କବିତା ହେଉଛି ଓଡ଼ିଆ ସାହିତ୍ୟର ପ୍ରମୁଖ ପରିଚୟ : ରକ୍ଷକ ନାୟକ

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ରକ୍ଷକ ନାୟକ । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ , ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ କବିତାଗୁଡ଼ିକ ପାଠକ ମନରେ ଏକ ଭିନ୍ନ ଭାବ ପ୍ରତିଫଳିତ କରିଥାଏ।

ଉର୍ଦ୍ଧ୍ବ ଉଡ଼ାଣ , ବ୍ରହ୍ମଶିଳା, ବୀଜ ବିକ୍ଷେପ , ଅସରନ୍ତି ଅନ୍ତାକ୍ଷରୀ ଆଉ ସବୁ ସାକ୍ଷାତରେ, ଅନ୍ୱେଷା ଅହର୍ନିଶ, ଅର୍ଗଳ ଅନର୍ଗଳ, ଶେଷହୀନ ସନ୍ତରଣ , ସବୁ ବନ୍ଦରଗାହେଁ ମେ ସ୍ୱାଗତମ ( ହିନ୍ଦୀ ଅନୁବାଦ ) , ଅମିତ୍ର ଅନ୍ଧାର , ବିମ୍ବସ୍ନାନ ଆଦି କବିତା ସଙ୍କଳନର ସେ କାଳଜୟୀ ସ୍ରଷ୍ଟା। ତାଙ୍କର ଅନବଦ୍ୟ ସାରସ୍ୱତ ସାଧନା ପାଇଁ ସେ ରାଜ୍ୟ ଯୁବ ସମ୍ମାନ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହ ଆହୁରି ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ।

କବି ରକ୍ଷକ ନାୟକଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ ।

କବିତା ଶବ୍ଦର ବ୍ୟାଖ୍ୟା କିପରି କରିବେ ?

ବ୍ୟାଖ୍ୟାନ ବାହାରେ ଯାହା ରହିଯାଏ, ତାହା ହେଉଛି କବିତା । ଏବେ ତ କବିତା ସମ୍ପର୍କରେ ଅନେକ ସଂଜ୍ଞା, ବ୍ୟାଖ୍ୟା, ତତ୍ତ୍ୱ ଓ ଦର୍ଶନ ଶୁଣିଲିଣି, ଜାଣିଲିଣି । ତେବେ ଯେତେବେଳେ ଏସବୁ କିଛି ଜାଣିନଥିଲି, ଥିଲା କେବଳ ଅଳ୍ପ କେତୋଟି ଶବ୍ଦ; ସେତେବେଳେ କବିତା ମୋ ପାଖକୁ ଆସିଲା । ମୁଁ ସୀମିତ ଶବ୍ଦ ସମ୍ବଳରେ ତା’କୁ ପ୍ରକାଶ କରିବାକୁ ଚେଷ୍ଟା କଲି; ପାରୁନଥିଲି । ଏବେ ବି ପାରୁନି । ମତେ ଲାଗେ, ଶବ୍ଦ ସବୁବେଳେ ଅକୁଳାନ କବିତା ପାଇଁ । ଯେତେ ଚେଷ୍ଟା କଲେ ମଧ୍ୟ ଲାଗେ, ହେଲାନି, କିଛି ରହିଯାଉଛି । ଶବ୍ଦର ଲଗିରେ ତୋଳି ହେଉନି । ସେଇ ଆକୁଳତା ଓ ହତାଶାବୋଧ କବିତା ସହ ଯୋଡ଼ି ରଖୁଛି । କବିତାକୁ ବ୍ୟାଖ୍ୟା କରି ହେବନି, ଯେମିତି ବ୍ରହ୍ମକୁ । କେବଳ କିଛି କିଛି ଚିହ୍ନେଇ ହେବ; କବିତା କ’ଣ? ସେଇ ଚିହ୍ନେଇବାର ପ୍ରକ୍ରିୟା ହିଁ କବିକର୍ମ । କବିତା ହୁଏତ ଆତ୍ମାର ଶବ୍ଦ ରୂପ, ସ୍ଥିତିର ସ୍ଥାପତ୍ୟ ଓ ଭାବ ପ୍ରକାଶର ଏଯାବତ୍ ଉପଲବ୍ଧ ସର୍ବଶ୍ରେଷ୍ଠ ମାଧ୍ୟମ ।

