ଆସନ୍ତୁ ୨୦୩୦ ସୁଦ୍ଧା ବିଶ୍ୱକୁ ହେପାଟାଇଟିସ୍ ମୁକ୍ତ କରିବା

ଡ. ମନୋଜ କୁମାର ସାହୁ 

ହେପାଟାଇଟିସ୍ ଯକୃତର ଏକ ସଂକ୍ରମଣ ଯାହା ଆଜି ପୃଥିବୀରେ ଏକ ଭୟଙ୍କର ବ୍ୟାଧିରେ ପରିଣତ ହୋଇଛି । ଭାଇରାଲ୍ ହେପାଟାଇଟିସ୍‌ର ମୁଖ୍ୟ ଭାଇରସ୍‌ ଗୁଡ଼ିକ ହେଲା ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଇ । ଏହି ରୋଗ ବର୍ତମାନ ଭାରତ ତଥା ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଛି । କାରଣ ଏହା ଦ୍ୱାରା ମଣିଷ ଅସୁସ୍ଥ ହେବା ସଙ୍ଗେ ସଙ୍ଗେ ପ୍ରତି ୩୦ ସେକେଣ୍ଡରେ ଜଣଙ୍କର ମୃତ୍ୟୁ ଘଟୁଛି ।

ଭାରତରେ ହେପାଟାଇଟିସ୍ ବି ଏବଂ ସି ସଂକ୍ରମଣ ଜନିତ ଲିଭର ସିରୋସିସ୍ ଏବଂ ଯକୃତ କର୍କଟର ପ୍ରମୁଖ କାରଣ ପାଲଟିଛି । ତେଣୁ ଏକ ହେପାଟାଇଟିସ ମୁକ୍ତ ଭବିଷ୍ୟତ ନିମନ୍ତେ ଅନବରତ ଚେଷ୍ଟା ଆବଶ୍ୟକ । ଖାଦ୍ୟ ଏବଂ ଜଳ ପ୍ରଦୂଷଣ ଦ୍ୱାରା ହେପାଟାଇଟିସ୍ ଏ ଏବଂ ଇ ସଂକ୍ରମଣ ହୋଇଥାଏ । ଦୂଷିତ ରକ୍ତ କିମ୍ବା ସଂକ୍ରାମକ ଉପାୟରେ ଶରୀର ମଧ୍ୟକୁ କୌଣସି ପ୍ରକାର ଶାରୀରିକ ଜଳୀୟ ଅଂଶ ପ୍ରବେଶ କଲେ ହେପାଟାଇଟିସ୍ ବି, ସି ଏବଂ ଡି ରୋଗ ହୋଇଥାଏ ଠିକ୍ ଯେଉଁଭଳି ଭାବେ ଏଚ୍‌ଆଇଭି ଭାଇରସ୍ ଶରୀରକୁ ପ୍ରବେଶ କରିଥାଏ ।

ତେବେ ଏହି ହେପାଟାଇଟିସ୍ ବି ଏଚ୍‌ଆଇଭି ଠାରୁ ୧୦୦ ଗୁଣ ଅଧିକ ସଂକ୍ରାମକ । ପ୍ରଦୂଷିତ ରକ୍ତ ଶରୀର ମଧ୍ୟକୁ ପ୍ରବେଶ କରିବା, ଚିକିତ୍ସା ସମୟରେ ପ୍ରଦୂଷିତ ଯନ୍ତ୍ର ବ୍ୟବହାର କରିବା ଓ ଇଞ୍ଜେକ୍ସନ୍ ଦେବା ପାଇଁ ବ୍ୟବହୃତ ଛୁଞ୍ଚିକୁ କିମ୍ବା ସେଭିଂ ବ୍ଲେଡ୍‌କୁ ଅନେକ ଜଣ ବ୍ୟବହାର କରିବା ଦ୍ୱାରା ଏହି ସଂକ୍ରମଣ ହୋଇଥାଏ। ରୋଗଗ୍ରସ୍ଥ ଶିଶୁ ଏହି ରୋଗ ସହ ଜନ୍ମ ହୁଏ ଏବଂ ଯୌନ ସଂସର୍ଗ ଦ୍ୱାରା ମଧ୍ୟହେପାଟାଇଟିସ୍ ବି ମଣିଷ ଶରୀରରେ ପ୍ରବେଶ କରିଥାଏ । ତେବେ ଏକତ୍ର ଖାଦ୍ୟ ଓ ପାନୀୟ ଗ୍ରହଣ କରିବା, ଏକା ବାସନରେ ଖାଇବା, ସ୍ତନ୍ୟପାନ, ଆଲିଙ୍ଗନ କରିବା, କାଶ ହେବା କିମ୍ବା ମଶା କାମୁଡିବା ଦ୍ୱାରା ଏହି ରୋଗ ବ୍ୟାପୀ ନ ଥାଏ । ତେଣୁ ଏଭଳି ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ କାର୍ଯ୍ୟସ୍ଥଳୀରେ ହସ୍ପିଟାଲ୍‌ରେ କିମ୍ବା ସମାଜରେ ଅଲଗା ରଖାଯିବାର ଆବଶ୍ୟକତା ନାହିଁ ।

