ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

0
20

କାକୁସ୍ଥ ପୃଥିବୀ 

ସୋମବାର ନସରୁଣୁ ଚିଠି ପାଇଁ ଭାବ ସବୁ ଶବ୍ଦ ହୋଇ ଅଦୃଶ୍ୟରେ ବୁଣି ହେଉଥାଏ ମନର କେଉଁ ଏକ ଅପହଞ୍ଚ ଇଲାକାରେ । ଲେଖିବି ଲେଖିବି ହୋଇ ଡେଇଁଯାଏ ଅକ୍ଷରମାନଙ୍କ ମୋହକୁ ତୁମ ପାଇଁ ତିଆରି ହୋଇ ଚାଲିଥିବା ଅଭିମାନର ମଧୁର ଜଞ୍ଜାଳରେ । କହିପାର ନିଜକୁ ମୁଁ ବାରମ୍ବାର ଭୁଲୁଥାଏ ଆମମନସ୍କତାରେ ।

ଏମିତି କାହିଁକି କେଜାଣି ଘଟେ ଆଉ ଘଟି ଚାଲିଥାଏ ?

କେଉଁ ଅଭିଶାପର ଶକ୍ତିରେ ସମୟ ତୁମକୁ ମୋଠାରୁ ଅଲଗେଇ ରଖିଦିଏ ! ମୁଁ ଥର ଥର ହୋଇ କମ୍ପୁଥାଏ ପ୍ରାୟ ଅଜ୍ଞାନତାରେ । କାରଣ ଥାଉ ବା ନଥାଉ ନିଗାଡ଼ି ଚାଲିଥାଏ ଲୁହ ଅବରୁଦ୍ଧ ଉତ୍କଣ୍ଠା ଓ ଉଦବେଗରେ ? ସେହି ସମୟରେ କୋହମାନଙ୍କୁ ଜମାଟ କରୁଥାଏ ମୋ ଭିତରର କେହିଜଣେ ତଣ୍ଟି ପାଖେ ଯେମିତି ତୁମ ପାଇଁ ଲୋଡିବାପଣର କଥାମାନ ବାହାରକୁ ନଆସି ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ତଣ୍ଟି ସେପାଖରେ , ବାଁ ଛାତି ତଳେ ।

ତଥାପି କି ମୁଁ ହୋଇପାରେ ସ୍ଥିର ? ଗଣେଶଙ୍କ ଭଳି ଦ୍ୱାରଦେଶରେ ଜଗେଇଥାଏ ମୋର ଖର୍ବକାୟ ଅହଂକାର । ନିବୁଜ କରି ସବୁଆଡ଼ୁ ଖୋଜୁଥାଏ ତୁମକୁ ପ୍ରାର୍ଥନାର ଚିତ୍କାରରେ ବାରମ୍ବାର। ତୁମକୁ ଶୁଭେ ହିଁ ନିଶ୍ଚୟ । ନହେଲେ କି କେଉଁ ନା କେଉଁ ଦେବତାଙ୍କ ଆଶୀର୍ବାଦର ମୁଣ୍ଡ ନେଇ ହାଜିର ହୋଇପାରନ୍ତ ଗୁମ୍ଫାର ଛୋଟବଡ଼ ଦ୍ୱାର ଡେଇଁ ପ୍ରାର୍ଥନା ପ୍ରକୋଷ୍ଠରେ ମୋର ? ଥରେ ନୁହେଁ ପୁଣି ଅନେକ ଥର ??

ଯଦି ପଚାରି ବସିଲି,” ଘୋଡା କାହିଁ , ତୁମେ ଆସିଲ କେମିତି ? ତୁମେ ହସି ପକାଅ ଆଉ କୁହ , “ତୁମ ଡାକ ତ ସେମିତି ! ନୀଳପଣକୁ ଘୋଡାର ଲୋଭ । ଆକାଶର ନୀଳ ଡେଇଁ ପୃଥିବୀମୁହାଁ ହେଲାବେଳେ ଅରଣ୍ୟର ସ୍ୱର ହେଉ କି ମାଟିରୁ କେନା ମାରିଥିବା ସବୁଜ ଘାସ ନିଃସୃତ ଅସ୍ଫୁଟ ଝଙ୍କାର ଘୋଡାର ଆଖିରେ ,ଆତ୍ମାରେ ମାଖିସାରିଛି ସ୍ବପ୍ନ ମାନେ ଘୋଡା଼ ମାଟି ଛୁଉଁ ଛୁଉଁ ପ୍ରେମରେ ବେହାଲ । ଏବେ କୁହ ଘୋଡ଼ାକୁ ପ୍ରଭୁତ୍ୱର ଦ୍ୱାହୀ ଦେଇ ମୁଁ କଣ ତୁମ ଯାଏଁ ପ୍ରମାଣ ଭଳି ଆଣି ପାରିଥାନ୍ତି ?? ” ହସ ଚହଟେ ବିଜୁଳି ହୋଇ ମୋ ମୁହଁରେ ତ ତୁମେ ଝଟକି ଉଠ ମୋ ତିଆରି ଗୁମ୍ପାର ଅନ୍ଧାରରେ । ନାହିଁ ନାହିଁ କହୁ କହୁ ଗୁମ୍ଫିତ ଥିବା ଅଭିମାନର ସବୁ ବିକଳ୍ପ ଅନୁଭବକୁ ଆଶ୍ଲେଷି ନିଅ ତୁମ ଆଖିର ଜ୍ୟୋତିରେ । କହିପାର ପ୍ରେମ ନାମକ ସେହି ମହାର୍ଘ ଅନୁଭବରେ ।

