Latest Odisha News

BREAKING NEWS

ବ୍ୟଙ୍ଗ : ମନ୍ କୀ ବାତ୍

ଅନେକ ସମୟରେ ଆମ୍ଭ ସ୍ତ୍ରୀଙ୍କୁ କହିବାର ଶୁଣିଛୁ ,” ତୁମେତ ମୋତେ ଆଗ ଭଳି ଆଉ ଭଲ ପାଉନ । ତୁମେ କଣ ମୋତେ ବାହା ହେଇ ଖୁସି ନାହଁ ?” ପ୍ରଥମେ ଭାବୁଥିଲି ସତରେ କେତେ ନିରୀହ ପ୍ରଶ୍ନ । କିଛି ଭୁଲ କରିଦେଲିକି ? ଯେଉଁଥିପାଇଁ ତାଙ୍କ ମନ ଦୁଃଖ ହେଉଛି । କିନ୍ତୁ ବେଶ କିଛି ବର୍ଷ ଲାଗିଲା ବୁଝିବାକୁ ଯେ ଏଭଳି ଅଭିମାନ ମିଶା ଅଭିଯୋଗ କ୍ୟାସ ବାହାର କରିବା ପାଇଁ ଗୋଟେ ଏ.ଟି.ଏମ କାର୍ଡ । କାର୍ଡ ପତ୍ନୀଙ୍କ ପାଖରେ ଯାହାର ପିନ୍ ପତି ପାଖରେ ଥାଏ । କିନ୍ତୁ ଏ ଭଳି ପ୍ରଶ୍ନ କେବଳ ଜଣେ ସ୍ତ୍ରୀ ହିଁ ପଚାରିପାରିବ । କେବେ କୌଣସି ସ୍ୱାମୀଟିଏ ଏଭଳି ପ୍ରଶ୍ନ ତାଙ୍କ ସ୍ତ୍ରୀଙ୍କୁ ପଚାରିଥିବ ତାହା ଏଯାଏଁ ଏହି ଅଧମର ଜ୍ଞାତ ହୋଇନି । ସ୍ୱାମୀର ପୌରୁଷକୁ ବାଧିଲା ପରି ଉତ୍ତରଟା ଯଦି ନେଗେଟିଭ ହୁଏ ତେବେ !! କାରଣ ଉତ୍ତରଟା କିଛି ବି ହୋଇପାରେ ଯାହା ସେଇ ସମୟର ପାଣିପାଗ ଉପରେ ନିର୍ଭର କରେ । ସେ ଯୁଗ ଗଲାଣି ଯେବେ ପତି ହିଁ ଦେବତା ବୋଲି ଡିଣ୍ଡିମ ପିଟାଯାଉଥିଲା। ‘ପତି ସେବା ପରମଧର୍ମ’ ,’ପତି ପାଦ ତଳେ ଜୀବନ ଥାଉ ‘ଭଳି ଆଈମାର ପଦ ପଦାବଳୀଗୁଡିକୁ ସ୍ତ୍ରୀ ମାନେ ମନରେ ହେଜି ପତ୍ନୀଜୀବନର ମୂଳ ମନ୍ତ୍ର ଭାବେ ଘୋଷୁଥିଲେ । ଏବେ ଯଦି କୌଣସି ପତିର ନିଦ ବାଉଳାରେ ଭୁଲରେ ଏଥିରୁ କିଛି ପାଟିରୁ ବାହାରିଗଲା ତେବେ ଉଗ୍ର ନାରୀବାଦୀଙ୍କ ହାତରୁ ବିଚ ରାସ୍ତାରେ ହଟ ହଟା ହେବା ଅସମ୍ଭବ ନୁହେଁ । ତେଣୁ ଅନେକ ପ୍ରଶ୍ନ ପଚାରିବାକୁ ଚାହୁଁ ଥିଲେବି ବେଳେ ବେଳେ ବିଚରା ସ୍ୱାମୀଟି ଆଲୋ ‘ସଖି ଆପଣା ମହତ ଆପେ ରଖି ‘ନ୍ୟାୟ ରେ ଚୁପ ରହିବା ଶ୍ରେୟସ୍କର ମନେକରେ ।

