ଅଜିତ ସାରଙ୍କ ପାଇଁ ମୁଁ ଅଭିନେତା ଓ ନିର୍ଦ୍ଦେଶକ ହୋଇପାରିଛି : ଲିକୁନ ଚୌଧୁରୀ

ଲିକୁନ ଚୌଧୁରୀ

(ଅଜିତ ଦାସଙ୍କ ଏକାଦଶାହ ଅବସରରେ)
୧୯୯୮ ମସିହା ଜୁଲାଇ ୧୨ । ସେଦିନ ମୁଁ ବହୁତ ଖୁସି ଥିଲି । କାରଣ ସେଦିନ ମୋ ଜନ୍ମ ଦିନ ଥିଲା । କଲେଜର ପ୍ରଥମ ବର୍ଷରେ ପ୍ରଥମ ଉପହାର ସେ ପୁଣି ମୋ ଗୁରୁ ଅଜିତ ସାର ଓ ମାୟା ମ୍ୟାଡାମଙ୍କଠୁ ପାଇଥିଲି । ସେଦିନ ମତେ ଅନୁଭବ ହେଲା ଯେ ମୁଁ ଯେଉଁ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗରେ ଅଭିନୟ ଶିକ୍ଷା ଲାଭ ପାଇଁ ଆସିଛି ସେଠି ମୋ ଗୁରୁଙ୍କ ସହ ଜଣେ ଅଭିଭାବକ ତଥା ଜଣେ ପିତୃତୁଲ୍ୟ ବ୍ୟକ୍ତିତ୍ୱଙ୍କୁ ମୁଁ ପାଇଥିଲି । ସେ ଆଉ କେହି ନୁହଁନ୍ତି ମୋର, ଆମ ସମସ୍ତଙ୍କର ପ୍ରିୟ ସ୍ୱର୍ଗତ ଅଜିତ ନାରାୟଣ ଦାସ । ଅଜିତ ସାର୍ ।

ତାଙ୍କର ଶିକ୍ଷାଦାନ ପ୍ରଣାଳୀ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ତାଙ୍କ ସ୍ନେହ, ଭଲ ପାଇବା ଏବଂ ‘ମେଣ୍ଢା’ ଶଦ୍ଦର ଗାଳି ମୁଁ କେବେ ବି ଭୁଲି ନାହିଁ କି ଭୁଲି ପାରିବି ନାହିଁ । ଅଭିନୟ ଶିକ୍ଷା ଦେଲା ବେଳେ ସେ ବାସ୍ତବ ଜୀବନ ଚର୍ଯ୍ୟାର ବାଖ୍ୟା କରି ମଞ୍ଚରେ ବାସ୍ତବଧର୍ମୀ ଅଭିନୟର କୌଶଳ ଶିକ୍ଷା ଦେଉଥିଲେ ।

ସାରଙ୍କ ବାସ୍ତବଧର୍ମୀ ଅଭିନୟ ଅନେକ ଚଳଚ୍ଚିତ୍ରରେ ଦେଖି ମୁଁ ଅନୁପ୍ରାଣିତ ହୋଇଥିଲି ଆଉ ସ୍ୱପ୍ନ ଦେଖିଥିଲି ନିଜକୁ ପରଦା ଉପରେ ଦେଖିବା ପାଇଁ । ଆଉ ଏବେ ଓଡିଶାର ଘରେ ଘରେ ଟିଭି ପରଦାରେ ମୋର ଅଭିନୟ ଦେଖି ମୋତେ ମୋ ଦର୍ଶକ ଏକ ସ୍ୱତନ୍ତ୍ର କଳାକାରର ପରିଚୟ ଦେଇଛନ୍ତି ।

ମୋ ଅଭିନୟ ଓ ମୋ ପ୍ରତିଭା ପାଇଁ ଯେତେବେଳେ ମତେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ୨୦୧୭ ମସିହାରେ ଦିଆଗଲା ସେହି ସମୟରେ ମୁଁ ମଞ୍ଚ ଉପରେ ମୁଁ ମୋ ଗୁରୁଙ୍କ ସବୁ ଶିକ୍ଷା ଦାନକୁ ମନେ ପକାଇ ଭାବ ବିହ୍ୱଳ ହୋଇପଡିଥିଲି । ମୋ ଗୁରୁ କେବଳ ଶିକ୍ଷା ଦାନ ନୁହେଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ମାର୍ଗ ଦେଖାଇଥାନ୍ତି ।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢିବା ସମୟରେ ମୋର ଶ୍ରେଷ୍ଠ ତିନି ଗୁରୁ ବିଜୟ ସାର, ଅଜିତ ସାର ଓ ନବୀନ ସାରଙ୍କୁ ଆଜୀବନ ଭୁଲି ପାରିବିନି । ତିନି ଜଣ ଗୁରୁ ଭିନ୍ନ ରଙ୍ଗର ରୂପ ସହିତ ତାଙ୍କ ଶିକ୍ଷା ଦାନ କରିବା ପ୍ରଣାଳୀ ଭିନ୍ନ ଓ ସ୍ୱତନ୍ତ୍ର ।

