Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଦୀପ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୭

 

ଦୀପ ।

ସାଧାରଣ ଆଉ ସବୁଦିନର ଗୋଟିଏ ମୂର୍ତ୍ତିକା-କଳ। । ବେଳେ ବେଳେ ଏହା ଉପରେ ବିଶେଷ ଭାବରେ ଅଳଙ୍କରଣ କରାଯାଇଥାଏ ମାତ୍ର ସାଧାରଣ ଭାବରେ ଏହା ଖୁବ୍ ଶସ୍ତା ଆଉ ଦେଖିବାକୁ ଅତି ସାଧାରଣ । କାମ ସରିଗଲା ମାନେ ଏହାର ଶେଷ ଆଉ ଏହା ନିରର୍ଥକ ।

ସବୁଠାରେ ସେ ଦେଖାଯାଇଛି, ଭୂମଧ୍ୟସାଗର ନିକଟବର୍ତ୍ତି ଅନେକ ପୂରାତାତ୍ତ୍ୱିକ ଅଞ୍ଚଳ , ଆଫ୍ରିକାର ଉତ୍ତରାଞ୍ଚଳ, ଇଜିପ୍ଟ ଆଉ ବ୍ରିଟେନ୍। କହିବାକୁ ଗଲେ ପୃଥିବୀର ସେହି ସମସ୍ତ ଅଂଚଳରେ ତାହାକୁ ଦେଖିବାକୁ ମିଳିଛି ଯେଉଁ ସବୁ ସ୍ଥାନକୁ ରୋମାନ୍ ମାନେ ରାଜ୍ୟ ବିସ୍ତାର ପାଇଁ ଯାଇଛନ୍ତି ଅଥବା ଯେଉଁ ଅଞ୍ଚଳ ସହିତ ରୋମାନ ମାନେ ପ୍ରତ୍ୟକ୍ଷ ସମ୍ପର୍କରେ ଆସିଛନ୍ତି।

ଦୀପ ଆମକୁ କୃତ୍ରୀମ ଆଲୋକ ପ୍ରଦାନ କରିଥାଏ ।

ଆରମ୍ଭ କାଳର କଥା । ତାହାର ପେଟର ଠିକ୍ ମଝିରେ ଗୋଟିଏ କଣା କରି ସେଇଠି ଭର୍ତ୍ତି କରାଯାଉଥିଲା କିଛି ତେଲ,ଅଲିଭର ତେଲ । ଆଉ ତାହାପରେ ଲିନେନ୍ କପଡାରୁ ଟିକିଏ କୁ ଅଥବା ପାପିରସ୍ ପତ୍ର ଖଣ୍ଡିଏକୁ ନେଇ ହାତରେ ବଳି ତାହାକୁ ବଳିତା କରି ସେଇ କଣାର ଭିତରେ ଗୁଞ୍ଜି ଦିଆଯାଉଥିଲା ଯେମିତି ତାହା ଭିତରେ ଥିବା ତେଲ ଭିତରେ ବୁଡି ରହିବ । ଆରମ୍ଭ ସମୟରେ ଦୀପ ଦେଖିବାକୁ ଗୋଲାକାର ବା ଅଣ୍ଡାକାର ଥିଲା ଆଉ ଉପରେ ନାସାରନ୍ଧ୍ର ଭଳି କେବଳ ଛୋଟ ବାଟଟିଏ ରହୁଥିଲା ଯାହା ଭିତରଦେଇ ବାହାରୁ ବଳିତାଟିଏ ଭିତରକୁ ପୁରାଯାଇ ପାରିବ । ତାହାପରେ ଦୀପର ତେଲରେ ବୁଡିରହିଥିବା ବଳିତା ର ଉପରେ ଦିଶୁ ଥିବା ସେଇ ଶିଖା ଅଂଶରେ ନିଆଁ ଧରାଇଲେ ତାହା ଭିତରର ତେଲକୁ ଶୋଷି ବାହାରେ ଆଲୁଅ ପ୍ରଦାନ କରୁଥିଲା।

