ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨
ନିହାତି ସ୍ୱଳ୍ପ ଦୈର୍ଘ୍ୟ ବିଶିଷ୍ଟ କଥା ।
ଜଣେ ରାଜା ଥିଲେ । ଆଉ ତାହାପରେ କ’ଣ ଯେ ?
ରାଜା ମାନେ ତ ସବୁବେଳେ ଥାଆନ୍ତି ।
ରାଜାଙ୍କର ଏକ ସମାନ ସମୟରେ ମୃତ୍ୟୁ ହୁଏ ଆଉ ରାଜା ଦୀର୍ଘଜୀବୀ ହୁଅନ୍ତୁ ବୋଲି ଠିକ୍ ସେତିକିବେଳେ ସମସ୍ତେ ଉଚ୍ଚ କଣ୍ଠରେ ଜୟଧ୍ୱନୀ ଦେଇଥାନ୍ତି।
ଏଇଠି ପ୍ରଥମରେ କହିଦେବା ଉଚିତ ହେବ ଯେ , ଜଣେ ଯେତେବେଳେ ରାଜା ହୁଏ ସେତେବେଳେ ତାହାର ସେମିତି କିଛି ବିଶେଷ ପ୍ରଜାତି ବିଶିଷ୍ଟ ହେବା ଆଦୌ କୌଣସି ଅତ୍ୟାବଶକୀୟ ଗୁଣାବଳୀ ଭିତରେ ଅନ୍ତର୍ଭୂକ୍ତ ନୁହଁ । ଅର୍ଥାତ୍ ଜଣେ ଯେତେବେଳେ ରାଜା ହୁଏ ସେ ତାହାର ପ୍ରଜାମାନଙ୍କଠାରୁ ଏକ ସୁଚିନ୍ତିତ ଦୂରତ୍ୱକୁ ଧାରଣ କରି ଆସିଥାଏ । ରାଜା ହେଲାପରେ ସେ ସେହି ଦୂରତ୍ୱକୁ କେଉଁ ଭଳି ଆଉ କେତେ ପରିମାଣରେ ବଜାୟ ରଖିବା ସହିତ ତାହାର ସୁଚିନ୍ତିତ ବିନିଯୋଗ କରିପାରୁଛି ତାହା ଉପରେ ହିଁ ତାହାର ରାଜପଣର ଭଲ ଆଉ ମନ୍ଦ ନିର୍ଭର କରିଥାଏ ।
ତାହାହେଲେ ରାଜାର ଅର୍ଥ ଏକ ସ୍ଥିର ଦୂରତ୍ୱ ବୋଲି ଅବଧାରଣା ସହ ଆମେ ଏଥର ଅଗ୍ରସର ହେବା, କାଳର ଅଗନାଅଗନି ବନସ୍ତକୁ ।
ଜଣେ ରାଜା ଥିଲେ । ସେ ମଣିଷ ମାନଙ୍କର ରାଜା ହେଲେ ବି ସେ ସ୍ୱୟଂ କିନ୍ତୁ ମଣିଷ ନୁହଁନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଖୋଦ୍ ମଣିଷ ମାନେ ହିଁ ଏହି ଅଣମଣିଷ ରାଜାଙ୍କୁ ନିଜପାଇଁ ବାଛିଥିଲେ ।
ଏକଥା ନୁହଁ ଯେ ପ୍ରଜାମାନେ ସ୍ୱତଃ ଆଗଭର ହୋଇ ନିଜ ତରଫରୁ ଏଇମିତି ଅଣମଣିଷ ଜଣକୁ ନିଜ ପାଇଁ ବାଛିଥିଲେ। ପ୍ରଜାଙ୍କୁ ଗୋଟାଏ ବିକଳ୍ପ ଦିଆଯାଇଥିଲା । ସେହି ବିକଳ୍ପ ଟି ହେଉଛି, ତମେ ତମ ପାଇଁ ଅମୁକ ମଣିଷକୁ ରାଜା ହିସାବରେ ବାଛି ପାର ନଚେତ ଅମୁକ ଅଣମଣିଷ କୁ ତମର ରାଜା ହେବ ବୋଲି ବି ସ୍ଥିର କରିପାର । ବିଚାର ତମର ,ମୁଁ ଖାଲି ଏଇଠି ତମକୁ ବିକଳ୍ପ ଯୋଗାଇ ଦେବା ପାଇଁ ଉପଲବ୍ଧ ରହିଅଛି ।
