Latest Odisha News

ସ୍ୱଳ୍ପ ଗଳ୍ପ : ଗୋଟିଏ ଏପ୍ରିଲ ଫୁଲକୁ ନେଇ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୨

BjdElectrycity

ଗୋଟିଏ ମଜା କଥା ତ । ଦେଖାଯାଉ ଶେଷକୁ ଇଏ କ’ଣ ?

ଊଣେଇଶ ଏକୋଇଶ ମସିହାର ଏପ୍ରିଲ୍ ପହିଲା ଦିନ ଜର୍ମାନୀର ବିଶିଷ୍ଟ ସମ୍ବାଦ ପତ୍ର “ଲିଡୋଭେ ନୋମିନି”ରେ ଗୋଟିଏ ଖବର ପ୍ରମୁଖ ଭାବରେ ପ୍ରକାଶିତ ହୋଇ ଥିଲା । ଦେଖିବାକୁ ଗଲେ ସେହି ସମ୍ବାଦଟିର ଶୀର୍ଷକଟି ଟିକିଏ ଅଦ୍ଭୁତ,ଆଉ ଦିଚାରିଟା ଖବର ପରି ସାଧାରଣ ନୁହଁ, ତାହା ଏହିପରି ଥିଲା :
” ଆଇନଷ୍ଟାଇନଙ୍କର ଆପେକ୍ଷିକବାଦ ର ପ୍ରୟୋଗରେ ଯକ୍ଷ୍ମା ରୋଗର ପ୍ରତିକାର ?”

ଏହି ଖବରରେ ବିସ୍ତୃତ ଭାବରେ କୁହାଯାଇଥିଲା ଯେ ଆଇନଷ୍ଟାଇନ ଙ୍କ ଆପେକ୍ଷିକ ବାଦ ଅର୍ଥାତ୍ ଅତ୍ୟନ୍ତ ସରଳ ଭାବରେ କହିଲେ ଦୁଇଟି ପଦାର୍ଥର ଗତିକୁ ନେଇ ଯେଉଁ ତୁଳନାତ୍ମକ ସ୍ଥିତି ବା ଆପେକ୍ଷିକତା ରହିଥାଏ ତାହାକୁ ଉପଯୋଗ କରି ଜଣେ ଯକ୍ଷ୍ମା ବା ଟ୍ୟୁବରକଲୋସିସ୍ ରେ ଆକ୍ରାନ୍ତ ବ୍ୟକ୍ତିକୁ ତାହାର ସେହି ଅସୁଖରୁ ମୁକ୍ତ କରାଯାଇପାରିବା ସମ୍ଭବ। ଏହି ସମ୍ବାଦଟି ସେତେବେଳେ ଜର୍ମାନୀର ଜଣେ ପ୍ରବୀଣ ଚିକିତ୍ସକ ପ୍ରଫେସର୍ ଏଫ୍. ୱେରଜେଇଷ୍ଟ ଏମ୍.ଡି.ଙ୍କ ନାଆଁରେ ପ୍ରକାଶିତ ହୋଇଥିଲା। ସେଇ ପ୍ରବୀଣ ଚିକିତ୍ସାଶାସ୍ତ୍ରବିତ୍ ଙ୍କ ଅନୁସାରେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ରୋଗୀ ଜଣକ ଯଦି ଅନ୍ୟମାନଙ୍କ ତୁଳନାରେ ଅଧିକ ଯାତ୍ରା କରେ ତେବେ ତାହା ଅସୁଖ ଦୂର ହେବା ସମ୍ଭବପର। ବିଶେଷ ଭାବରେ ସେଇ ପ୍ରଫେସର୍ ଙ୍କ ମତ ଥିଲା ଯେ ଜଣେ ବିଷମ ଦିଗରେ ଗତି କଲେ ଆର୍ଥାତ୍ ଆପେକ୍ଷିକତା ଅଧିକ ପ୍ରତିଷ୍ଠିତ କରାଯାଇପାରିବା କାରଣରୁ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ବ୍ୟକ୍ତି ଜଣକ ପୂର୍ବର ହୋଇଥିଲେ ପଶ୍ଚିମକୁ ଯାତ୍ରା ଆରମ୍ଭ କରିବା ଉଚିତ। ଠିକ୍ ସେହିପରି ପଶ୍ଚିମର ବ୍ୟକ୍ତିଜଣକ ନିଜର ଅସୁଖକୁ ଦୂର କରିବା ନିମନ୍ତେ ପୂର୍ବ ଆଡକୁ ଗତି କରିବା ଆବଶ୍ୟକ । ଏହି ଯାତ୍ରା ଫଳରେ ଯକ୍ଷ୍ମାରୋଗରେ ପୀଡିତ ବ୍ୟକ୍ତିଜଣକ ସ୍ୱାସ୍ଥ୍ୟଲାଭ କରିପାରିବ ଆଉ ସ୍ୱାସ୍ଥ୍ୟଲାଭ ହେଲେ ଏଇ ଅସୁଖରୁ ମୁକ୍ତି ପାଇବା ସହଜ। ସେଇଥିପାଇଁ ଏଇ ସମ୍ବାଦରେ ପ୍ରଫେସର୍ ୱେରଜେଇଷ୍ଟ ଗୋଟିଏ ଉପଚାରମୂଳକ ଯାତ୍ରାପଥର ଦିଶାନିର୍ଦ୍ଦେଶ କରିଥିଲେ। ଜର୍ମାନୀରେ ପୀଡିତମାନେ ବିଶେଷରେ ଟ୍ରାଏଷ୍ଟରୁ ଆରମ୍ଭ କରି ସୁଏଜ କେନାଲ୍, ଭାରତ ମହାସାଗର, ପ୍ରଶାନ୍ତ ମହାସାଗର ଦେଇ କାନାରୀ ଆଇଲାଣ୍ଡ ପର୍ଯ୍ୟନ୍ତ ଯାତ୍ରା କରିବାକୁ କୂହାଯାଇଥିଲା। ଏହା ସହିତ ମଧ୍ୟ ଏହିଭଳି ଏକ ଉପଚାରମୂଳକ ଜଳଯାତ୍ରାକୁ ସରବରାହ କରିବାପାଇଁ କେତୋଟି ଜାହାଜ କମ୍ପାନୀ ସହିତ ଯୋଗାଯୋଗ କରିବାପାଇଁ କୁହାଯାଇଥିଲା।ସେହି ଜାହାଜ କମ୍ପାନୀମାନେ ନିକଟରେ ସେମାନଙ୍କର ସ୍ୱାସ୍ଥସେବା ଜଳଯାତ୍ରା ବା ସାନାଟୋରିଆଲ୍ ସର୍ଭିସେସ୍ ଆରମ୍ଭ କରିବେ ବୋଲି ଉଲ୍ଲେଖ ଥିଲା।

