Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ନବବର୍ଷ ଓ ଖଣ୍ଡ ଛେନା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୦

ନବବର୍ଷ । ପ୍ରଥମ ଜାନୁଆରୀ ୧୮୦୨ ଖ୍ରୀଷ୍ଟାବ୍ଦ।

ସେଦିନ ଯୁକ୍ତରାଜ୍ୟ ଆମେରିକାର ମହାମହିମ ରାଷ୍ଟ୍ରପତି ନିଜର ଡାଏରୀରେ ଏହା ଲିପିବଦ୍ଧ କରିଥିଲେ,” ଆଜି ଦିନରେ ଏଠାରେ ଏକ ବିଶାଳ ଛେନା ଖଣ୍ଡ ଆସି ପହଞ୍ଚିଗଲା । ଏହା ଗୋଟିଏ ଉପହାର । ଗୋଟିଏ ଅତ୍ୟନ୍ତ ଦମନଶୀଳ ରାଷ୍ଟ୍ରରେ ଏହା ସାଧାରଣତନ୍ତ୍ର ର ଉଲ୍ଲାସ ପ୍ରକଟିକରଣର ଏକ ସଙ୍କେତ ।”

ଥୋମାସ୍ ଜେଫରସନ୍ ସେତେବେଳକୁ ଆମେରିକାର ରାଷ୍ଟ୍ରପତି ଥାଆନ୍ତି । ମାତ୍ର ରାଷ୍ଟ୍ରପତି ହେବାପରେ ସେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ଯେ ସେ ସର୍ବସାଧାରଣଙ୍କ ଠାରୁ କୌଣସି ପ୍ରକାରର ଉପହାର ଗ୍ରହଣ କରିବେ ନାହିଁ ।

ଗୋଟିଏ ବିଶାଳ ଛେନାଖଣ୍ଡକୁ ଏଇ ନବବର୍ଷ ଦିନ ରାଷ୍ଟ୍ରପତି ଜେଫରସନ୍ ଙ୍କୁ ତାଙ୍କର ନିବାସ ହ୍ୱାଇଟ୍ ହାଉସ୍ ରେ ପ୍ରଦାନ କରାଯାଇଥିଲା। ଏହି ବିଶାଳ ଛେନାଖଣ୍ଡ ଟି ମହାମହିମ ରାଷ୍ଟ୍ରପତିଙ୍କୁ ମାସାଚୁସେଟ୍ ର ଚେସାୟାର୍ ନାମଙ୍କ ସ୍ଥାନର ଅଧିବାସୀଙ୍କ ତରଫରୁ ଉପହାର ଆକାରରେ ପ୍ରଦାନ କରାଯାଇଥିଲା। ସେଠିକାର ଅଧିବାସୀଙ୍କ ତରଫରୁ ଏହି ଭଳି ଗୋଟିଏ ନୂତନ ଢଙ୍ଗର ଉପହାର ର ପରିକଳ୍ପନା ଏବଂ ବାସ୍ତବାୟନ କରିଥିଲେ ସ୍ଥାନୀୟ ବାପଟିଷ୍ଟ ଚର୍ଚ୍ଚର ମୂଖ୍ୟ ଜନ୍ ଲେଲାଣ୍ଡ ଏଲଡର୍ ।

ପ୍ରାୟ ୧୨୩୦ ପାଉଣ୍ଡ ଓଜନର ବିଶାଳ ଛେନାଖଣ୍ଡ କୁ ମହାମହିମ ରାଷ୍ଟ୍ରପତିଙ୍କୁ ଉପହାର ଦେବା ବେଳେ ତାହା ସହିତ ଜନ୍ ଲେଲାଣ୍ଡ ଏଲଡର୍ ଯେଉଁ ନିବେଦନ ପତ୍ରଟି ତାହା ସହିତ ଜଡିତ କରିଥିଲେ ସେଥିରେ ଲେଖା ଥିଲା : ଆମେରିକାର ସର୍ବବୃହତ ଛେନାଖଣ୍ଡ ଏବେ ଆମେରିକାର ସର୍ବଶ୍ରେଷ୍ଠ ବ୍ୟକ୍ତିଙ୍କୁ ନିବେଦନ କରାଯାଉଛି । ଏହା ଆପଣଙ୍କର ମାନବତା ପ୍ରତି ଅଶେଷ ଅବଦାନ ନିମନ୍ତେ କେବଳ ଆଶୀର୍ବାଦ ମାତ୍ର ।

ନିବେଦନ ପତ୍ରର ଶେଷ ଆଡକୁ ଜନ୍ ଲେଲାଣ୍ଡ ଏକଥା ବି ଉଲ୍ଲେଖ କରିଥିଲେ ଯେ ଏହି ବୃହତ ଛେନାଖଣ୍ଡଟି ସମ୍ପୂର୍ଣ୍ଣ ଭାବରେ ସ୍ୱାଧୀନ କୃଷକ ଙ୍କର ସ୍ୱତଃ ପ୍ରବୃତ୍ତ ଶ୍ରମ ଏବଂ ସେମାନଙ୍କର ପତ୍ନୀ ମାନଙ୍କର ଉତ୍ସାହବର୍ଦ୍ଧକ ସକ୍ରୀୟ ସହଯୋଗରେ ପ୍ରସ୍ତୁତ କରାଯାଇଅଛି । ଏଥିରେ ଜଣେ କେହି କ୍ରୀତଦାସ ବା କୌଣସି ପ୍ରକାରର କ୍ରୀତଦାସର ଶ୍ରମ ନିୟୋଜିତ ହୋଇ ନାହିଁ । ଏଥିରୁ ସହଜରେ ବୁଝିହେବ ଯେ, ଶ୍ରମ କ୍ଷେତ୍ରରେ ଶ୍ୱେତାଙ୍ଗ ଶ୍ରମ କୃଷ୍ଣାଙ୍ଗ ଶ୍ରମ ଠାରୁ ଅଧିକ ପବିତ୍ର ,ତାହା ସେଇ ସମୟର କ୍ରୀତଦାସଯୁକ୍ତ ଇତିହାସର କଳଙ୍କିତ ଅଧ୍ୟାୟର ମୂଳ କଥା ଥିଲା ।

ଏହି ବିଶାଳ ଛେନାଖଣ୍ଡ ବା ଚିଜ୍ କୁ ରାଷ୍ଟ୍ରପତି ଜେଫରସନ୍ ଗ୍ରହଣ କରିବା ପରେ (ଯେହେତୁ ସେ କୌଣସି ଉପହାର ଗ୍ରହଣ କରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ ) ତାହାର ଅର୍ଥମୂଲ୍ୟ ଆକାରରେ ୨୦୦ ଡଲାର୍ ର ଅର୍ଥ ରାଶି ପ୍ରଦାନ କରିଥିଲେ ।

ସେ ଯାହା ହେଉ ଏହି ବିଶାଳ ଛେନାଖଣ୍ଡ ଉପହାରର ପରବର୍ତ୍ତୀ ଭବିଷ୍ୟତ କ’ଣ ଥିଲା ବିସ୍ତାରରେ ତାହା ଜଣାନାହିଁ । କିନ୍ତୁ ଏହାର କିଛି ଅବଶେଷ ରାଷ୍ଟ୍ରପତି ଭବନ ଅର୍ଥାତ୍ ହ୍ୱାଇଟ୍ ହାଉସ୍ ରେ ଏଇ ଘଟଣାର ତିନିବର୍ଷ ପରେ ଅର୍ଥାତ୍ ୧୮୦୫ ଖ୍ରୀଷ୍ଟାବ୍ଦ ବେଳକୁ ମହଜୁଦ୍ ଥିଲା । ସେତେବେଳକୁ ସେ ଛେନା ଖରାପ ଅବସ୍ଥାରେ ଥିଲେ ମଧ୍ୟ ତାହା ହ୍ୱାଇଟ୍ ହାଉସ୍ ର ଭୋଜି ଗୁଡିକରେ ପରିବେଷଣ ହେଉଥିଲା । ଶେଷରେ ଅତି ଦୁର୍ଗନ୍ଧ ହେବାରୁ ସେ ସବୁକୁ କୌଣସି ଏକ ଅଜ୍ଞାତ ସ୍ଥାନରେ ପୋତି ଦିଆଯାଇଥିଲା ।

