Latest Odisha News

BREAKING NEWS

କବିତା : ସେ

ମାନସ ରଞ୍ଜନ ନାୟକ

ବୟସର ଅପରାହ୍ନରେ ଅତୀତର
ମଧ୍ୟାହ୍ନ ସ୍ମୃତିରେ ବିଭୋର
ଲାଜକୁଳି ଆଖିର ଇସାରା ସତେକି
ସୁନ୍ଦର !
ଅପରିପକ୍ବ ଜୀବନରେ ସତେ ଅବା
ପ୍ରେମର ରାଗିଣୀ ମଲ୍ହାର
ଦଶନ୍ଧି ଦଶନ୍ଧି ପରେ ଏବେ ପରିବର୍ତ୍ତିତ
ଏକ ଆବେଗିକ ସମ୍ଭାର ।

ଚପଳ ମନରେ ଆଲୋଡିତ କେଉଁ ଏକ
ଅସ୍ପଷ୍ଟ କାଉଁରୀ ସ୍ପନ୍ଦନ
ତାରୁଣ୍ୟର ଆଢୁଆଳେ ଅଙ୍କୁରିତ ପ୍ରେମର
ଏକ ମାଦକୀୟ ଆବର୍ତ୍ତନ
ଜହ୍ନ ରାଇଜର କାହାଣୀ ସମ ପ୍ରେମର
ଏକ ମଖମଲି ଆଲୋଡନ
ପଦେ କଥା ଅବା ଚୋରା ଚାହାଣୀରେ
ଧମନୀରେ ଉଷ୍ମ ପ୍ରବାହନ ।

ଟଂ ଟଂ ଘଣ୍ଟା ମାଡରେ ବିତୁଥିଲା
ଅବଧି ପରେ ଅବଧି
କକ୍ଷା ପରେ କକ୍ଷା ବର୍ଷ ପରେ
ବର୍ଷ ଅଦୃଶ୍ଯ ପ୍ରେମରପରିଧି
ଭବିଷ୍ଯତ ଗଠନର ଆହ୍ବାନରେ
ସମୟ ପୁସ୍ତକର ସନ୍ଧି
ଦୁଃସହ୍ୟ ପ୍ରେମ ବର୍ଣ୍ଣବୋଧ କିନ୍ତୁ
ନେଇଥିଲା ସଲିଳ ସମାଧି ।

ଜୀବନ ଜୀବିକାର ଖରା ଛାଇ ଖେଳରେ
ଅସ୍ପଷ୍ଟ ପ୍ରେମ ଇନ୍ଦ୍ରଧନୁ
ପ୍ରାପ୍ତି ଉପଲବ୍ଧିର ସମୀକରଣରେ
ପାସୋରିଛି ତାକୁ ତନୁ ମନୁ
ଘୂର୍ଣ୍ଣାୟମାନ ଭୂଗୋଲକର ସାଥେ
ସ୍ମୃତି ଦିଗବଳୟେଉଦିତ ଭାନୁ
ହଠାତ୍ ସାମ୍ନା ହୁଏ ମନର ମାନସୀ ସହ
ହେଲେ କଥା ଖାଲି ଏଣୁ ତେଣୁ !

ମଞ୍ଜୁରୀରୋଡ୍ ଭଦ୍ରକ ମୋ-୯୮୯୦୮୫୧୪୨୭

Leave A Reply

Your email address will not be published.