ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ରୂପାନ୍ତରିତ ଦୃଷ୍ଟି

ଭଲପାଇବାକୁ ଆୟୁଷ କରିପାରେ କି ସମୟ ? କେଜାଣି ! ଚିଠିକୁ ଚଢ଼େଇ କି ତାରାଙ୍କୁ ପ୍ରଜାପତି କରି ପହଞ୍ଚି ହେବକି ଅପହଞ୍ଚ ଆକାଶରେ ? କେଜାଣି ! ମୋ ଥିବାଠାରୁ ନଥିବା ପର୍ଯ୍ୟନ୍ତ ଲମ୍ବିଥିବା ଗୋଟେ ଅଦୃଶ୍ୟ ରାସ୍ତାରେ ଠାଏ ଠାଏ ଜମିଥିବା କୋଳାହଳରେ ତୁମେ ମୋତେ ଦିଶନି କାହିଁକି ? କାହିଁକି ତୁମେ ଯେତିକି ସମୁଦ୍ରେଇ ଯାଅ ସେତିକି ତୃଷାର୍ତ୍ତ ହୁଏ ମୋ କଣ୍ଠ ? କାହିଁକି କାତର କଳ୍ପନାରେ ବାଲ୍ଟିରେ ଭରୁଥାଏ ଗୋଟେ ସମୁଦ୍ରକୁ ଲୁହରେ ଅନ୍ଧ ହୋଇ ? ତୁମ ଉପସ୍ଥିତି ତୁମ ଅନୁପସ୍ଥିତିର ଅଂଶ ଭାବି ମୁଁ କାହିଁକି ଆତଙ୍କିତ ହୁଏ ? କାହିଁକି ଶିହରିତ ହୁଏ ତୁମକୁ ଗୋଟିଏ ବିନ୍ଦୁରେ ନିର୍ବିକାର ଭାବରେ ଠିଆ ହୋଇଥିବାର ଦେଖି ? ଏମିତି ହଜାରେ କାହିଁକିର ଉତ୍ତର କେବଳ “କେଜାଣି “। ସବୁ କେଜାଣିକୁ ଖଳାଗଦାରେ ଧାନ ଖେଳାଇଲା ଭଳି ଖେଳେଇ ଉଜ୍ଜ୍ଵଳ ଆଲୋକରେ ପରଖିବାକୁ ଚାହିଁଛି ତ ଝାଉଁଳି ପଡିଛି ପ୍ରଶ୍ନ ପ୍ରତିପ୍ରଶ୍ନଙ୍କର ଅତର୍କିତ ଆକ୍ରମଣରେ । ଲୁହ ଲୁହ ହେଉ ହେଉ ପୁଣି ଉଚ୍ଚକିତ ହୋଇ ପଲ୍ଲବୀ ଯାଇଛି ତୁମ ପ୍ରେମମୟ ଇଙ୍ଗିତରେ ।

ବୋଉ ଶୁଣେଇଥିଲା କାହାଣୀଟିଏ ପିଲାବେଳେ ଯେତେବେଳେ ମୁଁ କମ୍ପୁଥିଲି ବୋଉ ପ୍ରତି ନନାଙ୍କର ଅଦ୍ଭୁତ ବିରାଗରେ । ବୋଉର କୌଣସି ଆଚରଣ ଏବଂ ସମର୍ପଣରେ ଆଦୌ ସନ୍ତୁଷ୍ଟ ହେଉନଥିବା ନନାଙ୍କ ସ୍ୱାମୀତ୍ୱ ଉପରେ ମୋର ଅସମ୍ପାଦିତ କ୍ରୋଧ ଥିଲା ଅଥଚ ବୋଉ ପ୍ରତି ଦିନ ବାସ୍ନା ହୋଇ ଫୁଟୁଥିଲା ତା’ ଦାମ୍ପତ୍ୟରେ । କେଉଁଠୁ ଆସେ ଏତେ ଅନୁରାଗ ବିନା ଅଭିଯୋଗରେ ପଚାରିଥିଲି ତ ବୋଉ କହିଥିଲା କାହାଣୀଟି । ବୋଧହୁଏ ତାକୁ ତାରି ବୋଉ କହିଥିବେ କେଉଁ ଏକ ଅଭିମନ୍ତ୍ରିତ ମୁହୂର୍ତ୍ତରେ । କବିତା ଲେଖାରେ ମଗ୍ନ କବି ସ୍ୱାମୀ ଜଣଙ୍କ ପ୍ରଚଣ୍ଡ ଦ୍ୱିପ୍ରହରେ ପ୍ରଜ୍ଜ୍ବଳିତ ଦୀପ ଆଣିବାକୁ ନିର୍ଦ୍ଦେଶ ଦିଅନ୍ତେ ପତ୍ନୀଙ୍କୁ ତ ବିନା ବାକ୍ୟ ବ୍ୟୟରେ ଦୀପଟିଏ ଜାଳି ବଢ଼େଇ ଦିଅନ୍ତି ଗୃହିଣୀ ସ୍ୱାମୀଙ୍କ ଉଦ୍ଦେଶ୍ୟରେ । ୟାକୁ ହିଁ କୁହନ୍ତି ବିଶ୍ୱାସ ଆବାମିକାର । ବୋଉ ଆଖିରେ ଝଟକୁଥିଲା ସ୍ୱାମୀ ନାମକ ସତ୍ତା ପ୍ରତି ଅସମ୍ଭବ ପ୍ରେମ । ପାରସ୍ପରିକତାର ଭିତ୍ତି – ଏକାତ୍ମବୋଧ ବୋଲି ସେ ଡଙ୍କେଇ ଯାଉଥିଲା ନନାଙ୍କ ଇଚ୍ଛାରେ ଇଚ୍ଛାଟେ ହୋଇ । ଏବେ ଏବେ ତୁମ ପାଇଁ ମହଜୁଦ କରି ରଖିଥିବା ଅନୁରାଗକୁ ସେହି ଉପଲବ୍ଧିରେ ଆଣି ଦେଖୁଚିତ ବୋଉ ମୋତେ ଲାଗୁଚି ଦେବୀଟିଏ ପରି । ସ୍ୱାଧୀନତା , ସ୍ବଚ୍ଛନ୍ଦତା , ଅସ୍ମିତାର ତିନି ଗାର ଟାଣି ମୁଁ କେମିତି ଛନ୍ଦି ହୋଇଯାଇଛି ଗୋଟେ ଅଦୃଶ୍ୟ ପଞ୍ଜୁରୀରେ ।

ତୁମେ ଜାଣ , ସମ୍ପର୍କକୁ ଆମନ୍ତ୍ରିତ ହୋଇ ଆସିଥିବା ଅନେକ ଆତ୍ମୀୟ ଠିକଣା ସମୟରେ ମୋର ମସ୍ତିଷ୍କକୁ ଭାରସାମ୍ୟହୀନ କହିବାରେ ଆଦୌ କାର୍ପଣ୍ୟ କରି ନାହାଁନ୍ତି । ଯୋଗାଡ଼ି ପାରିନି ସାମର୍ଥ୍ୟ ଟିକକ ଅଭିମାନରେ ସେହି ନିର୍ଦ୍ଦିଷ୍ଟ ସମୟରେ ଦେଖେଇ ଦେବାକୁ କେତେ ସବୁଜିମା , ଫୁଲ ଓ କାକଳୀଙ୍କ ସମାହାର ସେହି ତଥାକଥିତ ମସ୍ତିଷ୍କରେ । ଦେଖେଇ ପାରିନି କେତେ ଆବେଗର ନଈ ବାହାରି ଆସିଛି ସେହି ମସ୍ତିଷ୍କରୁ ବେଗବତୀ ହୋଇ ( ସମୁଦ୍ରମୁହାଁ ହୋଇ ରାସ୍ତାରେ କେହି କେହି ହଜିଯିବାର ନଜିର ଯଦି ଅଛି ତାର କାରଣ ମୌସୁମୀ ହୋଇପାରେ ଅଥବା ପ୍ରଦୂଷଣ କିନ୍ତୁ ଉତ୍ପତ୍ତିସ୍ଥଳ ଆଦୌ ନୁହେଁ ବୋଲି ଗଭୀର ପ୍ରତ୍ୟୟର ସହ ଆଜି ବି କହିପାରେ ) । ଦେଖେଇ ପାରିନି କେଉଁପ୍ରକାରେ ଚିତ୍ରିତ ଅନ୍ୟମନସ୍କତା ରଙ୍ଗେଇ ହେଉଥାଏ ଯାବତୀୟ ପ୍ରତିକୂଳ ପରିସ୍ଥିତିରେ ଗାଢ଼ ଇନ୍ଦ୍ରଧନୁର ରଙ୍ଗକୁ ଆପଣେଇ । ହୃଦୟର ଦର୍ଜାକୁ ଖୋଲିଲେ ସିନା ଆଖିରେ ଦୃଶ୍ୟ ଉକୁଟିବ ! ସେମାନଙ୍କ ଆଖି ତରଟାରେ ମୁଁ କେବଳ ନିରବେଇ ଯିବାଟା ଶିଖିଲି । ତାଙ୍କୁ ଦେଖେଇବାର ଚେଷ୍ଟାରେ ମୁଁ କିନ୍ତୁ ଆଖି ବନ୍ଦ କଲି ନାହିଁ । ଖୋଲି ରଖି ଥାଏ ଆଖି ତେଣୁ ଧୋଇ ହୋଇଯାଏ ଲୁହରେ । ଲୁହ ତ ଜୀବନର ସୁଅ , ତୁମେ ହିଁ କାନେ କାନେ କହୁ ଥାଅ । ବରଗଛର ଭରସା ଦେଖେଇ ଠିଆ ହୋଇଥିବା ସେହି ସମ୍ପର୍କ କେମିତି ଅଜଗର ପ୍ରାୟେ ଓହଳି ପଡ଼ନ୍ତି ଦମ୍ଭର ପିଠିରେ ମୁଁ କହି ପାରେନି କି ଆଗକୁ ପାରିବିନି କେବେ । କାରଣ ସମ୍ପର୍କ ମାନେ ହିଁ ଆଶୀର୍ବାଦ କି ଅନୁଭୂତି ବୋଲି ବୁଝିଛି ଆଜି ଯାଏଁ ତାର କାର୍ଯ୍ୟକାରୀ ଦିଗକୁ ନେଇ । ଗଢ଼ି ବି ହୋଇଛି କ୍ରମଶଃ ସେହି ଅନୁଯାୟୀ ।

ଜାଣେନି କେବେଠୁ ସ୍ବପ୍ନକୁ ମୋଡ଼ିମାଡ଼ି ଫିଙ୍ଗି ଆସିଛି ଅଧାଲେଖା ଚିଠି ଭଳି କଳ୍ପବଟ ମୂଳେ ଏହି ଆଶାରେ ଯେ ଅବଶିଷ୍ଟାଂଶ ଲେଖିଦେବ ଅଦୃଷ୍ଟ ତା ହିସାବରେ । ମୁଁ ଜାଣେ ଲେଖା ହେଉଥିବା ସମୟରେ ତୁମ ଦୃଷ୍ଟି ନିବଦ୍ଧ ଥିବ ସେହି ଚିଠାଉରେ । ଦେଖୁଥିବ କିଭଳି ଉତ୍ତରିତ ହେଉଛି ମୋର ଚେତନା ମୁହୂର୍ତ୍ତକୁ ମୁହୂର୍ତ୍ତ ଦୃଷ୍ଟିର ରୂପାନ୍ତରରେ ।
ତୁମର ‘ମୁଁ’