ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ନନା ! 
ଏଇ ଚିଠି ସେତେବେଳେ ଲେଖୁଛି ଯେତେବେଳେ ତୁମେ ଜଣେଇ ସାରିଛ ଜୀବନକୁ ଜୀଇଁଯିବା ଲାଗି ତୁମେ ସ୍ପୃହାମାନଙ୍କୁ ଭୁଲି ଯାଇଛ । ଶେଷଥର ତୁମକୁ କେବେ ଚିଠି ଲେଖିଥିଲି ମୋର ମନେ ନାହିଁ ନନା ଯଦିଓ ପ୍ରତ୍ୟହ ଗଦା ଗଦା ଚିଠି ଲେଖା ଚାଲିଥାଏ ମୋ ଡାଏରୀ ଫର୍ଦ୍ଦରେ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱଙ୍କୁ ପ୍ରାପକ କରି । ଚିଠିର ବିଷୟରେ ସ୍ପଷ୍ଟ ଦିଶୁଥାନ୍ତି ମୋର ପରୀକ୍ଷା ନେଉଥିବା ଠାକୁର କି ନର୍କର ଅନୁଭୂତି ଦେଉଥିବା ମଣିଷଙ୍କ ଅପ୍ରତ୍ୟାଶିତ ବ୍ୟବହାର ।

କାହିଁକି ଲେଖି ହୋଇନି ତୁମକୁ ଚିଠି ??

ଆମେ ପିଲାଏ ବଡ଼ ବୋଲାଇବାକୁ ବହୁ ସମୟରେ ବିଚାରକ ହୋଇଯାଉ। କେଉଁ ଭାଗକ ସୁଖ ଆମକୁ ଠିକଣା ସମୟରେ ଯୋଗେଇ ହେଲାନି ବୋଲି ଅଡ଼ି ବସୁ । କେଉଁ ନିଷ୍ପତ୍ତିରେ ଖସି ପଡ଼ିଛି ଆମ ସୁଖ ଗଛର ଫଳ , ଝଡ଼ି ପଡିଛି ଇଚ୍ଛାଫୁଲ ବୋଲି ଆମେ ହିସାବ କରୁ ଆଉ ବାହାନା ଖୋଜି ନେଉ ଗୋଟେ ମାପି ନହେଲାଭଳି ଦୂରତାରେ କାର୍ଯ୍ୟଭାରକୁ ଘୋଡ଼ିଆ କରି ନିଜକୁ ତହିଁ ଭିତରେ ଥାପି ଦେବାକୁ । ଆମେ ପିଲାଏ ଭୁଲିଯାଉ ଆମେ ସେହି ସବୁ ମଞ୍ଜି ଯେଉଁଥିରେ ପାଣି ନଥିଲେ ନିଜ ଦେହରୁ ଲୁହ , ଲହୁ ସିଞ୍ଚି ତୁମେ ବଢ଼େଇଛ  ପର୍ଯ୍ୟାପ୍ତ ଭରସାର ସୂର୍ଯ୍ୟାଲୋକ ଦେଇ ନିଜେ କେତେ ତାଡ଼ନାର ନିଆଁରେ ଶିଝିଛ । ଆମକୁ କେବଳ ଆମେ ହିଁ ଦେଖାଯାଉ ନନା । ସେଥିପାଇଁ ତୁମେ ଚିଠିରେ ଆସନା । ଆସିବାକୁ ମୁଁ ହୁଏତ ତୁମକୁ ଆଦୌ ସୁଯୋଗ ଦିଏନା ।