ପ୍ରଜାପାଟକଙ୍କୁ ଭବିଷ୍ୟତର ସଂଭାବିତ ରାଜା ହେବା ଭଳି ନିର୍ଦ୍ଦିଷ୍ଟ ବିକଳ୍ପ ଯୋଗାଇ ଦେବାଭଳି ସାମର୍ଥ୍ୟ ତାହାହେଲେ କାହାର ରହିବ ? ଯିଏ ନିଜେ ଜଣେ ରାଜା କେବଳ ତାହା ବ୍ୟତୀତ ସେଇ କାମଟି ଆଉ କାହାର ନୁହଁ ।
ସ୍କାଣ୍ଡିନେଭିଆର ଜଳଦସ୍ୟୁ ବୃତ୍ତାନ୍ତରେ ଅର୍ଥାତ୍ ଭାଇକିଙ୍ଗମାନଙ୍କ ବିବରଣୀରେ ଏଇଭଳି ଗୋଟିଏ ବିକଳ୍ପ ପ୍ରଦାନ କରିବାର ରାଜକଥା ରହିଅଛି । ଆପଣମାନେ ଜାଣନ୍ତି ଆମେ ଯେତେବେଳେ କୌଣସି ବୈଚିତ୍ର୍ୟପୂର୍ଣ୍ଣ ରାଜକଥା ଶୁଣୁ ସେତେବେଳେ ତାହା ପଛରେ ସତ କଥା ବୋଲି ଯେତେ ସିଲମୋହର ବସିଥାଉ ପଛେ ଆମେ ଆଗ ତାହାର ସତପଣକୁ ଅସ୍ୱୀକାର କରି ତାହାକୁ ଏକ ପ୍ରତୀକାର୍ଥରେ ଅର୍ଥାତ୍ ରୂପକଥାରେ ପାଲଟେଇ ଆଣି ତାହାକୁ ସମସାମୟିକ କରିଦେଉ । ଆମର ରାଜକଥା ମାନଙ୍କୁ ନେଇ ସେହି ଭଳି ଏକ ପ୍ରବୃତ୍ତି ଯୋଗୁ ରାଜକାହାଣୀମାନେ କାଳକୁ କାଳ ରୂପକଥା ହୋଇ ଘୁରିବୁଲୁଥାନ୍ତି । ଏଇ ରାଜକଥା ଟି ବି ସେମିତି କାଳକୁ କାଳ ଦେଶକୁ ଦେଶ ପାତ୍ର ଚରିତ୍ର ହୋଇ ଘୁରିବୁଲୁଛି ।
ଏହି ରାଜକଥାର ଅସଲ ଆରମ୍ଭ ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ । ହଁ ଠିକ୍ ସେଇଠୁ । ଜଣେ ରାଜା ଥିଲେ । ନରୱେ ଦେଶରେ । ତାଙ୍କର ନାଆଁ ଆଇଷ୍ଟିନ୍ ମାଗନୁସନ୍ । ସେ ଯୁଦ୍ଧ କରି ଥ୍ରୋନ୍ଧଜେମ୍ ବୋଲି ଗୋଟିଏ ରାଜ୍ୟକୁ ଜୟ କରିଥିଲେ ଆଉ ସେଇଠି ସେ ନିଜର ପୁଅ ଅନୁନ୍ଦକୁ ସେଠିକାର ରାଜଗାଦିରେ ବସାଇଥିଲେ । କିନ୍ତୁ ଅନୁନ୍ଦଙ୍କ ଅତ୍ୟାଚାରୀ ଶାସନରେ ସେଠିକାର ପ୍ରଜା ବିଦ୍ରୋହ କଲେ ଆଉ ଏଇ ବିଦ୍ରୋହ ଏତେ ଉଗ୍ର ଥିଲା ଯେ ପ୍ରଜାମାନେ ଅନୁନ୍ଦଙ୍କୁ ଧରି ସମସ୍ତଙ୍କ ସାମ୍ନାରେ ତାଙ୍କର ମୁଣ୍ଡ କାଟିଦେଇଥିଲେ । ଏହି ଖବର ପାଇବା ପରେ ରାଜା ଆଇଷ୍ଟିନ୍ ପୁତ୍ରହତ୍ୟାର ପ୍ରତିଶୋଧ ପାଇଁ ସେଇ ବିଦ୍ରୋହକୁ ଦୃଢ ହସ୍ତରେ ଦମନ କରିଥିଲେ । ଅନେକ ବିଦ୍ରୋହୀଙ୍କୁ ନିର୍ବିଚାରରେ ହତ୍ୟା କରାଯାଇଥିଲା ।
