Latest Odisha News

ପୁତୁରା ଭାଙ୍ଗିଲେ ଦଳ, ଏବେ ପାୱାର କରିବେ କଣ ?

ମୁମ୍ବାଇ: ଶିବସେନା ପରେ ଭାଙ୍ଗିଲା ଏନସିପି । ମହାରାଷ୍ଟ୍ରରେ ବଢ଼ୁଛି ବିଜେପି । ଛିଣ୍ଡୁଛି ବିରୋଧୀଙ୍କ ବଳ । ଶରଦ ପାୱାରଙ୍କ ଏନସିପିକୁ ଭାଙ୍ଗି ପୁତୁରା ଅଜିତ ପାୱାର ପ୍ରତିଶୋଧ ନେଇଛନ୍ତି । ୨୦୧୯ ପରେ ତୃତୀୟ ଥର ପାଇଁ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅଜିତ୍ ପାୱାର ତୃତୀୟଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ଏନଡିଏରେ ମିଶିଛନ୍ତି ।

ଏଥିସହ ମହାରାଷ୍ଟ୍ରରେ ବିରୋଧୀ ଆହୁରି ଦୁର୍ବଳ ହୋଇ ଯାଇଛନ୍ତି । ମେ ୨ରେ ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାରଙ୍କ ଇସ୍ତଫାର ମାସକ ପରେ ଜୁନ ୧୦ରେ ଝିଅ ସୁପ୍ରିୟା ସୁଲେଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା ସହ ମହାରାଷ୍ଟ୍ର ମଙ୍ଗ ଧରାଇଥିଲେ । ସେବେଠୁ ଏନସିପିରେ କୁହୁଳୁଥିଲା ବିଦ୍ରୋହର ନିଆଁ ।

ଯାହା ରବିବାର ବିସ୍ଫୋରଣ ହୋଇଛି । ଏନସିପିର ୪୦ରୁ ଅଧିକ ବିଧାୟକଙ୍କୁ ନେଇ ମହାରାଷ୍ଟ୍ରର ସିନ୍ଦେ ସରକାରରେ ସାମିଲ୍ ହୋଇଛନ୍ତି ଅଜିତ୍ ପାୱାର । ଏଥିସହ ଏକନାଥ ସିନ୍ଦେ ଶିବସେନାକୁ ଭାଗ ଭାଗ କରିବା ଭଳି ଅଜିତ୍ ପାୱାର ଏନସିପିକୁ ବାଣ୍ଟି ଦେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ୍ ପାୱାର ଶପଥ ନେଇଥିବା ବେଳେ ଛଗନ ଭୁଜବଳଙ୍କ ସମେତ ଏନସିପିର ୭ ବିଧାୟକ ନେଇଛନ୍ତି ମନ୍ତ୍ରୀ ଭାବେ ଶପଥ । ଅଜିତ୍ ପାୱାରଙ୍କ ସହ ଏନସିପି ବିଧାୟକଙ୍କୁ ସରକାରକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ସିନ୍ଦେ । କହିଛନ୍ତି, ଏବେ ମହାରାଷ୍ଟ୍ରର ବିକାଶ କରିବ ଟ୍ରିପଲ୍ ଇଞ୍ଜିନ୍ ସରକାର ।

ଅଜିତ୍ ପାୱାର, ଏକନାଥ ସିନ୍ଦେଙ୍କ ସରକାରରେ ସାମିଲ୍ ହେବା ଏନସିପିକୁ ଯେତିକି ଝଟକା ନ ଦେଇଛି ତାଠୁ ବଡ଼ ଝଟକା ଶପଥ ଗ୍ରହଣ ସମାରୋହରେ ପ୍ରଫୁଲ୍ଲ ପଟେଲଙ୍କ ଉପସ୍ଥିତି । କାରଣ ସୁପ୍ରିୟା ସୁଲେଙ୍କ ସହ ପ୍ରଫୁଲ୍ଲ ପଟେଲଙ୍କୁ ମାତ୍ର ୨୦ ଦିନ ତଳେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କରିଥିଲେ ଶରଦ ପାୱାର । ଆଉ ଏବେ ଶରଦ ପାୱାରଙ୍କ ବିଶ୍ୱସ୍ତ ଓ ଘନିଷ୍ଠ ନେତାଙ୍କୁ ନେଇ ପୁତୁରା ଅଜିତ୍ ପାୱାର ସିନ୍ଦେ ସରକାରରେ ମିଶିଛନ୍ତି ।

ପାର୍ଟିକୁ ଭାଗ ଭାଗ କରି ପୁତୁରା ଯିବା ପରେ ଏବେ କଣ କରିବେ ପାୱାର ? ଦଳକୁ ସମ୍ଭାଳିବେ ନା ଝିଅ ସୁପ୍ରିୟା ସୁଲେଙ୍କ ଭବିଷ୍ୟତ କଥା ଭାବିବେ ? ଏନିସିପିର ଦଳୀୟ ଚିହ୍ନ କାହା ପାଖରେ ରହିବ ? ନା ଶିବସେନା ଭଳି ଏନିସିପି ଭୋଗିବ ସମାନ ଦଶା । ମହାରାଷ୍ଟ୍ର ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି ।

Leave A Reply

Your email address will not be published.