Latest Odisha News

BREAKING NEWS

ଦୁଗ୍ଧ : ଏକ ବିକଳ୍ପର ଜନ୍ମକଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭

BjdElectrycity

ସ୍ମରଣରେ ଥାଉ ଏଇ ବ୍ରିଟିଶ ନାଆଁଟି । ଥୋମାସ୍ ସିପ୍ ଗ୍ରିମୱାଦେ ।

ଯେଉଁ ଘଟଣାକୁ ଉଲ୍ଲେଖ କରିବା ଆମର ଉଦ୍ଦେଶ୍ୟ ତାହାର ପ୍ରାୟ ଦଶ ବର୍ଷ ପରେ ଲଣ୍ଡନର ଏକ ସମାଚାର ପତ୍ର”ଲିଭିଙ୍ଗ ଏଜ୍” ତାହାର ୧୪ ଫେବ୍ରୁଆରୀ,୧୮୫୭ ସଂଖ୍ୟାରେ ଗୋଟିଏ ଖବର ବିସ୍ତାରରେ ଛାପିଥିଲେ। ଭାରତରେ ସେତେବେଳକୁ ପ୍ରସିଦ୍ଧ ସିପାହୀ ବିଦ୍ରୋହର ଦାନା ବାନ୍ଧୁଥାଏ। ମାତ୍ର ସମ୍ପୃକ୍ତ ସମ୍ବାଦପତ୍ରର ସମ୍ବାଦ କିନ୍ତୁ ଏହି ସମ୍ଭାବ୍ୟ ସିପାହୀ ବିଦ୍ରୋହ ବିଷୟରେ ନଥିଲା । ସେଇଠି ଯେଉଁ ମ୍ବାଦ ର କଥା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଭିନ୍ନ।

ସେ ଦିନର ବ୍ରିଟିଶ ସମ୍ବାଦ ପତ୍ର “ଲିଭିଙ୍ଗ ଏଜ୍” ଲେଖିଥିଲା :

“ଗୋଟିଏ ଗାଈ ଯାହା କୌଣସି ଖାଦ୍ୟ ଖାଏ ନାହିଁ,ଯାହାର କ୍ଷୀର ଅସରନ୍ତି ଝରିଚାଲିଥାଏ,ନିଶ୍ଚିତ ଭାବରେ ନାବିକ, ପର୍ଯ୍ୟଟକ, ସୈନିକ ଏବଂ ଲଣ୍ଡନବାସୀଙ୍କ ନିମନ୍ତେ ଅତ୍ୟନ୍ତ ଉପଯୋଗୀ ହୋଇ ପାରିବ । ଏହି ଭଳି ଗୋଟିଏ ଗାଈ ଉଲ୍ଲେଖ କରାଯାଇଥିବା ସମସ୍ତ ବର୍ଗର ବିଶେଷ ସୁବିଧା ନିମନ୍ତେ ବିଶେଷ ରୂପରେ ସ୍ଥାନୀୟ ପ୍ରକ୍ରିୟାରେ ଆମର ହାତ ପାହାନ୍ତାରେ ଉପଲବ୍ଧ ଅଛି । ଆମ ସାମ୍ନାରେ ଗୋଟିଏ ବୋତଲରେ ଶୁଖିଲା ଦୁଗ୍ଧ ରହିଛି -ଗୁଣ୍ଡ ଦୁଗ୍ଧ,ଯାହା ସବୁ ପ୍ରକାର ଜଳବାୟୁ ପାଇଁ ସବୁବେଳେ ଅନୁକୂଳ ରହିଥିବ । ଆମେ ଏଥିରୁ ଗୋଟିଏ ଚାମୁଚ ନେବା,ଗୋଟିଏ ଚା’ ଚାମୁଚ ରେ ଚାମୁଚେ ଗରମପାଣିରେ (କପ୍ ରେ ପୂରା ଗରମପାଣି ଥିଲେ ବି ଚଳିବ !) ତାହାକୁ ବେଶ୍ ଭଲଭାବରେ ମିଶାଇଦେବା ; ଆଉ ଆଶ୍ଚର୍ଯ୍ୟର କଥା ଦେଖିବା,ସେଇଠି ଗୋଟିଏ କପ୍ ନୂଆ ଦୁଗ୍ଧ , ମିଠା ଆଉ ବେଶ୍ ଲହୁଣୀଯୁକ୍ତ ,ଏହା ଯେମିତି କୌଣସି ଗାଈଠାରୁ ଏଇଲେ ସଦ୍ୟ ଦୁହାଁ ହୋଇ ଆସିଛି, ଠିକ୍ ସେହିଭଳି ଦୁଗ୍ଧ, ଟିକିଏ ଫରକ ନାହିଁ । ଆମେ ଜାଣିଛୁ ଯେ,ମିଃ ସୋୟେର୍ ,ମିସ୍ ନାଇଟିଙ୍ଗେଲ୍ ଏବଂ ସୈନ୍ୟ- ଚିକିତ୍ସା ବିଭାଗର ଡାଇରେକ୍ଟର ଜେନେରାଲ୍ଡାଃ ଏ ସ୍ମିଥ୍ ଏହି ପ୍ରକାର ଉଦ୍ଭାବନକୁ ନିଜର ବ୍ୟକ୍ତିଗତ ବ୍ୟବହାରରୁ ଏବଂ ଯୁଦ୍ଧ ସମୟରେ ଏହାର ପ୍ରାୟୋଗିକ ସଫଳତା କାରଣରୁ ସମର୍ଥନ କରିଅଛନ୍ତି । ବ୍ୟାପକ ସ୍ତରରେ ଏହାର ଉତ୍ପାଦନ ପାଇଁ ଏକ କଂପାନୀ ଗଠିତ ହୋଇଅଛି ଏବଂ ବ୍ୟକ୍ତିଗତ ବ୍ୟବହାରରୁ ଆମେ ଏହି କଂପାନୀର ସଫଳତା ନିମନ୍ତେ ନିଶ୍ଚିତ ।”