ତାହାପରେ ରାଜା ଆଇଷ୍ଟିନ୍ ସେହି ବିଦ୍ରୋହ ଦମନ ପରର ରାଜାଶୂନ୍ୟ ଥ୍ରୋନ୍ଧଜେମ୍ ରାଜ୍ୟର ଶାସନ ପାଇଁ ଏକ ବିକଳ୍ପର ପ୍ରସ୍ତାବ ରଖିଥିଲେ । ପ୍ରଜାମାନଙ୍କୁ ଏଥର ବାଛିବାକୁ ହେବ ନିଜର ଭବିଷ୍ୟତର ରାଜା ହିସାବରେ ତାଙ୍କର ଜଣେ କ୍ରୀତଦାସ ଯାହାର ନାଆଁ ଥିଲା ଥୋରେର୍ ଫାକ୍ସ ଅଥବା ତାଙ୍କର ଏକ ଅନୁଗତ ଅଣମଣିଷକୁ ।
ଥ୍ରୋନ୍ଧ ଦେଶର ପ୍ରଜାମାନେ ତାହାପରେ ଏକସ୍ୱରରେ ଚିତ୍କାର କରି କହିଥିଲେ,ମହାଭାଗ ଆମର ରାଜା ହୁଅନ୍ତୁ ମହାମତି ସାଉର୍ । ସାଉର୍ ହେଉଛନ୍ତି ରାଜା ହିସାବରେ ଆମର ପ୍ରଥମ ପସନ୍ଦ ।
କହିବା ବାହୁଲ୍ୟ ନୂତନ ରାଜା ହିସାବରେ ଏହି ସଦ୍ୟ ରାଜାଶୂନ୍ୟ ରାଜ୍ୟରେ ପ୍ରଜାମାନେ ରାଜା ଆଇଷ୍ଟିନ୍ ଙ୍କ ଉପସ୍ଥାପିତ ଯେଉଁ ବିକଳ୍ପକୁ ବାଛିଥିଲେ ତାହା ହେଉଛି ରାଜାଙ୍କର ସେଇ ଏକାନ୍ତ ଅନୁଗତ ଅଣମଣିଷ ଯାହାର ଶ୍ରଦ୍ଧାନାମ ଥିଲା ସାଉର୍ ।
ମଣିଷମାନେ ଜଣେ ଅଣମଣିଷକୁ ନିଜର ରାଜା ହିସାବରେ ବାଛିବା ମଣିଷର ଇତିହାସରେ ଏକ ବିରଳ ଘଟଣା ।
ସାଉର୍ ରାଜା ହେଲେ । ଥ୍ରୋନ୍ଧର ରାଜଗାଦୀରେ ଅଭିଷିକ୍ତ ହେଲେ ମହା ସମାରୋହରେ । ପ୍ରଜାମାନେ ଏଥିରେ ଭାରି ଖୁସି। ସେମାନେ ଯଥେଷ୍ଟ ଭାବିଚିନ୍ତି ଏମିତି ନିଷ୍ପତ୍ତି ନେଇଛନ୍ତି । କାରଣ ଜଣେ ମଣିଷର ତୁଳନାରେ ଏହିଭଳି ଜଣେ ଅଣମଣିଷର ଆୟୁକାଳ ଯଥେଷ୍ଟ କମ୍ । ତେଣୁ ସେତିକି ସମୟ ଜଣେ ଅଣମଣିଷର ଶାସନକୁ ସହିବାବେଳେ ନିନ୍ଦା ଆଉ ଅପବାଦ ତ ରହିଛି ମାତ୍ର ସେମିତି କଥିତ ନିନ୍ଦା ଆଉ ଅପବାଦ ଜଣେ ମଣିଷରାଜାର ସମସ୍ତ ସ୍ୱୈରାଚାରିତାର ବର୍ବରତା ଆଉ ନିର୍ଯ୍ୟାତନା ର ତୁଳନାରେ କିଛି ନୁହଁ ।
ଅଣମଣିଷ ରାଜା ସାଉରଙ୍କ ପାଇଁ ସୁବର୍ଣ୍ଣ ର ରାଜଗାଦୀ ଥିଲା,ବିରାଟ ଉଆସ ଥିଲା,ରାଜ ପରିଷଦ ଥିଲା ଏବଂ ରାଜାଙ୍କ ବେକରେ ଶୋଭା ପାଉଥିଲା ଗୋଟିଏ ମୋଟା ସୁବର୍ଣ୍ଣର ପଟି ।
ଭୋ..ଓ ଓ ..।
ହଁ,ରାଜା ସାଉର୍ କେବଳ ଏମିତି ଗୋଟିଏ ଭାଷାରେ ହିଁ ପୃଥିବୀକୁ ତାଙ୍କର ସମସ୍ତ ନିର୍ଦ୍ଦେଶ ଦେଉଥିଲେ । ଏହା କିନ୍ତୁ ବସ୍ତୁତଃ ଏହି ସତକଥାକୁ ସେମିତି ସେତେ ରୂପକଥା କରିଦେବ ନାହିଁ ଯେ ପର୍ଯ୍ୟନ୍ତ ଆମକୁ ଗୋଚର ହୋଇନାହିଁ ଯେ ନରଓୟେ ଭାଷାରେ “ସାଉର୍” ର ଅର୍ଥ ହେଉଛି, ମଳ ।