ପତ୍ନୀ ହେଲେ ରେଡ଼ିଓ । ଅର୍ଥାତ ଯେଉଁଠୁ କେବଳ ‘ମନର କଥା’ ଶୁଣିବେ, କହିପାରିବେ ନାହିଁ । କେବଳ ଭାବର ଆଦାନ ହେବ । ପ୍ରଦାନର ସୁବିଧା ନଥିବ । ଜଣେ ଭାଇନା ଓ ଭାଉଜଙ୍କ ସହ ଦେଖା ହେଲା । କଥା ଛଳରେ ଭାଉଜ କହିଲେ, “ତୁମ ଭାଇ କଣ ମୋ କଥା କେବେ ଶୁଣନ୍ତି ଯେ ଆଜି ଶୁଣିବେ ?” ଅବଶ୍ୟ ଭାଇନା ଅନେକ ଥର ଆମକୁ ଏକାନ୍ତରେ କହିଛନ୍ତି, ବାହା ପରଠୁ ଆଜି ପର୍ଯ୍ୟନ୍ତ କେବଳ ଭାଉଜଙ୍କ କଥା ଶୁଣି ଶୁଣି ସେ ପୋଛାକନା ହୋଇଗଲେଣି । କହିବାର ବୟସ କଣ ମୋର ଏଯାଏଁ ହେଲାଣି ? ତଥାପି ଭାଇନାମାନଙ୍କ ଖାତିରରେ ସବୁ ଭାଉଜମାନଙ୍କୁ ଯଥାରୀତି ସମ୍ମାନ ଦେଇ କହୁଛୁ ସେମାନେ ଭାଇନାମାନଙ୍କୁ ପ୍ରଚୁର କହିବାର ସୁଯୋଗ ଦିଅନ୍ତୁ ଓ ତାଙ୍କ ମନର କଥା ଶୁଣନ୍ତୁ । ଏହା ବାଦେ, ଯେଉଁ ପତ୍ନୀମାନେ ଭାବୁଛନ୍ତି ତାଙ୍କ କଥା ତାଙ୍କ ସ୍ୱାମୀ ସବୁବେଳେ ଶୁଣନ୍ତି ଓ ଏଭଳି ଜଣେ ପତ୍ନୀବ୍ରତା ପତି ପାଇ ନିଜକୁ ଭାଗ୍ୟବାନ ମନେକରୁଛନ୍ତି, ସେମାନେ ଅହେତୁକ କୁରୁଳିବା ଦରକାର ନାହିଁ । ଗୋଟିଏ ସର୍ଭେ ଅନୁସାରେ ଅଫିସକୁ ଯିବା ସମୟରେ କିମ୍ବା ଅଫିସରୁ ଫେରିଲା ପରେ ପତ୍ନୀଙ୍କ ଦ୍ୱାରା ପରିବେଷିତ ସମସ୍ତ ମନର କଥାରୁ ମାତ୍ର ଦଶ ଭାଗ ପତି ମାନେ ଶୁଣନ୍ତି ବାକି ନବେ ଭାଗ କେବଳ ଶୁଣିବାର ଅଭିନୟ କରନ୍ତି ।

ଜଣେ ମହାପୁରୁଷ ଥରେ ପ୍ରବଚନରେ କହୁଥିଲେ , ଯେଉଁ ସ୍ତ୍ରୀ କହିବେ ସେ ସ୍ୱାମୀଙ୍କୁ ପଚାରି କହିବ, ଜାଣିବେ ସେ ଆପଣଙ୍କୁ ଉପେକ୍ଷା କରୁଛନ୍ତି କିମ୍ବା ଆପଣଙ୍କ କଥା ସେ ଅଧିକ ଶୁଣିବା ପାଇଁ ଚାହୁଁ ନାହାଁନ୍ତି । ସେମିତି ଯେଉଁ ସ୍ୱାମୀ କହିବେ ସ୍ତ୍ରୀଙ୍କୁ ପଚାରିବା ଦରକାର ନାହିଁ । ମୁଁ ଯାହା କହୁଛି ସେଇଟା ହେବ ତେବେ ଜାଣିଯିବେ ସେ ଯାହା କହିଲେ ତାହା ପାଣିର ଗାର । ସେ କାମର କିଛି ଭବିଷ୍ୟତ ନଥାଏ । ଏମିତିରେ ଲୋକେ କହିବା ମୁଁ ଶୁଣିଛି କାଳେ ଦୁଇ ପ୍ରକାରର ଲୋକ ଅଫିସରେ ବେଶି ସମୟ ଯାଏ ରହନ୍ତି । ଜଣେ ଯାହାର ଅଫିସରେ କିଛି ଚକ୍କର ଥାଏ କିମ୍ବା ଅନ୍ୟ ଜଣେ, ଯାହା ଘରେ ଏକ ପାଖିଆ ରେଡ଼ିଓରୁ ମନର କଥାର ନିୟମିତ ପ୍ରସାରଣ ଚାଲିଥାଏ ।

