Latest Odisha News

ଦାଦା ପଡିଗଲେ ଏକୁଟିଆ

ପୁରୀ: ବିସିସିଆଇର ବୈଠକରେ ସୌରଭ ଗାଙ୍ଗୁଲିଙ୍କ ପତା କଟିଲା କି ? ମଙ୍ଗଳବାର ଆୟୋଜିତ ବୈଠକରେ ଦାଦାଙ୍କ ଦାଦାଗିରି ଏକ ପ୍ରକାର ଶେଷ ହୋଇଛି । ଗାଙ୍ଗୁଲିଙ୍କ ଭବିଷ୍ୟତ ନେଇ ମିଡିଆଠାରୁ ଆରମ୍ଭ କରି ରାଜନୈତିକ ଦଳ ଖୁସୁରୁପୁସୁରୁ ହେଉଛନ୍ତି । ବୈଠକରେ ସମସ୍ତେ ସେମାନଙ୍କ ପଦ ବଜାୟ ରଖିଥିବା ବେଳେ ଗାଙ୍ଗୁଲି ଏକୁଟିଆ ପଡି ଯାଇଥିଲେ । ସଭାପତି ପଦ ପାଇଁ ରୋଜର ବିନ୍ନିଙ୍କ ନାମ ସୁପାରିଶ ହୋଇଛି । ଦାଦାଙ୍କ ମନ ରଖିବା ପାଇଁ ଆଇପିଏଲ ଚେୟାରମ୍ୟାନ ପଦ ଅଫର କରାଯାଇଥିଲା । ମାତ୍ର ସେ ରାଜି ହୋଇ ନ ଥିଲେ । ଆଉ ଏକ ପର୍ଯ୍ୟାୟ ବିସିସିଆଇ ସଭାପତି ହେବା ତାଙ୍କର ଇଚ୍ଛା ଥିଲା । ବୈଠକ ପରେ ହେଡ କ୍ୱାର୍ଟରରୁ ବାହାରି ଗାଙ୍ଗୁଲି ତରବରିଆ ଭାବେ ଗାଡିରେ ବସି ପଳାଇ ଯାଇଥିଲେ । ବିସିସିଆଇ ମେଂଟର ଏନ.ଶ୍ରୀନିବାସନଙ୍କ ଗ୍ରୁପ ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲେ ।

କୋଲକତାର ଯୁବରାଜଙ୍କ କେତେକ ନିଷ୍ପତି ତାଙ୍କ ସହଯୋଗୀଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା । ଦାଦା ବିଜ୍ଞାପନ ପାଇଁ ଏପରି ବ୍ରାଣ୍ଡକୁ ସମର୍ଥନ କରୁଥିଲେ ଯେଉଁମାନେ ବିସିସିଆଇ ଅଫିସିଆଲ ସ୍ପନର୍ସର ପ୍ରତିଦ୍ୱନ୍ଦୀ ଥିଲେ । ଏହା ବ୍ୟତୀତ ବିରାଟ କୋହଲିଙ୍କ ଅଧିନାୟକ ଛାଡିବା ନେଇ ବିବାଦ ଏବଂ ବିଜେପିରେ ମିଶିବା ଗୁଜବ ତାଙ୍କୁ ହରଡଘଣାରେ ପକାଇଥିଲା । ଟିଏମସି ଅଭିଯୋଗ କରିଛି ସେ ବିଜେପିରେ ମିଶିଲେନି ବୋଲି ପଦରୁ ହଟିଲେ । ବିଜେପି ଏହାକୁ ଖଣ୍ଡନ କରୁଥିଲେ ମଧ୍ୟ ଗାଙ୍ଗୁଲି ରାଜନୀତି ଚାଲରେ ମୋହରା ହୋଇ ଯାଇଥିଲେ । ଗାଙ୍ଗୁଲିଙ୍କ ପରବର୍ତୀ ପଦକ୍ଷେପ କଣ ହେବ ଏବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ସେ ଆଇସିସିର ବଡ ପଦ ହାତେଇ ନ ନେବେ ତାହା କିଏ କହିହେବ । ବର୍ତମାନ ବିସିସିଆଇର ସମ୍ଭାବିତ ନୂତନ କାର୍ଯ୍ୟକାରିଣୀ ବଡିରେ ବିନ୍ନୀ ସଭାପତି ରହିଛନ୍ତି । ଜୟ ଶାହା ସେକ୍ରେଟାରୀ, ରାଜୀବ ଶୁକ୍ଲା ଉପାଧ୍ୟକ୍ଷ, ଯୁଗ୍ମ ସଚିବ ଦେବଜିତ ସୌକିୟା, କୋଷାଧ୍ୟକ୍ଷ ଆଶୀଷ ସେଲାର ଓ ଆଇପିଏଲ ଚେୟାରମ୍ୟାନ ଭାବେ ଅରୁଣ ସିଂ ଧାମଲଙ୍କ ନାମ ବୈଠକରେ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଛି ।

Leave A Reply

Your email address will not be published.