Latest Odisha News

ସାହିତ୍ୟ ଆତ୍ମାନୁଭବର ଉଚ୍ଚାରଣ : ପଦ୍ମଜା ଶରଣ

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରତିଷ୍ଠିତ ପ୍ରତିଭା ପଦ୍ମଜା ଶରଣ। ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଚ୍ଛକ ପ୍ରତିବିମ୍ବ, ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ।

ଦେହ ଦେହାନ୍ତର, କାଶତଣ୍ଡି ଫୁଲ, ଦିନଲିପି , କସ୍ତୁରୀକ୍ଷତ, ଅସରନ୍ତି ଅସ୍ତରାଗ, ଇନ୍ଦ୍ରଧନୁର ଛାଇ, ମୂର୍ଛିତ ମୃଗୟା ସହ ଆହୁରି ଅନେକ ପୁସ୍ତକର ସେ ସ୍ରଷ୍ଟା। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଅନେକ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଓ ସମ୍ବର୍ଦ୍ଧିତା।

ଲେଖିକା ପଦ୍ମଜା ଶରଣଙ୍କ ସହ ଆମ ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

ସାହିତ୍ୟ ଓ ଜୀବନ କିପରି ଭାବରେ ପରସ୍ପର ସହ ଜଡ଼ିତ ?

ଜୀବନ ସାହିତ୍ୟର ଛାଞ୍ଚ ଆଉ ସାହିତ୍ୟ ଜୀବନର ସୁକ୍ଷ୍ମ କଳାକୃତି। ଏଇ ଆଖି ତଳେ ଆଉ ଗୋଟେ ଆଖିର ପଲକ। ଯାହା ଦୃଶ୍ୟ ବୋଧର ପ୍ରଚ୍ଛଦକୁ ଦେଖିବାର ସାମର୍ଥ୍ୟ ରଖେ। ମଧୁର ସ୍ଵରରେ କହେ ଜୀବନ କେବଳ ଏତିକି ନୁହେଁ, ଆହୁରି ଅନେକ କିଛି ।

ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?

ସୃଜନର ପ୍ରଥମ ପୁଲକ ଏବେ ବି ଅନୁଭୂତ ହୁଏ। ଚିତ୍ର ପରି ଦିଶିଯାଏ ସେ ଧାଡ଼ି ସବୁ। ଆମ ପରିବାର କବି ଏବଂ କଳାକାର ପରିବାର। ବାପା, ଜେଜେ, ଜେଜେଙ୍କ ବାପା ଏମାନେ ଏକାଧାରରେ ଥିଲେ ଜଣେ ପାଲା ଗାୟକ ଏବଂ କବି। ଘରେ ସବୁଦିନେ କାବ୍ୟ କବିତା, ବେଦ ଉପନିଷଦ, ପୁରାଣ ଶାସ୍ତ୍ରର ଆଲୋଚନା ହୁଏ। ମୁଁ ପଢୁଥାଏ ସପ୍ତମ ଶ୍ରେଣୀରେ। ସ୍କୁଲ ମାଗାଜିନ୍ ପାଇଁ ସାର୍ ଲେଖା ଦେବାକୁ ସାର୍ କହିଲେ। ମତେ ଟିକେ ପରିବାରର ପରମ୍ପରା ଦ୍ଵାହି ଦିଆଗଲା। ସେଇ ରାଣରେ ମୁଁ ହଁ ସିନା ମାରିଦେଲି, ହେଲେ କବିତା ଆସିଲାନି। ଭାବିଲି ନାନୀକୁ କହିବି ଲେଖିଦେବ (ମୋ ନାନୀ କାଞ୍ଚନବାଳା ଶତପଥୀ), ବହୁତ ଭଲ କବିତା ଲେଖନ୍ତି। କହିଲି ଲେଖିଦିଅ ମୋ ନାଁରେ ଦେଇଦେବି। ମନା କଲେ ନାନୀ। କହିଲେ ନିଜେ ଲେଖ୍। ମୁଁ କହିଲି କ’ଣ ଲେଖିବି ? କହିଲେ ସାବିକୁ ନେଇ ଲେଖ୍। କିଛି ମୋ ମୁଣ୍ଡରେ ପଶିଲାନି। କ’ଣ କରିବି କ’ଣ କରିବି ହେଉଥାଏ।ଇଜ୍ଜତର କଥା। ଏମିତି ଅସ୍ଥିରତା ଭିତରେ ଥାଏ, ସନ୍ଧ୍ୟାରେ ପଢିବି ବୋଲି ପଢା ବ୍ୟାଗରୁ କଲମ ବାହାର କରିବାକୁ ଟିକେ ଝାଡି ଦେଲି।କଲମ୍ ସହ ଗୋଟେ ଟିକି ପଇସା ଗଳି ପଡିଲା। ଗୋଟେ ସେକେଣ୍ଡରେ ମୋ ଭିତରେ ଲେଖି ହୋଇଗଲା କବିତାଟିଏ। କବିତାର ଶିର୍ଷକ ଥିଲା