ଏହାପରେ ଆଉ ଏକ ଛେନା ଖଣ୍ଡର କଥା। ଆଉ ଏକ ନବବର୍ଷର କଥା ।

ଏହି ବିଶେଷ ଛେନା ଖଣ୍ଡ ହେଉଛି ଚେଡାର୍ ଚିଜ୍। ଚେଡାର୍ ଚିଜ୍ ସାଧାରଣତଃ ସମରସେଟ୍ ରେ ପ୍ରସ୍ତୁତ ହେଉଥିବା ଏକ ପ୍ରକାଶ ଅଧିକ ଶକ୍ତ ଚିଜ୍ କୁ ବୁଝାଏ ।

ରାଷ୍ଟ୍ରପତି ଥମାସ ଜେଫରସନ୍ ଙ୍କର ନବବର୍ଷ ଦିନ ଅର୍ଥାତ୍ ପ୍ରଥମ ଜାନୁଆରୀ ୧୮୦୨ ଖ୍ରୀଅ ଦିନ ତାଙ୍କୁ ଯେଉଁଭଳି ଛେନାଖଣ୍ଡ ଉପହାର ଦିଆଯାଇଥିଲା ଠିକ୍ ସେହି ଭଳି ଗୋଟିଏ ବିଶାଳ ପ୍ରାୟ ୧୪୦୦ ପାଉଣ୍ଡ ଓଜନବିଶିଷ୍ଟ ଛେନାଖଣ୍ଡ ବା ଚେଡାର୍ ଚିଜ୍ ଉପହାର ଦିଆଯାଇଥିଲା ଆଉ ଜଣେ ରାଷ୍ଟ୍ରପତି ଙ୍କୁ । ଠିକ୍ ସେଇଭଳି ଗୋଟିଏ ନବବର୍ଷ ଦିନ । ଏଥରର ରାଷ୍ଟ୍ରପତି ଜଣକ ବି ଆମେରିକୀୟ,ଆଣ୍ଡ୍ରିଉ ଜାକସନ୍,ଏଥର ବି ସେଇ ହ୍ୱାଇଟ୍ ହାଉସ୍ ଆଉ ଏଥର ବି ସମାନ ସେଇ ନବବର୍ଷ , ସାଲ ଟି କିନ୍ତୁ ଭିନ୍ନ ,ପ୍ରଥମ ଜାନୁଆରୀ ୧୮୩୬ ଖ୍ରୀଷ୍ଟାବ୍ଦ।

ଏଥରର ନବବର୍ଷ ଦିନ ନିୟୁର୍କ ର ଜଣେ ଦୁଗ୍ଧବ୍ୟବସାୟୀ ଥମାସ୍ ଷ୍ଟାଣ୍ଡିସ୍ ମିକାମ୍ ସେହି ବିଶାଳ ଛେନାଖଣ୍ଡକୁ ଉପହାର ଦେଇଥିଲା ରାଷ୍ଟ୍ରପତି ଜାକସନ୍ ଙ୍କୁ ।

ଏଇ ଭଳି ଗୋଟିଏ ଉପହାର ପ୍ରାପ୍ତି ପରେ ୧୮୦୨ ରେ ରାଷ୍ଟ୍ରପତି ଜେଫରସନ୍ ଙ୍କ ପରବର୍ତ୍ତି ପ୍ରତିକ୍ରୀୟା “ଏହା ଏକ ସାଧାରଣତନ୍ତ୍ରର ଉଲ୍ଲାସ ” ବୋଲି ମନ୍ତବ୍ୟ ବ୍ୟତୀତ ଆଉ ଅଧିକ କିଛି ଜଣାନାହିଁ । ମାତ୍ର ୧୮୩୬ ଖ୍ରୀଷ୍ଟାବ୍ଦରେ ରାଷ୍ଟ୍ରପତି ଆଣ୍ଡ୍ରିଉ ଜାକସନ୍ ଏହି ଭଳି ଗୋଟିଏ ଛେନାଖଣ୍ଡ ଉପହାର ପାଇବା ପରେ ବଡ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଏହି ଛେନା ଉପହାରର ବିଶାଳତାକୁ ଦୃଷ୍ଟିରେ ରଖି ଏହାକୁ କେଉଁଭଳି ଯଥାଯଥ ଉପଯୋଗ କରାଯାଇପାରିବ ସେ ବିଷୟରେ ରାଷ୍ଟ୍ରପତି ଜାକସନ୍ ସେମିତି କିଛି ସଠିକ ଯୋଜନା କରିପାରିନଥିଲେ । କିଛି ମାସ ଧରି ସେ ହ୍ୱାଇଟ୍ ହାଉସ୍ ରେ ଅତିଥି ଅଭ୍ୟାଗତ ଙ୍କୁ ଭୋଜିସଭାରେ ଏହାକୁ ନିୟମିତ ପରିବେଷଣ କରାଯିବାର ବ୍ୟବସ୍ଥା କରିଥିଲେ । ଯେତେବେଳେ ଭୋଜି ର ବ୍ୟବସ୍ଥା ନଥାଏ ସେତେବେଳେ ସେ ଏଇ ଛେନାକୁ ଗୋଟିଏ ଘରେ ସୁରକ୍ଷିତ କରି ରଖିବାର ବ୍ୟବସ୍ଥା କରିଥିଲେ ।

