ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୭
ଛବିଟି ସ୍ୱତନ୍ତ୍ର।
ପାବଲୋ ପିକାଶୋଙ୍କର ଛବି। ଗୋଟିଏ ଫଟୋଗ୍ରାଫ୍ ।
ପିକାସୋଙ୍କର ସେହି ଫଟୋଗ୍ରାଫର ଆଢୁଆଳରେ ଥିବା କାହାଣୀଟି କିନ୍ତୁ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ।
ପିକାସୋ ସବୁବେଳେ ତାଙ୍କର ଜଣେ ପୂର୍ବସୂରୀ ତଥା ଜଣେ ଫରାସୀ ଲେଖକ ଆଲଫ୍ରେଡ୍ ଜାରୀଙ୍କର ଜୀବନଯାପନ ଶୈଳୀକୁ ବିଶେଷ ଭାବରେ ଅନୁକରଣ କରୁଥିଲେ। ତାଙ୍କ ଭଳି କଥାବାର୍ତ୍ତା ତଥା ଅଙ୍ଗଭଙ୍ଗୀର ନକଲ କରିବାକୁ ସେ ଭାରି ସୁଖ ପାଉଥିଲେ। ଆଲଫ୍ରେଡ୍ ଜାରୀ “ପାଟାପିଜିକ୍ସ”ରେ ବିଶ୍ୱାସ କରୁଥିଲେ। ଏହି ପାଟାଫିଜିକସ୍ ଅନୁସାରେ ସବୁ ଜ୍ଞାନ ଇନ୍ଦ୍ରିୟଗ୍ରାହ୍ୟ ନୁହଁ ଆଉ ସବୁଥିରେ ଥିବା ଆଧିଭୌତିକ କ୍ରିୟାକଳାପକୁ ବୁଝିବା ପାଇଁ ମଣିଷ ଭିତରେ ସ୍ୱତନ୍ତ୍ର ବୋଧଶକ୍ତି ଥିବା ଆବଶ୍ୟକ। ସରଳ ଭାବରେ କହିଲେ ଆଲଫ୍ରେଡ୍ ଜାରୀଙ୍କ ବିଚାର ଅନୁସାରେ କେହି କାହାକୁ କିଛି ବୁଝାଇ ପାରିବ ନାହିଁ।ପିକାସୋ ମଧ୍ୟ ସେଇ ସମାନ ଧାରଣାକୁ ଅନୁକରଣ କରୁଥିଲେ।
ଆଲଫ୍ରେଡ୍ ଜାରୀ ସବୁବେଳେ ନିଜସହ ଗୋଟିଏ ରିଭଲଭର୍ ରଖୁଥିଲେ।ଏଇ ରିଭଲଭରଟି ହେଉଛି ପ୍ରସିଦ୍ଧ ବ୍ରାଉନିଂ ରିଭଲଭର୍। ସବୁବେଳେ ଜାରୀ ନିଜର ଏହି ରିଭଲଭରକୁ ଜୀବନ୍ତ ଗୁଳୀରେ ଭର୍ତ୍ତି କରି ପାଖରେ ରଖିଥିଲେ। ତାଙ୍କର ମୃତ୍ୟୁ ପରେ ୧୯୦୭ ଖ୍ରୀଷ୍ଟାବ୍ଦରେ ପିକାସୋ ଏଇ ବ୍ରାଉନିଂ ରିଭଲଭର୍ ଟି ଆଲଫ୍ରେଡ୍ ଜାରିଙ୍କ ବଂଶଧରଙ୍କଠାରୁ କିଣିନେଇ ସାଥିରେ ଧରି ସବୁବେଳେ ବୁଲୁଥିଲେ। ପିକାଶୋ ଏଥିରେ ଆଲଫ୍ରେଡ୍ ଜାରୀଙ୍କ ଭଳି ଜିଅନ୍ତା ଗୁଳି ଭର୍ତ୍ତି କରି ରଖୁନଥିଲେ। ସେ ସେଥିରେ ବ୍ଲାଙ୍କ କାର୍ତ୍ତୁଜ ଭର୍ତ୍ତି କରି ରଖୁଥିଲେ। ଏଇ ଭଳି ବ୍ଲାଙ୍କ କାର୍ତ୍ତୁଜ୍ ଗୁଡିକ ହେଉଛି ଏକ ପ୍ରକାରର କାର୍ତ୍ତୁଜ ଯାହା ସାଧାରଣତଃ କୌଣସି ଦୌଡ ପ୍ରତିଯୋଗୀତାରେ ବା କାହାକୁ ତୋପ ସଲାମୀ ଦେଲା ଭଳି ଯେତେକ ଶୂନ୍ୟକୁ ଫୁଟାଇବା ପାଇଁ ଦରକାର ହେଉଥିବା କାମରେ ବ୍ୟବହୃତ କରାଯାଇଥାଏ ।