ଏଇ ସମ୍ବାଦଟି ଏପରି ଏକ ସମୟରେ ବାହାରିଥିଲା ଯେତେବେଳେ ଯକ୍ଷ୍ମାରୋଗର କୌଣସି ନିର୍ଦ୍ଦିଷ୍ଟ ପ୍ରତିକାର ବାହାରି ନଥିଲା। ସେତେବେଳେ ସମସ୍ତେ ଜାଣିଥିଲେ ଯେ, ଯକ୍ଷ୍ମା ମାନେ ମୃତ୍ୟ ଅବଶ୍ୟମ୍ଭାବୀ ।ତେଣୁ ଯେଉଁମାନେ ସେତେବେଳେ ଯକ୍ଷ୍ମାରେ ପୀଡିତ ଥିଲେ ଏଇ ସମ୍ବାଦକୁ ନେଇ ସେମାନେ ଅତ୍ୟଧିକ ଉତ୍ସାହୀ ହୋଇପଡିଥିଲେ । ପୀଡିତ ମାନଙ୍କର ପରିଜନମାନେ ଯକ୍ଷ୍ମାରୋଗର ପ୍ରତିକାର ର ପ୍ରସ୍ତାବିତ ସ୍ୱାସ୍ଥ୍ୟସେବା କୁ ପରିବହନ କରିବାକୁ ଯାଉଥିବା ଜାହାଜ କମ୍ପାନୀର ସନ୍ଧାନ କରିବାକୁ ଲାଗିଗଲେ।