ଏଇଠି କହିବା କଥା ହେଉଛି , କେବଳ କୁତ୍ରିମ ଆଲୋକ ପ୍ରଦାନ କରିବା ଦୀପର ଏକମାତ୍ର ଉଦ୍ଦେଶ୍ୟ ନଥିଲା । ବ୍ୟକ୍ତିଗତ ବ୍ୟବହାର ଅପେକ୍ଷା ଏହା ବିଶେଷ ଭାବରେ ଧାର୍ମିକ ଆଚାର ତଥା ଅନୁଷ୍ଠାନରେ ଅଧିକ ବ୍ୟବହୃତ ହେଉଥିଲା। ବିଶେଷ ଭାବରେ ବ୍ୟକ୍ତିର ମରଣୋପରାନ୍ତ କାର୍ଯ୍ୟାନୁଷ୍ଠାନରେ ଦୀପକୁ ଏକ ସମର୍ପଣର ବସ୍ତୁ ଆକାରରେ ପ୍ରଦାନ କରାଯାଉଥିଲା । ରୋମାନ ମାନେ ମଣିଷର ମରଣ ପରେ ତାହାର ପରବର୍ତ୍ତୀ ଯାତ୍ରାକୁ ଆଲୋକିତ କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତିର ସମାଧିରେ ତାହାକୁ ଅର୍ପଣ
କରୁଥିଲେ । ସେଇଥିପାଇଁ ନିଜର ଆର୍ଥିକ ସଂଗତି ଅନୁଯାୟୀ ସେମାନେ ଦୀପମାନଙ୍କୁ ସେତିକିବେଳେ ଅଳଙ୍କରଣ କରୁଥିଲେ ।

ପୁରାତତ୍ତ୍ୱବିତମାନଙ୍କର ଅନୁଧ୍ୟାନ ପାଇଁ ଦୀପ ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ସମ୍ପଦ । ଅନେକ ସମୟରେ ଦେଖାଯାଇଛି ଦୀପର ଠିକ୍ ତଳେ ଏହାର ନିର୍ମାତାମାନେ ନିଜର କୌଣସି ନା କୌଣସି ସନ୍ତକକୁ ଛାପ ଆକାରରେ ରଖିଯାଇଛନ୍ତି । ସେହି ଛାପରୁ ଆମକୁ ଅନେକ କଥା ଜଣାପଡେ,ଯେପରିକି ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର ଦୀପ ର ଜନପ୍ରିୟତା, କୌଣସି ନିର୍ଦ୍ଦିଷ୍ଟ ପ୍ରକାର ଦୀପର ଅଞ୍ଚଳଭିତ୍ତିକ ବ୍ୟାପ୍ତି । ଏହା ସହିତ ଦୀପର ଅଧ୍ୟୟନରୁ ଆମେ ଏହାର ବ୍ୟବସାୟିକ ଦିଗ ସମ୍ପର୍କରେ କିଛି କଥା ଜାଣି ପାରିବା । ଉଦାହାରଣ ସ୍ୱରୂପ ପୂରାତତ୍ତ୍ୱର ଅଧ୍ୟୟନରୁ ଦେଖାଯାଇଛି ଯେ,ବ୍ରିଟେନ୍ ସେହି ସବୁ ଅଞ୍ଚଳରେ ଖୁବ୍ କମ୍ ପରିମାଣର ଦୀପ ଦେଖିବାକୁ ମିଳିଛି ମାତ୍ର ଅନ୍ୟ ଯେଉଁ ଅଞ୍ଚଳରେ ରୋମାନ୍ ମାନଙ୍କର ବ୍ୟାପକ ଯିବା ଆସିବା ରହିଥିଲା ସେଇଠି ପ୍ରଚୁର ସଂଖ୍ୟାରେ ଦୀପ ପୂରାତାତ୍ତ୍ୱିକ ଭାବରେ ଉପଲବ୍ଧ । ଏହାର ଐତିହାସିକ କାରଣଟି ଏହିପରି ହୋଇଥାଇପାରେ । ରୋମରେ କହିବାକୁ ଗଲେ ଅଲିଭ୍ ତେଲ ଶସ୍ତା । ତେଣୁ ଦୀପରେ ଜାଳିବା ପାଇଁ ରୋମଠାରୁ ଅନ୍ୟତ୍ର ଦୂରବର୍ତ୍ତି ସ୍ଥାନମାନଙ୍କରେ ଅଲିଭ ତେଲକୁ ସରବରାହ କରିବା ବ୍ୟବସାୟଗତ ଦୃଷ୍ଟିରେ ଅଧିକ ବ୍ୟୟବହୁଳ ଆଉ ସେହି କାରଣରୁ ସେଇ ସବୁ ଅଂଚଳରେ ରେ ଦୀପର ପୁରାତାତ୍ତ୍ୱିକ ଅବଶେଷ ର ପରିମାଣ ବହୁତ କମ୍ । ଏହା ବ୍ୟତୀତ ଐତିହାସିକ ଅଧ୍ୟୟନରେ ଦୀପରେ ବ୍ୟବହାର କରାଯାଉଥିବା ମାଟି ବି ଗୁରୁତ୍ୱପୂର୍ଣ୍ଣ। ଦୀପରେ ବ୍ୟବହାର କରାଯାଉଥିବା ମାଟିରୁ ଆମେ ସମ୍ପୃକ୍ତ ଅଞ୍ଚଳ, ସମ୍ପୃକ୍ତ ଅଞ୍ଚଳର ବ୍ୟାପକତା ଆଉ ସମ୍ପୃକ୍ତ ଅଞ୍ଚଳର ପ୍ରଭୂତ୍ୱକୁ କିଛି ପରିମାଣରେ ବୁଝିପାରିବା ।

