Latest Odisha News

BREAKING NEWS

ସମ୍ମାନ ଓ ସ୍ୱୀକୃତି ଲେଖକକୁ ଭଲ ଲେଖିବାକୁ ଉତ୍ସାହିତ କରେ : ସାଇଜ୍ୟୋତି ପ୍ରଧାନ

ସମକାଳୀନ ଓଡ଼ିଆ ସାହିତ୍ୟରେ ସାଇଜ୍ୟୋତି ପ୍ରଧାନ ଏକ ସଶ୍ରଦ୍ଧ ଉଚ୍ଚାରଣ  ତାଙ୍କ ଲେଖନୀ ନିଃସୃତ ପ୍ରତିଟି ଶବ୍ଦରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ । ଜୀବନ୍ତ ଲାଗେ ପ୍ରତିଟି କୃତି। ଓଡ଼ିଆ ସାହିତ୍ୟ ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ , ସେ ସୃଷ୍ଟି କରି ଚାଲିଛନ୍ତି ଅନେକ ଗଳ୍ପ । ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତାରେ ପରିପୂର୍ଣ୍ଣ ତାଙ୍କ ରଚନାଗୁଡ଼ିକ ପାଠକ ମନରେ ଏକ ଭିନ୍ନ ଭାବ ପ୍ରତିଫଳିତ କରିଥାଏ। ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଏବଂ ସମ୍ବର୍ଦ୍ଧିତା ।

ଲେଖିକା ସାଇଜ୍ୟୋତି ପ୍ରଧାନଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

ସାହିତ୍ୟ ପ୍ରତି ଆକର୍ଷିତ ହେବାର ମୁଖ୍ୟ ଉତ୍ସ କ’ଣ ଥିଲା ?

ବାପା ବୋଉଙ୍କର ଗଳ୍ପ, ଉପନ୍ୟାସ, ଆଧ୍ୟାତ୍ମିକ ରଚନା ପଢ଼ିବାରେ ରୁଚି ଥିଲା। ଅନେକ ପତ୍ରପତ୍ରିକା ଘରକୁ ଆସେ। ଆମ ପାଇଁ ଶିଶୁରାଇଜ, ଜହ୍ନମାମୁଁ, ମୀନାବଜାର ଆସୁଥିଲା। ଭଗବତ୍ ଦର୍ଶନରେ କୃଷ୍ଣଲୀଳାର ଚିତ୍ରସବୁ ମୋତେ ମୋହିତ କରୁଥିଲା। ଧୀରେ ଧୀରେ ପୌରୁଷ, ରିଡର୍ସ ଡାଇଜେଷ୍ଟ ପ୍ରତି ଆଗ୍ରହ ବଢ଼ିଲା। ଛୋଟବେଳୁ ଗପ ପଢ଼ିବାର ଅଭ୍ୟାସ ଧୀରେ ଧୀରେ ସାହିତ୍ୟ ଆଡ଼କୁ ଟାଣି ନେଲା।

ଆପଣ ଗଳ୍ପ, କବିତା, ଉପନ୍ୟାସ ସବୁ ବିଭାଗରେ ଲେଖନୀ ଚାଳନା କରିଛନ୍ତି ; ତେବେ ଆତ୍ମତୃପ୍ତି କେଉଁଠି ଅଧିକ ?

ଗପ ଲେଖିବାରେ ଆତ୍ମତୃପ୍ତି ମିଳେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଜକୁ ଚରିତ୍ରଗୁଡ଼ିକ ଭିତରେ ଅନୁଭବ କରି ହୁଏ। ସେଇ କିଛି ଦିନ ନିଜେ ହିଁ ଗପଟିକୁ ଭୋଗିବାକୁ ପଡ଼େ। ହ୍ୟାଙ୍ଗ୍ ଓଭର୍ ରହେ। ଉପନ୍ୟାସ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଇ ଗୋଟିଏ ପ୍ଲଟରେ ନିଜକୁ ବାନ୍ଧିବାକୁ ହୁଏ। ଥରେ ଫ୍ଲୋ କଟିଗଲେ ପୁଣି ଥରେ ସେଇ ଜାଗାକୁ ଫେରି ଲେଖିବା କଷ୍ଟ। ସେଇ କ୍ରମରେ ଉପନ୍ୟାସଟିଏ ଅଧା ଲେଖି ରଖିଛି। ତାକୁ ସାରିପାରିଲେ ଖୁସି ହେବି।

ଏକଦା ଆପଣ ନାଟକ ଲେଖୁଥିଲେ । ତେବେ ଅଧିକ ନାଟକ ରଚନା ପାଇଁ ଆଗ୍ରହୀ ହେଲେ ନାହିଁ କାହିଁକି ?

