Latest Odisha News

BREAKING NEWS

ପବିତ୍ର ଦୀପାବଳି ଅବସରରେ ବଡ଼ଦାଣ୍ଡରେ ‘ବଡ଼ବଡୁଆ’ ଡାକିଲେ ହଜାର ହଜାର ଶ୍ରଦ୍ଧାଳୁ

ପୁରୀ : ଦୀପାବଳିରେ ପୁରୀରେ ପୟାଶ୍ରାଦ୍ଧ ଦେବାକୁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଛି। ସିଂହଦ୍ୱାର ସମ୍ମୁଖରେ ପୟାଶ୍ରାଦ୍ଧ କରିବାର ବିଧି ରହିଛି । ଏହି ଅବସରରେ ବଡବଡୁଆ ଡକାଯିବାର ପରମ୍ପରା ରହିଛି ।

ପିତୃପୁରୁଷଙ୍କୁ ସ୍ୱସ୍ଥାନ ଫେରିବା ପାଇଁ ଆଲୋକ ଦେଖାଇବା ଏହାର ଉଦ୍ଦେଶ୍ୟ। ଏହା ଏକ ସାମୂହିକ ଶ୍ରାଦ୍ଧ ଉତ୍ସବ। ଏଣୁ ପୁରୀ ବଡଦେଉଳ ସମ୍ମୁଖରେ ଶ୍ରଦ୍ଧାଳୁ ମାନେ ତାଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ଅର୍ପଣ କରିଛିନ୍ତି। ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବାଇସିପାହଚରେ ପିଣ୍ଡଦାନ କରିଥାନ୍ତି।

ଶ୍ରୀମନ୍ଦିର ବାଇସିପାହଚରେ ପିଣ୍ଡଦାନ କଲେ ପିତୃଗଣଙ୍କୁ ସନ୍ତୁଷ୍ଟି ମିଳିଥାଏ ଓ ପିତୃପୁରୁଷ ଆଶୀର୍ବାଦ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଆଜି ପୟାଶ୍ରାଦ୍ଧ କରିବାପାଇଁ ଶ୍ରୀମନ୍ଦିରକୁ ବହୁ ଭକ୍ତ ଆସିଛନ୍ତି ।

ଜନ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏମାର ମଠ ଚକଡ଼ା ତଥା ଅରୁଣ ସ୍ତମ୍ଭ ଡାହାଣ ପଟ ଖୋଲା ସ୍ଥାନରେ ବଡ଼ ବଡୁଆ ଡାକିବା ଓ ଶ୍ରାଦ୍ଧ କାର୍ୟ୍ଯ ନିମନ୍ତେ ସ୍ଥାନ ରଖାଯାଇଥିଲା। ସେହିପରି ଶାନ୍ତି ଶୃଙ୍ଖଳା ପାଇଁ ୨୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସେହିପରି କୌଣସି ଅଘଟଣ ଯେପରି ନଘଟେ ସେ ନେଇ ଅଗ୍ନିଶମ ବିଭାଗର କର୍ମଚାରି ମୁତୟନ ରହିଥିଲେ। ସେହିପରି ଶ୍ରୀମନ୍ଦିରକୁ ଭକ୍ତଙ୍କ ଶୃଙ୍ଖଳିତ ପ୍ରବେଶ ନେଇ ସିଂହଦ୍ୱାର ଠାରୁ ବଡ଼ ଆଖଡା ମଠ ପର୍ଯ୍ୟନ୍ତ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିଲା। ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରିପଟକୁ ସିସିଟିଭି ମାଧ୍ୟମରେ ନଜର ରଖାଯାଇଥିଲା। ସେପଟେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରି ବେଶ୍ ଖୁସି ଜାହିର୍ କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ।

ଏହି ମହତ୍ ଦିନରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଜମିଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ସିଂହଦ୍ଵାର ସମ୍ମୁଖରେ ପୟାଶ୍ରାଦ୍ଧ ଦେଇ ପିତୃପୁରୁଷଙ୍କୁ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ ମାନେ।

Leave A Reply

Your email address will not be published.