ବେଳେବେଳେ ବିଚରା ପତି ସକାଳୁ ହ୍ଵାଟ୍ସଆପରେ ଆସୁଥିବା ବିରଳ ତିନିଆଖିଆ ମାଛକୁ ଦଶ ଜଣଙ୍କ ପାଖକୁ ପଠେଇ ସ୍ୱର୍ଗୀୟ ଦାମ୍ପତ୍ୟ ସୁଖର ଆଶା ରଖିଥାଏ । କିନ୍ତୁ ଇତିହାସ ସାକ୍ଷୀ ଅଛି ଆଜି ଯାଏଁ ଏ ତିନିଆଖିଆ ମାଛ ଯୋଗୁଁ କାହା ଘରେ ଏକପାଖିଆ ରେଡ଼ିଓ ଦୁଇପାଖିଆ ମୋବାଇଲରେ ପରିବର୍ତ୍ତନ ହୋଇଥିବା ଜଣା ନାହିଁ । ମୁଁ ବେଳେ ବେଳେ ବୁଝିପାରେନି ଯଦି ଏପରି ବିରଳ ତିନି ଆଖିଆ ମାଛ, ଅଦ୍ଭୁତ ଗଣେଶ ମୁଣ୍ଡ ନଡ଼ିଆ ଭଳି ମେସେଜକୁ ଦଶ ଜଣଙ୍କ ପାଖକୁ ପଠେଇଲେ କିଛି ସୁଫଳ ମିଳୁଥିବାର ପ୍ରାମାଣିକ ତଥ୍ୟ ନାହିଁ ତଥାପି କିଛି ଲୋକ ଏହାକୁ ପଠେଇବାରେ ଆଦୌ ହେଳା କରନ୍ତି ନାହିଁ କାହିଁକି? ବୋଧେ ସେମାନେ ଜାଣନ୍ତି ପୁରାଣ ଯୁଗରୁ ନେଇ କଳି ଯୁଗ ପର୍ଯ୍ୟନ୍ତ ପତିମାନେ ଏକ ପାଖିଆ ରେଡ଼ିଓ ସ୍ୱଭାବରେ ଅତିଷ୍ଠ । ଯଦି ଖୋଦ ଭଗବାନ ଏଥିରୁ ମୁକୁଳି ପାରିନାହାନ୍ତି ଏ ଛାର ମଣିଷ କୋଉ ଗାଈର ଗୋବର କି ? ଅନ୍ୟପକ୍ଷରେ ଚିର ଆଶାବାଦୀ ପତିଟିଏ ଏପରି ମେସେଜକୁ ଅନ୍ୟକୁ ପଠେଇ ପତ୍ନୀଙ୍କ ସ୍ୱଭାବରେ ପରିବର୍ତ୍ତନର ଶୁଭ ଫଳକୁ ଅପେକ୍ଷା କରିଥାଏ । ଅବଶ୍ୟ ଏତେ ବିସଙ୍ଗତି ଭିତରେ ବି ଯୁଗଯୁଗ ଧରି ଆଜନ୍ମ ବିଚରା ପତି ମାନେ ସୁଖ ଦାମ୍ପତ୍ୟ ପାଇଁ କିପରି ଜୀବନବ୍ୟାପୀ ଆଶାବାଦୀ ରୁହନ୍ତି ତାହା ଗବେଷଣାସାପେକ୍ଷ ।

Leave A Reply

Your email address will not be published.