Latest Odisha News

BREAKING NEWS

ଗାଁର ନାମ ସଉନାମରା..ଏହି ମାଟିରେ ରହିଛି ହକିର ବାସ୍ନା

ସଉନାମରା: ସୁନ୍ଦରଗଡର ଛୋଟ ଗାଁ ସଉନାମରା ଯେଉଁ ପ୍ରସିଦ୍ଧି ହାସଲ କରିଛି ତାହା ବୋଧହୁଏ ବିରଳ । ଏହି ଗାଁରେ ହକିର ବାସ୍ନା ବହୁଛି । ଏଠି ପାଣି ପବନ ସବୁଠାରେ ହକି…ଆଉ ହକି । ଆଉ ଏଥିପାଇଁ ଗୋଟିଏ ପରେ ଗୋଟିଏ ଆନ୍ତର୍ଜାତୀୟ ହକି ଷ୍ଟାର ଏହିଠାରୁ ବାହାରୁଛନ୍ତି । କେନ୍ଦୁଗଛର ବଙ୍କା କାଠରୁ ହକି ଶିଖୁଥିବା ପିଲାମାନେ ସେ ସାରା ବିଶ୍ୱକୁ ଚକିତ କରିବେ ତାହା ପୁଣି ବାରମ୍ବାର କେହି କେବେ ଭାବି ନ ଥିବେ । ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କଠାରୁ ଆରମ୍ଭ କରି ମହିଳା ଖେଳାଳି ସୁଭଦ୍ରା ପ୍ରଧାନ, ଅମିତ ରୋହିଦାସ, ଦୀପସାନ ତିର୍କୀ ଏହି ମାଟି ଦେଇଛି । ଏମାନଙ୍କ ପ୍ରଦର୍ଶନ ଓ ଦକ୍ଷତା ବଳରେ ସାଇ, ଚୟନକମିଟି, ରାଜ୍ୟ ସରକାରରଙ୍କ କ୍ରୀଡା ବିଭାଗ ଏହି ଗାଁକୁ ଆସିବାକୁ ବାଧ୍ୟ ହୋଇଛନ୍ତି । ଏଥର ହକି ବିଶ୍ୱକପ ଏହି ଗ୍ରାମର ନାମକୁ ଆହୁରି ଉଚ୍ଚକୁ ନେଇ ଯାଇଛି । ଦିଲୀପଙ୍କ ହକି ଇଣ୍ଡିଆ ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଅମିତ ହୋଇଛନ୍ତି ଭାରତୀୟ ଦଳର ଉପ ଅଧିନାୟକ । ରାସ୍ତାଘାଟଠାରୁ ଆରମ୍ଭ କରି ସବୁ କିଛି ଅସୁବିଧା ଏହି ଗାଁରେ ଥିଲା କହିଲେ ଭୁଲ ହେବନି ।

BjdElectrycity

ସ୍ଥାନୀୟ ଛୋଟ ସ୍କୁଲ ପଡିଆରେ ଦିଲୀପଙ୍କଠାରୁ ଅନ୍ୟମାନେ ହକି ଅଭ୍ୟାସ କରି ନିଜକୁ ପ୍ରତିଷ୍ଠିତ କରାଇ ପାରିଥିଲେ । ଛୋଟ ଛୋଟ ମ୍ୟାଚଗୁଡିକରେ ମଧ୍ୟ ଗାଁଲୋକଙ୍କ ଉପସ୍ଥିତି ଓ ପିଲାମାନଙ୍କ ପ୍ରଦର୍ଶନ ହକିକୁ ରୋମାଂଚିତ କରି ଦେଇଥାଏ । ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ବ୍ଲକରେ ହକି ଫିଲ୍ଡ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଭାବ, ଅନାଟନ ଓ ଆଧୁନିକ ଚକାଚକଠାରୁ ଦୂରେଇ ରହିଥିବା ଏହି ଗାଁ ପିଲା ଏବେ ଅନ୍ୟମାନଙ୍କ ପ୍ରେରଣା ସାଜିଛନ୍ତି ।

Leave A Reply

Your email address will not be published.