ମୁଁ ଜାଣିଛି ଅସ୍ଥିରତା ଓ କ୍ଷୋଭରେ ଲେଖୁଥିବା ଏହି ବିପର୍ଯ୍ୟସ୍ତ ଆବେଗର ଚିଠିକୁ ତୁମେ ଗଭୀର ଆଗ୍ରହରେ ଚଷମା ଲଗେଇ ନିଠେଇ ନିଠେଇ ପଢିବ ଆଉ କାନ୍ଦ କାନ୍ଦ ହେବ । ଧାଡିକ ଶବ୍ଦରୁ ତୁମେ ଶୁଣିବାକୁ ବା ପାଇବାକୁ ଚାହୁଁଥିବା ଶବ୍ଦ ଖୋଜି ନେଇ ପ୍ରସନ୍ନ ଦିଶିବ । ତୁମେ ମୋଠାରୁ ତୁମ ପାଇଁ କିଛି ଶୁଣିବାକୁ ବା ଜାଣିବାକୁ ଚାହଁ ବୋଲି ମୁଁ ବୁଝେ କିନ୍ତୁ ସେମାନଙ୍କୁ ଚିଠି ଲେଖେ ଯେଉଁମାନେ ଉତ୍ତର ଫେରେଇବାର ଆଗ୍ରହ ଦେଖାନ୍ତି ନାହିଁ କି କେବେ ରଖିବାର ଅଭିଳାଷ ପୋଷି ପାରନ୍ତି ନାହିଁ । ଯିଏ ଖୋଜେ ବା ଖୋଜି ହେଉଥାଏ ସେଇଠି ପହଞ୍ଚ ହେବାକୁ କେଉଁଠୁ ମାଡ଼ି ଆସେ ଏତେ ଅନାଗ୍ରହ ଓ ସ୍ୱାର୍ଥପରତା ? ବୋଧହୁଏ ଏଥିପାଇଁ ଯେ ତୁମେ ନନା ଏବଂ ନନାମାନେ ଆକାଶ ଭଳି ଫାଙ୍କା , ବିଶାଳ ଓ ଉଦାର ।

ଏବେ ତୁମ ସହ ମୋ ଯୋଡ଼ି ହେବାର କଥାମାନ ଲେଖିବି ଯେଉଁ ସବୁ କଥାକୁ ଥରେ ଅଧେ ଫୋନ୍ ରେ ବଖାଣି ମୁଁ ମନେପଡୁଛି ବୋଲି ତୁମେ କୁହ ଏବଂ କହି ହେଉଥାଅ ।

ବଡ଼ା ଘାଆରେ ଲତପତେଇ ଯାଉଥିବା ମୋର ଦେଢ଼ବର୍ଷିଆ ରୋଗୀଣା ଦେହକୁ କାନ୍ଧରେ ପକେଇ ଦିନ କଣ ରାତି କଣ ଘୂରି ବୁଲୁଥିଲ ବାଡ଼ି ଦୁଆରୁ ଦାଣ୍ଡପିଣ୍ଡା ଯାଏଁ । ଆଉ ମୁଁ ? କେତେବେଳେ ବନ୍ଦ ହେଉ ନଥିବା କାନ୍ଦକୁ ଧରି ତୁମକୁ ବ୍ୟତିବ୍ୟସ୍ତ କରୁଥିଲି ତ କେତେ ବେଳେ ଅବୁଝା ପ୍ରଶ୍ନମାନଙ୍କୁ ତିଆରି କରି ତୁମକୁ ଭାବୁକ କରି  ପକାଉଥିଲି । ଆଚରଣରେ ଅଦ୍ଭୁତ ଲାଗୁଥିବା ତୁମର ଏହି ଝିଅ କେଉଁ ବିଶ୍ୱାସ ଭରି ଦେଇଥିଲା ତୁମ ମନରେ କେଜାଣି ଯେ ମୋ ଇଚ୍ଛା ମାନଙ୍କୁ ଗୋଟି ଗୋଟି କରି ବାଛି ତାକୁ ପୂରଣ କରିବାରେ ତୁମେ ତୁମର ବାପାପଣକୁ ଢାଳି ଦେଉଥିଲ । ଝିଅମାନଙ୍କୁ ଦୋକାନ ବଜାର ମନା ଥିବା ଗାଁରେ ତୁମେ ଭାଇକୁ ନୁହେଁ ମୋତେ ପଠାଉଥିଲ ବ୍ୟାଗ ଧରେଇ ଦେଇ । ଧାନ କଳକୁ ସାଇକେଲ କି ଶଗଡ଼ରେ ଗଲାବେଳେ ତୁମେ ମୋତେ ହିଁ ସାଙ୍ଗ କରୁଥିଲ । ଫାଉଡ଼ା ଧରି ଦାଣ୍ଡପଟ ସଫା କରୁଥିଲାବେଳେ , ଖଳାରେ ଧାନ କଳେଇ ସଜାଡୁଥିଲା ବେଳେ ତୁମେ ମୋତେ ହିଁ ଖୋଜୁଥିଲ କାନ୍ଧକୁ କାନ୍ଧ ଦେବା ପାଇଁ । କହୁଥିଲ ମୁଁ କୁଆଡେ ତୁମର ଝିଅ ନୁହେଁ ପୁଅ । ତୁମ ଡାହାଣ ହାତ ।

