ମୁମ୍ବାଇ: ଆଇପିଏଲ୍ ୨୦୨୭ ସଂସ୍କରଣ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ୟ ଦଳକୁ ଟ୍ରେଡ୍ ହେବା ନେଇ ଚାଲିଥିବା ଚର୍ଚ୍ଚା ବର୍ତ୍ତମାନ ଅଟକି ଯାଇଛି। ଉପଯୁକ୍ତ ସର୍ତ୍ତ ଓ କ୍ରିକେଟରଙ୍କ ବିନିମୟ ପ୍ରକ୍ରିୟା ଚୂଡ଼ାନ୍ତ ହୋଇନପାରିବାରୁ ହାର୍ଦ୍ଦିକ ଆଗାମୀ ସିଜନ୍ରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସରେ ରହିବାର ସମ୍ଭାବନା ରହିଛି।
ତେବେ ଟିମ୍ ମ୍ୟାନେଜମେଣ୍ଟ ହାର୍ଦ୍ଦିକଙ୍କ ସ୍ଥାନରେ ନୂଆ ଅଧିନାୟକ ନିଯୁକ୍ତ କରିବାକୁ ଯୋଜନା କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବତନ ସଫଳ ଅଧିନାୟକ ରୋହିତ ଶର୍ମା ନିଜେ ପୁଣିଥରେ ଅଧିନାୟକ ପଦ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। କିନ୍ତୁ ଦଳର ନୂତନ ଅଧିନାୟକ ଚୟନ ପ୍ରକ୍ରିୟାରେ ରୋହିତ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।
ରିପୋର୍ଟ ମୁତାବକ, ଯୁବ ବ୍ୟାଟର ତିଲକ ବର୍ମା ଏବଂ ପ୍ରମୁଖ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କ ମଧ୍ୟରୁ ଜଣଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଆଗାମୀ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇପାରେ। ଏଥିରେ ତିଲକ ବର୍ମାଙ୍କ ନାମ ସବୁଠାରୁ ଆଗରେ ରହିଛି। ଅନ୍ୟପଟେ ତାରକା ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ରିଟେନ୍ ରଖାଯିବ ବୋଲି ସୂଚନା ମିଳିଛି।

