ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

0
34

ମୁଗ୍ଧ ବିଭାବରୀ
ଆଜି କାଲି ଲେଖି ହେଉନି ଚିଠି । ଅକ୍ଷର ପଛରେ ଥିବା ଛୋଟବଡ଼ କାହାଣୀମାନ ଯେମିତି ତ୍ରସ୍ତ ଭାବେ ମୋଡି ହୋଇ ରହିଛନ୍ତି ଫର୍ଦ୍ଦର କଡ଼କୁ । ମୋତେ ଦିଶୁନି ସଫେଦ କାଗଜ ଫର୍ଦ୍ଦ ଯାହାକୁ ମୁଁ କେବେ ଆକାଶ କରି ବିଛେଇ ଦେଇପାରେ ପୁଣି ଚିରୁଡ଼ାଏ ଚିରୁଡ଼ାଏ କରି କାନ୍ଭାସ ଆକାରରେ ଟାଙ୍ଗିଦିଏ ଇଜେଲ ଦେହରେ ।

କାଳିର ଛିଟା ମାରି ମୁଁ ଯେଉଁଠି ଉକୁଟଉଥିଲି ପ୍ରେମର ସ୍ପର୍ଦ୍ଧା , ଆବେଗର ରଙ୍ଗ ବୋଳି ମୁଁ ଯେଉଁଠି ଚିତ୍ରାୟିତ କରୁଥିଲି କଳ୍ପନାର ପ୍ରଜାପତି , ସ୍ବପ୍ନର ପରାଗ ବୁଣି ଯେଉଁଠି ଅପେକ୍ଷା କରୁଥିଲି ସମ୍ଭାବନାର ବର୍ଣ୍ଣବିଭାକୁ ସେଇଠି ଯେମିତି ରାଜତ୍ୱ କରୁଛି ବିଷାଦ ଆତଙ୍କର ଛାଇ ମାନଙ୍କୁ ବିସ୍ତାରିତ କରି । ଲାଗୁଚି ସବୁଠି ଅପ୍ରାପ୍ତିର ଶୋଷ । ସବୁଠି ଅସନ୍ତୋଷର ଘନଘଟା । ପବନରେ ଯେମିତି ଉଡ଼ି ବୁଲୁଚି ଭୟ ଓ ଅସହିଷ୍ଣୁତା । ପାଦେ ପାଦେ ଯେମିତି ଲୁଚି ରହିଛି ବିସ୍ଫୋରଣ । କେଉଁ କେଉଁ ଜାଗାରେ ଯେମିତି ଲଟକି ରହିଛି ଅଦୃଶ୍ୟ ଗଣ୍ଠିଲିରେ ବୁକୁଫଟା କାନ୍ଦ । ଛିଣ୍ଡି ଛିଣ୍ଡି ଯାଉଛି ମୋ ଭିତରର ସୂକ୍ଷ୍ମ ଓ କୋମଳ ତନ୍ତ୍ରୀ ଯେଉଁମାନେ ଅସୁମାରୀ ଆନନ୍ଦର ଅନୁରଣନ ତିଆରି କରିପାରନ୍ତି ମୁହୂର୍ତ୍ତମାନଙ୍କୁ ଆହୁରି ପ୍ରେମମୟ ଭାବରେ ଭାଗ ଭାଗ କରି । କେମିତି ଲେଖିବି ଚିଠି ?

କାହାର ତୀବ୍ର ଅସନ୍ତୋଷ ଅସ୍ଥିରତା ହୋଇ ଗୁଡ଼େଇ ଧରିଛି ମୋ ଆଙ୍ଗୁଠିମାନଙ୍କୁ ! ଲେଖିବାର ଉପକ୍ରମ ଉପରେ ଅସ୍ୱସ୍ତି ଚଢ଼େଇ ଉପସଂହାରର ପୋଷ୍ଟରଟେ ଝୁଲେଇ ଦେଉଛି ଆଗୁଆ ! କିପରି ଲେଖି ହୁଅନ୍ତା ଚିଠି ?

କାହାର ହିସାବକରା ସନ୍ଦେହୀ ଆଖି ଖୋଳି ନେଉଛି ଚିଠିରୁ ଭାବ ଆଉ ତଉଲୁଛି ସଂସାର ନିକିତିରେ । ଛିଗୁଲେଇ କହୁଛି , ମାନେ କିଛି ଅଛିକି ଚିଠି ତଳର ମଧୁର ଗୁଞ୍ଜରଣ ଦୁନିଆଁଦାରିର ଏହି ବିକଟ ଚିତ୍କାରରେ ! ଅସଫଳ ବୋଲି କିଛି ମାନିବାକୁ ଅପ୍ରସ୍ତୁତ ମୋର ଏହି ମନ ଉପରେ ଜବରଦସ୍ତ ଲଦି ଦେଉଛି ଦୀର୍ଘନିଃଶ୍ୱାସର ବୋଝ । କେଉଁ ଭଳି ଲେଖିବି ଚିଠି ?

ଚିଠି ପାଇଁ ଫୁଲ ଭଳି ଅନୁଭବରୁ ତୋଳି ଆଣିଥିବା ମୋହ ଓ ମହକକୁ ବନ୍ଦୀ କରିରଖିଛି ଜଡ଼ତ୍ୱ । କଷ୍ଟ ହେଉଛି ବୋଲି କହି ହେଉନି କାରଣ କଷ୍ଟର କାରଣମାନ ବି ଯେମିତି ଧୂଆଁରେ ଲେଖା ହୋଇଥିବା ଅକ୍ଷର ।

କିନ୍ତୁ ଯେତେବେଳେ ପ୍ରଶ୍ନ ଆସୁଛି କାହାକୁ ଲେଖୁଛି ଚିଠି ସେତେବେଳେ ଦେଖ ଛଳଛଳେଇ ଯାଉଛି ଆଖି , ଥରି ଯାଉଛି ଛାତି , ବାନ୍ଧି ହୋଇ ଯାଉଛି ଗଳା । ନୀଳରଙ୍ଗରେ ଭିଜି ଯାଉଛି ତମାମ୍ ଜ୍ବାଳା । ଅନ୍ଧାର ଅନ୍ଧାର ଲାଗୁଥିବା ଗାଢ଼ ନୀଳ ରଙ୍ଗର ଆବର୍ତ୍ତ ଭିତରୁ ଉଠି ଆସୁଛନ୍ତି ଦୁଇ ଛାଇ ପୁରୁଷ ଓ ନାରୀ ହୋଇ । ଅସଂଖ୍ୟ ସୂର୍ଯ୍ୟର ରଙ୍ଗରେ ତିଆରି ହୋଇଥିବା ସେ ଛାଇର ଦେହ ତୁମେ ବୁଝି ପାରୁଚି ମୁହିଁ ଯିଏ ମୋତେ କଅଁଳି ଆସୁଥିବା ପତ୍ରରେ ସୋନାଟା ବଜେଇ କୁହନ୍ତି , “ସୋମବାର ହେଲା । ମୋ ଲାଗି ଚିଠି ଲେଖିବ ନାହିଁ ???”
ତୁମର ହିଁ କେବଳ । ବାକି ସବୁ ହିସାବ ହିଁ ।