ଆପଣଙ୍କ ଜୀବନ ଉପରେ ସାହିତ୍ୟର ପ୍ରଭାବ କ’ଣ? ସାହିତ୍ୟରେ ନଥିଲେ ଜୀବନର ଗତିପଥ ବଦଳି ଯାଇଥାନ୍ତା କି ?

ମତେ ଲାଗେ, ସମସ୍ତେ ସାହିତ୍ୟରେ ଅଛନ୍ତି । ମୁଁ ଟିକେ ସଚେତନ, ଆଉ ଲେଖିପାରୁଛି । ସମସ୍ତେ ନିଃଶ୍ୱାସ ପ୍ରଶ୍ୱାସ ନେଉଛନ୍ତି; କେତେ ଜଣ ସେ ବିଷୟରେ ସଚେତନ ଅଛନ୍ତି? ହଁ, ସାହିତ୍ୟ ମତେ ସଚେତନ କରିଛି । ମୁଁ ସଚେତନ ଭାବରେ ଜୀବନ ଜୀଉଁଛି । ଏହା ବୋଧେ ମୋ ଜୀବନ ଉପରେ ସାହିତ୍ୟର ପ୍ରଭାବ । ଜଣେ ସଚେତନ ଭାବରେ ବଞ୍ଚିବାଠୁ ଆଉ କ’ଣ ବଡ଼ କଥା, କିଛି ଅଛି ? ସେ ବିଚାରରେ ସାହିତ୍ୟଠୁ ମୁଁ ବହୁତ କିଛି ପାଇଛି । ସାହିତ୍ୟ ପାଇଁ ମୋର ଉର୍ଦ୍ଧ୍ବ ଉଡ଼ାଣ । ସାହିତ୍ୟ ପାଇଁ ମୋର ବୀଜ ବିକ୍ଷେପ । ସାହିତ୍ୟ ମତେ ବିସ୍ତରି ଯିବାର ବାଗ ବତାଇଛି । ପୁଣି ନିଜ ଭିତରେ ତଲ୍ଲୀନ ହେବାର ସୂତ୍ର ବତାଇଛି । ସାହିତ୍ୟ ମୋ ଜୀବନକୁ ବହୁ ଭାବରେ ପ୍ରଭାବିତ କରିଛି । ସାହିତ୍ୟରେ ସକ୍ରିୟ ଭାବରେ ନଥିଲେ, ସଚେତନ ଭାବରେ ନଥିଲେ, ହୁଏତ ମୋର ଜୀବନର ଗତିପଥ ବଦଳି ଯାଇଥାନ୍ତା । କ’ଣ ହେଇଥାନ୍ତା, କେମିତି କହିବି ? ହୁଏତ ଭୌତ୍ତିକ ବିକାଶ ବେଶୀ ହେଇଥାନ୍ତା, ଆତ୍ମିକ ବିକାଶ କମ୍ ।

ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ କେମିତି ?