” କୁନି ପଇସାର କୁନି କଥା ”

କବିତା ଏପରି ଥିଲା

କୁନି ପଇସାଟି କୁନିମୁହଁ କାଢି
କହିଯାଏ କେତେ କଥ
ମୁଁ ବି ଏତେ ଛୋଟ ହେଲେ ମଧ୍ୟ ମୋର
ମନରେ ନଥାଏ ବ୍ୟଥା …..

ସ୍ମରଣୀକା ଯେତେବେଳେ ଛପା ହୋଇ ଆସିଲା ଆଗେ ସୂଚିପତ୍ରକୁ ତନ୍ନ ତନ୍ନ କରି ଖୋଜି ପାଇଗଲି। ଛାପା ଅକ୍ଷରର ସେ ଖୁସି ଉଲ୍ଲାସ ଏବେବି ଭୋଗେ ମୁଁ। ମୋ ରକ୍ତରେ କବିତାର ସ୍ପନ୍ଦନ ଅଛି ଏବଂ ମୁଁ ମୋ ପରମ୍ପରାର ସାଂସ୍କୃତିକ ଉତ୍ତର ଦାୟାଦ ଏମିତି ଗୋଟେ ଆତ୍ମସନ୍ତୋଷ ମୋ କୈଶୋର ଦିନମାନଙ୍କୁ ପ୍ରଭାବିତ କରିଥିଲା। ଆଜି ବି ସାହିତ୍ୟ ଜୀବନର ସେଇ ପ୍ରଭାବରେ ପ୍ରଭାବିତ।

ଓଡ଼ିଆ ଭାଷା ସାହିତ୍ୟରେ ଲେଖିକାମାନଙ୍କ ପ୍ରଭାବ କିପରି ?

ଅପ୍ରତିହତ। ନହେଲେ ଆଜି ଶହ ଶହ ମାଧବୀ ଦାସୀ, କୁନ୍ତଳା କୁମାରୀ, ବସନ୍ତ କୁମାରୀ, ପ୍ରତିଭା ରାୟ ଜନ୍ମ ନେଇ ନଥାନ୍ତେ। ପାଠକୀୟ ଆଦୃତି, ସମ୍ମାନ ସମ୍ବର୍ଦ୍ଧନା, ପାଠ୍ୟପୁସ୍ତକରେ ଲେଖା ସ୍ଥାନୀତ ହେବା, ଆଲୋଚିତ ହେବା, ଲେଖିକାମାନଙ୍କର ପ୍ରଭାବ ନଥିଲେ ହୁଅନ୍ତା କି ବରଂ ସାହିତ୍ୟର ଏଇ ସମୟ ଖଣ୍ଡ ଲେଖିକାମାନଙ୍କ ଦ୍ଵାରା ଖୁବ୍ ବେଶି ପ୍ରଭାବିତ ବୋଲି ମୋର ଅନୁଭବ।

ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?

