ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସଂସ୍କୃତୋଡ଼ିଆ ମିଶ୍ରଭାଷା
ଯୋଗୁଁ ହୋଇଛି ଯେଉଁ ଦଶା
ଚଂଚଳ ତା’ର ନିବାରଣ
କରିଲେ ଏବେ କବିଗଣ
ଓଡ଼ିଆ ନିଜ ରୂପ ଧରି
ହେବ ଅଧିକ ହିତକାରୀ
ଅଳ୍ପଶିକ୍ଷିତ ଆମ ଲୋକ
ମାରିପାରିବେ ଜ୍ଞାନଭୋକ
ପଦ୍ୟ, ଅପଦ୍ୟ ଦୁଇ ଧାରା
ଆମ ଭାଷାର ପରଂପରା
ପଦ୍ୟ ହିଁ ଅଟଇ ପ୍ରାଚୀନ
ଅପଦ୍ୟ ନୂଆ ପ୍ରଚଳନ
ଅପଦ୍ୟ ଗଦ୍ୟ ନାମେ ଖ୍ୟାତ
ହୋଇ ବହୁଳ ବ୍ୟବହୃତ
ତଥ୍ୟ, ସୂଚନା ସହ ଜ୍ଞାନ
କରିପାରିବ ବିତରଣ
ମିଳୁଛି ଯେତେ ମତାମତ
କରୁଛି ମୋତେ ଉତ୍ସାହିତ
ସାହିତ୍ୟ ସହିତ ଜଡ଼ିତ
ହୋଇ କରୁଛିଁ ଭାଷା ହିତ
ଏକାକୀ ରହି ଘର କୋଣେ
ନିଜକୁ ଭାଗ୍ୟବାନ୍ ମଣେ
ଅଯଥା ଗୋଷ୍ଠୀରେ ସଂପୃକ୍ତି
ଆଡ଼କୁ ବଳୁନାହିଁ ମତି
ମୋ ଚିତ୍ତ ହେଲେ ଆଂଦୋଳିତ
ଗପି ମୁଁ ନିଜର ସହିତ
ସଂଭାଳି ପାରେଁ ସଂତୁଳନ
ମୋ ମନ ହୁଏନି ବିଷଣ୍ଣ
କୃତିରୁ ମିଳେ ଯେଉଁ ତୃପ୍ତି
ତାହା ମୋ ମନର ସଂପତ୍ତି
କି ହେବ ଯଶ ଆଉ ଖ୍ୟାତି?
ସ୍ବଭାଷା ନ କଲେ ଉନ୍ନତି
ମୁଁ ତ ସାମାନ୍ୟ ଜଣେ ବ୍ୟକ୍ତି
ଲେଖିରଖୁଛିଁ ଯଥାଶକ୍ତି
ଯାହା ନିଜସ୍ବ ଅନୁଭୂତି
ତାହା ଆଚ୍ଛନ୍ନ କରେ ମତି
ସଭାରେ ମୋର ଉପସ୍ଥିତି
ଯୋଗୁଁ ଭାଷାର ପରିସ୍ଥିତି
ବଦଳିଯିବା ସଂଭାବନା
ମୋତେ ତ କେବେ ବି ଦିଶେନା
କାନରେ ଶୁଣୁଥିବା ଭାଷା
ବାସ୍ତବ, ସରଳ, ସରସା
ମୋର ମନରେ ବାଂଧି ବସା
ଘଟାଂତି ଚିତ୍ତର ସୁଦଶା
ପରୋକ୍ଷ କାର୍ଯ ବେଶି ହେଲେ
ପ୍ରତ୍ୟକ୍ଷ ଅନୁଭବ ଟଳେ
ବାସ୍ତବ ସତ୍ୟକୁ ସ୍ବୀକାର
କରିବା ହୁଅଇ ଦୁଷ୍କର
କଳ୍ପଲୋକରେ କରି ବାସ
ଲୋକଂକୁ ମିଳିଲେ ଉଲ୍ଲାସ
ଉଭେଇଯାଏ ସତ୍ସାହସ
ମଣିଷ ବନିଯାଏ ଦାସ