Latest Odisha News

BREAKING NEWS

ଗୁଟଖା ବେପାରୀରୁ ୫୦୦୦ କୋଟିର ଡ୍ରଗ୍ସ ମାଫିଆ !

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ସିଣ୍ଡିକେଟ୍ ଉପରେ ଭାରତର ସବୁଠାରୁ ବଡ଼ ପ୍ରହାର । ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ଧରାପଡ଼ିଛି ଡ୍ରଗ୍ସ କୁବେର ସଲିମ୍ ଡୋଲା । ତୁର୍କୀର ଇସ୍ତାନବୁଲରୁ ଏହି କୁଖ୍ୟାତ ଅପରାଧୀକୁ ଭାରତ ଅଣାଯାଇଛି । କେବେ ଗୁଟଖା ବିକୁଥିବା ଏହି ସଲିମ୍ କିଭଳି ପାଲଟିଲା ୫୦୦୦ କୋଟିର ଡ୍ରଗ୍ସ ସାମ୍ରାଜ୍ୟର ମାଲିକ ? ଦେଖନ୍ତୁ ଆମର ଏହି ସ୍ପେଶାଲ୍ ରିପୋର୍ଟ…

ମଙ୍ଗଳବାର ଦିଲ୍ଲୀର ଏକ ସ୍ପେଶାଲ ଏୟାରପୋର୍ଟରେ ଏକ ବିମାନ ଲ୍ୟାଣ୍ଡ କଲା, ଆଉ ସେହି ବିମାନରୁ ଓହ୍ଲାଇଲା ଭାରତୀୟ ଏଜେନ୍ସିର ମୋଷ୍ଟ ୱାଣ୍ଟେଡ୍ ସଲିମ୍ ଡୋଲା । ଇଣ୍ଟରପୋଲ୍‌ର ‘ରେଡ୍ କର୍ଣ୍ଣର ନୋଟିସ୍’ ପରେ ତୁର୍କୀ ଗୁପ୍ତଚର ସଂସ୍ଥା, MIT ସାହାଯ୍ୟରେ ତାକୁ କାବୁ କରାଯାଇଛି । ବର୍ତ୍ତମାନ ଗୁପ୍ତଚର ବିଭାଗ ତାକୁ ଜେରା କରୁଥିବା ବେଳେ ଖୁବଶୀଘ୍ର ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯିବ ।

କିନ୍ତୁ, କିଏ ଏହି ସଲିମ୍ ଡୋଲା ? ୧୯୬୬ ମସିହାରେ ମୁମ୍ବାଇରେ ଜନ୍ମିତ ସଲିମ୍‌ର କାହାଣୀ କୌଣସି ଫିଲ୍ମ ଠାରୁ କମ୍ ନୁହେଁ । ମୁମ୍ବାଇ ଗଳିରେ ଗୁଟଖା ଯୋଗାଣରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ସଲିମ୍, ଖୁବ୍ କମ୍ ବୟସରେ ଦାଉଦର ଡାହାଣ ହାତ କୁହାଯାଉଥିବା ଛୋଟା ଶକିଲ୍‌ ସଂସ୍ପର୍ଶରେ ଆସିଥିଲା। ଗୁଟଖା ବ୍ୟବସାୟରୁ ଗଞ୍ଜେଇ ଏବଂ ପରେ ସିନ୍ଥେଟିକ୍ ଡ୍ରଗ୍ସର ଦୁନିଆରେ ସେ ଏଭଳି ପାଦ ଥାପିଲା ଯେ, ଆଜି ସେ ୫୦୦୦ କୋଟି ଟଙ୍କାର ଡ୍ରଗ୍ସ ସିଣ୍ଡିକେଟ୍‌ର ମାଲିକ ।

ସଲିମ୍ ଡୋଲା ୨୦୧୨ରେ NCB ଦ୍ୱାରା ପ୍ରଥମ ଥର ପାଇଁ ଗିରଫ ହୋଇଥିଲା । ୫ ବର୍ଷ ଜେଲ୍ ରେ ସଜା କାଟିବା ପରେ ସିନ୍ଥେଟିକ୍ ଡ୍ରଗ୍ସ ୟୁନିଟ୍ ତିଆରି କଲା । ୨୦୧୮ରେ ପୁଣି ଗିରଫ ହେଲା ସଲିମ୍ କିନ୍ତୁ ଜାମିନ ପାଇ ଦେଶ ଛାଡ଼ି ଫେରାର୍ ହୋଇଗଲା । ଆଉ UAE ପାସପୋର୍ଟ ବଳରେ ଦୁବାଇରୁ ଚଳାଉଥିଲା ଗ୍ୟାଙ୍ଗ ।

୨୦୧୮ରେ ଜାମିନ ପାଇବା ପରେ ସଲିମ୍ ନାଁ ବଦଳାଇ ଦୁବାଇ ପଳାଇଥିଲା। ସେଠାରେ ରହି ସେ ପୂରା ଭାରତରେ ନିଜର ଡ୍ରଗ୍ସ ଜାଲ ବିଛାଇଥିଲା । ପରେ ସେ ତୁର୍କୀକୁ ନିଜର ଆଡ୍ଡା ସ୍ଥଳୀ ବନାଇଥିଲା । ମାତ୍ର ଭାରତୀୟ ଗୁପ୍ତଚର ଏଜେନ୍ସିର ତୀକ୍ଷ୍ଣ ନଜରରୁ ସେ ବର୍ତ୍ତି ପାରିନଥିଲା ।

ସଲିମ୍ ଡୋଲାର ଗିରଫଦାରୀ କେବଳ ଡ୍ରଗ୍ସ କାରବାର ନୁହେଁ, ବରଂ ଦାଉଦ୍ ଗ୍ୟାଙ୍ଗର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବାରେ ସହାୟକ ହେବ। ତା’ ପାଖରୁ ମୁମ୍ବାଇ ପୋଲିସକୁ ଅନେକ ଗୁପ୍ତ ସୂଚନା ମିଳିବାର ଆଶା ରହିଛି।

Leave A Reply

Your email address will not be published.