ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ବର୍ଷା ବରଣ

ବର୍ଷା ଖୋଜୁଥିଲି । ତୁମକୁ ନେଇ ଥରେ ଅଧେ ତିଆରି ହେଉଥିବା ଅନିଶ୍ଚିତତାର ଡହକରୁ ମୁକୁଳିଯିବାକୁ ଚାହୁଁଥିଲି । ତୁମେପଣର ଆର୍ଦ୍ରତାରେ ଜୁଡୁବୁଡ଼ୁ ହେବାକୁ ଇଚ୍ଛାଟା ସବୁଦିନିଆଁ ଏବେ । ତୁମେ କିନ୍ତୁ ମେଘ ହୋଇ ଆଖି ପାଆନ୍ତାରେ ଥାଅ ସିନା ହାତ ପାଆନ୍ତାରେ ନୁହେଁ । ଅଭିମାନରେ ଓଦା ହୋଇ ଆସୁଥିବା ଆଖି , କିଛି କହିବାକୁ , ଲେଖିବାକୁ ନିସ୍ତେଜ ହୋଇଯାଉଥିବା ଆଙ୍ଗୁଠି ଆଉ ଓଠକୁ ଛୁଇଁଯାଅ ବୋଲି ଘୋଷା ଲଗେଇଥାଏ ନିଜ ଭିତରେ ନିଜେ ।ସେଦିନ ଲେଖିବା ପାଇଁ କି କହିବା ପାଇଁ ଆପଣାଛାଏଁ ଅବରୁଦ୍ଧ ଥିଲା ରାସ୍ତା । ତୁମ ଅପହଞ୍ଚପଣ ମୋର ଅସହାୟତା । ଅଭିମାନ କ୍ରୋଧ ହୋଇ ନିଆଁର ରଙ୍ଗରେ ଆଚ୍ଛନ୍ନ କରିଥିଲା ସମସ୍ତ ଆବେଗକୁ ତ ମୁଁ ବ୍ୟସ୍ତ ହେଉଥିଲି । ଖୋଜି ହେଉଥିଲି ବର୍ଷା ବର୍ଷି ଯିବାକୁ ଅର୍ଜିଥିବା ସକଳ ତନ୍ମୟତାରେ । ସେ ଭିତରେ ଥରକୁ ଥର ଆକାଶମୁହାଁ ମୋ ଆଖିକୁ ଛୁଇଁପାରୁନଥିଲା ମେଘ ଦେହର ଜୀବନ ରଙ୍ଗ । ଲୁହ ହୋଇ ଯେତିକି ଇଡ଼ିଛି ଜାଣେନି କେମିତି ମାଟି ଛାଡି ମେଘମୁହାଁ ହୋଇଛି ମୋର ପାଦ । ତୁମେ ଏତେ ପାଖର ହୋଇ ଦୂରରେ ଥାଇପାର କେମିତି ? ତୁମ ଯାଏଁ ପହଞ୍ଚିପାରୁନି ମୋ ଅଭିମାନର କୋଳାହଳ କେମିତି ! ମୁଁ ପଚାରେ , ରୁନ୍ଧି ହୁଏ , ଅଦ୍ଭୁତ ଭାବରେ ଶାନ୍ତ ହୁଏ ଏବଂ ତୁମକୁ ପୂର୍ବଠାରୁ ଆହୁରି ଅଧିକ ନିବିଡ଼ ଭାବରେ ନିଜ ପାଇଁ ଖୋଜିହୁଏ । ସେଦିନ ଖୋଜିଥିଲି ବର୍ଷା ତୁମେ ତାପରଦିନ ମୋ ପାଖକୁ ପଠେଇଦେଲ ବର୍ଷାବିତ୍ପାତର ଅସଂଖ୍ୟ କରୁଣ ଚିତ୍ର । ଜୀବନକୁ ଖୋଜୁ ଖୋଜୁ ପାଣିର ସୁଅରୁ ଜୀବନକୁ ଓଟାରି ନେଉଛି ମରଣ । ମୁଁ ଭୟ ପାଇଗଲି। ଏମିତି ଅସଂଖ୍ୟ ଭୟକୁ ଅସଂଖ୍ୟ ରୂପରେ ମୁଁ ତୁମପାଇଁ ଭେଟିଛି । କିଛିକୁ ତୁମ ଆକର୍ଷଣର ଆୟୁଧରେ ନିପାତ କରିଛି ତ କିଛି କିଛିକୁ ପଛ କରି ରାସ୍ତା ବଦଳେଇଛି । ସବୁ ରାସ୍ତାର ଆରମ୍ଭରେ ଯେମିତି ତୁମେ ପ୍ରାନ୍ତରେ ବି ଝଟକୁଥାଏ ତୁମର ଅବସ୍ଥିତି ମୋ ଭିତରେ ତୁମେମୟତାକୁ ପ୍ରଚଣ୍ଡ କରି ।

ମୁଁ ଅବୁଝା , ଅଥୟ ବୋଲି ମୁଁ ; ତୁମେ ଆଗକୁ ପଢିପାର , ଦେଖିପାର , ବର୍ତ୍ତମାନରେ ହଲଚଲ ନହୋଇ ସ୍ଥିର ସିଦ୍ଧାନ୍ତ ନେଇପାର ବୋଲି ତୁମେ କେବଳ ତୁମେ – ମୋର ପ୍ରିୟ ବୋଧିସତ୍ତ୍ୱ । ଜାଣେ କେଉଁଠି ନା କେଉଁଠି ଆଖି ହୋଇ ନିଘା ରଖିଚ ମୋତେ । ଜାଣେ କେମିତି ନା କେମିତି ଛାଣି ନେଇପାରିବ ମୋର ବିଷର୍ଣ୍ଣତାକୁ ନିଜ ବିଶ୍ୱାସର ପାରିଲାପଣରେ । ଜାଣେ ତୁମେ ପ୍ରଗାଢ଼ ପ୍ରେମରେ ବିଶ୍ୱାସ ସିଞ୍ଚି ଜୀବିତ ରଖିଚ ମୋତେ । ବରଂ ମୋର ଭୟ ଏବଂ ଅପରିପକ୍ଵତା ଅବିଶ୍ୱାସର ଛିଟା ହୋଇ କେବେ କେବେ ତୁମ ସତ୍ତାକୁ ହଲଚଲ କରେ । ତୁମ ଓ ମୋ ଭିତରେ ପ୍ରଶ୍ନର ପତଳା ଆସ୍ତରଣଟେ ଟାଣିଦିଏ । ସତ କହିବି ? ମୁଁ ପ୍ରେମ କରେ ଏବଂ ଖୁବ୍ କରିପାରେ କହି ହେଉଥାଏ ସିନା ତୁମ ପ୍ରେମ ମୋତେ ପ୍ରେମମୟତା ଆଡ଼କୁ ଟାଣୁ ଟାଣୁ ଜୀବନମନସ୍କ କରେ ।
ତୁମର “ମୁଁ “