ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ତେବେ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଚୟନ କମିଟିଙ୍କ କେତେକ ନିଷ୍ପତି ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଖରାପ ଫର୍ମ ଏବଂ ଫିଟନେସ ସତ୍ୱେ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସ୍ଥାନ ମିଳିଥିବା ବେଳେ କୃଣାଳ ପାଣ୍ଡ୍ୟାଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ଯାହାକୁ ନେଇ ଆଲୋଚନା ଜୋର ଧରିଛି ।
୪ ଜଣ ଅନଫିଟ୍ ଖେଳାଳିଙ୍କୁ କାହିଁକି ଦଳରେ ସାମିଲ କରାଗଲା: ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ ପାଇଁ ଘୋଷିତ ଭାରତୀୟ ଦଳକୁ ହିଁ ଏହି ସିରିଜ୍ ପାଇଁ ବଛାଯାଇଛି । ଜସପ୍ରୀତ ବୁମରା, ୱାଶିଂଟନ୍ ସୁନ୍ଦର, ନୀତିଶ କୁମାର ରେଡ୍ଡୀ ଏବଂ ହର୍ଷିତ ରାଣାଙ୍କୁ ସିଧାସଳଖ ବଡ଼ ଟୁର୍ନାମେଣ୍ଟରେ ନ ଖେଳାଇ, ଏହି ୩ ଟିକିଆ ମ୍ୟାଚ୍ ମାଧ୍ୟମରେ ମୈଦାନକୁ ଆଣିବାକୁ ଚୟନକର୍ତ୍ତା ଏବଂ ଦଳ ପ୍ରବନ୍ଧକ ନିଷ୍ପତ୍ତି ନେଇଛନ୍ତି । ଏହି ୪ ଖେଳାଳି ସ୍କ୍ୱାଡ୍ରେ ଥିଲେ ବି ସେଣ୍ଟର ଅଫ୍ ଏକ୍ସଲେନ୍ସରୁ ଚୂଡ଼ାନ୍ତ ଫିଟନେସ୍ ରିପୋର୍ଟ ମିଳିବା ପରେ ହିଁ ପ୍ଲେଇଂ-୧୧ରେ ଖେଳିପାରିବେ ।
କୃଣାଲ ପାଣ୍ଡ୍ୟାଙ୍କ ବାଦ୍ ପଡ଼ିବା ଓ ୱାଶିଂଟନ୍ଙ୍କୁ ସୁଯୋଗ: ଆଇପିଏଲ୍ ୨୦୨୬ରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ କୃଣାଲ ପାଣ୍ଡ୍ୟା ୩୭.୬୬ ହାରରେ ୨୨୬ ରନ୍ କରିବା ସହ ୧୪ଟି ୱିକେଟ୍ ହାସଲ କରି ସଫଳ ଯୋଗଦାନ ଦେଇଥିଲେ । ସୁନ୍ଦର ଗତ ୭ଟି ଆନ୍ତର୍ଜାତୀୟ ମ୍ୟାଚ୍ରେ ମାତ୍ର ୧ଟି ୱିକେଟ୍ ନେଇଛନ୍ତି ଏବଂ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ସିରିଜ୍ରେ ତାଙ୍କ ବୋଲିଂ ଫର୍ମ ନିରାଶାଜନକ ରହିଥିଲା। ଦଳରେ ପୂର୍ବରୁ ଅକ୍ଷର ପଟେଲଙ୍କ ରୂପରେ ବାମହାତୀ ସ୍ପିନ୍ ଅଲରାଉଣ୍ଡର ଥିବାରୁ, ବାମହାତୀ ବ୍ୟାଟରଙ୍କ ବିପକ୍ଷରେ ରାଇଟ୍-ଆର୍ମ ଅଫ୍-ସ୍ପିନର୍ ଭାବେ ୱାଶିଂଟନ୍ ସୁନ୍ଦରଙ୍କୁ ଦଳ ପ୍ରାଧାନ୍ୟ ଦେଇଛି । ଚୟନ କମିଟି ୨୬ ବର୍ଷୀୟ ସୁନ୍ଦରଙ୍କୁ ତିନୋଟି ଯାକ ଫର୍ମାଟ୍ରେ ଜଣେ ପ୍ରମୁଖ ଅଲରାଉଣ୍ଡର ଭାବେ ଗଢ଼ିବାକୁ ଚାହୁଁଥିବାରୁ, ନିକଟତମ ଫର୍ମ ସତ୍ତ୍ୱେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି ।

