Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦେବୀ (୧୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୪ 

ଶ୍ରାବଣ ଆସିଲେ ପ୍ରୀତିପୁର ସଲଂଗ୍ନ ଚିରୁଡ଼ି ପାଟ ସୁନାମୁହିଁ ସହିତ ମିଶିଯାଇ ସୃଷ୍ଟି କରେ ହ୍ରଦର ଭ୍ରମ। ଭାଦ୍ରବ ବେଳକୁ ତାହା ପରିବର୍ତ୍ତିତ ହୁଏ ନାନା ରଙ୍ଗ ଓ ପ୍ରଜାତିର କଇଁ ଫୁଲ ଧାରି ଏକ ଭାସମାନ ବଗିଚାରେ। ପୁଣି ଆଶ୍ୱିନ ବେଳକୁ କାହିଁ କେତେଦୂରରୁ ଉଡ଼ିଆସନ୍ତି ଭଳିକି ଭଳି ଚଢେଇ। ଭିନ୍ନ ରଙ୍ଗ ଭିନ୍ନ କାକଳି ସହିତ ସେମାନଙ୍କ ସନ୍ତରଣ ଓ ଶିକାର ଦର୍ଶନୀୟ।କେହିକେହି କେଉଁ ଅଜଣା ରାଇଜରେ ଥିବା ନିଜର ସ୍ଥାୟୀ ଆସ୍ଥାନ ଭୁଲି ପାଟ ସଂଲଗ୍ନ ବଣ,କିଆବୁଦା ଓ ଠାକୁର ବରଗଛ ଡାଳରେ ବସାବାନ୍ଧି ନିଜ ଉତ୍ତର ପୁରୁଷର ଅପେକ୍ଷା କରନ୍ତି।

ଝାପସା ଅନ୍ଧାରରେ ଦେବ ଦେଖୁଥିଲା ସୁନାମୁହିଁ ନଈର ବିକଳାଙ୍ଗ ରୂପ । ପାଟ ପେଟରେ ଠା ଠା ମାଛ ପୋଖରୀ। ସାରା ରାତି ଗର୍ଜନ କରୁଛି ଡିଜେଲ୍ ପମ୍ପ ଓ ଜେନେରେଟର। ଦିନେ ଯେଉଁ ନିଭୃତ ନିରବତା ଥିଲା ଅନେକ ରହସ୍ୟମୟ କଥା – କାହାଣୀର ସଞ୍ଚିତ ସିନ୍ଦୁକ ତାହା ଆଜି ବାଣିଜ୍ୟର ଯୁଦ୍ଧ ଭୂମି।

ଦେବକୁ ଦୋଷୀ ଦୋଷୀ ଲାଗିଲା।ସତେ ଯେମିତି ତା ପରିଚିତ ଭୂଗୋଳର ଏମନ୍ତ ନଷ୍ଟଦଶା ପାଇଁ ସେ ହିଁ ଦାୟୀ।ସତରେ କଣ ବିଗତ କୋଡ଼ିଏ ବର୍ଷ ଧରି ଏହି ହତଭାଗ୍ୟ ବଣ,ନଈ,ପାଟ,ପଡ଼ିଆ,ବିଲୁଆ,ନେଉଳ ଓ ଚଢେଇ ମାନକୁ ସେତିକି ଭଲ ପାଇଛି,ଯେତିକି ସେ ତା ପିଲାଦିନେ ପାଉଥିଲା।

ସେ ଚାହିଁଥିଲେ କଣ ଠିଆ ହୋଇ ପାରିନଥାନ୍ତା ବଣ ହାଣୁଥିବା କଟୁରୀ ଆଉ କୋଦାଳ ଆଗରେ,ସେ ଚେଷ୍ଟା କରିଥିଲେ କଣ ରୋକିପାରିନଥାନ୍ତା ପାଟର ଛାତି ଚିରୁଥିବା ଓ ନଈର ଦେହ କାଟୁଥିବା ବୁଲ୍ଡୋଜରର ରାକ୍ଷସୀ ପଞ୍ଝାକୁ।ସେ ଡାକି ଦେଇଥିଲେ ରହିଯାଇଥାନ୍ତେ ବିଲୁଆ ପରିବାର। ସେ ହୋ କହିଥିଲେ ଓ କରିଥାନ୍ତେ ସାଇବେରିଆର କାଉ।