ଛେନାର ନିୟମିତ ବାସ୍ନା କିନ୍ତୁ ତାହାର ଦୌରାତ୍ମ ସୃଷ୍ଟି କରିବାକୁ ଲାଗିଲା ତାହାପରେ।

୧୮୩୭ ଖ୍ରୀଷ୍ଟାବ୍ଦର ଆଦ୍ୟ କାଳରେ କିନ୍ତୁ ପରିସ୍ଥିତି ଅସମ୍ଭାଳ ହୋଇପଡିଥିଲା । ସେତେବେଳକୁ ଏଇ ଛେନା ର ବାସ୍ନାକୁ ଆଉ ସହି ହେଉନଥାଏ । ହ୍ୱାଇଟ୍ ହାଉସ୍ ସାରା କେବଳ ଛେନାର ବାସ୍ନା । ରାଷ୍ଟ୍ରପତି ଆଣ୍ଡ୍ରିଉ ଜାକସନ୍ ଏହାର ପ୍ରତିକାର ନିମନ୍ତେ ହ୍ୱାଇଟ ହାଉସ୍ ର ଦ୍ୱାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ କରିଦେଇଥିଲେ । ସମସ୍ତେ ଏବେ ଅତିଥି । ସମସ୍ତ ଆମେରିକୀୟଙ୍କୁ ଏବେ ହ୍ୱାଇଟ ହାଉସ୍ ରେ ଗଚ୍ଛିତ ଥିବା ଚେଡାର୍ ଚିଜ୍ ଖଣ୍ଡରୁ ନିଜ ଇଚ୍ଛା ଅନୁସାରେ ଖଣ୍ଡିଏ ଖଣ୍ଡିଏ କାଟି ଖାଇବା ପାଇଁ କୁହାଯାଇଥିଲା।

ଏହାପରେ ଲୋଭୀ ଆଉ ଲୁଣ୍ଠନପ୍ରିୟ ଅଧିବାସୀ ଆମେରିକୀୟମାନେ ହଜାର ହଜାର ସଂଖ୍ୟାରେ ହ୍ୱାଇଟ୍ ହାଉସ୍ ଭିତରକୁ ପ୍ରବେଶ କରିଥିଲେ । ଜଣେ ପ୍ରତ୍ୟକ୍ଷଦର୍ଶୀ ଲେଖିଥିଲା,
” ତମେ ଏବେ ଖାଲି ଶୁଣିବ ଛେନା,ଦେଖିବ ଛେନା,ଘ୍ରାଣରେ ଥିବ କେବଳ ଛେନା ଆଉ ଛେନାରେ ସମଗ୍ର ଅଂଚଳ ଯେମିତି
ସଂକ୍ରମିତ।”

ସେଦିନର ସେହି ବିଶାଳ ଛେନା-ଭୋଜ ପରେ ଦେଖାଗଲା ହ୍ୱାଇଟ ହାଉସ୍ ର କାର୍ପେଟ୍ ରେ ଛେନା,କବାଟର କଡାରେ ଛେନା,କାନ୍ଥରେ ଛେନା ,ବସିବା ପାଇଁ ପଡିଥିବା ଚୌକିର କୁଶନ୍ ରେ ଛେନା । ଏହା ସହିତ ଚାରିଆଡୁ ଆସୁଥିବା ଛେନାର ବାସ୍ନା ।

