Latest Odisha News

BREAKING NEWS

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ମଥୁରା, ସାରା ଭାରତ

ଆଜି  ଭଗବାନ କୃଷ୍ଣଙ୍କ ଜନ୍ମଦିନ । ଏଥିପାଇଁ ରାଧାକୃଷ୍ଣଙ୍କ ମନ୍ଦିରରେ ସମସ୍ତ ପ୍ରସ୍ତୁତି ସରିଛି ।  ରୋହିଣୀ ନକ୍ଷତ୍ରର ଅଷ୍ଟମୀ ତିଥିରେ ଜନ୍ମ ହୋଇଥିଲେ ଭଗବାନ ଶ୍ରୀକୃଷ୍ଣ । ଦେଶ ତଥା ବିଦେଶରେ ରହୁଥିବା କୋଟି କୋଟି କୃଷ୍ଣ ଭକ୍ତ ଆସନ୍ତାକାଲି କୃଷ୍ଣ ଜନ୍ମାଷ୍ଟମୀ ପାଳନ କରୁଛନ୍ତି । ଉତ୍ତରପ୍ରଦେଶର ମଥୁରାରେ  ପ୍ରଭୁ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିବାରୁ ଏଠାରେ ଏହି ଉତ୍ସବ ବିଶେଷ ଉଲ୍ଲାସରେ ପାଳିତ ହେଉଛି । କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ମଧ୍ୟ ହେବ ।  ସାତଦିନବ୍ୟାପି ମଥୁରାରେ ଉତ୍ସବ ପାଳନ କରାଯିବ । ଗୁଜରାଟର  ଦ୍ୱାରକାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବହୁତ ଆଡ଼ମ୍ବରରେ ପାଳନ କରାଯିବ ।  ଲୋକେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଳା ବର୍ଣ୍ଣନାରେ ସମୃଦ୍ଧ ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ ପଢ଼ିିବାକୁ ଭଲ ପାଇଥାନ୍ତି ।  ଏହା ସହ ସାରା ଦେଶରେ କୃଷ୍ଣ ଜନ୍ମାଷ୍ଟମୀ ପାଳନ ହେବ । ଆସନ୍ତାକାଲି ଗୁରୁବାର ଭାଦ୍ର-କୃଷ୍ଣ ଅଷ୍ଟମୀ ତିଥି ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହେବ।  ଏଥି ନିମନ୍ତେ ସର୍ବସାଧାରଣ ଦର୍ଶନ ସନ୍ଧ୍ୟା ଘ.୭.୦୦ ଟାରୁ ରାତ୍ର ଘ.୧୧.୦୦ ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

ଜନ୍ମାଷ୍ଟମୀ  ହିନ୍ଦୁମାନଙ୍କର ମୂଖ୍ୟ ପର୍ବ । ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ବାପର ଯୁଗର  ଶେଷ ଭାଗରେ ଏହି ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ । ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ କଳିଯୁଗ ୫୧୧୩ ଚାଲିଛି । ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ ଲୀଳା ପୁରୁଷୋତ୍ତମ ଏହି ଧରାଧାମରେ ଅବତରଣ କରିଥିଲେ ବୋଲି ବିଶ୍ବାସ ରହିଛି। ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହେଇଥିଲା ।

ଧର୍ମର ରକ୍ଷା ପାଇଁ ଦେବକୀଙ୍କ  ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ । ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ବଧ କରିଥିଲେ ।  ସେ ପୃଥିବୀରୁ ପାପ ଭାର ଲାଘବ କରିଥିଲେ । ବ୍ରହ୍ମା, ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ ।

ମାନବ ଜାତିର ଉନ୍ନତିକଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇ ଲୀଳା କରିଥିଲେ ।ମହାଭାରତ ଯୁଦ୍ଧକୁ ଏଡେଇବା ପାଇଁ ଶାନ୍ତିର ବାର୍ତ୍ତାନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ଗମନ କରିଥିଲେ।ଏଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିଭାଇ ଥିଲେ । ମହାଭାରତ ଯୁଦ୍ଧକ୍ଷେତ୍ରରେ  ଅର୍ଜୁନଙ୍କ ରଥର ସାରଥୀହେଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ । ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି କୁଟୁମ୍ବମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ ନକରିବା ପାଇଁ ଶ୍ରୀକୃଷ୍ଣଙ୍କୁ ମନାକରିଦେଇଥିଲେ । ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହେଇ ଅର୍ଜୁନଙ୍କୁ ଗୀତା ଜ୍ଞାନ ପ୍ରଦାନ କରି ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବାଲାଗି ତାଙ୍କୁ ମନେଇବାରେ ସକ୍ଷମ ହେଇଥିଲେ।କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିତାଇଥିଲେ ।

ଗୀତାରେ ସାଂଖ୍ୟଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷାପ୍ରଦାନ କରିଛନ୍ତି,ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛନ୍ତି ।  ଭଗବତ ଗୀତା ବିଶ୍ବ  ସାହିତ୍ୟ ଭଣ୍ଡାରରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି । ଏଥିରେ ରଚିତ ହେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କର ମୁଖନିଃସୃତ ବାଣୀ ଦିବ୍ୟ ଓ ସନାତନ ବୋଲି ବିଶ୍ବାସ ରହିଛି ।

Leave A Reply

Your email address will not be published.