Latest Odisha News

BREAKING NEWS

ଭିକମଗା କଥା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା

ଗଲା ସୋମବାରଦିନ ସାବୀ ଭିକାରୁଣୀ ତା ‘ପାଖରେ ବସିଥିବା ସଦାକୁ ଯୋଉ ଜ୍ଞାନଗର୍ଭକ କଥା କହୁଥିଲା, ତାହା ଏମିତି ସେମିତିଆ କଥାନୁହଁ । ସେଇକଥାରେ ଗଭୀରତା ଥିଲା l କହିଲା.. ଜାଣିଲୁରେ ସଦା ! ଆଜିକାଲି ଆମକୁସିନା ଲୋକେ ଭିକମଗା ବୋଲି ଛିଃ ଛାକରକରି କେତେକଥା କହି ଗାଳି ଦେଉଛନ୍ତି, ଦୁଆରୁ ଫେରେଇଦେଉଛନ୍ତି । ତେଣୁ ଆମେଆସି ଦେଉଳ ଦୁଆରେ ବସି ଦରଦଭରା ଭକତଙ୍କ ହାତଟେକା ଦାନକୁ ଚାହିଁ ବସିଛୁ, ହେଲେ ତେଣେ କେତେଯେ ନକଲି ଭିକାରି ଭରିଗଲେଣି.. ତାହା କଣ କାହା ନଜରରେ ପଡୁନି ?

ଆମକୁ କିଏ ଟଙ୍କେ ଦି’ଟଙ୍କା କି ମୁଠାଏ ଚାଉଳ ଦେଲେ ବାଧିଯାଉଛି ।nମାତ୍ର ତେଣେ ଏଇ ନକଲି ଭିକାରିଙ୍କ ଅଣ୍ଟିରେପରା କୁଢ଼ କୁଢ଼ଟଙ୍କା କୁଢେଇଦେଇ ଖୁସିହେଉଛନ୍ତି । ମୁଁ ଭାବୁଛି ସେଇମାନଙ୍କ ସକାଶେ ଆମର ମହତ୍ତ୍ୱ ଲୋକେ ବୁଝୁନାହାନ୍ତିରେ । ଆଗରୁ ଲୋକେ ଭିକାରିଙ୍କୁ ଦାନ ନଦେଲେ ଭୋଜନ କରୁନଥିଲେ ।  ଆମକୁ ଦରିଦ୍ର ନାରାୟଣ ବିଚାରକରି ଅନ୍ନ ଭୋଜନ, ଧନଦାନ, ବସ୍ତ୍ରଦାନକରି ପୂଣ୍ୟ ଅର୍ଜୁଥିଲେ ।  ଆଗ ଦାନଦେଇ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କୁ ଦର୍ଶନ, ପୂଜା କରୁଥିଲେ । ହେଲେ ଏବେ ମତେ ଲାଗୁଛି.. ଅପାତ୍ରରେ ଦାନ ବେଶି ହେଉଛି । ଆଜିକାଲି ଯାହାର ଯେତେ ଧନ ଦରବ ବଢୁଛି, ତା’ର ସେତେ ଲୋଭ ବଢୁଛି । ସେଇମାନେ ବେଶି ବେଶି ମାଗୁଛନ୍ତି । ତାଙ୍କ ମାଗିବା ଦିଶୁନି! ଆଉ ଆମେ ମାଗିଲେ ସମସ୍ତଙ୍କ ଆଖିକି ଦିଶୁଛି । ଇଜ୍ଜତ ମହତ ପଳଉଛି ।  କୁଆଡେ ରାଇଜର ନିନ୍ଦାହେଉଛି ବୋଲି ଆମଭଳି ଭିକାରିଙ୍କୁ ତଡିବାପାଇଁ ଯୋଜନା ଚାଲିଛି ।