ନିଜେ ଲେଖୁଥିବା ନାଟକ ଆଖି ଆଗରେ ଅଭିନୀତ ହେଉଥିଲା। ନିର୍ଜୀବ ଶବ୍ଦସବୁ ଷ୍ଟେଜ୍ ଉପରେ ଜୀବନ୍ୟାସ ପାଉଥିଲେ। ସ୍କ୍ରିପ୍ଟ ରାଇଟିଂ ପାଇଁ ପୁରସ୍କାର ମିଳୁଥିଲା। ଏଇ ସବୁ କାରଣରୁ ଅଧିକ ଉତ୍ସାହିତ ହୋଇ ନାଟକ ଲେଖୁଥିଲି। ଧୀରେ ଧୀରେ କବିତା ଓ କ୍ଷୁଦ୍ରଗଳ୍ପ ପ୍ରତି ଆଗ୍ରହ ବଢ଼ିଲା। ନାଟକ ପଛରେ ରହିଗଲା।

ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟିରେ କେବେ ବାଧକ ସାଜିଛି କି ? ତାର ସାମ୍ନା କିପରି କରିଛନ୍ତି ?

ନିଶ୍ଚୟ….ସେମିତି ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ, ଅଟକି ଯାଇନି। ଯିଏ ଭାବୁଥିଲେ ତାଙ୍କ ପାଇଁ ଯେଉଁ ସମୟ ଦେଇଥାନ୍ତି, ସେ ସମୟକୁ ଲେଖାପଢ଼ାରେ ସାରି ଦେଉଛି। ସେମାନେ ଏବେ ବୁଝିଗଲେଣି। ନୀରବରେ ନିଜ କାମକୁ ଜାରି ରଖିଲେ ଦିନେ ନା ଦିନେ ସବୁ ବାଧା ହଟିଯିବ, ଏଇ ବିଶ୍ୱାସରେ ଲେଖିଲି।

ଜଣେ ଲେଖିକା ନିଜର ଭାବ ପ୍ରକାଶ କରିବାରେ ସାମାଜିକ ବନ୍ଧନ ବାଧା ସୃଷ୍ଟି କରେ ବୋଲି ଆପଣ ଭାବନ୍ତି କି ?

ଯେ ପର୍ଯ୍ୟନ୍ତ ସମାଜ ନାରୀ-ପୁରୁଷକୁ ସମାନ ଦୃଷ୍ଟିରେ ଦେଖିନି ସେ ପର୍ଯ୍ୟନ୍ତ ଏ ପ୍ରକାର ମାନସିକତା ଅଳ୍ପ ହେଲେ ବି ରହିବ। କିନ୍ତୁ, ଏବେ କୋହଳ ହେଲାଣି। ସାମାଜିକ ଚଳଣି ଯେମିତି ଉନ୍ମୁକ୍ତ ହେବାରେ ଲାଗିଛି, ବିଚାରବୋଧ ମଧ୍ୟ ବଦଳୁଛି।

ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହା ଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?

ନିଶ୍ଚିତ ପ୍ରଭାବିତ କରେ। ପାଠକଙ୍କର ପ୍ରତ୍ୟାଶା ବଢ଼ିଯାଏ। ଉନ୍ନତମାନର ଲେଖାର ଅପେକ୍ଷା ରଖନ୍ତି ପାଠକ। ଏହା ଦ୍ୱାରା ଲେଖକ ସତର୍କ ହୋଇଯାଏ। ସତର୍କ ହୋଇ ଲେଖିଲେ କିମ୍ବା ପାଠକଙ୍କ ରୁଚିକୁ ଆଖିରେ ରଖି ଲେଖିଲେ ଲେଖକ ସଙ୍କୁଚିତ ହୋଇଯାଏ। ଲେଖକଟିଏ ମୁକ୍ତ ଭାବରେ ଲେଖୁ। ଲେଖକର ମାନସପଟରେ ଚିତ୍ରିତ ଚିତ୍ରକଳ୍ପକୁ ନିଜସ୍ୱ ଶୈଳୀରେ ପ୍ରସ୍ତୁତ କରୁ। ସମ୍ମାନ ଓ ସ୍ୱୀକୃତି ଲେଖକକୁ ନିଶ୍ଚିତ ଭାବରେ ଆହୁରି ଭଲ ଲେଖିବାକୁ ଉତ୍ସାହିତ କରେ।

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?