ଆଉ ଥରେ ଆମର ସ୍ମରଣକୁ ଆସୁ ,୧୮୦୨ ଖ୍ରୀଷ୍ଟାବ୍ଦର ନବବର୍ଷ ଦିନ ରାଷ୍ଟ୍ରପତି ଥମାସ୍ ଜେଫରସନ୍ ଙ୍କୁ ଉପହାର ଆକାରରେ ମିଳିଥିବା ଏହିଭଳି ଗୋଟିଏ ବିଶାଳ ଛେନାଖଣ୍ଡ ସଂପର୍କରେ କୌଣସି ପରବର୍ତ୍ତି ବିବରଣୀ ଉପଲବ୍ଧ ନାହିଁ ମାତ୍ର ୧୮୩୬ ମସିହାର ନବବର୍ଷ ଦିନ ସମାନ ଭାବରେ ସମାନ ବିଶାଳ ଛେନାଖଣ୍ଡ ଉପହାର ପାଇଥିବା ରାଷ୍ଟ୍ରପତି ଆଣ୍ଡ୍ରିଉ ଜାକସନ୍ ଯେଉଁଭଳି ଗୋଟିଏ ଛେନାର ଖଣ୍ଡିଆଭୂତର ସାମ୍ନା କରିଥିଲେ ,ସେଥିରୁ ଆଗେକାର ରାଷ୍ଟ୍ରପତି ଜେଫରସନଙ୍କର ସେସମୟର ଅଶ୍ୱସ୍ତି କୁ କିଛି ପରିମାଣରେ କଳ୍ପନା କରାଯାଇପାରେ ।

ସେଦିନ କିନ୍ତୁ ହ୍ୱାଇଟ୍ ହାଉସ୍ ରେ ଘଟିଥିବା ଛେନାଜନୀତ ଅଶୋଭନୀୟ ତାଣ୍ଡବକୁ ନେଇ ରାଷ୍ଟ୍ରପତି ଜାକସନ୍ ସଂପୂର୍ଣ୍ଣ ନୀରବ
ରହିଥିଲେ । ଏପରିକି ସାମାନ୍ୟଭାବରେ କୌଣସି “ଡିଓଡୋରେଣ୍ଟ” କୁ ଚାରିଆଡ ସ୍ପ୍ରେ କରିବା ଉଚିତ ମନେ କରିନଥିଲେ ।

ରାଷ୍ଟ୍ରପତି ଆଣ୍ଡ୍ରିଉ ଜାକସନ୍ ଙ୍କର ତାହାପରେ ଆଉ କେବଳ ମାତ୍ର ଦୁଇ ସପ୍ତାହ ହ୍ୱାଇଟ୍ ହାଉସ୍ ରେ ରହିବାର ଥାଏ ।

ତାଙ୍କ ପରେ ରାଷ୍ଟ୍ରପତି ହୋଇଥିଲେ ମାର୍ଟିନ୍ ଭାନ୍ ବୁରେନ୍ ଆଉ ଆମେରିକାର ରାଷ୍ଟ୍ରପତି ହେବାପରେ ତାଙ୍କର ପ୍ରଥମ କାମ ଥିଲା ହ୍ୱାଇଟ୍ ହାଉସ୍ କୁ ସଂପ୍ରତି ତାହାର ଛେନାର ପ୍ରଦୁଷଣରୁ ମୁକ୍ତ କରିବା । ଏହି କାର୍ଯ୍ୟ କିଛି ସପ୍ତାହ ଧରି ଚାଲିଥିଲା । ତାହା ସହିତ ତାଙ୍କର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଟି ଥିଲା ଏକ ଘୋଷଣାନାମା ଯାହା ଅନୁସାରେ ହ୍ୱାଇଟ୍ ହାଉସ୍ ରେ କୌଣସି ଭବ୍ୟ ସମାଗମ ରେ ତାହାପରଠାରୁ ଖାଦ୍ୟ ପରିବେଷଣ ସଂପୂର୍ଣ୍ଣ ଭାବରେ ନିଷିଦ୍ଧ ଥିଲା ।

 

Leave A Reply

Your email address will not be published.