ପୁଅ ପିଲାର ପୋଷାକ ପିନ୍ଧି ଆଇନ ପଢ଼ା ସରିଲା ଯାଏଁ ମୁଁ ତ ପୁଅ ହିଁ ହୋଇ ଘରେ କାମ କରୁଥିଲି । ଶଗଡ଼ ଉପରେ ବସି ମୁଁ ଶଗଡ଼ିଆ ଗୀତ ଶୁଣି ବିଭୋର ହେବାର ମନେ ନାହିଁ ସତ କିନ୍ତୁ ପୂରନ୍ତା ଧାନ କ୍ଷେତମାନଙ୍କ ସହ ସୂର୍ଯ୍ୟାସ୍ତର ରଙ୍ଗ ବୋଳି ମୁଁ ଯେବେ ଉଲ୍ଲସିତ ହୋଇଛି ତୁମେ ଆଖିରେ ଆଖିଏ ଖୁସି ରଖି ମୋତେ ଅଧିକରୁ ଅଧିକ ପ୍ରାକୃତିକ ରଙ୍ଗର ଐଶ୍ଵର୍ଯ୍ୟ ଆଡକୁ ଟାଣି ନେଇଛ । ଇଚ୍ଛାରେ ଥାଏ ବୋଲି ସାଇକେଲ ଆଗ ରଡ଼ରେ ବସେଇ ମୋତେ ତୁମେ ଦେଖାଉଥାଅ ଦୂର ପାହାଡ଼ରେ ଡୁବନ୍ତା ସୂର୍ଯ୍ୟ । ଦିଗବଳୟ ଯାଏଁ ଧରଣୀ ବିଛେଇ ଥିବା ସବୁଜ ଗାଲିଚା । ସର୍ପିଳ ଗତିରେ ଦୌଡୁଥିବା ନଈ । କିଣି ପଢିବାକୁ ଦିଅ ବର୍ଣାଡ଼ ଶ , ନଜରୁଲ , ଜ୍ଞାନୀନ୍ଦ୍ର ବର୍ମା , ଉପେନ୍ଦ୍ର ଭଞ୍ଜ , ଓମାର ଖାୟାମ । ସବୁ ସାଧାରଣ ପିଲା ଭଳି ସହଜ ଲାଗୁନଥିଲି ବୋଲି ନାକଚ କରୁଥିବା ସବୁ ମଣିଷଙ୍କୁ ମୁହଁରେ କିଛି ସିନା କହିପାରନି କିନ୍ତୁ ଚାହୁଁଥିଲ ଯେ ଝିଅ ବିଖ୍ୟାତ ହେଉ , ତାର ସ୍ୱତନ୍ତ୍ରତା ଜାହିର କରୁ । ସହରକୁ ପଢିବାକୁ କାଁଭାଁ ଯାଉଥିବା ଗାଁରୁ ପୁରୀ ଯାଇ ପଢିହେଲା ତୁମର ସେହି ବିଶ୍ୱାସର ଆଧାରରେ । ଏପରିକି ନିଜ ଗୋଡ଼ରେ ନିଜେ ଠିଆ ହେବାର ଇଚ୍ଛାକୁ ସସମ୍ମାନେ ସମ୍ମତି ମିଲଥିଲା ଆଇନ ପଢୁଥିଲାବେଳେ ।