ଖୁବ୍ ସହାୟକ ହୋଇଛି। ପତ୍ରପତ୍ରିକାରେ ସମସ୍ତଙ୍କର ଗଳ୍ପ-କବିତା-ପ୍ରବନ୍ଧ-ପ୍ରବନ୍ଧ ଇତ୍ୟାଦି ଛପି ପାରେନା। ସାମାଜିକ ଗଣମାଧ୍ୟମରେ ଲେଖକ ନିଜର ଲେଖା ସହଜରେ ପ୍ରଦର୍ଶିତ କରେ। ସେଇଠି ସେ କବି ବା ଲେଖକ ଭାବେ ପରିଚିତ ହୁଏ।

ଲେଖକ ପାଇଁ ସାମାଜିକ ଦାୟିତ୍ଵବୋଧର ଆବଶ୍ୟକତା କେତେ ବୋଲି ଆପଣ ମନେକରନ୍ତି ?

ପ୍ରତ୍ୟେକ ନାଗରିକଙ୍କର ସାମାଜିକ ଦାୟିତ୍ୱବୋଧ ରହିଛି। କିନ୍ତୁ, ଲେଖକ ହାତରେ କଲମ ଅଛି। ସେ ନିଜର ଶବ୍ଦ ମାଧ୍ୟମରେ ସାମାଜିକ ସମସ୍ୟାଗୁଡ଼ିକୁ ଉତ୍ଥାପନ କରିପାରିବ। ହାତ ଲେଖା ଲିଫ୍ ଲେଟ୍ ରୁ ତ ପୁଣି ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ପଡ଼ିଥିଲା। ବିଦ୍ରୋହର ସ୍ୱର ଉଠିଥିଲା। ତେବେ ଲେଖକ କେତେ ପ୍ରଭାବିତ କରିପାରିବ, ତାହା ତା’ର ଶବ୍ଦ ଉପରେ ନିର୍ଭର କରେ।

 ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?

ପାରିନି, ସମୟ କହିବ ସେମିତି କେବେ ହୋଇପାରିବ କି ନା। ଅଧା ଲେଖା ଉପନ୍ୟାସ “ମୃତ୍ୟୁଞ୍ଜୟ”କୁ ସାରି ପାରିଲେ ମନରେ ଥିବା ଗ୍ଳାନିର ବୋଝଟି ଓହ୍ଲେଇଯିବ। ଯେଉଁ ଉତ୍ସାହରେ ଉପନ୍ୟାସଟି ଆରମ୍ଭ କରିଥିଲି, ତାକୁ ସାରିବାକୁ ସେତିକି ସାହସ ଲୋଡ଼ା। ସେତିକି ଯୋଡୁଛି ନିଜ ଭିତରେ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି ?

ସାହିତ୍ୟ ମୋ ପାଇଁ ଏକ ଅନ୍ତରଙ୍ଗ ରୁଚି, ଯାହାକୁ ମୁଁ ନିଜଠାରୁ କେବେ ଅଲଗା କରିବାକୁ ଚାହିଁବିନି। ସାହିତ୍ୟ ସହିତ ମୋର ସମ୍ବନ୍ଧ ଖୁବ୍ ଆବେଗିକ। ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ମୁଁ କେବେ ସ୍ୱପ୍ନ ଦେଖିନି। ଖୁସିରେ ଯେ ପର୍ଯ୍ୟନ୍ତ ଲେଖିପାରିବି, ଲେଖୁଥିବି।

ସମସାମୟିକ ଲେଖିକାମାନଙ୍କୁ ଆପଣ କେଉଁ ବାର୍ତ୍ତା ଦେବାକୁ ଚାହିଁବେ ?

କୌଣସି ଦୌଡ଼ରେ ସାମିଲ ନ ହୋଇ ଖୁସି ମନରେ ଲେଖନ୍ତୁ। ନିଜ ପର ପୀଢ଼ିକୁ ଉତ୍ତରାଧିକାର ସୂତ୍ରରେ ସବୁଠୁ ମୂଲ୍ୟବାନ ସମ୍ପତ୍ତି ଦେବି ବୋଲି ଭାବି ଲେଖନ୍ତୁ।

Leave A Reply

Your email address will not be published.