ଆମର ଏ ଭିକ୍ଷାମାଗିବା ପ୍ରଥା ପରା କୋଉ ପୁରୁଣା ଯୁଗରୁ ଚଳିଆସୁଛି । ରାବଣ କଥା କହୁନୁ,. ସେ ଏଡ଼େବଡ଼ ଲଙ୍କାର ରାଜାହେଇ ଭିକାରିବେଶରେ ସୀତାଙ୍କୁ ଭିକ ମାଗିଲା ।  ଧନୀ ଗରୀବ ଭକତଗଣ ମହାପ୍ରଭୁଙ୍କୁ କେତେକଣ ମାଗୁଛନ୍ତି । କିଏ କହିଲାଣି ସୁନ୍ଦରୀ ଗୁଣର ଭାରିଯା ଦିଅ ତ କିଏ କହିଲାଣି ସୁନ୍ଦର ପୁଅ ତ କିଏ ଧନୀ ଡଉଲ ଡାଉଲ ଜ୍ୱାଇଁ ଦିଅ । କିଏ ମାଗୁଛି.. ଧନ ସମ୍ପତ୍ତି କୋଠାବାଡ଼ି ତ କିଏ ମାଗୁଛି ମଟର ଗାଡି । କିଏ ସରକାରୀ ବଡ଼ ଚାକିରୀ ତ କିଏ ପ୍ରମୋସନ, ପଦ ପଦବୀ । ମରାଠୀ ଛତ୍ରପତି ଶିବାଜୀ ମହାରାଜା ତ ପୁଣି ଗୁରୁ ରାମଦାସଙ୍କ ଆଦେଶରେ ହାତରେ ଭିକ୍ଷାଝୁଲି ଧରି ଦୁଆର ଦୁଆର ବୁଲି ଭିକ ମାଗିଥିଲେ ।  ପୁରାଣକାଳରେ ଗୁରୁଙ୍କ ଆଦେଶରେ ସାଧୁ ସନ୍ୟାସୀ ଗୃହସ୍ଥ ଦୁଆରେ ଭିକ୍ଷାମାଗିବାର ନୀୟମଥିଲା l ସେମାନେ ଭଲରେ ବୁଝିଥିଲେ.. ଭିକମାଗିଲେ ଗର୍ବ ଅହଂକାର ନଷ୍ଟହୁଏ.. ଦାନଦେଲେ ପୂଣ୍ୟହୁଏ । ଆଉ ଆମେ ମାଗିଲେ କଣ ଏମିତି ମାନ ମହତ ପଳଉଛି ? କିହୋ ! ଆମେ କଣ ମୋଫତରେ ଭିକମାଗୁଛୁ ? ତମରି ଭଲପାଇଁ ମଙ୍ଗଳହେବାକୁ.. କଇଲାଣ କରିବାକୁ ମାଗୁଛୁ । କୁଢ଼ କୁଢ଼ ଆଶୀର୍ବାଦ ବି ତମକୁ ଦଉଛୁ । ତମରି ପିଲାଛୁଆ ଭଲରେ ରହନ୍ତୁବୋଲି ତମ ଦାନ ସାଙ୍ଗରେ ଶୁଭକାମନା ଦେଉଛୁ ନା! ଯେତେବେଳେ ଭୋଟ ବେଳ ଆସୁଛି, – କେତେ କେତେବଡ ନେତା, ମନ୍ତିରୀ, ଘର ଘରବୁଲି ମୁଣ୍ଡିଆମାରି, ଧନୀ ଗରିବ ବାଛବିଚାର ନକରି ଭୋଟ ଭିକ୍ଷା କରୁଛନ୍ତି । କେତେ କେତେ ଅଫିସିରେ ବଡ଼ଅଫିସରଠୁ ତଳିଆ ପିଅନଯାଏ ତ ମାଗୁଛନ୍ତି l ଟୋକମାନେ ଝିଅଙ୍କୁ ତ ପୁଣି ଝିଅମାନେ ପୁଅଙ୍କୁ ପ୍ରେମଭିକ ମାଗୁଛନ୍ତି । ପୁଅ ଝିଅମାନେ ବାପକୁ ଟଙ୍କା, ଡ୍ରେସ ମାଗୁଛନ୍ତି ତ ସ୍ତ୍ରୀ ମାଗୁଛି ସ୍ୱାମୀକୁ.. ଶାଢ଼ୀ, ସୁନା ଅଳଙ୍କାର । ନିଶାଖିଆଦଳ କେତେ ବାହାନାକରି ଘରେ ବାହାରେ ହାତପତେଇ ଦେ ଦେବୋଲି ଟଙ୍କା ମାଗୁଛନ୍ତି ।  ସଦା ରେ ! ତୁ ଟିକେ ବିଚାର କରରେ… ଏମାନେ କୋଉବାଗିଆ ଭିକାରି ! ଯଦି ଦୁନିଆଁରେ ଏତେ ପରକାରେ ଏତେ ଭିକାରି ଅଛନ୍ତି, – ତେବେ ଭିକାରି ନିରିମୂଳ ଯୋଜନା ସଫଳ ହବ କେମିତି ?

