ବ୍ୟଙ୍ଗ : ଓଁ ସର୍ଟକଟ୍ ଦେବାୟ ନମଃ

ସରସ୍ୱତୀ ଓ ଗଣେଶଙ୍କ ଭିତରେ ବଚସା ହେଲା । ମା ସରସ୍ଵତୀ ଗଣେଶଙ୍କୁ କହିଲେ- “ମୋ ଭକ୍ତମାନଙ୍କୁ ଦେଖ କେମିତି ଶାନ୍ତ ସୁଧାର । କେତେ ଭକ୍ତିରେ ମୋତେ ପୂଜା କରୁଛନ୍ତି । ମୋ ଭକ୍ତ ମାନେ ଏଡ଼େ ବୁଦ୍ଧିଆ ଯେ ଆଇ.ଏ. ଏସ, ଆଇ ପି ଏସ, ଇଞ୍ଜିନିୟର ,ଡାକ୍ତର ଭଳି ବଡ଼ ବଡ଼ ଚାକିରୀ କରି ପରିବାର ଓ ଦେଶର ବିକାଶ କରୁଛନ୍ତି । ଆଉ ଦେଖ ତୋ ଭକ୍ତମାନଙ୍କ ଭକ୍ତି । ରାସ୍ତାଘାଟ ଯେଉଁଠି ପାଇଲେ ସେଇଠି ତତେ ରଖି ଉତ୍ପାତ କରୁଛନ୍ତି । ତତେ ପୂଜା କରିବା ବାହାନାରେ ଚାନ୍ଦା ଉଠେଇ ମଦ ମାଂସରେ ଗମାତ କରୁଛନ୍ତି । ସେମାନଙ୍କ ଭିତରୁ ଅନେକ ଶ୍ରୀଅକ୍ଷର ବିବର୍ଜିତ । ଗଜାନନକୁ ପୁଜି ଗଜମୂର୍ଖ ।”

ଗଣେଶ ମୃଦୁ ହସିଲେ । କହିଲେ “ମାତଃ, ଏ ଯେଉଁ ଉତ୍ସୃଙ୍ଖଳ ଯୁବକମାନଙ୍କୁ ଦେଖୁଛନ୍ତି ଏମାନେ ସମସ୍ତେ ମୋର ପ୍ରକୃତ ଭକ୍ତ । ମୋ ନାଁ ରେ ଚାନ୍ଦାଭେଦା କରି ଗମାତ କରୁଥିବା ପିଲାମାନଙ୍କ ଭିତରୁ ଅନେକ ରାଜନୀତି କରିବେ । ସେମାନଙ୍କ ଭିତରୁ କେହି ହୁଏତ ଏ ଦେଶର ମାନ୍ୟବର ମନ୍ତ୍ରୀ ହୋଇପାରନ୍ତି । ଆପଣଙ୍କ ବଡ଼ ବଡ଼ ଅଫିସର ରାତିଦିନ ଲାଗିପଡି ଯେତେ ଫାଇଲ ଚାଷ କଲେ କଣ ହେବ ମନ୍ତ୍ରୀଙ୍କ ଦସ୍ତଖତ ନ ହେଲେ ତାହା ମୂଲ୍ୟହୀନ । ଏଇ ଭକ୍ତମାନେ ପାର୍ଲିଆମେଣ୍ଟରେ ବସି ଆଇନ ତିଆରି କରିବେ । ଚାହିଁଲେ ନିଜ ମୁତାବକ ନିୟମ ପରିବର୍ତ୍ତନ କରିବେ । ତାକୁ ଆପଣଙ୍କ ବିଦ୍ୱାନ ସୁଧାର ଭକ୍ତମାନେ ମାନିବାକୁ ବାଧ୍ୟ । ନିଜ ନିଜ କାମ ପାଇଁ ଆପଣଙ୍କ ତଥାକଥିତ ବଡ଼ ବିଦ୍ୱାନ ଅଫିସର ମାନେ ସକାଳ , ସନ୍ଧ୍ୟାରେ ଏଇ ଭକ୍ତଙ୍କ ଆଗରେ ହାତଯୋଡି ଚାପୁଲିସି କରନ୍ତି ।

