Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : କୈବଲ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ଅବସ୍ଥିତ ରୋଷଶାଳ ବିଷୟରେ ଆଲୋଚନା ଜାରି ରହିଛି। ଦୈନିକ ରାଜ ଭୋଗ ବା କୋଠ ଭୋଗ ପ୍ରସ୍ତୁତ ହେବା ସହ ଭୋଗ ମଣ୍ଡପରେ ସମର୍ପିତ ହେଉଥିବା ବରାଦି ତଥା ବିକ୍ରୟ ପାଇଁ ଆବଶ୍ୟକ ଭୋଗ ଏହିଠାରେ ପ୍ରସ୍ତୁତ ହୋଇଥାଏ। ଆଗରୁ ଆଲୋଚନା କରିଛେ ଅନେକ ସେବକ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ଯଥା ମହାସୁଆର, ପିଠାସୁଆର, ଅମାଲୁ ସୁଆର, ଥାଳି ସୁଆର, ଗନ୍ଧଣ ନିକାପ, ରୋଷ ପାଇକ, ପନ୍ତିବଡୁ ଇତ୍ୟାଦି ବିଭିନ୍ନ ବର୍ଗର ସେବକ ବିଭିନ୍ନ ପ୍ରକାର ଅନ୍ନ, ଖେଚୁଡ଼ି କାନିକା, ମିଠା ଡାଲି, ଡାଲେମା, ମହୁର, ବେସର, ଶାଗ, ଭଜା, କାଞ୍ଜି, ଓରିଆ, କଡମ୍ବା, କଦଳୀ ବଡା, ଖିରି, ପିଠା ଇତ୍ୟାଦି ପ୍ରାୟ ୬୦ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ଏଠାରେ ଏକ ବିଶେଷ କଥା ପ୍ରତ୍ୟେକ ଭକ୍ତ ଜାଣିବା ଜରୁରୀ, ଆମେ କେବଳ ଅନ୍ନ ବିଷୟରେ ଆଲୋଚନା କରିବା। ଶ୍ରୀମନ୍ଦିର ରୋଷଶାଳରେ ଥିବା ପର୍ଯ୍ୟନ୍ତ ଏହା (ଅରୁଆ ଚାଉଳ )ଅମୂଣିଆ କୁହାଯାଏ। ପାକ ହେଲେ ହୁଏ ଅନ୍ନ। ଏହି ଅନ୍ନଙ୍କୁ ସୁପକାରମାନେ ଯେଉଁ ଭାରରେ ଆଣନ୍ତି, ସେତେବେଳେ ତାକୁ ଛେକ କୁହାଯାଏ ଓ ଏହା ଭୋଗ ଭାବରେ ପରିଗଣିତ ହୁଏ। ମହାପ୍ରଭୁଙ୍କ ସାମ୍ନାରେ ଠାଆ ମୁରୁଜ ପଡି ବଢ଼ା ହେଲେ ହୁଏ ନୈବେଦ୍ୟ, ତାପରେ ଷଡ଼ଙ୍ଗ ସଂସ୍କାରରେ ଅର୍ପିତ ହୋଇସାରିଲେ ହୁଏ ମହାପ୍ରସାଦ। ଏହି ମହାପ୍ରସାଦ ମା ବିମଳାଙ୍କୁ ଅର୍ପିତ ହେଲେ ହୁଏ କୈବଲ୍ୟ ଏହା ହିଁ ଆନନ୍ଦ ବଜାରରେ ବିକ୍ରୟ କାରାଯାଏ। ତେଣୁ ଅନେକ ସ୍ରଷ୍ଟା ଏହାକୁ କୈବଲ୍ୟ ପସରା ବୋଲି କହିଥାନ୍ତି। ଏହି କୈବଲ୍ୟ ସୂର୍ଯ୍ୟ ରଶ୍ମି ପ୍ରଭାବରେ ଶୁଷ୍କ ହୋଇଗଲେ ପାଲଟେ ନିର୍ମାଲ୍ୟ। ଏହି ନିର୍ମାଲ୍ୟ ପ୍ରାପ୍ତିରେ ମଧ୍ଯ ମନରେ ଆସେ ପ୍ରସନ୍ନତା ଓ ପ୍ରାପ୍ତ ହୁଏ ଅନ୍ନବ୍ରହ୍ମଙ୍କ ସାନିଧ୍ୟ। ଶାସ୍ତ୍ର ତେଣୁ କହିଛି

“ଅତି ଦୁର୍ଲଭ କୈବଲ୍ୟ
ପରମ ପଦ ।
ବେଦ ପୁରାଣ ନିଗମ
ଆଗମ ବଦ ।”

ସମସ୍ତ ଦୋଷଠାରୁ ଉର୍ଦ୍ଧ୍ୱରେ ଥିବା ଏହି କୈବଲ୍ୟ ଟିକିଏ ପାଇଁ ମା ବିମଳା ସର୍ବଦା ଉତ୍କଣ୍ଠିତ ରହୁଥିବାରୁ ତାଙ୍କୁ ଶ୍ରଦ୍ଧାରେ ଭକ୍ତମାନେ କହନ୍ତି କୈବଲ୍ୟ ଲୋଲୁପିନି ବୋଲି। ଆସନ୍ତୁ ସେହି କୈବଲ୍ୟଙ୍କୁ ଚିନ୍ତା କରି କରିବା ଆରାଧନା ଓ ପଢିବା ଭାଗବତ।

ଯା ଗୃହେ ଗତେଣ ଅତିଥି
ସୁଖେ ଚରଣ ନ ଧୁଅନ୍ତି ।
ତାର ଜୀବନ ଅକାରଣ
ବ୍ୟର୍ଥ ଆୟୁଷ ଯଶ ଗୁଣ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.