Latest Odisha News

BREAKING NEWS

ଭାଷା ଭାଗବତ : ପ୍ରତୀକ୍ଷାରତ ବହି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ସାମ୍ନାରେ ବିଶାଳ ସମୁଦ୍ର
ପଛରେ ବିକ୍ଷିପ୍ତ ସଂସାର
ସଂସାର ଆଡ଼େ ପିଠି କରି
ପାରିବା ସାଗର ସଂତରି

ମନାକାଶରେ ମେଘମାଳା
କରଂତି ଯେଉଁ ଲୀଳା ଖେଳା
ତହିଁର ସ୍ପଷ୍ଟ ଶବ୍ଦାୟନ
କରିପାରେନି କବି ମନ

ବିବିଧ ଦୃଶ୍ୟ, ଧ୍ବନି, ଭାବ
ମନରେ ପକାଂତି ପ୍ରଭାବ
ସେ ସବୁ କଲେ ଲିପିବଦ୍ଧ
ପଡ଼େନି ଭାଷାକୁ ବିପଦ

ଅତି କଳ୍ପନାଶୀଳ ହୋଇ
ଯେ ଲେଖିରଖେ ଯାହି ତାହି
ସେ ସବୁ ଲେଖାର ତାତ୍ପର୍ଯ
ହୁଏନି କଦାପି ସ୍ବୀକାର୍ଯ

ପ୍ରତ୍ୟକ୍ଷ ବାସ୍ତବତା ପ୍ରତି
ବଢ଼ାଇ ମନର ଆସକ୍ତି
ଲେଖିଚାଲିଲେ ସ୍ବାନୁଭୂତି
ସଂଭବ ଅଭିନବ କୃତି

ଅତୀତ ସହ ହେଲେ ଯୁକ୍ତ
ଲେଖକେ ହୁଅଂତିନି ମୁକ୍ତ
ପ୍ରାଚୀନ ଗ୍ରଂଥାବଳି ଦେଖି
ସେହି କଥା ଦିଅଂତି ଲେଖି

ଏପରି ସହଜିଆ କାମ
କରିଲେ ମିଳେନି ବିଶ୍ରାମ
ଏପରି ଯାଂତ୍ରିକ ଲିଖନ
ଯୋଗୁଁ ହାତକୁ ଆସେ ଧନ

କେବଳ ଧନାର୍ଜନ ପାଇଁ
ଯିଏ ବି ଲେଖକ ହୁଅଇ
ତାହାର ଲେଖା ଭାବହୀନ
ହୋଇ ପୃଷ୍ଠାରେ ପାଏ ସ୍ଥାନ

ଏପରି ଅଗଣିତ ବହି
ଗ୍ରଂଥାଗାରରେ ପଡ଼ି ରହି
କରଂତି ପାଠକ ପ୍ରତୀକ୍ଷା
କେବେ ମିଳେନି ତାଂକ ଦେଖା

Leave A Reply

Your email address will not be published.