆମ ଜାତୀୟ ବ୍ୟର୍ଥତାକୁ ସାରା ଦୁନିଆ ଦରବାରରେ ସାବ୍ୟସ୍ତ କରି ସାରିଛି ଶତ ସହସ୍ରଗୁଣ ।

ରାଜନୀତି ଏଠି ଚାଲିଚି ବହୁଦଳୀୟ ଏକ ସୁପରିକଳ୍ପିତ ଯୋଜନାରେ । ସେ ଯୋଜନାର ସୂତ୍ରଧର ହେଉଛନ୍ତି ବିଦେଶୀ ପୁଞ୍ଜ ଉପରେ ପ୍ରତିଷ୍ଠିତ ଦେଶୀ ଶିଳ୍ପପତି ଗୋଷ୍ଠୀଏବଂସେମାନଙ୍କ ଭତାରେ ପରିପାଳିତ ଓ ପରିଚାଳିତ ଏ ଦେଶର ସୁବିଧାବାଦୀ ନ୍ୟସ୍ତସ୍ୱାର୍ଥ ସ୍ୱଚ୍ଛଳ ରାଜନୈତିକ ନେତୃପକ୍ଷ । ଦେଶ ଓ ଜାତିକୁନେଇ ଛଦ୍ମଚରିତ୍ରବର୍ଗ ଟେକି ଦେଉଛନ୍ତି ଭୟଙ୍କର ଭବିଷ୍ୟତ ହାତରେ । ଏଠି ଚଷାଚଷୁ ହେଉଚି, ମୂଲିଆ ମାହାଳିଆ ମରୁଚି, ଯୁବକ ଅକାଳ ବାର୍ଦ୍ଧକ୍ୟବରଣ କରୁଚି, ଶିଶୁମୃତ୍ୟୁର ହାର ଆହୁରିବଢୁଚି ।

ବର୍ତମାନ ରାଷ୍ଟ୍ର ଓ ସମାଜର ପ୍ରତ୍ୟେକ ବ୍ୟବସ୍ଥା ବି ପର୍ଯ୍ୟସ୍ତ । ନୈତିକ ମୂଲ୍ୟବୋଧ ଓ ରାଜନୈତିକ ମୂଲ୍ୟବୋଧ ମଧ୍ୟରେ ଆକାଶପାତାଳ ଫରକ । ଅର୍ଥନୈତିକ ଆଭିମୁଖ୍ୟ ଜନାଭିମୁଖୀ ହେବା ବଦଳରେ ଧନାଭିମୁଖୀ । ଧନତନ୍ତ୍ର ଦ୍ୱାରା ଜନତନ୍ତ୍ର ଧ୍ୱସ୍ତ । କଳାଟଙ୍କା ତା’ର କୁହୁକ ଦେଖାଇବାରେ ବ୍ୟସ୍ତ । ଆଜି ନେତୃତ୍ୱର ଭୂମିକା ନେତିବାଚକ । ବ୍ୟକ୍ତିତ୍ୱର ବିସର୍ଜନ ଓ ବ୍ୟକ୍ତିର ଆବାହନ କେବଠୁ ଆରମ୍ଭ ହୋଇସାରିଛି ଦଳୀୟ ରାଜନୀତିକ୍ଷେତ୍ରରେ । ଦଳର ରାଜନୀତି ଦେଶର ରାଜନୀତି ନୁହେଁ, ଦେଶର ରାଜନୀତି ହେଉଛି ପ୍ରକୃତ ପକ୍ଷରେ ଜନସାଧାରଣଙ୍କର ଅନନ୍ୟ ସାଧାରଣ ରାଜନୀତି – ଯାହା ବିଶାଳ, ବ୍ୟାପକ, ବିକାଶମାର୍ଗୀ । ଯେଉଁ ଦେଶରେ ସାଧାରଣ ମଣିଷଟିଏ ବ୍ୟୟବହୁଳ ନ୍ୟାୟ ବ୍ୟବସ୍ଥା ନିକଟରେ ନିଜର ଅବଶିଷ୍ଟ ଆତ୍ମମର୍ଯ୍ୟାଦା ଦାବୀ କରିବା ପାଇଁ ସଂପୂର୍ଣ୍ଣ ସମ୍ବଳହୀନ, ସେ ଦେଶରେ ଗଣତନ୍ତ୍ର ଗୌଣ – ଜନଗଣମନ ମୌନ ।

ଏବେ ବଦଳିବାର ବେଳ । ଏଇ ଭାରତରେ ଅଜସ୍ର ରାଜନୈତିକ ଦଳ । ନାନା ରଙ୍ଗର ପତାକା । ଜାତୀୟ ଦଳରୁ ଆଂଚଳିକ ଦଳ ମାଳମାଳ । ସବୁ ଦଳ ଭିତରେ ଅପର୍ଯ୍ୟାପ୍ତ ମଳ । ପେଟ ଭିତରେ ମଳ ରହିଲେ ଶରୀର ଅସୁସ୍ଥ ହୁଏ । ନାନା ରୋଗ ମାଡିଆସେ । ସେଇଭଳି ଦଳ ଭିତରେ ମଳ ରହିଲେ ଗଣତନ୍ତ୍ର ରୋଗାକ୍ରାନ୍ତ ହେବାକୁ ବାଧ୍ୟ । ଦଳବଦ୍ଧ ରାଜନୀତି ଆଜି ସୃଷ୍ଟି କରିଛି ଅସ୍ୱଚ୍ଛ ଭାରତ, କାଲି ସୃଷ୍ଟି କରିବ ଅସୁସ୍ଥ ଭାରତ । ଅତଏବ ଆଗ ହୁଁ ସାବଧାନ – ମଳ ସଫା ହେବା ଦରକାର ।

(ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩)

Leave A Reply

Your email address will not be published.