ଆପଣଙ୍କ ଭକ୍ତ ଯଦି ବୁଦ୍ଧିଆ ମୋ ଭକ୍ତ ହେଲେ ବୁଦ୍ଧିଆତର, ବୁଦ୍ଧିଆତମ । ଆପଣଙ୍କୁ ମାଲୁମ ଥିବ ମୁଁ କେମିତି ବାବା ମାଆଙ୍କ ଚାରିପଟେ ବୁଲିଆସି କାର୍ତ୍ତିକ ଭାଇଙ୍କଠାରୁ ପୃଥିବୀ ପରିକ୍ରମାର ବାଜି ଜିତିଥିଲି । କାର୍ତ୍ତିକ ଭାଇ ସାରା ବିଶ୍ୱ ମୟୂର ପିଠିରେ ବୁଲି ଧଇଁ ସଇଁ ହୋଇ ପହଞ୍ଚିଲା ବେଳକୁ ମୁଁ ମୋର ବୁଦ୍ଧି ଖଟେଇ ବାବା ମାଆଙ୍କ ଚାରିପଟେ ଘେରାଏ ବୁଲିଆସି ବାଜି ଜିତିଯାଇଥିଲି। ମୋ ଭକ୍ତମାନେ ମଧ୍ୟ ମୋ ଭଳି ଅତି ସୂକ୍ଷ୍ମ ବୁଦ୍ଧିରେ ବଳିୟାନ । ସର୍ଟକଟରେ କିଭଳି ଉଚ୍ଚ ସ୍ଥାନରେ ପହଞ୍ଚିବେ ଏମାନଙ୍କୁ ଜଣା । ଯଦି କେହି ଅଧ୍ୟବସାୟ, ଏକାଗ୍ରତା, ପରିଶ୍ରମ ଭଳି ଶ୍ରୁତିମଧୁର ଶବ୍ଦ ସବୁ ମୋ ଭକ୍ତଙ୍କ ଅଭିଧାନରେ ଖୋଜିବେ ତେବେ ନିରାଶ ହେବା ନିଶ୍ଚିତ। କାରଣ ମୋ ଭକ୍ତଙ୍କ ଅଭିଧାନରେ କପି, ଧରାଧରି, ଗଳିପଶି, ଦିଆନିଆ, ତେଲାତେଲି ଭଳି ଶବ୍ଦ ବହୁଳଭାବେ ଦୃଶ୍ୟମାନ ହୁଅନ୍ତି ।

ତେଣୁ କ୍ଷମା କରିବେ ମାତା ଛୋଟ ମୁହଁ ବଡ଼ କଥାଟିଏ କହୁଛି , ଯେଉଁଠି ନିର୍ବାଚନରେ ନ ଲଢ଼ି ଜଣେ ପ୍ରଧାନମନ୍ତ୍ରୀ ହେଇପାରୁଛି, ନିର୍ବାଚନରେ ହାରି ଜଣେ ମୁଖ୍ୟମନ୍ତ୍ରୀ ହେଇପାରୁଛି ବିନା ପାଠ ପଢି ଜଣେ ପରୀକ୍ଷାରେ ପ୍ରଥମ ହେଇପାରୁଛି ସେଠି ଜାଣିବେ ସଫଳତାର ସର୍ଟକଟ୍ ବାଟ ଦେଖାଇଦେଉଥିବା ସେହି ଚତୁର ପ୍ରାଣୀ ହେଲା ଏଇ ସର୍ବବିଘ୍ନ ବିନାଶକ ଗଣେଷର ପ୍ରକୃତ ଭକ୍ତ । ଏ ଅଧ୍ୟବସାୟ, ପରିଶ୍ରମ ଧୈର୍ଯ୍ୟ ଭଳି ବହି ପାଠର ଆଵଶ୍ୟକତା ନାହିଁ । ଯିଏ ନିଜର ସୂକ୍ଷ୍ମ ବୁଦ୍ଧି ଖଟେଇ ଯେତେ ସର୍ଟକଟ୍ ରାସ୍ତା ଆପଣେଇ ପାରିଲା ସେ ସେତିକି ଉନ୍ନତି କରିଲା ।”

ସବୁ ଶୁଣିସାରିଲା ପରେ ମାଆ ସରସ୍ୱତୀ ମନ ଦୁଃଖରେ କହିଲେ “ହଁ ରେ ଗଣିଆ ତୁ ଯାହା କହିଲୁ ସେଇଟା ହିଁ ସତ୍ୟ । ଆଜି ବୁଝୁଛି, ଯୁଗ ଉପଯୋଗୀ ବୁଦ୍ଧି ନହେଲେ ଜଣେ ପଛୁଆ ରହିଯିବ । ଚାରି ମୁଣ୍ଡିଆ ବ୍ରହ୍ମାଙ୍କ ସାନିଧ୍ୟରେ ରହି ଆମ ବୁଦ୍ଧି ବି ସବୁ ପୁରୁଣା କାଳିଆ ହେଇଗଲାଣି । ସନ୍ତୋଷି ମା, ଖୁଦୁରୁକୁଣୀ ,ଗୋଜବାୟଣୀଙ୍କ ଭଳି ଏବେକାର ଠାକୁରାଣୀମାନଙ୍କ ଖାତିର୍ କାହିଁରେ କ’ଣ । ଗୋଜବାୟଣୀଙ୍କ ମନ୍ଦିରରେ ଆମ ଭଳି ପୁରୁଣା କାଳିଆ ଠାକୁର ଠାକୁରାଣୀ ଏବେ ପାର୍ଶ୍ୱ ଦେବୀ ନଚେତ ଦ୍ୱାରପାଳ ଦେବତା । ସେତିକିରେ ରହି ସବୁ ସହି ଯାଉଛୁ ବୋଲି ଜାଣ ଭୋଗ ଟିକେ ମିଳୁଛି ନଚେତ ତା ପାଇଁ ବି ହାତ ପତେଇବାକୁ ପଡ଼ନ୍ତା । ମୋ ଭାଗ୍ୟ ଭଲ ତୋ ପୂଜା ଓ ମୋ ପୂଜା ଦିନ- ତିଥି ସବୁ ଅଲଗା ତାରିଖରେ ପଡୁଛି ନଚେତ ତୋ ପୂଜା ପାଇଁ ଦିନକୁ ଦିନ ଯେମିତି ଭକ୍ତଙ୍କ ସଂଖ୍ୟା ସହ ପେଣ୍ଡାଲ ତୋରଣ ଆକାର ବଢୁଛି ମୋ ପେଣ୍ଡାଲ ପାଇଁ ଇଞ୍ଚେ ଜାଗା ମିଳିବା ମୁସ୍କିଲ ହୁଅନ୍ତା ।”