ଏହି ବିଶେଷ ସମ୍ବାଦଟି ପ୍ରକାଶ ପାଇବା ପରେ ଜର୍ମାନୀରେ ବିଶେଷ ଆଲୋଡନ ସୃଷ୍ଟିକରିଥିଲା।

ଠିକ୍ ସେତେବେଳକୁ ପ୍ରଖ୍ୟାତ ଲେଖକ ଫ୍ରାଞ୍ଜ କାଫକା ଯକ୍ଷ୍ମାରୋଗରେ ପୀଡିତ ହୋଇ ମାଟଲିଆରି ସାନାଟୋରିଅମ୍ ରେ ଚିକିତ୍ସିତ ହେଉଥାନ୍ତି । ତାଙ୍କର ଅବସ୍ଥା ଭଲ ନଥାଏ । (ଏଇ ଘଟଣାର ପ୍ରାୟ ତିନିବର୍ଷ ପରେ ଅର୍ଥାତ୍ ୩ ଜୁନ୧୯୨୪ରେ ଯକ୍ଷ୍ମାରୋଗରେ କାଫକାଙ୍କର ଦେହାବସାନ ଘଟେ।)। ସେ ସେତେବେଳେ ଆଇନଷ୍ଟାଇନ୍ ଙ୍କ ଆପେକ୍ଷିକବାଦକୁ ପ୍ରୟୋଗକରି ଯକ୍ଷ୍ମାରୋଗର ପ୍ରତିକାର ବିଷୟକ ପ୍ରଫେସର ୱେରଜେଇଷ୍ଟ ଙ୍କ ପ୍ରୟୋଗର ଏହି ସମ୍ବାଦକୁ ପଢିଥିଲେ। ସେତେବେଳେ କାଫକାଙ୍କର ସ୍ୱାସ୍ଥ୍ୟାବସ୍ଥା କଥା ବୁଝୁଥାଏ ତାଙ୍କର ଅତ୍ୟନ୍ତ ଗେହ୍ଲା ତାଙ୍କର ସାନ ଭଉଣୀ ଓଟଲା। କାଫକା ଓଟଲା ନିକଟକୁ ଏହି ସଂବାଦର କଟିଙ୍ଗ ଖଣ୍ଡିଏ ପଠାଇଥିଲେ ଆଉ ତାହା ସହିତ ତା’ ନିକଟକୁ ଯେଉଁ ଚିଠିଟି ଲେଖିଥିଲେ ସେଥିରେ ଲେଖାଥିଲା,ବୁଝିଲୁ ଓଟଲା ,ଏଇ ଖବରକୁ ପଢିବା ପରେ ମୁଁ ବି ଅନ୍ୟମାନଙ୍କ ଭଳି ଘଡିଏ ଏହାକୁ ଗମ୍ଭୀରତାର ସହ ନେଇଥିଲା। ଏପରିକି ମୋର ଆଖପାଖରେ ମୋ ଭଳି କେତେଜଣ ଏହାକୁ ପଢି ଖୁସିରେ ନାଚିବାକୁ ଆରମ୍ଭ କରିଦେଇଥିଲେ।

ସାନ ଭଉଣୀ ଓଟଲା ନିକଟକୁ ଏଇ ଭଳି ସମ୍ବାଦ ର କଟିଙ୍ଗ୍ ଖଣ୍ଡିକ ପଠାଇବା ପଛରେ କାଫକାଙ୍କର କିନ୍ତୁ ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥିଲା। ସେ ସେଇ କଥାକୁ ତାଙ୍କର ଚିଠିରେ ଓଟଲାକୁ ଲେଖିଥିଲେ । ଓଟଲାର ବର ଜୋସେଫ୍ ( ଡାକନାମ ପେପା) ଡେଭିଡ୍ ଏମିତିରେ ଭାରି ଭଲ । ଅତ୍ୟନ୍ତ ଶାନ୍ତ ପ୍ରକୃତିର । ସେ ବେଶ୍ କାଫକା-ଅନ୍ତ ପ୍ରାଣ। ତାହାର ଖୁଣ କହିଲେ ଗୋଟିଏ । ପାରିବାରିକ ମହଲରେ ସେ ନିଜକୁ ସବୁବେଳେ ଅତ୍ୟନ୍ତ ଉଚ୍ଚଶିକ୍ଷିତ ବୋଲି ମନେକରିଥାଏ । ସବୁ ବିଷୟରେ ସେ ଯେମିତି ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ନଲେଜବଲ୍ । “ଲିଡୋଭେ ନୋମିନି” ରେ ୧୯୨୧ ମସିହା ଏପ୍ରିଲ ପହିଲା ଦିନ ବାହାରିଥିବା ଏଇ ସମ୍ବାଦ ର କଟିଙ୍ଗ୍ ଖଣ୍ଡକୁ ସାନ ଭଉଣୀ ଓଟଲା ପାଖକୁ ପଠାଇବା ପଛରେ କାଫକାଙ୍କର ଉଦ୍ଦେଶ୍ୟ ଥିଲା ଓଟଲା ଯେମିତି ଏଇ କଟିଙ୍ଗ୍ ଖଣ୍ଡକୁ ପେପା କୁ ଦେଖାଉ ଆଉ ପେପା କୌଣସି କାଳବିଳମ୍ବ ନକରି ସେହି କଳ୍ପିତ ଜାହାଜ କମ୍ପାନୀର ସନ୍ଧାନ କରିବାକୁ ଯାଇ ସ୍ୱୟଂ ଏପ୍ରିଲ ଫୁଲ୍ ହୋଇଯାଉ। ପଣ୍ଡିତ ମାନଙ୍କୁ ଏପ୍ରିଲ୍ ଫୁଲ୍ କରିବାର ଆନନ୍ଦ ଅଲଗା, ଏକଥା ଆମମାନଙ୍କ ଭଳି କାଫକା ବି ଜାଣିଥିଲେ ।

