ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅନୁରାଗର ରଙ୍ଗ

” ହୃଦୟ ଦେଇ ତୁମକୁ ଜିତିବାକୁ ଚାହେଁ …ଏତିକି ହିଁ ମୁଁ ତୁମକୁ ଲେଖିବାକୁ ଚାହୁଁଥିବା ଧାଡିମାନଙ୍କର ସାରାଂଶ ।” ଏମିତି କିଛି ଶୁଣେଇଥିଲ ପୂର୍ବବର୍ତ୍ତି ଚିଠିର ଉତ୍ତରରେ ମୁଁ ଅର୍ଦ୍ଧଚେତନ ଅବସ୍ଥାରେ ଲୁହ ଲୁହ ଥିଲାବେଳେ । ତୁମ ପାଖରୁ ଏହି ଉତ୍ତର ଆସୁଥିଲାବେଳେ ସେମିତି ସେଇ ଅର୍ଦ୍ଧଶାୟିତ ଅବସ୍ଥାରେ ଅନୁଭବୁଥିଲି ପ୍ରତିଟି ଶବ୍ଦକୁ ଡାଲାଏ ମଲ୍ଲୀଫୁଲକୁ ଆଘ୍ରାଣ କଲାଭଳି ରୋମାଂଚରେ । କେତେ ସତେଜ କେତେ ସୁରଭିରେ ପୂର୍ଣ୍ଣ ସେହି ସବୁ ଶବ୍ଦପୁଞ୍ଜ ବଖାଣିବାକୁ ନିଅଣ୍ଟ ପଡୁଛି ଦେଖ ଶବ୍ଦକୁ ନେଇ ଅହଂକାର ଦେଖାଉଥିବା ମୋର ଏହି ସଙ୍କୁଚିତ ମନ ! ତୁମ ପାଖରେ ପହଞ୍ଚ ହେବାର ଲୋଭରେ ଆଜି ଯାଏଁ ଲେଖିଥିବା ଯାବତୀୟ ଶବ୍ଦ , ତହିଁରେ ଖଞ୍ଜିଥିବା ତମାମ୍ ଅନୁଭବ , ଆକାଶରୁ ମାଟି ଯାଏଁ ଲମ୍ବିଥିବା ଚିଠିମାନଙ୍କ ଦୋଳିରେ ଘୂର୍ଣ୍ଣାୟିତ ସମସ୍ତ ଆବେଗ ଓ ଅନୁରାଗ ଏହି ଧାଡିକ ଉତ୍ତରରେ ଏକଦମ୍ ସହଜ ଓ ଶାନ୍ତ ।

ତୁମେ ଚାହଁ ମୋ ଓଠରେ ହସ ସର୍ବକାଳୀନ ହେଉ ,ସକାଳର ଫୁଲ ଭଳି ଫୁଟୁଥାଉ , ଅର୍ଚ୍ଚନାର ଭାଷା ବୁଣୁ ଦେଖୁଥିବା ଲୋକର ଆଖିରେ । ତୁମେ ଚାହଁ ମୋ ଅନ୍ତର୍ନିହିତ ଶକ୍ତିର ଯଥାର୍ଥ ଉପଯୋଗ କରେ ନିଜକୁ ସମ୍ମାନ ଦେଇ । ତୁମ ଚାହିଁବାରେ ମୁଁ ହିଁ ଥାଏ ଖୁସି ହୋଇ । ମୁଁ ସବୁ ବୁଝି ଅବୁଝା ହୁଏ କାରଣ ତୁମ ଅବର୍ତ୍ତମାନର ଚିନ୍ତା ହିଁ ମୋତେ ବିଷାଦଗ୍ରସ୍ତ କରେ । ଯେତିକି ଲୁହ ଇଡ଼ିଯାଏ ମୋ ଆଖିରୁ ସେତିକି ଛଟପଟାଉଥାଅ ତୁମେ ନିରବରେ ଅଭିମାନରେ ମୁଁ କିଳି ଦେଇଥିବା ଦ୍ୱାର ସେପାଖରେ । ମୁଁ ହିଁ ଆବଦ୍ଧ କରିଦେଇଥାଏ ମୋ ଚେତନାର ପୃଥିବୀକୁ ଆବେଗମାନଙ୍କ ହାତରେ ଅଝଟ ହେବାର ସ୍ବାଧୀନତା ଦେଇ ।