ଅଜିତ ସାରଙ୍କ ମଞ୍ଚ ଓ ପରଦା ଉପରେ ଅଭିନୟ କରିବାର ଶିକ୍ଷା ଦାନ ପ୍ରଣାଳୀ ଥିଲା ସେଥିରେ ନିଜ ନିଜର ପ୍ରତିଭାର ବିକାଶ କରିବା ସହିତ ଆତ୍ମବିଶ୍ୱାସ ମଧ୍ୟ ବଢୁଥିଲା । ସେ ଏକାଧାରରେ ଅନେକ ପ୍ରତିଭାର ଅଧିକାରୀ ଥିଲେ । ମୁଁ ତାଙ୍କ ଠାରୁ ଅଭିନୟ ଶିକ୍ଷା କରିବା ସହିତ ମଞ୍ଚ ସଜ୍ଜା, ଆଲୋକ ସମ୍ପାଦ, ପୋଷାକ ପରିଚ୍ଛଦ, ମେକ୍ ଅପ୍ ଓ ନିର୍ଦ୍ଦେଶନା ଦେବାରେ ଦକ୍ଷତା ଲାଭ କରିପାରିଛି । ଶତାଧିକ ମଞ୍ଚ ନାଟକରେ ଏ ସବୁ ମଞ୍ଚ କାର୍ଯ୍ୟ କରିବା ସହିତ ନିର୍ଦ୍ଦେଶନା ଦେବାରେ ମୁଁ ସଫଳ ହୋଇଛି ।

କିନ୍ତୁ ବର୍ତ୍ତମାନ ସେ ଆଉ ଆମ ପାଖରେ ନାହାନ୍ତି । ତାଙ୍କ ମୃତ୍ୟୁ ଖବର ଯେଉଁ ଦିନ ପାଇଲି ସେଦିନ ମୋ ପାଦ ତଳୁ ମାଟି ଖସି ଗଲା । ବିଶ୍ୱାସ ହେଲାନି ଯେ ଆମ ଗୁରୁ ଆଉ ଆମ ପାଖରେ ନାହାନ୍ତି ବୋଲି । ଆମେ ତାଙ୍କୁ ଆଉ ଦେଖିପାରିବୁ ନାହିଁ । ତାଙ୍କ ସହ ନାଟକ କରିପାରିବୁ ନାହିଁ । କରୋନା ମହାମାରୀ ତାଙ୍କୁ ଆମଠୁ ଛଡାଇ ନେଲା । ଏହା ଏପରି ଏକ ସମୟ ଯେଉଁଠି ତାଙ୍କ ଶେଷ ଦର୍ଶନ ବି ମୁଁ କରିପାରିଲି ନାହିଁ । ତାଙ୍କ ପାଦପଦ୍ମରେ ଫୁଲଟିଏ ବି ଦେଇପାରିଲିନି । ସବୁବେଳେ ଏହି ଅବଶୋଷ ରହିବ ।

କେବଳ ମୋର ନୁହେଁ ତାଙ୍କର ସମସ୍ତ ଛାତ୍ରଙ୍କର ଏହି ଅବଶୋଷ ରହିବ ନିଶ୍ଚୟ । ଆଜି ଆମ ଗୁରୁ ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ଶିକ୍ଷା ଦାନ, ତାଙ୍କ ସଂସ୍କାର ପ୍ରତ୍ୟେକ ଛାତ୍ରଙ୍କ ମଧ୍ୟରେ ଜୀବିତ ରହିବ ନିଶ୍ଚୟ ।

(ଅଜିତ ଦାସଙ୍କ ଛାତ୍ର ତଥା ଅଭିନେତା ଓ ନିର୍ଦ୍ଦେଶକ)