କାଫକାଙ୍କର ପ୍ରେରିତ ସେହି ସମ୍ବାଦପତ୍ରର କଟିଙ୍ଗ୍ କୁ ପାଇବା ପରେ କେହି ଏପ୍ରିଲ୍ ଫୁଲ୍ ହୋଇନାହାଁନ୍ତି, ନା ଗେହ୍ଲା ସାନଭଉଣୀ ଓଟଲା, ନା ତାହାର ନାକ ଉଚ୍ଚା ଜ୍ଞାନୀ ବର ପେପା । କାଫକାଙ୍କର ପରିବାର କେହି ଏହାକୁ ନେଇ କାଫକାଙ୍କୁ ବିଶ୍ୱାସ କରିନାହାଁନ୍ତି । ସମସ୍ତେ ସେହି ସମ୍ବାଦପତ୍ର କଟିଙ୍ଗ୍ କୁ ବିଶ୍ୱାସ କରିଛନ୍ତି। ସମସ୍ତେ ଅନବରତ ସନ୍ଧାନ କରିଚାଲିଛନ୍ତି ସେହି ଜାହାଜର ଯାହାର ଜଳଯାତ୍ରା ନିକଟରେ ଆରମ୍ଭ ହେବ ଆଉ ଏହାଫଳରେ ସେମାନଙ୍କର ପ୍ରିୟ କାଫକାର ସମସ୍ତ ଅସୁଖ କୌଣସି ଯାଦୁର ପ୍ରୟୋଗ ଭଳି ଘଡିକରେ ଉଭେଇ ଯିବ।

ଶେଷରେ କାଫକାଙ୍କୁ ଲେଖିବାକୁ ହୋଇଥିଲା ନିଜର ପ୍ରିୟ ସାନ ଭଊଣୀ ଓଟଲାକୁ :

ମାଆ ବାରମ୍ବାର ସେହି ଜାହାଜର ଖବର ବୁଝିବାକୁ ଚେଷ୍ଟା କରୁଛି ବୋଲି ଲେଖିଛି। ଏଇ ଖବରଟି ଅସଲରେ ହେଉଛି ଗୋଟିଏ ଏପ୍ରିଲ୍ ଫୁଲର ମଜାକଥା। ଏହି ପରି ହିଁ ତାହାର ଆରମ୍ଭ । ପେପା ସହିତ ଟିକିଏ ମଜା କରିବାପାଇଁ ମୁଁ ଏଇଟିକୁ ତମମାନଙ୍କ ପାଖକୁ ପଠାଇଥିଲି। ହେଲେ ତମେ ସମସ୍ତେ ଯେମିତି ଏହାପଛରେ ପଡିଯାଇଛ ଲାଗୁଛି ମୁଁ ଯେମିତି ଏଇଠି ହିଁ ଏକମାତ୍ର ଏପ୍ରିଲ୍ ଫୁଲ।

ଆମର ସମସ୍ତ ସୁଖବୋଧରେ ମଜାକଥାମାନ ରହିଥାଏ ,ରହିଥିବ । ମାତ୍ର ଯେଉଁଠି ଅସୁଖର ଉପସ୍ଥିତି ସ୍ପଷ୍ଟ ସେଇଠି ମଜାକଥାଟି ଅତ୍ୟନ୍ତ ବେସମାନ, ବିକଳ ଭାବରେ କରୁଣ। ନୁହଁ ?

Leave A Reply

Your email address will not be published.