ଆଜିକାଲି ଆଉକେତେ ପ୍ରକାରିଆ ଭିକାରି ଜନ୍ମିଲେଣି । ସେମାନେ ଫୋନରେ କଲକରି ତେଲେଇ, ମଧୁରକଥାରେ ଫସେଇ ଲାକ୍ଷେ ଲାକ୍ଷେଟଙ୍କା ମାଗିନେଉଛନ୍ତି ତ କିଏ ନିଜକୁ ଦୁର୍ଦାନ୍ତିଆ ଦାଦା କହି ଧମକେଇ ମୋଟାଟଙ୍କା ବଟି ଚନ୍ଦେଇଲେଣି । ଆଉକିଏ ଅମକେଇ କାମ, ସମକେଇ ଫାଇଦା କରେଇଦେବି କହି ଆଧାରକାର୍ଡ, ବ୍ୟାଙ୍କଖାତା ନମ୍ବର ମାଗି ସବୁ ପାଣ୍ଠି ହଡପକରି, ଥିଲାବାଲାଙ୍କୁ ବଡଦାଣ୍ଡର ଭିକାରି କରେଇ ଛାଡ଼ୁଛନ୍ତି l ଏମିତିକା କାମ ମୁରୁଖ କରୁନାହାନ୍ତି, ବରଂ ଢ଼େରେ ଶିକ୍ଷିତ ଭେଣ୍ଡିଆ ପୁଅ ଝିଅ କରୁଛନ୍ତି । ଗୋଟେ ଭେଣ୍ଡିଆ ଭିକାରି ଥରେ ତା ଦୁଃଖକଥା କହି ଏମିତି କାନ୍ଦିଲାଯେ, ମୁଁ ଭିକାରୁଣୀ ହେଇବି ମୋ ଥାଳରୁ ଚାରିଶହ ଟଙ୍କା ଦାନ କରିଦେଲି । ତା ପ୍ରେମିକା ଫସେଇ ଲକ୍ଷ ଲକ୍ଷଟଙ୍କା ତା ‘ଠୁ ନେଇ ଛୁ ମାରିଲା ପରେ.. ସେ ଶିକ୍ଷିତ ଭିକାରି ବନିଗଲା । ତାକୁ ଦାମିକା ଡ୍ରେସ, ଦାମୀ ଜୋତା ପିନ୍ଧେଇ ନିଜେ ଚିରାଫଟା ପୋଷାକକୁ ଛିଣ୍ଡା ଚପଲ ପିନ୍ଧିଲା । କିଏ କାହା ଘରଣୀକି ଫସେଇ ସପନଦେଖେଇ ତା ପରିବାରକୁ ଭିକାରି କଲାଣି ତ କୋଉଠି ବେପାର ବୁଡିଯିବାରୁ, ଦୋକାନ ଭଙ୍ଗାହେବାରୁ ଭିକ୍ଷାଥାଳି ଧରି ବୁଲିଲେଣି ।

ଦେଖୁନ ! କେମିତି ରୁଷିଆ- ଯୁକ୍ରେନ.. ଦେଶ ଦେଶ ଭିତରେ ଆପଣା ବଡ଼ପଣ ବାଜା ବଜେଇବାକୁ ଲଢେଇକରି, ଘରଦୁଆର ଛାରକାର କରି ଏତେ ଧନ ସମ୍ପତ୍ତି ଛାଡି ଜୀବନବିକଳେ ଅନ୍ୟ ଦେଶରେ ଶରଣାର୍ଥୀ ହୋଇ ଭିକମାଗିଲେଣି ହଜାର ହଜାର ଲୋକ ।

ପେଟ ପୋଡ଼ିଗଲେ, ମଣିଷ ତ ମଣିଷ… ପଶୁ ବି ତା ‘ ମାଲିକକୁ ବୋବାଳିଛାଡି, ମୁଣ୍ଡହଲେଇ ଖାଇବାକୁ ମାଗୁଛନ୍ତି ।