କୌଣସି ଗୋଟିଏ ମାମୁଲି ପଦାର୍ଥ ର ଐତିହାସିକ ଅଧ୍ୟୟନ କଲାବେଳେ ଆମ ଆଗରେ କେବଳ ଗୋଟିଏ କଥା ଗୁରୁତ୍ୱପୂର୍ଣ୍ଣ, ଅଧ୍ୟୟନ ଦୃଷ୍ଟିରୁ । ଏଇଠି ଅମୁକ ପଦାର୍ଥ ର ସୃଷ୍ଟି ବା ଆରମ୍ଭ ଆମ ଅଞ୍ଚଳରୁ ଆଉ ଏହା ଆମ ପାଇଁ ଅତ୍ୟନ୍ତ ଗୌରବାବହ ,ସେହି ଭଳି କୌଣସି ଆତ୍ମଶ୍ଳାଘାବିଜଡିତ ଇତିହାସବୋଧକୁ ପ୍ରତିଷ୍ଠା କରିବା ଭଳି ପ୍ରସଙ୍ଗକୁ ଏଇଠି ରହିବା ଉଚିତ ନୁହଁ । ଏଇ ଭଳି କୌଣସି ମାମୁଲି ସର୍ବଜନଗ୍ରାହ୍ୟ ପଦାର୍ଥର ଅଧ୍ୟୟନ କେବଳ ଗୋଟିଏ ଅଞ୍ଚଳ ଆଉ ଆଉ ଗୋଟିଏ ଅଞ୍ଚଳ ଭିତରେ ପାରସ୍ପରିକ ସମ୍ପର୍କର ସ୍ୱରୂପକୁ ଉନ୍ମୋଚନ କରାଯାଇପାରେ । ଆଉ ସବୁବେଳେ ଇତିହାସର ଚର୍ଚ୍ଚାରେ ଉତ୍ସ ଅପେକ୍ଷା ବ୍ୟାପ୍ତିର ମହତ୍ତ୍ୱ ଅଧିକ ରହିଛି ।ଏହା ମଣିଷକୁ ମଣିଷ ସହିତ ସମ୍ପର୍କୀକୃତ କରାଇ ମଣିଷପଣର ବିକାଶଧାରାକୁ ପ୍ରତିଷ୍ଠା କରିଥାଏ।

ପୃଥିବୀର ସାରା ବିଭିନ୍ନ ଅଞ୍ଚଳରୁ ଦୀପମାନଙ୍କୁ ସଂଗ୍ରହ କରାଯାଇ ସେଇଥିପାଇଁ ଗୋଟିଏ ” ଲାମ୍ପ ମିଉଜିଅମ ” ର ସ୍ଥାପନ କରାଯାଇଛି । ଏହି ବିଶେଷ ମିଉଜିଅମଟି ଜାପାନର ନାକାୟାମା ସହରରେ ଅବସ୍ଥିତ ।

ଅନ୍ଧକାର ସବୁବେଳେ ମୂତଲୋକ ।

ଦୀପ ହେଉଛି ମଣିଷର ମୃତଲୋକର ଗୋପନ ତଥ୍ୟକୁ ଆବିଷ୍କାର କରିବା ଭଳି ଏକ ଚିରତର ପ୍ରୟାସ । ସେଇଠି ମଣିଷ ନିଜର ଜୀବନ ଆଉ ଅଭିଜ୍ଞତାର ଆଧାରରେ ଆଲୁଅଟିଏ ଜାଳି ଅଜଣାକୁ ଖୋଜିଥାଏ । ଏଇଠି ପ୍ରଚେଷ୍ଟା ଆଉ କୃତ୍ରୀମତା ଉଭୟ ରହିଥାଏ । ଆଉ ନିଜର ପ୍ରଚେଷ୍ଟାକୁ ସର୍ବୋତ୍ତମ ବିଚାର କରୁଥିବା ମଣିଷ ସେଇଥିପାଇଁ ଦେବତାକୁ ଦୀପ ଜାଳି ଆଲୋକର ଶ୍ରଦ୍ଧା ନିବେଦନ କରିଥାଏ ସର୍ବତ୍ର।

Leave A Reply

Your email address will not be published.