ଏବେ ଏବେ ଗଲା ପ୍ରଥମାଷ୍ଟମୀ । ସବୁ ‘ପ୍ରଥମ’ ମାନେ ନୂଆ ଜାମା ପିନ୍ଧି ଏଣ୍ଡୁରୀ ପିଠା ଖାଇ ମଉଜ଼ କଲେ । ଆମେ ପିଠା ପ୍ରିୟ ବୋଲି କ’ଣ ଟିକେ ମାଗି ଦେଇଥିଲୁ । ଖାଇ ଖାଇ ଦୁଇ ତିନିଟା ଖଣ୍ଡେ ଖାଇଥାନ୍ତୁ, କୋଉ ସବୁ ସାରିଦେଉଥିଲୁ ଯେ ଏତେ ସଙ୍କୋଚ ! ଜଣେ ଭାଇ କହିଲେ ପିଠା ଖାଇବ ନା ପିଠିରେ ଖାଇବ ? ଆଉ ଜଣେ ଭାଇ କହିଲେ ତୁମେ ପିଠା ନେଇକି ଆମ ଆଡେ ଆସ ।ଭାଇମାନେ ତୁମେସବୁ ମୋ ଆଖି ଖୋଲିଦେଲ । କାଲି ଦିନଯାକ ଦୋସ୍ତ ଦୋସ୍ତ ନା ରହା, ପ୍ୟାର ପ୍ୟାର ନା ରହା ଗୀତ ଗାଇ ଗାଇ କାଟିଛି ।
ଆଉ ଭଉଣୀ ମାନଙ୍କ କଥା କ’ଣ କହିବି ? କହିଲାବେଳେ ଆଖି ଛଳଛଳ ହେଇଯାଉଛି । କିଛି ଭଉଣୀ କହିଥିଲେ ଆମ ଘରକୁ ଆସିବ, ପିଠା ଖାଇବ । ଖାଇବା ଖୁଆଇବା ଟା ବଡ଼ କଥା ନୁହେଁ ଡାକିଲେ ସେଇଟା ବଡ଼ କଥା । ଯାହା କୁହ ଆମ ସ୍କୁଲର ଝିଅମାନେ ବହୁତ ଭଅଅଲଅଅ…। ଭଗବାନ ସେମାନଙ୍କୁ ସବୁ ଖୁସି ଦିଅନ୍ତୁ । ସେମାନଙ୍କର ସବୁଆଡ଼ୁ ମଙ୍ଗଳ କରନ୍ତୁ ।
ହଁ ଆଉ ଗୋଟେ କଥା। ଯେଉଁମାନେ ଭାବୁଥିବେ ଯେ ଆମେ ଖାଲି ଖାଇବା କଥା କହୁଛୁ ଖୁଆଇବା କଥା ହଉନୁ । ସେମାନଙ୍କ ଗୋଚରାର୍ଥେ କହିରଖୁଛୁ କି ଆମେ ‘କଞ୍ଜୁସ କୋଉଠିକାର’ ଆଦୌ ନୋହୁଁ । ଆମେ ବି ଗତକାଲି ଆମ ପୋଢ଼ୁଆଁଙ୍କ ପାଇଁ ବେଶ କିଛି ଖର୍ଚ୍ଚାନ୍ତ ହେଇଛୁ । ଆମ ‘ପ୍ରଥମ’ ସ୍ତ୍ରୀ ଅର୍ଥାତ ପୋଢ଼ୁଆଁ ସ୍ତ୍ରୀଙ୍କୁ ନେଇ ବାଲିଯାତ୍ରାରୁ ତାଙ୍କ ମନପସନ୍ଦ ଝାଡୁ, ପାମ୍ପଡ଼, ଗୋଟାଏରେ ଗୋଟାଏ ଫ୍ରି ମସଲା ପାଉଡର ଇତ୍ୟାଦି କିଣେଇଦେଇଛୁ । ଆର୍ଥିକ ସ୍ଥିତିକୁ ଲକ୍ଷ୍ୟରେ ରଖି ନୂଆ ଲୁଗା ବଦଳରେ ନୂଆ ରୁମାଲ ଦେଇ ମନ ତୋଷିଛୁ। ଶେଷରେ ପେଟେ ଗୁପଚୁପ ଢାଳେ ପାଣି ପିଇଲା ପରେ ଗୁପଚୁପ ବାଲା ଦି’ଟା ‘ଶୁଖିଲା’ ମାଗଣାରେ ଦେଇ ଖୁସିର କେକ୍ ରେ ଆଇସିଙ୍ଗ ଟପିଙ୍ଗ ଦେଇ ଦିନଟିକୁ ଆହୁରି ସୁନ୍ଦର ଓ ରଙ୍ଗୀନ କରିଦେଲେ । ଗୋଟାଏ ଏମିତିରେ ଆଉ ଗୋଟାଏ ପ୍ରଥମ ସ୍ତ୍ରୀକୁ ପବିତ୍ର ପ୍ରଥମାଷ୍ଟମୀ ଖୁସିରେ ।
——————
ଓଁ ଅଭିଜ୍ଞାନ ସାହୁ
ବନମାଳୀ ଭବନ , ଖାନ ନଗର
କଟକ ।