Latest Odisha News

BREAKING NEWS

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ରିପୋର୍ଟ ପ୍ରଦାନ କଲେ ଆମିକସ୍ କ୍ୟୁରୀ, ମାର୍ଚ୍ଚ ୫କୁ ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ପ୍ରସଙ୍ଗରେ ପୂର୍ବତନ ସଲିସିଟର୍ ଜେନେରାଲ ତଥା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ରଞ୍ଜିତ କୁମାର ସୁପ୍ରିମକୋର୍ଟରେ ତାଙ୍କର ରିପୋର୍ଟ ଦାଖଲ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଆମିକସ୍ କ୍ୟୁରି ରଞ୍ଜିତ କୁମାର ପରବର୍ତ୍ତୀ ଶୁଣାଣି ସମୟରେ ସେ ବିସ୍ତାରିତ ଭାବେ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି ।

ଆମିକସ କ୍ୟୁରିଙ୍କ ରିପୋର୍ଟ ନିରୀକ୍ଷଣ କରିବା ପରେ ହିଁ ସୁପ୍ରିମକୋର୍ଟ ଏସମ୍ପର୍କରେ ତାଙ୍କର ଶୁଣାଣି କରିବେ । ସୁପ୍ରିମକୋର୍ଟରେ ଏହି ଶୁଣାଣି କରାଯିବାକୁ ହୋଇଥିବା ଖଣ୍ଡପୀଠରେ ଥିବା ବିଚାରପତି ଅର୍ଜନ କୁମାର ସିକ୍ରି ଅନୁପସ୍ଥିତ ରହିଥିବା କାରଣରୁ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୫ ତାରିଖକୁ ଘୁଞ୍ଚିଥିବାର ସୂଚନା ମିଳିଛି ।

ଏହି ଖଣ୍ଡପୀଠ ଫେବୃଆରୀ ୨୭ ତାରିଖରେ ଚୂଡ଼ାନ୍ତ ଶୁଣାଣି କରିବାକୁ ସ୍ଥିର କରିଥିଲେ ଏବଂ ପୁରୀରୁ ଯଥାଶିଘ୍ର ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଫେବୃଆରୀ ୨୨ ଓ ୨୩ ତାରିଖ ଦିନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିଦର୍ଶନ କରିବା ସହିତ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ମହାରାଜା, ଜିଲ୍ଲା ଜଜ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ସହିତ ବୈଠକ ଆଲୋଚନା କରିବା ପରେ ରିପୋର୍ଟ ପ୍ରସ୍ତୁତ କରିଥିଲେ ।

ଆମିକସ୍ କ୍ୟୁରି ପୁରୀ ଗସ୍ତରେ ଆସିବା ପୂର୍ବରୁ ତାଙ୍କର ସହଯୋଗୀ ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରୀୟ ଅଗ୍ନିହୋତ୍ରୀ ଡ଼ିସେମ୍ବର ୨୦ ତାରିଖରେ ପହଞ୍ଚି ଶ୍ରୀମନ୍ଦିର ଛତିଶା ନିଯୋଗ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସହିତ ବୈଠକରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.