ଖାଲି ଓଡ଼ିଆ ସାହିତ୍ୟ କାହିଁକି, କବିତା ହେଉଛି ସମସ୍ତ ସାହିତ୍ୟର ମଞ୍ଜି । ସେଇଠୁ ଶାଖା ପ୍ରଶାଖା ମେଲିଛି । ସାହିତ୍ୟର ଅନ୍ୟାନ୍ୟ ବିଭାଗର ସୃଷ୍ଟି କବିତାର ବହୁ ପରେ । କବିତା ବିଭିନ୍ନ ରୂପରେ ପ୍ରକାଶତି ହେଉଛି; ସେ ଗଳ୍ପ ହେଉ କି ଉପନ୍ୟାସ । ମତେ ଲାଗେ, ସବୁ ମୂଳରେ କବିତା । ନିଷ୍କର୍ଷ ହିଁ କବିତା । ଓଡ଼ିଆ ସାହିତ୍ୟରେ କବିତା ବିଭାଗଟି ତା’ର ପ୍ରଭାବ ବଜାୟ ରଖିଛି । ଗୁଣରେ ହେଉ କି ସଂଖ୍ୟାରେ; କବିତା ଏବେ ବି ଆଗରେ । ପ୍ରାୟ ସବୁ ସୃଜନ ଯାତ୍ରା କବିତାରୁ ଆରମ୍ଭ । କବିତାରେ ବହୁ ପରୀକ୍ଷା ନୀରିକ୍ଷା ହେଉଛି । ସଂଖ୍ୟାଧିକ ସାରସ୍ୱତ ସାଧକ କବିତାରେ । କବିତା ହେଉଛି ଓଡ଼ିଆ ସାହିତ୍ୟର ପ୍ରମୁଖ ପରିଚୟ ।

ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ କି ?

ସାହିତ୍ୟର ମୂଳ ଆଦର୍ଶ ହେଉଛି, ସମାଜର ସକଳ ହିତସାଧନ କରିବା । ଏହା ଏକ ପ୍ରଭାବଶାଳୀ ମାଧ୍ୟମ । ଏଣୁ ସାହିତ୍ୟିକ ନିଜେ ବିଶ୍ୱାସ କରୁଥିବା ଆଦର୍ଶବୋଧକୁ ସାହିତ୍ୟ ମାଧ୍ୟମରେ ପ୍ରତିଷ୍ଠିତ / ପ୍ରସାରିତ କରିବାକୁ ପ୍ରୟାସ କରିଥାଏ । ଏହା ଆଦୌ ଗର୍ହିତ ଅପରାଧ ନୁହେଁ । ଦେଖିବା କଥା କୋଉ ଆଦର୍ଶ । ରାମର ନା ରାବଣର । ସାହିତ୍ୟକୁ କିଭଳି ଉପଯୋଗ କରାଯାଉଛି, ତାହା ହେଉଛି ପ୍ରମୁଖ କଥା ।

କୁହାଯାଏ ଗପ, କବିତା ଅପେକ୍ଷା ଅଧିକ ପ୍ରଭାବଶାଳୀ । ଏ ବିଷୟରେ ଆପଣ କ’ଣ ମତ ରଖିବେ ?

ଗପର ବୟସ କେତେ ? କବିତା ହେଉଛି ସର୍ବପ୍ରାଚୀନ ଉପଲବ୍ଧି । କବିତା ବେଳେବେଳେ ଗୋଟେ ରୂପ ନିଏ, ଯାହା ଗପ ଭାବରେ ନାମିତ ବୋଲି ମୁଁ ବୁଝେ । ସେହି ଗପ ପ୍ରଭାବଶାଳୀ, ଯେଉଁଥିରେ କବିତାର ମାତ୍ରା ବେଶୀ ଥାଏ । ଗପ ଫୁଲ ହେଲେ, କବିତା ହେଉଛି ତା’ର ବାସ୍ନା । ଅନେକ ସମୟରେ କବିତାର କଥାକୁ ଗପ ମାଧ୍ୟମରେ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରାଯାଇପାରେ ।

ରଚନା ସହିତ ଅନୁଭୂତି କେତେ ମାତ୍ରାରେ ଜଡ଼ିତ?