ହଁ, ସରିଯାଉଛି ମାଟି,ମରିଯାଉଛି ଗଛ,ବଢ଼ିବାରେ ଲାଗିଛି ପେଟ । ଏଇଥି ପାଇଁ ତ ଏତେ ନାଟକ,ରାଜନୀତି।ସମସ୍ତେ ମଝିରେ ରହି ମଲେଇ ପାଇବାକୁ ବ୍ୟସ୍ତ । ସେ କଳାହାଣ୍ଡି ହେଉ କି କଳିଙ୍ଗ ନଗର,ସୁନ୍ଦରଗଡ଼ ହେଉ କି ସୁକିନ୍ଦା,ସବୁଠି ଚାଲିଛି ପଳାୟନ।କାହାର ଭାତ ହାଣ୍ଡିରେ ଡିଆଁ ମାରୁଛି ଲୁହା କଳର ନିଆଁ । କେଉଁ ନଈ ଛାତିରେ ଲେଖାହେଉଛି ଆବର୍ଜନାରେନାଆଁ।

ଯେଉଁଠି ମଣିଷ ବେସାହାରା ସେଠି ଏ ବଣ,ନଈ,ପାଟ,ଚଢ଼େଇଙ୍କୁ ପଚାରେ କିଏ ?

ପ୍ରାଚୀ ଆରପଟ ତାଳଗଛ ଗହଳରୁ ଦିଶୁଛି ତାରାଟିଏ।ସତେ ଯେମିତି ଦେବକୁ କିଛି କହିବାକୁ ଚାହୁଁଛି ସେ।ଜୀବନକୁ ନେଇ ସହସ୍ର ପ୍ରଶ୍ନରେ ପୋତି ହୋଇପଡୁଛି ତାର ଜ୍ୱଳନ୍ତ କଳେବର।

ଦେବ ସେ ତାରା ଆଡେ ଚାହିଁଲା। ଖୋଜିଲା ତା ଭିତରେ ଏକ ସମ୍ପର୍କ। ହୃଦୟ ଖୋଲିଦେଲେ ପଥର ବି ଓ କରେ, ବୋଉ କୁହେ । ଆହୁରି ବି କହେ ଆକାଶର ସେ ତାରା ସବୁ ଆମ ବିସ୍ମୃତ ଅତୀତର ହୃଦବିନ୍ଦୁ। ଆମ ଅମର ପୂର୍ବପୁରୁଷଙ୍କ ସଞ୍ଚିତ ବିଶ୍ୱାସ। ସେମାନଙ୍କ ଅବିଲୀନ ଆତ୍ମାର ଆଗ୍ନେୟ ଅବତାର।

ବୋଉ କଥା ମନେପଡିଲେ ଭାରାକ୍ରାନ୍ତ ହୁଏ ମନ। କେଉଁଠି କିଛି ଭାଙ୍ଗିବା ଭଳି ଲାଗେ ଛାତି ଭିତରେ। ପରିଚିତ ପବନ ଓ ନଜରବନ୍ଦ ନିଆଁଙ୍କୁ ଅବିଶ୍ବାସ ହୁଏ। ଆଖି ବାଟ ଦେଇ ବାହାରିଯିବାକୁ ଚାହାନ୍ତି ହତାଶ ମନ ତଳର ତରଳ ଅବଶୋଷ।

କେତେବେଳେ ମୁକ୍ତାପୁର ସୀମାନ୍ତରେ ପହଞ୍ଚି ଗଲାଣି ଜାଣି ପାରୁନି ଦେବ। ଆଗରେ ଶୋଇଛି ପ୍ରାଚୀ ନଦୀ।ଏକ ସଂଭ୍ରାନ୍ତ ଅତୀତର ଶେଷତମ ତରଳ ବିଶ୍ୱାସ।
କ୍ରମଶଃ………………..

Leave A Reply

Your email address will not be published.