ବ୍ରିଟିଶ ସମ୍ବାଦପତ୍ର “ଲିଭିଙ୍ଗ ଏଜ୍” ରେ ଏହି ସମ୍ବାଦଟି ୧୪ ଫେବ୍ରୁଆରୀ ୧୮୫୭ ରେ ବାହାରିଥିଲା । ଅମୁକ ଦିନ ଏମିତି ସଂବାଦଟିଏ ବାହାରି ଥିଲା ବୋଲି ଆଉ ଥରେ କହିବାର ଉଦ୍ଦେଶ୍ୟ ହେଉଛି,ଗୁଣ୍ଡ ଦୁଗ୍ଧ ତିଆରି ପାଇଁ କାରଖାନା ବସିବାର ଯେଉଁ ଆୟୋଜନର ସମ୍ବାଦଟି ଏଥିରେ ପ୍ରକାଶିତ ତାହାର ଅନ୍ତତଃ ଦଶ ବର୍ଷ ଆଗରୁ ଗୁଣ୍ଡଦୁଗ୍ଧ ଉଦ୍ଭାବନ ହୋଇସାରିଥିଲା । ଗୁଣ୍ଡ ଦୁଗ୍ଧ ର ବାଣିଜ୍ୟିକ ସଫଳତା ରହିଛି ଏଇ କଥାକୁ ବିଚାରକୁ ନେବାପାଇଁ ଅନ୍ତତଃ ଦଶ ବର୍ଷର ସମୟ ଲାଗିଗଲା,ତାହା ହେଉଛି ଆମର କହିବା କଥା । ଗୋଟିଏ ପଦାର୍ଥର ସହିତ ଆମେ ସ୍ୱାଭାବିକ ରହିଥିବା ବେଳେ ତାହାର ଏକ ବିକଳ୍ପକୁ ସେମିତି ସ୍ୱାଭାବିକ ବ୍ୟବହାରର ପରିସରକୁ ଆଣିବା ସମୟରେ ଆମର ଗୋଷ୍ଠୀଗତ ସାମାଜିକ ସାଂସ୍କୃତିକ ତଥା ଅନ୍ୟାନ୍ୟ ଚଳଣୀଗତ ସମସ୍ୟା ବାଧକ ସାଜିଥାଏ । ସେହି ସବୁ ବାଧକକୁ ଏଡାଇ ଗୁଣ୍ଡଦୁଗ୍ଧ ଗ୍ରହଣ ଯୋଗ୍ୟତା ଅର୍ଜନ କରିବା ପାଇଁ ଦଶ ବର୍ଷ ଲାଗିଛି ।

ଥୋମାସ୍ ସିପ୍ ଗ୍ରିମୱାଦେ ଗୁଣ୍ଡ ଦୁଗ୍ଧ ପ୍ରସ୍ତୁତିର ପ୍ରକ୍ରୀୟାକୁ ଉଦ୍ଭାବନ କରିଥିଲେ। ତାଙ୍କର ଅନୁସୃତ ପଦ୍ଧତି ଅନୁସାରେ ଦୁଗ୍ଧ କୁ ଅନେକ କାଳ ସଂରକ୍ଷିତ କରି ରଖିବାକୁ ହେଲେ ଏଥିରେ ଆଗ ବିଶୁଦ୍ଧ ଜଳ ମିଶାଯିବ । ତାହାପରେ ଏହି ମିଶ୍ରଣରେ ଗନ୍ଧକ ବା ସଲଟପିଟର୍ ମିଶାଯିବ ଏବଂ ଦୁଗ୍ଧ ର ଏହି ନୂତନ ମିଶ୍ରଣକୁ ବାୟୁ ନିରୋଧକ ପାତ୍ରରେ ରଖି ସେଥିରେ ଉତ୍ତାପ ପ୍ରୟୋଗ କରାଯିବ । ଏହା ଫଳରେ ଦୁଗ୍ଧର ସେହି ମିଶ୍ରଣରୁ ସମସ୍ତ ଜଳୀୟ ଅଂଶ ନିଷ୍କାସିତ ହୋଇଯିବ । ତାହାପରେ ସେହି ଗୁଣ୍ଡ ଦୁଗ୍ଧକୁ ବାୟୁ-ନିରୋଧକ ବୋତଲ ରେ ରଖାଯିବ । ଏହିଭଳି ପଦ୍ଧତିରେ ଥୋମାସ୍ ସିପ୍ ଗ୍ରୀମୱାଦେ ଗୁଣ୍ଡ ଦୁଗ୍ଧ ପ୍ରସ୍ତୁତ କରିଥିଲେ । ଏବଂ ସେ ଏହି ପଦ୍ଧତିର ସ୍ୱୀକୃତ-ଅଧିକାର ବା ପାଟେଣ୍ଟ କୁ ଲାଭ କରିଥିଲେ । ଗୁଣ୍ଡ ଦୁଗ୍ଧ ର ସେହି ପାଟେଣ୍ଟର କ୍ରମିକ ସଂଖ୍ୟା ହେଉଛି ୧୧,୭୦୩ ଏବଂ ଗ୍ରୀମୱାଦେଙ୍କ ଗୁଣ୍ଡଦୁଗ୍ଧ ପ୍ରସ୍ତୁତିର ପାଟେଣ୍ଟ ଲାଭର ତାରିଖ ହେଉଛି ୪ ମେ ୧୮୪୭ ।

Leave A Reply

Your email address will not be published.