ରଚନାର ମୁଖ୍ୟ ଆଧାର ହେଲା ଅନୁଭୂତି। ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ। ଲେଖକ କାୟାପ୍ରବେଶ କରିପାରେ । ଅନ୍ୟର ଅନୁଭୂତିକୁ ସାଉଁଟିପାରେ । ବିନା ଅନୁଭୂତିରେ ସାହିତ୍ୟ ସମ୍ଭବ ନୁହେଁ । ଅଧ୍ୟୟନ, ଅନୁଧ୍ୟାନ, ପର୍ଯ୍ୟବେକ୍ଷଣ, ପର୍ଯ୍ୟାଲୋଚନା, ଅନୁଭବ, ଅନୁଭୂତି, ଉପଲବ୍ଧି, ମନନ, ଚିନ୍ତନ ଆଦି ପ୍ରକ୍ରିୟା ଅନୁଭୂତି ଆଶ୍ରିତ; ଯାହା ରଚନାର ଦୀପ୍ତି ଓ ଦ୍ୟୁତିକୁ ମହିମାନ୍ୱିତ କରେ ।

ସମକାଳୀନ ସାହିତ୍ୟକୁ ଆପଣ କିପରି ଦେଖନ୍ତି ?

ମୋର ଅଧ୍ୟୟନ ସୀମିତ। ଏଣୁ କୌଣସି ମନ୍ତବ୍ୟ ଦେବା, ହୁଏତ ସମୀଚୀନ ନ ହୋଇପାରେ। ଯେତିକି ଜାଣୁଛି, ମତେ ଲାଗେ ସାହିତ୍ୟରେ ସମକାଳ ସଠିକ ଭାବରେ ପ୍ରକାଶିତ ହେଉଛି। ଏବେ ପୃଥିବୀ ଗୋଟେ ଗାଁରେ ପରିଣତ ହୋଇଛି। ଆମେ ଅଧିକରୁ ଅଧିକ ଅନ୍ୟ ଭାଷାର ସାହିତ୍ୟ ସଂସ୍ପର୍ଶରେ ଆସିପାରୁଛୁ। ଏହା ଆମର ଦୃଷ୍ଟିର ଦିଗନ୍ତକୁ ପ୍ରସାରିତ କରିଛି। ଆମ ସାହିତ୍ୟର ଗୁଣାତ୍ମକ ଅଭିବୃଦ୍ଧିରେ ସହାୟକ ହୋଇଛି। ତେବେ ଏଥିରେ ଏକ ବିପଦ ମଧ୍ୟ ଅଛି। ଆମ ସାହିତ୍ୟର ଭାବଭୂମି, ବିକୃତ ହେବାର ସମ୍ଭାବନା ଅଛି। ବାହାରର ପବନରେ ଉଡ଼ିଯିବାର ସମ୍ଭାବନା ଅଛି। ଏଣୁ ନିଜର ମୌଳିକତା, ସ୍ଥାନୀୟତା ଓ ମାଟି କୈନ୍ଦ୍ରିକତା ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ। ସମକାଳରେ ଓଡ଼ିଆ ସାହିତ୍ୟ ଏ ଦିଗରେ ବେଶ ସତର୍କ ଓ ସଚେତନ ବୋଲି ମୋର ଧାରଣା।

କବିତାର ସର୍ବଶ୍ରେଷ୍ଠ ଇପ୍‌ସିତ ଅଭିବ୍ୟକ୍ତି କ’ଣ ହେଇପାରେ ?

ଯାହା ଚାହିଁଛି, ସତରେ କ’ଣ ଲେଖିପାରୁଛି? ହେଇପାରୁନି। ଏହି ଅଭାବବୋଧ ଓ ଅପାରଗତା, ମୁଁ ଭୋଗୁଛି। ଅନ୍ୟମାନେ ହୁଏତ ଜାଣିପାରିବେ ନାହିଁ । ପରିପୂର୍ଣ୍ଣ କବିତାଟିଏ ସୃଜିବା ମୋର ଇପ୍‌ସିତ ଅଭିବ୍ୟକ୍ତି । ନିଟୋଳ, ନିଖୁଣ କବିତାଟିଏ ଲେଖିପାରିଲେ ଖୁସି ହୁଅନ୍ତି। ଆଉ ବି ଇଚ୍ଛା, ମୋ କବିତା; କାହାକୁ କବି କରିପାରନ୍ତା କି?