ଆଜି କାଲି ଖୁବ୍ ଲୋଭ ଛୁଇଁବାକୁ ତୁମ ଦେହର ପ୍ରତିଟି ବିଭବକୁ । ତୁମ ସ୍ପର୍ଶର କଳ୍ପନାରେ ଶିହରଣ ଯେଉଁ ସଙ୍ଗୀତ ଶୁଣାଏ ମୋ ଦେହରେ ତାକୁ ତୁମେ ମୋ ସହ ଅନ୍ତରଙ୍ଗ ହୋଇ ଶୁଣ ବୋଲି ଛଟପଟଉଥାଏ ସବୁବେଳେ । କିଛି କହି ହୁଏ କଣ ! ତୁମ ଅବର୍ତ୍ତମାନରେ ତୁମକୁ ନେଇ ଅସମ୍ଭବ ଚାହିଁବାରେ ଅସମ୍ଭାଳ ହୃଦୟ ତୁମ ବର୍ତ୍ତମାନରେ ବିନ୍ଦୁଏ ସମୟରେ ସ୍ଥିର ହୋଇ ଲଟକିଯାଏ କେଜାଣି କେମିତି !!

ଆଖି ପୂରେଇ ଏଯାବତ୍ କେଉଁ ଦେଖି ହୋଇଛି କୁହ ତୁମକୁ ? ତୁମ ଦୃଷ୍ଟି ଏଭଳି ସମ୍ପ୍ରସାରିତ ହୋଇଥାଏ ଯେ ମୋ ଆଖିରେ ଲୁହ ବାଦ କିଛି ଦୃଶ୍ୟମାନ ହୁଏନି ତେଣିକି । ଅନ୍ୟମନସ୍କତା ଭାଙ୍ଗେ ଏମିତି ବି କହିପାର ଧ୍ୟାନ ଭାଙ୍ଗେ ସେତେବେଳେ ଝଡିପଡୁଥିବା ଫୁଲ ଭଳି ତୁମେ କୁହ “ଯିବି ଏବେ ?” ,ଯେତେବେଳେ । ପ୍ରଶ୍ନ ନୁହେଁ ତ ନିଆଁଝୁଲ । ପାଟିରୁ ଉତ୍ତୁରୁନଥିଲେ ବି କୁହେ କାନ୍ଦ କାନ୍ଦ ହୋଇ , “ମନା କଲେ ତୁମେ ଅଟକିଯିବ କଣ ? ମୋ ଖାତିରରେ ମଣିଷ ହୋଇଯାଅନ୍ତନି ! ପାର୍ଥିବ ବୋଲି ସମ୍ବୋଧନ୍ତି ଏବଂ କାଳକାଳକୁ ତୁମ ହାତ ପାପୁଲିକୁ ମୁଠେଇ ଧରନ୍ତି ! ମୋ ପୃଥିବୀରେ ନିହାତି ପାଖରେ ଆତଯାତ ହେଉଥିବା ମଣିଷ ଭଳି ତୁମେ ସମ୍ପୂର୍ଣ୍ଣ ଏବଂ ସଂପନ୍ନ ଲାଗୁଥିଲାବେଳେ ମୁଁ ନିତି ନିଜକୁ ବିମଣ୍ଡିତା କରି ପାଉଥାନ୍ତି !!

ମୋ କଥା ତୁମେ ସସମ୍ମାନେ ଶୁଣ ଆଉ ଥରଟେ ହିଁ ପଲକପାତ କର । ଲାଗେ ଯେମିତି ‘ ତଥାସ୍ତୁ”ର ସେହି ପଲକପାତ ତିଆରି କରିପକାଏ ହଜାର ହଜାର “ଆମେନ୍ ” ଶବ୍ଦର ପବିତ୍ର ଗୁଞ୍ଜରଣ ।

ମୁଁ ଶିହରି ଉଠେ ପୁଲକରେ ଆଉ ଆବେଗର ଆନନ୍ଦରେ ଆଖି ବନ୍ଦ କରେ । ତୁମେ ତେଣିକି ନଥାଅ ପାଖରେ ପୁଣି ଥରେ ଶୂନ୍ୟେଇ ଦେଇ ମୋର ଆତ୍ମାକୁ ସେହି ପ୍ରାର୍ଥନାର ଅନ୍ଧାରରେ । ପଚାରିବାକୁ ଥିବା ମୋର ସବୁ ପ୍ରଶ୍ନ ,ଶୁଣେଇବାକୁଥିବା ମୋର ସମସ୍ତ କବିତା , ଦେଖେଇବାକୁ ଥିବା ମୋର ଚିତ୍ରର ତମାମ୍ ଅନ୍ୟମନସ୍କତା ସେହି ଅସୀମତାରେ ବାଷ୍ପୀଭୁତ ଲୁହ ଭଳି ଧୀରେଧୀରେ ମିଳେଇଯାଏ । ନିଜର ବୋଲି ଯେଉଁ ଅନୁଭବ ଟିକକ ବଞ୍ଚିଥାଏ ସେ ଭିତରେ ତୁମ ଆସିବାର କଣ୍ଟକୁ ଖାଲି ବିକଳ ହୋଇ ଖୋଜୁଥାଏ ।

ପୁଣି କେବେ ଆସିବ ? ଘର ବୋଲି ଯେଉଁ ଆବେଗକୁ ମୁଁ ସ୍ବପ୍ନ କରି ଫୁଟେଇଛି ଆସନ୍ତାକାଲିର ବଗିଚାରେ ତାକୁ ମୋ’ ପାଇଁ ତୋଳି ଆଣିଥିବ ??

ତୁମ ପାଇଁ ‘ଅପେକ୍ଷା’ କେବଳ । ତୁମକୁ ମୁଁ କେବେ ମୋର ବୋଲି ଦାବୀ କରିପାରିବିନି ସିନା ମୁଁ କିନ୍ତୁ କେବଳ “ତୁମର “