କ୍ଷମା ମାଗିବି କି ? ମୁଁ ଜାଣେ ଏଇ ପ୍ରଶ୍ନରେ ନଇଁ ଯିବ ତୁମର ଆଖି ପ୍ରେମ ଓ କରୁଣାରେ । ମୁଁ ଯେ ନିଜ ପାଖରେ ନିଜେ ଲଜ୍ଜିତ ହୋଇପାରେ ତାହା ବି ତୁମେ ଚାହଁ ନାହିଁ । ତୁମ ପାଇଁ ମୁଁ ଏକ ଅଫୁରନ୍ତ ଶକ୍ତିର ଉତ୍ସ । ମୋ ପାଇଁ ତୁମେ ମୋର ଉତପ୍ରେରକ , ମୁଁ ଠୁଳ କରିଥିବା ମୂଲ୍ୟବୋଧର ଜୀବନ୍ତ ବିସ୍ତାର ।

କେଉଁ କେଉଁ ବନ୍ଦୀତ୍ୱରୁ ମୁକୁଳି ଆସିଥିବା ତୁମର ଏହି ଧାଡିକର ପ୍ରେରଣାରେ ଲାଗେ ମୁଁ ଦିଗନ୍ତକୁ ଜୟ କରିଯିବାର ଅସୀମ ସାମର୍ଥ୍ୟରେ । ମୁଁ ଯେମିତି ହେବାକୁ ଚାହଁ ସେମିତି ତିଆରି ହୋଇଯିବି ଏଇ ପବିତ୍ର ମୁହୂର୍ତ୍ତରେ । ହଁ , ତୁମର ଏହି ଧାଡିକ କଥା ମୋ’ ପାଇଁ ଜୀବନ୍ୟାସର ମନ୍ତ୍ର । ବିଶ୍ୱାସ କର ଲାଗୁଛି ଦିଗନ୍ତ ବ୍ୟାପି ମରୁଭୂମିରେ ମୁଁ ବନ୍ୟା ହୋଇ ଇଡିଯିବି । ସ୍ତର ବାନ୍ଧି ଯାଇଥିବା ପର୍ବତ ପ୍ରମାଣ ବାଲୁକାରାଶିକୁ ସାବଜେଇ ପାରିବି । ସ୍ୱର ପାଇ ନଥିବା ଗୀତମାନଙ୍କୁ ଅମୃତମୟତାରେ ଛନ୍ଦି ଦୁନିଆଁର ସବୁ ସୁନ୍ଦର ରାଗକୁ ପବନରେ ମୁକୁଳେଇ ଦେବି । ଯେତେ ଅନାବିଷ୍କୃତ ସୌନ୍ଦର୍ଯ୍ୟ ଅଛି ସେସବୁକୁ ରଙ୍ଗ ତୂଳୀରେ ଅଟକ ରଖି ଦର୍ଶକର ଆଖିରେ ଆନନ୍ଦ ବୋଳି ଦେଇ ପାରିବି । ଦୁଃଖରେ ନୁହଁ ଆନନ୍ଦରେ ଜୀବନ ନିହିତ ବୋଲି କହିପାରିବି ।

ଏ ପୃଥିବୀରେ ଜୀବନ ଆଉଟିକେ ସହ୍ୟ ହେଉ ବୋଲି ପ୍ରାର୍ଥନା କରିପାରିବି । ଜ୍ବଳନରେ ଥର ଥର ହୋଇ ଥରୁଥିବା କାହା କାହା ଅନ୍ତର ଉପରେ ବର୍ଷାର ଧାର ହୋଇ ଝରି ପଡିବି । ଏଇ ଧାଡିକର ପ୍ରେରଣାରେ ଜୀବନକୁ ମଧୁମୟ କହି ପାରିବି । ସୀମିତତାରେ ଛଟପଟ ମଣିଷମାନଙ୍କୁ ଅସୀମ ଆକାଶର ଆୟତନ ଦେଖାଇ ପାରିବି ।ତୁମର ଏଇ ଗୋଟିଏ ବାକ୍ୟରେ ଦେଖ କେତେ ସମ୍ଭାବନା ଉହ୍ୟ ଥାଏ !! ସକାରତ୍ମକତାର ସମସ୍ତ ଉତ୍ସକୁ ବହନ କରିଥିବା ହେ ମୋର ଶବ୍ଦର ଶ୍ରାବଣ । ମୋର ବିଶ୍ୱାସ ନିଅ । ଜୀଆଁଇ ଦିଅ ମୁହଁ ମାଡ଼ି ପଡିଥିବା ମୋର ଭଙ୍ଗାତୁଟା ସ୍ବପ୍ନକୁ ଆଉ କାହାର କଲ୍ୟାଣର ଇଚ୍ଛାରେ । ଆଜି ନିଜକୁ ନିଜେ ଧୀରେ ଧୀରେ ତ ସଶବ୍ଦରେ କହିବାକୁ ଇଚ୍ଛା ଯେ ହେ ମୋର ପ୍ରେମର ପ୍ଲାବନ , ମୁଁ ତୁମକୁ ପ୍ରେମ କରି ଢେର ଗର୍ବ କରେ ।
ତୁମର ‘ମୁଁ ‘