କେବେ ତୁମ କଥାରେ ରୁଷି କୂଅରେ ଫିଙ୍ଗି ଦେଇଛି ଟ୍ରଫି ଓ ସିଲ ।ଚିରି ଦେଇଛି ସବୁ ସାର୍ଟିଫିକେଟ । ଚୁପ୍ ହୋଇଯାଇଛି ମାସ ମାସ । ତୁମେ ଆକଟ କରିବା କି କ୍ରୋଧ ଦେଖେଇବା ବଦଳରେ ଓଲଟା ରୁଷିଯାଇ ବୋଉ ପାଖରେ ଲୁହ ଲୁହ ହେଇଛ । ଏତେ ଆହତକ୍ଷମ ଝିଅ ସମାଜ ସହ ଯୁଝିବ କେମିତି ବୋଲି ବୋଉ ଆଗରେ ବ୍ୟସ୍ତତା ଦେଖାଅ । ଆଉ ଏବେ ପଵିତ୍ରଙ୍କୁ ତାଙ୍କ ସାଥୀପଣିଆ ପାଇଁ ବାହବା ଦେଲାବେଳେ କୃତଜ୍ଞତା ଓ ସ୍ନେହରେ ଭିଜିଯାଉଥାଏ ତୁମ ବାପାପଣ ।ତାଙ୍କୁ ‘ତାର ନିରବତାକୁ ବୁଝିଯିବ ଏବଂ ତହିଁରେ ତୁମ ପାଇଁ ପ୍ରେମ ଖୋଜିନେବ ‘କହିବା ଭିତରେ ମୋତେ ତାଙ୍କ ଭଳି ଅଦ୍ୱିତୀୟ ମଣିଷ ପାଇଁ ସମ୍ମାନ ଓ ସମର୍ପଣ ସାଇତି ଥାଏ ବୋଲି ପରୋକ୍ଷରେ ବାରମ୍ବାର ଦର୍ଶେଇ ଦେଉଥାଅ ।

ନିୟମିତ ଦରମା ପାଉ ନଥିବା ପ୍ରାଇମେରୀ ସ୍କୁଲର ବାପା ଜଣେ ଝିଅ ବାଟ ଭୁଲି ନଯାଉବୋଲି ପ୍ରତି ସପ୍ତାହରେ ତିନିଶହ କିଲୋମିଟର ଯିବାଆସିବାରେ ସମୟ ଏବଂ ଅର୍ଥ ଶ୍ରାଦ୍ଧ କରି , ପୁରୀ ଆସି ପୁରୀର ଗଳିକନ୍ଦି ବୁଲେଇ ଦେଖେଇବା , ଦରକାର ଥାଉ କି ନଥାଉ “ପଇସା ପାଖରେ ଅଧିକ ସବୁବେଳେ ଥାଉ” କହି ହାତରେ କିଛି ଟଙ୍କା ଗୁଞ୍ଜି ଦେଇଯିବା , ଫୋନଜନିତ ଅସୁବିଧା ଥିଲେ ବି କାହିଁ କେଉଁ ବାଗରେ ଫୋନ କରି ସୁବିଧା ଅସୁବିଧା ବୁଝିନେବା , ଉତ୍ତର ଫେରୁନଫେରୁ ଚିଠି ଲେଖିବା ଭଳି କାମ କରିଯାଉଥାଅ ସାବଲୀଳ ଢଙ୍ଗରେ । କିଛି ଫରକ ପଡ଼ିନି ଆଜିଯାଏଁ ତୁମ ନନାପଣରେ । ଫରକ ଯାହା ତୁମ ସନ୍ତର୍ପିତ ବ୍ୟବହାରରେ । ଅଧୀର ହୋଇ ମୋତେ ବାରମ୍ବାର ଫୋନ କରିବା ଭିତରେ ତୁମ ସ୍ୱରରେ ବାରି ହୋଇପଡ଼ୁଛି ଭୟ କାଳେ ଭାଇ ଭଳି ଖସେଇ ନେବି କି ମୁଁ ମୋର ହାତ ତୁମ ହାତମୁଠାରୁ !!