ସମ୍ମାନ ଓ ସ୍ୱୀକୃତି ସାରସ୍ଵତ ଜୀବନର ପ୍ରେରଣା ନିଶ୍ଚୟ । ନିଜର ସୃଜନ ପ୍ରତି ଆସ୍ଥା ବଢାଏ। ତେବେ କେହି ପାଠକ ଫୋନ କରି କି ମେସେଜ୍ ଦେଇ ପାଠକୀୟ ଶ୍ରଦ୍ଧା ଜଣାଇଲେ କିଛି କମ୍ ପ୍ରେରଣା ମିଳେନା। ଏହା ଦ୍ଵାରା ଦାୟିତ୍ଵ ବୋଧ ବଢେ ନିଶ୍ଚିତ। ସେ ଦାୟିତ୍ଵଟି ହେଉଛି ଯେଉଁ ସ୍ତରରେ କି ସମ୍ମାନ କି ଶ୍ରଦ୍ଧା ମିଳିଛି, ସେଇ ସ୍ତରଠୁ ତଳକୁ ଖସି ନଆସିବାର ଦାୟିତ୍ଵ। ଏବଂ ଆହୁରି ଆତ୍ମସମୀକ୍ଷା କରିବାର ସମୟ ଯେ ଯାହା ମତେ ମିଳୁଛି ସେଥିପାଇଁ ସତରେ ମୁଁ କେତେ ଯୋଗ୍ୟ।

ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?

ନା, ଦେଇ ପାରିନି। ସବୁ ସୃଷ୍ଟିକୁ ସଙ୍କଳନ କଲାବେଳେ ମୁଁ ଆଉ ଥରେ ଥରେ ପଢ଼େ ଏବଂ ଗଭିର ଅସନ୍ତୋଷ ମତେ ଆବୁରି ବସେ। କୌଣସି କବିତା ମନକୁ ଯାଏନା। ସେଇ ଅସନ୍ତୋଷ ହିଁ ମୋ ସୃଜନକୁ ଗତି ଦିଏ, ଲେଖା ଜାରି ରହେ। ଇପ୍ସିତ ସୃଷ୍ଟି ପୁଣି ହାତ ଠାରି ଡାକେ, ଆ…. ମୁଁ ଆଗରେ ଅଛି ହୁଏତ ମୁଁ ସରିଯିବି ସେ ଧରା ଦେବନି। ସବୁବେଳେ ବେଶ ବଦଳାଉ ଥିବା ହରରଙ୍ଗୀ ଚଢ଼େଇଟେ ସେ। ଧରା ନଦେଇ ଫୁର୍ କିନା ଉଡିଯାଏ।

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?

ସାମାଜିକ ଗଣ ମାଧ୍ୟମ ସାମ୍ପ୍ରତିକ ସମୟରେ ସମ୍ପର୍କିତ ହେବାର, ସଂଯୋଗର ସବୁଠୁ ଲୋକପ୍ରିୟ ଓ ସହଜ ମାଧ୍ୟମ। ସବୁ ଦୂରତାକୁ ଫାଙ୍କି ଗୋଟେ ମୁହୂର୍ତ୍ତରେ ସମଗ୍ର ବିଶ୍ଵକୁ ଯୋଡ଼ି ଦେବାର ଏଇ ମାଧ୍ୟମ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ବେଶ୍ ଉଲ୍ଲେଖ ଯୋଗ୍ୟ। ବଟନ୍ ଉପରେ ଚାପ ଦେଲେ ନିଜ ସାହିତ୍ୟଠୁ ବିଶ୍ଵ ସାହିତ୍ୟ ଯାଏ, ପଢିବା ହେଉ କି ପଢାଇବା, ଆଲୋଚନା ହେଉ କି ସମାଲୋଚନା, ସମୀକ୍ଷା ହେଉକି ତୁଳନା, ସବୁ ପାଇଁ ସୁଯୋଗ ରହିଛି ଏବଂ ହେଉଛି ମଧ୍ୟ। ମୋ ନିଜ କଥାରୁ ମୁଁ ଅନୁଭବ କରୁଛି ।

ସବୁ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ, କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ନିଜେ , ଥରେ ଲେଖି ସାରିଲା ପରେ ଆଉ ପଢିବା କ୍ଵଚିତ୍। ତଥାପି ଅନେକ ସମୟରେ ଲାଗେ ଯାହା ମତେ ଆଲୋଡିତ କରିଛି ସେ ଭାବ, ଭାବ ଦୃଷ୍ଟିରୁ ଠିକ୍ , ହେଲେ ସେ ଆଲୋଡନର ଶୁଦ୍ଧ ସ୍ଵରୂପକୁ ରୂପ ଦେବା ପାଇଁ ସଂଯୋଜିତ ଶବ୍ଦମାନେ ଅସମର୍ଥ। କେଉଁଠି ସେ ଶବ୍ଦମାନେ ? କାହିଁକି ଝରି ଆସନ୍ତିନି? ଖୋଜିବି ଏଣିକି।

ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟିରେ କେବେ ବାଧକ ସାଜିଛି କି ? ଯଦି ହଁ, ତାହେଲେ ତାର ସାମ୍ନା କିପରି କରିଛନ୍ତି ?

