ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅରୁଣିମାର ସ୍ବପ୍ନ 

ପୂର୍ବ ଚିଠିରେ ସୂଚେଇ ଥିଲି ତାରା ଖଚିତ ଆକାଶର ଉଜ୍ଜ୍ଵଳତା କୋମଳ ଜ୍ୟୋତ୍ସ୍ନାର ସ୍ନିଗ୍ଧ ଶୀତଳ ସ୍ପର୍ଶ ତନ୍ମଧ୍ୟରେ ତୁମ ଦୁଇ କଥାକୁହା ଆଖିର ଅପୂର୍ବ ମାଦକତା । ତୁମ ସହ ସମ୍ପର୍କୀକୃତ ହେଲା ପରେ ଉପଲବ୍ଧିରେ ନେଇ ସାରିଛି କେତେବେଶି ଅଲୌକିକ ଲାଗେ କ୍ଷୀଣ ଆଲୋକର ଉତ୍ସ ! ତୁମେ ଅହରହ ସୂଚଉଥାଅ ସବୁ ଦୁଃଖ ଆରପାରିରେ ଅନୁପମ ସୁଖ ହିଁ ନିଶ୍ଚୟ । ତୁମ ପାଖରୁ ଖବର ହୋଇ ମୋ’ ପାଖରେ ପହଞ୍ଚୁ ଥିବା ଅନନ୍ୟ ଉପଲବ୍ଧିକୁ ଗ୍ରହଣ କରିବା ପାଇଁ କେତେ ବି ସମର୍ଥ କରିଛି ନିଜକୁ ? ଅନେକ ସମୟରେ ଲାଗିଛି ମୁଁ ସେହି ଉତ୍ତାପର ସ୍ରୋତ ଯାହାକୁ ଶକ୍ତିକୈନ୍ଦ୍ରିକ କରିବାକୁ ତୁମେ ଚେଷ୍ଟା ଚଳେଇଛ ଅବିଶ୍ରାନ୍ତ ।

ମୁଁ ନିହାତି ସାଧାରଣ ସୁଖଲୋଭୀ ସ୍ୱାର୍ଥପର ବୋଲି ଯେତେ ଯେତେ କହି ହେଉଥାଏ ତୁମ ଆଖି ଦେଇ ଉକୁଟି ଆସୁଥିବା ମହତ୍ତର ସ୍ବପ୍ନ ମୋର କଣ୍ଠରୋଧ କରେ । ଆଖିରେ ନକ୍ଷତ୍ରର ନିବିଡ଼ତା ଖଞ୍ଜେ । ପବନରେ , ସୁବର୍ଣ୍ଣ ସୂର୍ଯ୍ୟର ରଙ୍ଗରେ , ଫୁଲରେ , ପ୍ରଜାପତିରେ , ଗଛରେ , ପତ୍ରର ଅନୁରଣନରେ ସଂକେତ ହୋଇ ତୁମ ପାଖରୁ ଆସୁଥିବା ଚିଠି ସବୁର ଭାଷାକୁ ଆଙ୍କିବା ଲାଗି ନୂଆ ନୂଆ ସଂକଳ୍ପ ନିଏ ।
ଯେଉଁଠି ଦିଗହରା ହୁଏ ସଂକଳ୍ପ ସେଠି ଜମାଟ ବାନ୍ଧେ ଅନ୍ଧାର ।

ଯେଉଁଠି ଛାୟାଚ୍ଛନ୍ନ ସ୍ବପ୍ନ ବି କଥା କହି ଚହଲେଇ ପାରେନି ସେହି ଅନ୍ଧାରକୁ । ଏଇ ସେ ଅନ୍ଧାର ନୁହେଁ ଯେଉଁଠି ମୁଁ ମୋ ନିଜର ଦ୍ୟୁତିରେ ଅନ୍ଧକାରର ଛାତି ଚିରି ତୁମକୁ ନିଶ୍ଚିତ ଖୋଜି ପାଇବାର ତୀବ୍ରତାରେ ଆଗେଇ ଚାଲିଥାଏ । ତୁମକୁ ସର୍ବଜନବିଦିତ କରେଇବାର ବ୍ୟାକୁଳତାରେ ସାଉଁଟିଥିବା ଉହ୍ନେଇଭର୍ତ୍ତି ସ୍ଫୁଲିଙ୍ଗମାନଙ୍କୁ ନେଇ ଗାର ସିନା ଖଞ୍ଜୁଥାଏ ଯଥାର୍ଥ ରୂପାୟନ କରିହୁଏନି ।

ଏଇ ଅନ୍ଧାରକୁ ଆଜି ପାଇଁ ତମିସ୍ରା କୁହାଯାଉ ଯାହାର ଗାଢ଼ ଆସ୍ତରଣକୁ ଡେଇଁ ଯିବାର ସୂକ୍ଷ୍ମ ସାମର୍ଥ୍ୟ ଟିକକ ମୋ ଭିତରେ ତିଆରି ହୋଇନି । ସେଥିପାଇଁ ତୁମେ ଯେବେ କୁହ ପ୍ରସାରିତ କର ଦୃଷ୍ଟି , ଖୋଲି ଦିଅ ହୃଦୟକୁ ଆବଦ୍ଧ କରି ରଖିଥିବା ସମସ୍ତ ଝର୍କା ଓ କବାଟ , ଉଦାର ହୁଅ ଏବଂ ସଭିଙ୍କୁ ଭଲ ପାଇଯାଅ କୌଣସି ପ୍ରତ୍ୟାଶା ନରଖି ତ ମୁଁ ବିରକ୍ତ ହୁଏ । ବିରକ୍ତ ହୁଏ ଏଥିପାଇଁ ଯେ କେମିତି ସମ୍ଭବ ଏଇ ପ୍ରତ୍ୟାଶାରହିତ ପ୍ରେମ ! ସମସ୍ତଙ୍କ କଥା ଭିନ୍ନ । ହୁଏତ ଅଭ୍ୟାସ ଏବଂ ଶୃଙ୍ଖଳାରେ କାହାକୁ ଗ୍ରହଣ କରାଯାଇପାରେ , ପସନ୍ଦ କରାଯାଇପାରେ , କ୍ଷମା କରାଯାଇପାରେ ହଜାରେ କ୍ଷତର ଜ୍ବାଳା ଥାଇ ! କିନ୍ତୁ ତୁମକୁ ? ଲୋଡିବାପଣରେ ରହିଛି ବୋଲି ତ ତୁମେମୟ ମୋର ଏହି ପୃଥିବୀ । ଅମୂର୍ତ୍ତତାର ଏହି ବିରଳ ଅନୁଭବରେ ରହିବାକୁ ବି ତୁମର ପ୍ରେମ ଲୋଡ଼ା ମୋର ଅରୁଣାଭ । ଏଇ ଲୋଡ଼ିବା ହିଁ ମୋର ମାର୍ଗ ଯେଉଁଥିରେ ଯାଇ ମୁଁ ତୁମ ଜନିତ ଉଜ୍ଜ୍ଵଳତାର ଆଭାସ ପାଇବି ତମିସ୍ରା ଭେଦ କରି । ତେଣିକି କେତେ ଫର୍ଚ୍ଚା, କେତେ ଅନ୍ତରଙ୍ଗ ନଲାଗିବ ଏ ଦୁନିଆ ! ତୁମେ ହିଁ ଥିବ ସେହି ସମୟରେ ମୋ ସହ । ତୁମର ଆଭାରେ ଆଭାମୟୀ ହୋଇ ରହିବାକୁ ଭାରି ମନ ମୋର ।
ତୁମର “ମୁଁ “