ଏବେ ସାରା ବିଶ୍ୱରେ ଏଚ୍‌ଆଇଭି ଏଡ୍ସ, ଯକ୍ଷ୍ମା ଏବଂ ମ୍ୟାଲେରିଆ ଭଳି ରୋଗରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଥିବା ବେଳେ ଆମ ଦେଶରେ ସଂକ୍ରାମକ ହେପାଟାଇଟିସ୍ ରେଗରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ୨୦୦୦ ମସିହାରୁ ବର୍ତ୍ତମାନ ସୁଦ୍ଧା ଏହି ମୃତ୍ୟୁ ସଂଖ୍ୟା ୨୨ ପ୍ରତିଶତ ବଢ଼ିଥିବା ବେଳେ ବର୍ଷକୁ ପ୍ରାୟ ୩୦ ଲକ୍ଷ ଲୋକ ନୂତନ ଭାବେ ସଂକ୍ରମିତ ହେଉଛନ୍ତି । ସାରା ପୃଥିବୀରେ ପ୍ରାୟ ୪୦୦ ମିଲିୟନ୍ (୪୦ କୋଟି) ଲୋକ ହେପାଟାଇଟିସ୍ ବି ଏବଂ ସି ରୋଗରେ ଆକ୍ରାନ୍ତ । ତେବେ ଯଦି ଏମାନଙ୍କର ଚିକିତ୍ସା କରା ନ ଯାଏ ତାହା ଲିଭର ସିରୋସିସ୍ ଏବଂ ଲିଭର କ୍ୟାନ୍ସର, ଲିଭର ଫେଲ୍ୟୁୟର୍ ଭଳି ମାରାତ୍ମକ ସମସ୍ୟାରେ ପରିଣତ ହେବା ସହ ରୋଗୀର ଖୁବ୍ ଶୀଘ୍ର ମୃତ୍ୟୁ ହେବାର ସମ୍ଭାବନା ରହିଛି ।

ଅନେକ ଲୋକ ଏଡ୍ସ ରୋଗକୁ ନେଇ ଚିନ୍ତିତ ମାତ୍ର ହେପାଟାଇଟିସ୍ ବି ରୋଗ ଏଚ୍‌ଆଇଭି ରୋଗ ଠାରୁ ଆହୁରି ମାରାତ୍ମକ ।

ହେପାଟାଇଟିସ୍ ବି ଏବଂ ସି ରେ ଆକ୍ରାନ୍ତ ରୋଗୀ ଏହି ରୋଗର ସଂକ୍ରମଣ ସମ୍ପର୍କରେ ନିଜେ ଅଜ୍ଞ ଥାଆନ୍ତି । କାରଣ ସେମାନେ ପ୍ରାଥମିକ ପର୍ଯ୍ୟାୟରେ ରୋଗର ଲକ୍ଷଣ ଜାଣିପାରନ୍ତି ନାହିଁ । ସବୁଠାରୁ ଉଦ୍‌ବେଗର କଥା ହେଉଛି ଭାଇରାଲ୍‌ ହେପାଟାଇଟିସ୍ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ଥିବା ୯୫ ପ୍ରତିଶତ ଲୋକ ଜାଣନ୍ତି ନାହିଁ ଯେ ସେମାନେ ଏଭଳି ଏକ ଦୁଃସାଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି । ଚିକିତ୍ସା ଏବଂ ଯତ୍ନର ଅଭାବ ରହିଲେ ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ଶିକାର ହେବେ ଏବଂ ଅନେକ ଜୀବନ ହାନି ଘଟିବାର ସମ୍ଭାବନା ରହିଛି ।