ସବୁ ଶୁଣି ସଦା କହିଲା… ଲୋ ସାବୀ ! କେତେ କଣ ଗବେଷଣାକରି କହୁଛୁ ତ ଭାବି ଭାବି! ଏବେ ମୋ କଥା ଟିକେ ଶୁଣ, କେମିତି ଭଲ ଚାଷୀରୁ ମୁଁ କେମିତି ହେଲି ଭିକାରି । ତୁ ତ ଜାଣିଛୁ.. ଆଜିକାଲି ଯୋଉ ଚାଷହେଉଛି, ତାକୁ ମୁଁ ବିହନବୁଡ଼ା ଚାଷ କହୁଛି ।  ଅମଳ ଚାଷରୁ କୋଉ ଚାଷୀ ଆଉ ବିହନ ରଖୁନାହାନ୍ତି । ରଖିଲେବି ସେଇ ମଞ୍ଜି ବା ବିହନରୁ ଆଉଥରେ ଚାଷ ହେବନି ।  ଯେମିତି ଫାରମ କୁକୁଡ଼ା ଅଣ୍ଡାରୁ ଛୁଆ ହୁଏନି । ତେଣୁ ଆମେ ବିହନଗଣ୍ଡେପାଇଁ କୋଉ କମ୍ପାନୀ ଦ୍ୱାରା ସରକାର କିଣିଲେ, ଆମକୁ କୃଷି ଅଫିସ ନଲେ ବ୍ଲକ ଅଫିସ ଧାଇଁ ଧାଇଁ ଯୋଉ ବିହନଗଣ୍ଡେ ପାଉ, ସେଥିରେ କେତେବେଳେ ଗଛ ଉଠୁନି ତ କେବେ ଗଛହେଲେବି ଫଳ ଧରୁନି । କେତେବେଳେ କୋଉ ପୋକ ଖାଇଗଲାଣି ତ କେବେ ବଢ଼ି, ବାତ୍ୟା, ମରୁଡି ଫସଲ ଉଜାଡିଦେଲାଣି । ସାହୁକାର କରଜ କେଇବରଷରେ ସୁଝି ନପାରିଲେ କି ଆଉଥରେ ବିହନ, ସାର, ମୁଲିଆ ମଜୁରୀଦେଇ ଚାଷପାଇଁ ବଳ ନଥିଲେ, ଜମିବାଡ଼ି ବିକି, କରଜ ସୁଝି ତୋରିପରି ଭିକମାଗିବାକୁ ପଡୁଛି । ମୋ ଅବସ୍ଥା ସେଇଆ । ଯେତେସବୁ ଯୋଜନା, ବେଶି ନକଲି ଚାଷୀ ଫାଇଦା ଉଠାଉଛନ୍ତି l ଯେମିତି ଆବାସ ଯୋଜନାରେ ଭଙ୍ଗାଘର ବା ବାସହରା ଵାଲା ନପାଇ ବେଶି ଥିଲାଵାଲା ଉପକୃତ ହେଉଛନ୍ତି । ତେଣେ ଦଳ ଦଳ ଭିତରେ ଚୁଟି ଧରାଧରି.. ଟଣା ଓଟରା ହଉଛନ୍ତି । ଅସଲ ପାଇବାଲୋକ ମାଗି ମାଗି ନିରାଶରେ ଲୁହ ଗଡାଉଛନ୍ତି ।

ଖାଲି କଣ ସେତିକି, ଦେଖୁନ ! କୂଟନୀତିଆଙ୍କ ଫାସରେ ପଡ଼ି ସୁଖରେ ଚାଲିବାକୁ ଭାରତଠାରୁ ପାକିସ୍ଥାନ ଅଲଗାହେଲା – ଯେମିତି ଭାଇ ଭାଇ ଭିନ୍ନ ହେଲାପରି l କିନ୍ତୁ ସେଇ ଦେଶର ଏମିତିକା ଅବସ୍ଥାଯେ ତାଙ୍କ ମୁଖିଆ ଏବେ ଭିକାରିଭଳି ବାରଦେଶ ବୁଲି ଟଙ୍କା, ଖାଦ୍ୟ, ତେଲ ମାଗିବୁଲୁଛନ୍ତି ।  ତା ଅବସ୍ଥାଦେଖି ପ୍ରକୃତି ଜାଣି ଅନ୍ୟଦେଶ ମୁହଁ ମୋଡ଼ୁଛନ୍ତି । ସେମିତି ସୁବର୍ଣ୍ଣ ଶ୍ରୀଲଙ୍କା ଅବସ୍ଥା ତ ଆହୁରି ଖରାପ.. ଭିକାରିଠୁ ହୀନ । ତେବେ ଏମିତିକା ହେଲେ, ଏ ସାରା ସଂସାରରୁ କେମିତି ଭିକାରିଶୂନ୍ୟ ହେବ ?

ମତେ ଲାଗୁଛି ଯେବେ ମଣିଷ ମାଗଣାଖିଆ.. ମାଗିଖିଆ ବୁଦ୍ଧି ଛାଡି, ଖଟିଖାଇବାର ଉପାୟ ପାଇବେ, ଥିଲାଵାଲା ଆପଣା ସ୍ୱାର୍ଥ ଛାଡି, ନଥିଲାଵାଲାଙ୍କୁ ବଞ୍ଚେଇବାର ବୁଦ୍ଧି ଧରିବେ, ବିବେକ ବୁଦ୍ଧିରେ ଅସଲ ଧର୍ମର ମହତ୍ତ୍ୱ ବୁଝିବେ, ସ୍ୱାବଲମ୍ବୀ ହେବାକୁ ଚେଷ୍ଟାକରିବେ… ତେବେ ସାରା ପୃଥିବୀରୁ ଭିକ୍ଷାବୃତ୍ତି ହଟିବ ।

ଚାଲେ ସାବୀ! ତୋର ମୋର ଆଜିଠୁ ଏଇ ଭିକମଗା ଛାଡି କିଛି କିଛି ଟଙ୍କା ମିଶେଇ କିଛି ବେପାର ବୁଲି ବୁଲି କରିବା l ସାବୀ ଭାବି ଭାବି କହିଲା… ତୋ କଥାଟା ମୋ ମନକୁ ପାଇଲା ।

Leave A Reply

Your email address will not be published.