ସ୍ରଷ୍ଟାର ସୃଷ୍ଟିକୁ ନକରାତ୍ମକ ମତାମତ ଏବଂ ପ୍ରଶଂସା କେତେ ମାତ୍ରାରେ ପ୍ରଭାବିତ କରେ ?

ଖୁବ୍ ପ୍ରଭାବିତ କରେ। ପ୍ରଶଂସା ଆଗକୁ ପ୍ରେରିତ କରେ। ନିନ୍ଦା ଅଟକେଇ ଦିଏ। ନିଜ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରେ। ତେବେ ଉଭୟ ଶୁଦ୍ଧ ହେବା ଜରୁରୀ। ଅଶୁଦ୍ଧ ପ୍ରଶଂସା, ନିନ୍ଦା ଅପେକ୍ଷା ବେଶୀ କ୍ଷତିକାରକ। ଉଭୟ ସକାରାତ୍ମକ ଓ ନକାରାତ୍ମକ ମତାମତକୁ ଗ୍ରହଣ କରି, ତାକୁ ତର୍ଜମା କରି, ନିଜ ଉପକାରରେ ଲଗାଇହେବ । ଏଥିପାଇଁ ସ୍ରଷ୍ଟାଟି ଦମ୍ଭିଲା ହେବା ଦରକାର।

ନୂଆ ଲେଖକଙ୍କ ପାଇଁ କି ବାର୍ତ୍ତା ଦେବେ ?

ମୁଁ ଏଯାଏଁ ନିଜକୁ ପୁରୁଣା ଲେଖକ ବୋଲି ଭାବିନି। ଲେଖା ଆରମ୍ଭ ବେଳକୁ ରମାକାନ୍ତ, ସୀତାକାନ୍ତ ପ୍ରମୁଖ ଆଗରେ ଥିଲେ। ଏବେ ପାଖାପାଖି ପତ୍ରିକାରେ ରହୁଛନ୍ତି। ସେମାନେ ସକ୍ରିୟ ଅଛନ୍ତି ମାନେ, ମୁଁ କେମିତି ପୁରୁଣା ହେବି। ଯେତେବେଳେ କବିତାଟିଏ ଲେଖେ, ନୂଆ କରି ଲେଖିବାର ଶିହରଣ ଅନୁଭବ କରେ। ବୋଧେ ସେଥିପାଇଁ ଗୋଟିଏ ପରେ ଗୋଟିଏ କବିତା ଲେଖିପାରୁଛି। ନୂଆ ଲେଖକଙ୍କୁ, ମାନେ ନିଜକୁ କହିବି: ବିଭିନ୍ନ ବିଷୟରେ ପ୍ରଚୁର ପଢ଼ାପଢ଼ି କର। ନିଜ ଐତିହ୍ୟ ଓ ପରମ୍ପରା ସହ ଯୋଡ଼ି ହୋଇ ରୁହ। ସ୍ୱାଭାବିକତାକୁ ପ୍ରଶୟ ଦିଅ। ନଈ ହୁଅ, କେନାଲ ନୁହେଁ। ଜଙ୍ଗଲ ହୁଅ, ପାର୍କ ନୁହେଁ। ସମସ୍ତଙ୍କୁ ଗୁରୁ କର, ଅବଧୂତ ଭଳି; କୋଉ ଆଶ୍ରମ ମଠର ଶିଷ୍ୟ ହୁଅ ନାହିଁ। ଏଇ କଥା ସବୁବେଳେ ନିଜକୁ କହି ଆସିଛି ।