ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ମୁଁ ଜଣେ ଶବ୍ଦ ସଂକଳକ
ନୁହେଁ ସାହିତ୍ୟ ସଂଚାଳକ
ହୋଇନି ଚେତନା ପାଳକ
ଉତ୍ତୁଂଗ ଭାବ ପ୍ରକ୍ଷାଳକ
ମଣିଷ ଯେଉଁ ଭାଷା କହି
ସମାଜରେ ଥାଆଂତି ରହି
ସେ ଭାଷା ଶୁଣି, ବୁଝି, ଜାଣେ
ତାହାକୁ ହିଁ ବାସ୍ତବ ମଣେ
ସେ ଜ୍ଞାନ ହେଲେ ବି ଅତ୍ୟଳ୍ପ
ପାଇନି ତହିଁର ବିକଳ୍ପ
ପୂର୍ବଲିଖିତ ବ୍ୟାକରଣ
କରିପାରିନି ଅଧ୍ୟୟନ
ଏହି ଭାଷାର ଇତିହାସ
ମୋ ପାଇଁ ଅବୋଧ୍ୟ ରହସ୍ୟ
ଚଳିତ ସମୟର ଭାଷା
ଅଟେ ମୋ ଆସ୍ଥା ଓ ଭରସା
ଭାଷାଂଶ ଶୁଣେ ପ୍ରତି ଦିନ
ବୁଝେଁ ଯେତିକି ପ୍ରୟୋଜନ
କରୁନି ସ୍ବସୀମା ଲଂଘନ
ବର୍ତମାନକୁ ଦିଏଁ ଧ୍ୟାନ
ଯେଉଁ କାଳ ହୋଇଛି ଶେଷ
ସେଠି ମୁଁ କରେଁନାହିଁ ବାସ
ଅକାରଣ ଦୁଃଖୀ ବା ସୁଖୀ
ହେବି ମୁଁ ଅଯଥା କାହିଁକି ?
ଯାହା ସହିତ ମୋ ସଂପୃକ୍ତି
ନାହିଁ, ସେ ପ୍ରସଂଗରେ ଯୁକ୍ତି
କରିବି ତୁଛେଇଁ କିପାଇଁ
ମୁଁ ମୋଟେ ବୁଝି ପାରେଁନାହିଁ
ତେଣୁ ହୋଇ ମୁଁ ନିରପେକ୍ଷ
କରିଚାଲେଁ ମୋ କାମ ତକ
ତା ଯୋଗୁଁ ହେଲେ କାହା ହିତ
ମୁଁ ହୋଇଥାଏଁ ଆନଂଦିତ
ସତ୍ୟ-ନିହିତ ମୁଖ୍ୟ ଗୁଣ
କରଇ ନିଜକୁ ପ୍ରମାଣ
ସ୍ମୃତି-ଆଶ୍ରିତ କୀର୍ତି ଗାନ
ଆଡ଼କୁ ଯାଏନି ମୋ ମନ
ତେଣୁ ମୁଁ ଗୁଣୁଗୁଣୁ ଗାଇ
ପାରୁଛିଁ ଉଲ୍ଲସିତ ହୋଇ
ଜଣେ ବି ନ ମିଳିଲେ ଶ୍ରୋତା
ମୁଁ ଲାଗେଁ ନିଜ ସହ କଥା