ହେପାଟାଇଟିସ୍ ଏ ଏବଂ ଇ ସଂକ୍ରମଣ ୨ ମାସ ମଧ୍ୟରେ କମିଯାଏ । ତେବେ ହେପାଟାଇଟିସ୍ ବି ଏବଂ ସି ଦୀର୍ଘ ଦିନ ଧରି ଯନ୍ତ୍ରଣା ଦେବା ସଂଗେ ମୃତ୍ୟୁ ଘଟାଏ । ଏହି ରୋଗର ଲକ୍ଷଣ ଦେଖା ଦେଇପାରେ ବା ନ ପାରେ । ଜଣ୍ଡିସ୍ ହେବା (ଦେହ ଓ ଆଖି ହଳଦିଆ ପଡ଼ିବା), ଅଧିକ କ୍ଳାନ୍ତି ଅନୁଭବ କରିବା, ବାନ୍ତି କରିବା ଓ ତଳିପେଟ ଯନ୍ତ୍ରଣା ହେବା ଏହାର ଲକ୍ଷଣ ହୋଇପାରେ । ଭାରତରେ ହେପାଟାଇଟିସ୍ ହେବାର ସବୁଠାରୁ ସାଧାରଣ କାରଣ ହେଉଛି ହେପାଟାଇଟିସ୍ ଇ ଏବଂ ଦ୍ୱିତୀୟ କାରଣ ହେଉଛି ହେପାଟାଇଟିସ୍ ବି । ଗର୍ଭଧାରଣ ସମୟରେ ଯଦି ହେପାଟାଇଟିସ୍‌-ଇ ର ସଂକ୍ରମଣ ହୋଇଥାଏ ତେବେ ମହିଳାମାନଙ୍କ କ୍ଷେତ୍ରରେ ମୃତ୍ୟୁବରଣ କରିବାର ଆଶଙ୍କା ମଧ୍ୟ ରହିଥାଏ ।

ତେବେ ଏହି ମାରାତ୍ମକ ରୋଗ ଭାଇରାଲ୍ ହେପାଟାଇଟିସ୍‌କୁ ମଧ୍ୟ ରୋକାଯାଇ ପାରିବ । ସ୍ୱଚ୍ଛ ପରିବେଶ ସହ ଖାଦ୍ୟ ଏବଂ ପାନୀୟ ବିଷୟରେ ଜାଗ୍ରତ ହେଲେ ହେପାଟାଇଟିସ୍ ଏ ଏବଂ ଇ ସଂକ୍ରମଣକୁ ରୋକାଯାଇପାରିବ । ହେପାଟାଇଟିସ୍ ଏ ରୋଗ ମୁକ୍ତ ହେବା ପାଇଁ ଏକ ଭ୍ୟାକ୍ସିନ୍ ମଧ୍ୟ ଉପଲବ୍ଧ ହେଉଛି । ଏଚ୍‌ଇଭି ଭ୍ୟାକ୍ସିନ୍ ଖୁବ୍ ଶୀଘ୍ର ଭାରତରେ ଉପଲବ୍ଧ ହେବ । ୧୯୮୨ ମସିହାରୁ ହେପାଟାଇଟିସ୍‌ ବି ର ଭ୍ୟାକ୍ସିନ୍ ଉପଲବ୍ଧ ହେଉଛି । ଏହା ଯେ କୌଣସି ବୟସରେ ଏପରିକି ଗର୍ଭଧାରଣ ସମୟରେ ମଧ୍ୟ ନିଆଯାଇପାରିବ । ଜୀବନରେ ଥରେ ଏହି ଭ୍ୟାକ୍ସିନ୍ ନେବା ଦ୍ୱାରା ସାରା ଜୀବନରେ ଆମେ ଏହି ମାରାତ୍ମକ ହେପାଟାଇଟିସ୍ ବି ରୋଗରୁ ମୁକ୍ତ ରହିପାରିବା । ଏଥିପାଇଁ କୌଣସି ବୁଷ୍ଟର ଇଞ୍ଜେକ୍ସନ୍‌ର ଆବଶ୍ୟକତା ନାହିଁ । ତେବେ ହେପାଟାଇଟିସ୍ ସି ପାଇଁ କୌଣସି ଭ୍ୟାକ୍ସିନ୍ ନାହିଁ । ଏଥିପାଇଁ ଗବେଷଣା ଜାରି ରହିଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ରୋଗ ଚିହ୍ନଟ ହେଲେ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ରୋଗ ଅଧିକ ମାତ୍ରାରେ ବଢ଼ିଯାଇଥିଲେ ଲିଭର ପ୍ରତିରୋପଣ ହିଁ ଏକମାତ୍ର ଉପାୟ । ଏହି ପ୍ରକ୍ରିୟାରେ ରୋଗଗ୍ରସ୍ତ ଲିଭର
ସ୍ଥାନରେ ଏକ ସୁସ୍ଥ ଲିଭର ପ୍ରତିରୋପଣ କରାଯାଇଥାଏ ଯାହା ଏବେ ଆମ ରାଜ୍ୟରେ ହୋଇପାରୁଛି ।