ବ୍ୟକ୍ତିଗତ ଜୀବନ କେବେ ବି ମୋ ସାହିତ୍ୟ ସୃଷ୍ଟିର ବାଧକ ହୋଇନାହିଁ। ବାପଘର ଠାରୁ ଶାଶୁ ଘର ଯାଏ, ବାପା ବୋଉଙ୍କଠାରୁ ଶାଶୁ ଶ୍ୱଶୁର,ଭାଇ ଭଉଣୀ ମାନଙ୍କଠାରୁ ଦିଅର ଯା ଏବଂ ମୋ ସ୍ବାମୀ ଏମାନେ ସମସ୍ତେ ମୋ ସୃଜନ ଜୀବନ ଜିଇବା ପାଇଁ ଝର୍କା କବାଟ ଖୋଲି ଦିଅନ୍ତି ସିନା ବାରଣ କରନ୍ତି ନାହିଁ।

 

ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ କି?

ହଁ, ଯୁଗେ ଯୁଗେ ସାହିତ୍ୟ ସମାଜର ପରିବର୍ତ୍ତନ ଆଣିଛି। କିଛି ଆଦର୍ଶବୋଧ ନଥିଲେ, ସ୍ଥିତାବସ୍ଥାକୁ ଭାଙ୍ଗି, ନୂଆ କିଛି ଗଢିବା ସହଜ କଥା ନୁହେଁ। ଅବଶ୍ୟ କାବ୍ୟ, କବିତା, ନାଟକ, ଉପନ୍ୟାସ,ଗଳ୍ପ ଲେଖାହେଲା ବେଳେ ଏହା ନିହାତି ନରହିଲେ ନହୁଏ। କିନ୍ତୁ କବିତା କଥା ଟିକେ ଅଲଗା। ଆଦର୍ଶବାଦର ଗଳା ବାଟରେ ସେ ଅଣନିଃଶ୍ବାସୀ। ଏହାର ପ୍ରଚାର ପ୍ରସାର ଦ୍ଵାରା ତା’ର ସୁକୁମାର ପଣ କ୍ଷୁର୍ଣ୍ଣ ହୁଏ। ସ୍ବଭାବିକ ଭାବରେ ଝରି ଯାଉଥିବା ନଈ କି ଝରଣା, କଢରୁ ଫୁଟି ଆସୁଥିବା ଫୁଲ, ଗଛର ଶାଖାରେ ଶାଖାରେ କଅଁଳି ଆସୁଥିବା ପତ୍ର ପରି କବିତା। କେଉଁ ମହାଜାଗତିକ ଅନୁଭବର ଉଚ୍ଚାରଣ। ସେ ଉଚ୍ଚାରଣ ସତ୍ୟ,ଶିବ ଏବଂ ସୁନ୍ଦରର ହୋଇପାରେ। ହୋଇପାରେ ମଙ୍ଗଳମୟ ତା’ର ଆଦର୍ଶ ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି ?

ସାହିତ୍ୟକୁ ନେଇ ମୋର ବ୍ୟକ୍ତିଗତ ସ୍ଵପ୍ନ କିଛି ଅଛି। ଅନେକ କାହାଣୀ, ଉପନ୍ୟାସ ମୋ ଭିତରେ ଛଟପଟ୍ ହେଉଥାନ୍ତି, ରୂପ ଦେଇ ପାରେନା। ଭାବେ ମତେ ଲେଖି ଆସିବନି। ଚେଷ୍ଟା କରିବି। ସାମଗ୍ରିକ ସ୍ଵପ୍ନ ହେଲା ଅନ୍ୟାନ୍ୟ ଅନେକ ଭାଷାରେ ମୋ ସାହିତ୍ୟ ପ୍ରଚୂର ପରିମାଣରେ ଅନୂଦିତ ହେଉ।

 

Comments are closed, but trackbacks and pingbacks are open.