Latest Odisha News

BREAKING NEWS

ନିୟମିତ ଆଦେଶ ନମିଳିଲେ କାର୍ଯ୍ୟବନ୍ଦ ଧମକ ଦେଲା ସିବିଟି ଶିକ୍ଷକ ସଂଘ, ମନ୍ତ୍ରୀ କହିଲେ ଧୈର୍ଯ୍ୟ ଧରନ୍ତୁ

ଭୁବନେଶ୍ୱର : ରାଜଧାନୀର ରାଜରାସ୍ତାରେ ଏକାଠି ହୋଇଛନ୍ତି ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ। ହାଇସ୍କୁଲ ସିବିଟି ଶିକ୍ଷକ ସଂଘର ଆହ୍ୱାନରେ  ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ (୨୦୧୬ ରୁ ୨୦୨୨ ବ୍ୟାଚ୍ ପର୍ଯ୍ୟନ୍ତ) ସୋମବାର ଭୁବନେଶ୍ବର ମହାତ୍ମାଗାନ୍ଧୀ ମାର୍ଗରେ ହାତରେ ପ୍ଲା-କାର୍ଡ ଓ ନିଜ ଦାବିର ନାରା ସହ ସରକାରଙ୍କ ଉଦେଶ୍ୟରେ ଗର୍ଜିଛନ୍ତି । ସଂଘର ଅଭିଯୋଗ, ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଚୁକ୍ତି ଭିତ୍ତିକ କର୍ମଚାରୀମାନେ ନିୟମିତ ହୋଇ ସବୁପ୍ରକାର ସରକାରୀ ସୁବିଧା ପାଉଥିଲା ବେଳେ ସେଥିରୁ ବାଦ୍ ପଡିଛନ୍ତି ୨୦୧୬ ରୁ ୨୦୨୨ ବ୍ୟାଚର ଶିକ୍ଷକ ଶିକ୍ଷୟିତ୍ରୀମାନେ। ପାଖାପାଖି ୧୮ ହଜାରରୁ ଅଧିକ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀମାନେ ସରକାରୀ ମାନ୍ୟତାରୁ ବଞ୍ଚିତ ହୋଇଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସିବିଟି ଶିକ୍ଷକ ସଂଘର ସଭାପତି ପଞ୍ଚାନନ ଜେନାଙ୍କ କହିବା କଥା, ନିୟମିତ ପ୍ରକ୍ରିୟାର ସମାପନ ପାଇଁ ଅର୍ଥ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଅନୁମୋଦନ କରିବା ପରେ ମଧ୍ୟ ଶିକ୍ଷା ବିଭାଗରେ କାମ ଆଗକୁ ନବଢ଼ିବା ବଡ଼ ଦୁର୍ଭାଗ୍ୟର ବିଷୟ।

ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀରରଞ୍ଜନ ଦାଶ ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସମୀର କହିଛନ୍ତି, ଚାକିରି ନିୟମିତ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାରବିମର୍ଶ ଚାଲିଛି। ଏଣୁ ଶିକ୍ଷକମାନେ ଆନ୍ଦୋଳନରୁ ଓହରି ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ।

ଉଲ୍ଲେଖଯୋଗ୍ୟ, ଗତ ଶନିବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ମାର୍ଗରେ ଧାରଣା ଦେଇଛି ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ। ଦାବି ପୂରଣ ନେହେବା ଯାଏ, ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘର ସମ୍ପାଦକ ସତ୍ୟଭୂଷଣ ତରାଇ କହିଛନ୍ତି। କେବଳ ସେତିକି ନୁହେଁ, ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ ଆଦେଶ ନ ମିଳିଲା ଯାଏଁ, କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ୩୦ ଜିଲ୍ଲାର ହଜାର ହଜାର ଶିକ୍ଷକଙ୍କୁ ନେଇ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ମହା ଆନ୍ଦୋଳନ ହେବ ବୋଲି ସିବିଟି ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.