ପ୍ରତ୍ୟେକ ବର୍ଷ ଜୁଲାଇ ୨୮ ତାରିଖକୁ ବିଶ୍ୱ ହେପାଟାଇଟିସ୍ ଦିବସ ରୂପେ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ୍‌
ରହିଛି \”\”ହେପାଟାଇଟିସ୍ କାଂଟ ୱେଟ୍‌\’\’- ଅର୍ଥାତ୍ ଏହି ରୋଗକୁ ୨୦୩୦ ସୁଦ୍ଧା ଦୂର କରିବା ପାଇଁ ସମସ୍ତ ପ୍ରକାର
ଚେଷ୍ଟା ଆବଶ୍ୟକ ।

ଏହି ବାର୍ଷିକ କ୍ୟାମ୍ପେନ୍‌ରେ ଉଦ୍ଦେଶ୍ୟ କେବଳ ସାଧାରଣ ଲୋକ କିମ୍ବା ସଂକ୍ରମିତ ରୋଗୀଙ୍କୁ ସଚେତନ୍ କରାଇବା ନୁହେଁ ବରଂ ଏହି ରୋଗକୁ କିଭଳି ପ୍ରତିରୋଧ କରାଯାଇପାରିବ ଏବଂ ହେପାଟାଇଟିସ୍ ଚିକିତ୍ସାକୁ କିପରି ସମସ୍ତଙ୍କ ନିକଟରେ ପହଞ୍ଚାଇବା ସମ୍ଭବ ହେବ, ଏହାହିଁ ଲକ୍ଷ୍ୟ । ନୋବେଲ୍ ପୁରଷ୍କାର ବିଜେତା ପ୍ରଫେସର ବାରୁକ୍‌ ସାମୁଏଲ୍ ବ୍ଲୁମବର୍ଗ ହେପାଟାଇଟିସ୍ ଭାଇରସ୍ ଆବିଷ୍କାର କରିବା ସହ ଏହାର ପ୍ରତିରୋଧକ ଟୀକାକୁ ମଧ୍ୟ ପ୍ରସ୍ତୁତ କରିଥିଲେ । ତେଣୁ ଜୁଲାଇ ୨୮ ତାରିଖରେ ତାଙ୍କ ଜନ୍ମ ଦିବସକୁ ବିଶ୍ୱ ହେପାଟାଇଟିସ୍ ଦିବସ ଭାବେ ପାଳନ କରାଯାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହେପାଟାଇଟିସ୍‌କୁ ଜନସାଧାରଣଙ୍କ ପାଇଁ ଏକ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ବିବେଚନା କରିବା ସହ ୨୦୩୦ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାର ଉପାୟ ହାତକୁ ନେଇଛି । ଏଥିପାଇଁ ଅଧିକ ସଚେତନତା, ତ୍ୱରାନ୍ୱିତ ଚିହ୍ନଟ ପ୍ରକ୍ରିୟା, ଟୀକାକରଣ ଏବଂ ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି । ତେଣୁ ଆମର ପ୍ରଚେଷ୍ଟା ବଳରେ ଆମେ ହେପାଟାଇଟିସ୍‌କୁ ସମ୍ପୂର୍ଣ୍ଣ ରୂପେ ଦୂର କରିପାରିବା । ଭାଇରାଲ୍ ହେପାଟାଇଟିସ୍‌କୁ ଅଣଦେଖା ନକରି ଏ ନେଇ ଅଧିକ ସୂଚନା ଆଦାନପ୍ରଦାନ କରିବାକୁ ପଡ଼ିବ । ନିଜେ ଶିକ୍ଷିତ ହେବା ସହ ଅନ୍ୟମାନଙ୍କ ମଧ୍ୟରେ ଭାଇରାଲ୍ ହେପାଟାଇଟିସ୍ ଭଳି ରୋଗ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍‌ର
ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗ ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ କି ହେପାଟାଇଟିସ୍ ବି ର ସ୍କ୍ରିନିଂ ଏବଂ ଟୀକାକରଣ ମାଗଣାରେ ବର୍ଷ ତମାମ କରାଯାଇଥାଏ । ଗତ ୮ ବର୍ଷ ଧରି ଏଭଳି କାର୍ଯ୍ୟ ଜାରି ରହିଛି । ଆମେ ଭାଇରାଲ୍ ହେପାଟାଇଟିସ୍ ବିନା ଏକ ପୃଥିବୀର ପରିକଳ୍ପନା କରୁଛୁ । ବିଶ୍ୱବ୍ୟାପୀ ଏହି ଭୟଙ୍କର ରୋଗରୁ ମୂଳୋତ୍ପାଟନ କରିବାକୁ ଆମ ନିକଟରେ ସୁଯୋଗ ଅଛି ଯେପରି ଆମର ଭବିଷ୍ୟତ ବଂଶଧର ଏହି ରୋଗରେ ଆକ୍ରାନ୍ତ ହେବେ ନାହିଁ ।

ପ୍ରଫେସର ଏବଂ ମୁଖ୍ୟ
ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗ
ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌
ଭୁବନେଶ୍ୱର