Latest Odisha News

BREAKING NEWS

ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ…

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ ଏକ ଅପରିହାର୍ଯ୍ୟ ଦ୍ରବ୍ୟ । ସମସ୍ତ ପତ୍ର ପୁଷ୍ପ ଅପେକ୍ଷା ତୁଳସୀ ପ୍ରତି ଶ୍ରୀଜଗନ୍ନାଥଙ୍କର ଶ୍ରଦ୍ଧା ଅଧିକ ରହିଥାଏ । ମାଳତୀ ଫୁଲ, ମୁକ୍ତାଫୁଲ ଓ ପଦ୍ମକୁ ଛାଡ଼ି ତୁଳସୀ ଶୁଷ୍କ ହେଲେ ସୁଦ୍ଧା ମହାପ୍ରଭୁଙ୍କଠାରେ ଅର୍ପଣ କରାଯାଇପାରେ । ତୁଳସୀ ଗଛ ମହାନ ହିନ୍ଦୁ ପରମ୍ପରାରେ ଏକ ଶକ୍ତିର ପ୍ରତୀକ ଅଟେ । ଆଜି ମଧ୍ୟ କୋଟି କୋଟି ଭାରତୀୟ ଗାଧୋଇସାରି ତୁଳସୀ ଗଛମୂଳରେ ପାଣି ଢାଳି ତୁଳସୀ ପାଣି ପାଇ ନିଜକୁ କୃତାର୍ଥ ମନେକରୁଛନ୍ତି ।

BjdElectrycity

ଶ୍ରୀମନ୍ଦିରରେ ତୁଳସୀ:

ତୁଳସୀ ମାଳା ଓ ତୁଳସୀ ପତ୍ରକୁ ନୈବେଦ୍ୟ ରୂପେ ଶ୍ରୀଜଗନ୍ନାଥଙ୍କ ନିକଟରେ ଅର୍ପଣ କରାଯାଇଥାଏ । ପ୍ରତି ମୁହୂର୍ତ୍ତରେ ତୁଳସୀ ପତ୍ର ତିନିଠାକୁରଙ୍କୁ ଭୋଗ ଲାଗି କରାଯାଇଥାଏ । ତୁଳସୀ ନୈବେଦ୍ୟ ନହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅନ୍ନ ବ୍ୟଞ୍ଜନ ପ୍ରସାଦ ହୁଏନାହିଁ । ଶ୍ରୀଜଗନ୍ନାଥଙ୍କ ଛଡ଼ା ତୁଳସୀ ସେବନ, ସୁଆସ ଓ ଭକ୍ତଙ୍କ ପାଇଁ ଅମୃତତୁଲ୍ୟ । ସେହିପରି ତୁଳସୀ ଦୟଣା ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ଏକ ଗୁରୁତ୍ୱପୂର୍ଣ୍ଣ ପବିତ୍ର ପଦାର୍ଥ ।

ପୁରୀ ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିରରେ ଭକ୍ତମାନେ ପୂଜକଙ୍କ ହାତରୁ ତୁଳସୀ ପତ୍ର ବତୁରା ଜଳପାନ କରି ଏକ ଅପୂର୍ବ ଆଧ୍ୟାତ୍ମିକ ତୃପ୍ତି ଓ ସନ୍ତୋଷ ଲାଭ କରନ୍ତି । ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତିରେ ତୁଳସୀ ବୃକ୍ଷର ମହତ୍ୱ ଯୁଗେ ଯୁଗେ ପ୍ରତିପାଦନ ହୋଇଛି ।

ତୁଳସୀର ଔଷଧୀୟ ମହତ୍ୱ:

ତୁଳସୀର ପତ୍ର, ବୀଜ(ମଞ୍ଜରୀ) ଓ ମୂଳ ଔଷଧୀୟ ଗୁଣ ସମ୍ପନ୍ନ ଅଟେ । ଔଷଧୀୟ ଗୁଣ ଓ ଉପଯୋଗିତା ଦୃଷ୍ଟିରୁ ଶ୍ୱେତ ତୁଳସୀ (ରାମ ତୁଳସୀ) ଅପେକ୍ଷା କୃଷ୍ଣ ତୁଳସୀ ବା କଳା ତୁଳସୀ (ଶ୍ୟାମ ତୁଳସୀ) ଅଧିକ ମହତ୍ୱପୂର୍ଣ୍ଣ ।

ସ୍ୱଭାବରେ ଏହା ଲଘୁ ଋକ୍ଷ ଗୁଣଯୁକ୍ତ, ରସରେ କଟୁ ଓ ତିକ୍ତ । ଏହା କଫ ବାତ ନାଶକ । ତେଣୁ କଫବାତ ପ୍ରକୋପରୁ ଉତ୍ପନ୍ନ ବ୍ୟାଧିଗୁଡ଼ିକୁ ଉପଶମ କରିବା ପାଇଁ ଏହାର ରସ ସେବନୀୟ ।

ତୁଳସୀ ରସ ଦ୍ୱାରା କାଶ ଶ୍ୱାସ ଓ ପାଶ୍ୱର୍ଶୂଳ ବା ସାଇଟିକା, ଯାବତୀୟ ଦନ୍ତରୋଗ, ଅଗ୍ନିମାନ୍ଦ୍ୟ, ଉଦରଶୂଳ ଓ କୃମିରୋଗ ତଥା ସାଧାରଣ ଦୁର୍ବଳତାରେ ଏହାକୁ ସେବନ କଲେ ରୋଗୀ ନିଶ୍ଚିତ ଭାବରେ ଉପକୃତ ହୋଇଥାଏ ।

ଉତ୍କଳୀୟ ସଂସ୍କୃତିରେ ତୁଳସୀ:

ପ୍ରାଚୀନ ଯୁଗରୁ ଧାର୍ମିକ ପରମ୍ପରା ଅନୁଯାୟୀ ସମସ୍ତ ଓଡ଼ିଆଙ୍କ ଘର ସାମ୍ନାରେ କିମ୍ବା ଅଗଣାରେ ତୁଳସୀ ବୃକ୍ଷକୁ ଧାରଣ କରିଥିବା ବୃନ୍ଦାବତୀ ଚଉରା ପୂଜା ପାଇଥାଏ ।

ହିନ୍ଦୁ ନରନାରୀମାନେ ଏହି ତୁଳସୀ ବୃକ୍ଷକୁ ପବିତ୍ର ଓ ପୂଜ୍ୟ ମନେକରି ସ୍ୱାସ୍ଥ୍ୟ ଓ ସମୃଦ୍ଧି ମନେକରି କାମନାର ପରିତୃପ୍ତି ଉଦ୍ଦେଶ୍ୟରେ ଗୃହ ଅଗଣାରେ ଏହାକୁ ରୋପଣ କରି ସନ୍ଧ୍ୟାବେଳେ ଧୂପଦୀପ ଦେଇଥାଆନ୍ତି ।

ଉତ୍କଳୀୟ ସଂସ୍କୃତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ମଧ୍ୟ ଏହାକୁ ଏକ ମୁଖ୍ୟ ଦ୍ରବ୍ୟ ଭାବେ ଅର୍ପଣ ଯୋଗ୍ୟ ପ୍ରସାଦ ରୂପେ ବ୍ୟବହାର କରାଯାଏ ।

Leave A Reply

Your email address will not be published.