ସେହି ଭଳି ବ୍ଲାଙ୍କ୍ କାଟ୍ରିଜରେ ଭରା ଗୋଟିଏ ରିଭଲଭର୍ ହାତରେ ପିକାସୋଙ୍କୁ ପ୍ରାୟତଃ ଦେଖାଯାଇଥାଏ ।
ଏଇଠି ଗୋଟିଏ ଭୟର ପ୍ରସଙ୍ଗ ରହିଛି । ସେହି ଭୟରୁ ନିଜକୁ ସୁରକ୍ଷିତ କରି ରଖିବାର ପ୍ରସଙ୍ଗ ରହିଛି । ଏବଂ ଏହି ଭଳି ଗୋଟିଏ ପ୍ରସଙ୍ଗରେ ଜଣେ ଆଉ ଜଣକଠାରୁ ସୁରକ୍ଷିତ ହୋଇ ରହିବା ନିମନ୍ତେ ଯେଉଁ କାମନା କରିଥାଏ ତାହା ସମ୍ପୂର୍ଣ୍ଣ ଅହିଂସକ ହୋଇଥିବା ଆବଶ୍ୟକ ।
ପ୍ରସଙ୍ଗର ସେହି ଭୟଟି ହେଉଛି ନିଜେ ଅନ୍ୟ ସମକ୍ଷରେ ଅର୍ଥହୀନ ପାଲଟି ଯିବାର ଭୟ । ଅର୍ଥହୀନ ପାଲଟିଗଲେ ଜଣେ ଅପ୍ରାସଙ୍ଗିକ ପାଲଟି ଯିବ, ସେଇଭଳି ଜଟିଳ ଭୟ । କାରଣ ଆମେ ସବୁବେଳେ ଯାହା ଯାହା କରୁ ଯାହା ଯାହା କହୁ ତାହା ପ୍ରାସଙ୍ଗିକ ଏବଂ ନୈତିକତାର କଷଟିରେ ସଠିକ ଏହି ଭଳି ଗୋଟିଏ ଅବଧାରଣା ଆମ ଭିତରେ ନିଜର ଆତ୍ମପରକ ପ୍ରତିମାନ ବିସ୍ତାର କରି ରହିଥାଏ । ଏହାର କୌଣସି ଅନ୍ୟଥାକୁ ଆମେ ସହ୍ୟ କରିପାରିବୁ ନାହିଁ ।
ଏଇଠି କହିବା କଥା ହେଉଛି ପିକାସୋ ଫରାସୀ ଲେଖକ ଆଲଫ୍ରେଡ୍ ଜାରୀଙ୍କ ଏଇ ବ୍ରାଉନିଂ ରିଭଲଭରକୁ ସବୁବେଳେ ବ୍ଲାଙ୍କ କାର୍ତ୍ତୁଜରେ ଭର୍ତ୍ତି କରି ରଖୁଥିଲେ କାରଣ ଏହା ତାଙ୍କୁ ସୁରକ୍ଷିତ କରି ରଖିବ ସେଇ ଉପସ୍ଥିତ ପ୍ରଶ୍ନକର୍ତ୍ତା ନିକଟରୁ ଯିଏ ସୁଯୋଗ ପାଇଲା ମାତ୍ରକେ ଅଳ୍ପ ଗଳାଝାଡି ତାଙ୍କୁ ପଚାରିଥାଏ, ଆଚ୍ଛା ଆପଣ ଏଇ ଯେଉଁ ଛବିଟି ଆଙ୍କିଛନ୍ତି ତାହାର ଅର୍ଥକୁ ଟିକିଏ ଦୟାକରି ବୁଝାଇ କହିବେ ?
ବ୍ଲାଙ୍କ-ଫାୟାରର ଦରକାର ନାହିଁ।
ଖାଲି ବନ୍ଧୁକର ନଳୀଟିକୁ ଆମ ସାମ୍ନାରେ ବାଗେଇ ଧରିଲେ ଘଡିକରେ ସବୁ ଗୂଢତତ୍ତ୍ୱ ପରିଷ୍କାର, ସେକଥା ଅଲଗା । ସାଧାରଣରତଃ ଯିଏ ନିଜ ପାଖରେ ସଂତୁଷ୍ଟ ଆଉ ସତ୍, ସେ ଅର୍ଥପୂର୍ଣ୍ଣ କିଛି କରୁଅଛି ଆଉ ତାହାର ବିପକ୍ଷ ସତ୍ତା ନିରର୍ଥକତାର ସ୍ୱରୂପରେ ତାହାର ପାଖାପାଖି ଚୁପ୍ କରି ଛିଡା ହୋଇଥିବା କଥା ସେ ଜାଣେ ।
ଅର୍ଥ କି ନିରର୍ଥ, ଯିଏ ସେସବୁର ଉର୍ଦ୍ଧ୍ୱରେ ତାହାର ଏମିତିକା ପିକାସୋଙ୍କ ରିଭଲଭରର ଆବଶ୍ୟକତା ଆଦୌ ପଡେନାହିଁ ।