ଆଜିକାଲି ସବୁ ଦିଶୁଛି ମୋତେ । ବିଶେଷ କରି କ୍ଲିନିକରେ ତୁମ ସମ୍ଭାଳି ହେଉ ନଥିବା ଦେହର ଭାରକୁ ବୋହି ଯେବେ ମୁଁ ତୁମକୁ ପିଲା କରି ଦେଖିଲି ତା ପରଠାରୁ । ଦିଶୁଛି ନନା । ସେହି ସବୁ କବିତାମାନଙ୍କ ଦେହ ଯେଉଁମାନେ ପିଲାଦିନ ସନ୍ଧ୍ୟାମାନଙ୍କରେ ମୋଟା ବନ୍ଧେଇ କରା ଖାତା ଭିତରୁ ଛନ୍ଦମୟତାରେ ଆସି ତୁମ ଗଳାରେ ବସନ୍ତି ଏବଂ ତୁମକୁ ଗାଇବାର ତନ୍ମୟତା ଦିଅନ୍ତି । ଦିଶେ ମୋତେ ହଳେ ପ୍ୟାଣ୍ଟ ସାର୍ଟ ଗଳେଇ କେଇ ବର୍ଷ ଗୋତାରି ନେଉଥିବା ଗୋଟେ ଅସ୍ପଷ୍ଟ ଚେହେରା ଯିଏ ଦୋକାନକୁ ଆସିଥିବା ନୂଆ କିସମର ପୋଷାକ କିଣି ଆଣନ୍ତି ଛୁଆମାନଙ୍କ ଦେହକୁ ସୁନ୍ଦର ସାଜୁ ବୋଲି । ଦିଶେ ଆଗାମୀ ମାସରେ ବାକି ନିଶ୍ଚୟ ଶୁଝିବେ କହି ଖାତା , ବହି , ପେନ , ରେଫେରେନ୍ସ ବହି ସହ ଶିଶୁଲେଖା , ମନପବନ , ଜହ୍ନମାମୁଁ କିଣି ଆଣୁଥିବା ଭରସାର ଗଢ଼ା ମଣିଷଟି । ଦିଶେ ବି ସନ୍ତୁଷ୍ଟିର ହସ ଖେଳାଉଥିବା ସେହି ଦେବୋପମ ମୁହଁ ଯାହାଙ୍କୁ ଅଳନ୍ଧୁ କିଣିବାକୁ ପଇସା ମାଗିଲେ ବି ତୁରନ୍ତ ମିଳିଯାଇପାରେ । ଦିଶୁଛି ସଳଖି ହେଉ ନଥିବା ଶରୀରର ଦୁର୍ବଳତା , ଆଖିରେ ଯନ୍ତ୍ରଣାର ଅସହାୟତା , ହୃଦୟର ସବୁ କୋଣରେ ସଭିଙ୍କ ଅଲକ୍ଷ୍ୟରେ ଭର୍ତ୍ତି କରିରଖିଥିବା ପୁଅମୋହ ଏବଂ ଝୁରିହେବାରେ ସରି ସାରି ଦେଉଥିବା ଦେହ ଓ ମନ । ସବୁ ଦିଶୁଛି ବୋଲି ବିଶ୍ୱାସ କର ଖୁବ୍ କଷ୍ଟ ପାଉଛି ।

ତୁମେ କେବେ ଥିଲ ଦୁର୍ବାସା ଋଷି ପରି ଶକ୍ତ ଓ କଠୋର ।ଏବେ ତ ବିଛଣା ଉପରେ ପଡିଥିବା କୁନି ଛୁଆ ପରି ତୁମେ ସୁକୁମାର ଓ କୋମଳ । ମୁଁ କିନ୍ତୁ ସଂକଳ୍ପ ନେଇ ସାରିଛି ମୋ ହିସାବରେ ଯେହେତୁ ତୁମେ ଜାଣ ମୁଁ ଖୁବ୍ ଜିଦ୍ଖୋର । ତୁମେ ସିନା କୁହ ଏବଂ ସଭିଙ୍କୁ କହି ହେଉଥାଅ ମୁଁ କୁଆଡେ ତୁମର ବିଶ୍ୱାସ ଓ ଦମ୍ଭ । ସାରାଟା ପିଲାବେଳ ଓ କୈଶୋରରେ କିନ୍ତୁ ତୁମେ ଯେ ମୋର ଥିଲ ତଥାସ୍ତୁର ଈଶ୍ୱର । ତୁମେ ତୁମ ଭଳି ଥାଅ କହିବି କି ? କାଲି କଣ ହେବ ମୁଁ ଜାଣିନି ନନା କି ଜାଣିବାକୁ ଚାହୁଁନି । କିନ୍ତୁ ଆଜି ପାଇଁ ମୁଁ ତୁମ ପୁଅ ହିଁ କେବଳ । ଯଦି ସମୟ କୁହେ ମୁଁ ନନା ହେବାକୁ ଚାହେଁ ତୁମର ।

ତୁମର
ଡାହାଣ ହାତ