ଗଣେଷ ମାତାଙ୍କୁ ଭରଷା ଦେଇ କହିଲେ- “ବ୍ରହ୍ମାଙ୍କୁ କହି ଏ ପୁରୁଣା ବୀଣା ବଦଳରେ ଗୋଟେ ଆଧୁନିକ କି ବୋର୍ଡ କିମ୍ବା ଭଲ ସିନ୍ଥେସାଇଜ଼ର୍ ଆଣନ୍ତୁ । ବର୍ଷ ବର୍ଷ ଧରି ବୀଣାରେ ସଙ୍ଗୀତ ରିୟାଜ କରିବାକୁ କାହାପାଖରେ ସମୟ ଅଛି । ସିନ୍ଥେସାଇଜ଼ର୍ରେ ସ୍ୱିଚ ଟିପିଲେ ଶହେ ପ୍ରକାର ବାଦ୍ୟ ବାଜିବ । ସକାଳେ ଗୁଣୁଗୁଣୁଇଲେ ସନ୍ଧ୍ୟାରେ କ୍ୟାସେଟ ରେଡି । ଆଜିର ଗୀତରେ ନବମ ଶ୍ରେଣୀ ଛୁଆର ଛାତିକୁ ସାହିତ୍ୟ ଦିଦି ଯେତେଜୋରରେ ହିଟ୍ କରୁଛନ୍ତି ଭୀମସେନ ଯୋଶୀ କି ଭୁବନେଶ୍ଵରୀ ମିଶ୍ର ଜୀବନବ୍ୟାପୀ ସାଧନା କରି ସେତିକି ଜୋରରେ ହିଟ୍ ହେଇନଥିବେ । ଯଦି ଭକ୍ତଙ୍କ ମାନସପଟରେ ରହିବାକୁ ଚାହାଁନ୍ତି ତେବେ ନିଜକୁ ଯୁଗୋପଯୋଗୀ କରନ୍ତୁ ।”

ସରସ୍ୱତୀ ଏକ ଦୀର୍ଘନିଃଶ୍ୱାସ ଛାଡି କହିଲେ- “ସତରେ ବିଘ୍ନ ମୁଁ ଆଜି ଜାଣିଲି ଯୁଗକୁ ଚାହିଁ ଭକ୍ତ ନବଦଳେଇଲେ ନିଜ ସ୍ଥିତି ରହିବ ନାହିଁ। ତେତିଶ କୋଟିଙ୍କ ଭିତରୁ ଏବେ ହାତ ଗଣତି ଦେବା ଦେବୀଙ୍କୁ ଛାଡିଦେଲେ ଆଉ କାହାର ଅତାପତ୍ତା ନାହିଁ । ତୁ ଆଜି ମୋ ଆଖି ଖୋଲିଦେଲୁ । ସର୍ଟ କଟ୍ ରାସ୍ତା ନ ଆପଣେଇଲେ ମୋର ପୂଜା ତ ଛାଡ଼ କେଉଁ ବିଡି କମ୍ପାନୀ କ୍ୟାଲେଣ୍ଡରରେ ବି ମୋ ଫୋଟ ଦେଖିବାକୁ ମିଳିବ ନାହିଁ । ତୁ ଜିତିଲୁ ମୁଁ ହାରିଲି ।”

ଏହି ସମୟରେ ପାଖ କୌଣସି ଦେବାଳୟ ଲାଉଡସ୍ପିକରରୁ ନନାଙ୍କ ମନ୍ତ୍ରୋଚ୍ଚାରଣ ଭାସି ଆସୁଥିଲା ‘ଓଁ ସର୍ଟ୍ କଟ୍ ଦେବାୟ ନମଃ ।’

——
ବନମାଳୀ ଭବନ, ଖାନ ନଗର, କଟକ
ମୋ: ୯୪୩୭୦୧୦୭୫୮