ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା
ବାଇଧର ଜେଜେ ଜମାରୁ ବାଜେ ଚିନ୍ତା ନକରି ସବୁବେଳେ ସମାଜର ହିତ ଚିନ୍ତା କରନ୍ତି । ଅବାଟରେ ଯାଇ ଅବାଗିଆ କାମକରି ନାଁ ପକାଉଥିବା ଯୁବଗୋଷ୍ଠୀଙ୍କ ପଥ ଓଗାଳି କେମିତି ଭଲବାଟକୁ ଅଣେଇବେ, କଳିଗୋଳ ନକରି ସମସ୍ତେ ସମସ୍ତଙ୍କୁ ଭଲପାଇ ଦୁଃଖରେ ସାହା ଭରସା ହେବେ, ପର ହିଂସା ବାଦ ଭୁଲି ପରସ୍ପର ମଙ୍ଗଳ ପାଇଁ ମନଦେବେ, ଏଇସବୁ ଭାବନା ମନରେ ମନ୍ଥନ କରୁଥାନ୍ତି । ବହୁ ଚିନ୍ତାକରି ଜାଣିଲେ.. ସବୁରି ମୂଳରେ ଶିକ୍ଷା । ଶିକ୍ଷା ଯେତେବେଳେ କୁଶିକ୍ଷା ଆଡକୁ ଯାଏ, ସେତେବେଳେ ସତଶିକ୍ଷା ଜରୁରୀ ହୋଇଯାଏ । ଆଜିକାଲି ଶିକ୍ଷାନୁଷ୍ଠାନରେ ପାଠବହି ଛଡା ନୈତିକ ଶିକ୍ଷା ମିଳୁନି । ପର ଦୁଖେ ମୋ ପରାଣ କାନ୍ଦୁ.. ପରୋପକାରେ ପର ସେବାରେ ମୋ ଜୀବନ ଯାଉ, ଏମିତିଆ ପ୍ରାର୍ଥନା ଗାନ କି ଶିକ୍ଷାଦାନ ମିଳୁନି । ବରଂ ପର ଧନ ଅପହରଣରେ ବେଶି ମନ ବଳୁଛି l କୋଉଠି ଶିକ୍ଷକ ନାନା ପ୍ରକାର ନାଁ ପକା କାମକରି ଗୁରୁକୁଳ ତଥା ଶିକ୍ଷାବିଭାଗର ବଦନାମ କରାଉଛନ୍ତି । ସେଇଠି ଆପେ ଚୁପହୋଇ ନବସି କିଛି ମହତକାମରେ ମନବଳେଇବା ଭଲ । ତେଣୁ ବାୟା ଜେଜେ ସାରା ଜୀବନର ମେହେନତି କମେଇର ସଞ୍ଚିତ ଧନ ବିନିମୟରେ କିଛି ଭଲକାମ କରିବାର ସଂକଳ୍ପ କଲେ । ମଲାପରେ ସାଙ୍ଗରେ ଧନ ଯାଏନି.. ଯାଏ କର୍ମଫଳ । ତେଣୁ ତାଙ୍କ ଅଞ୍ଚଳ ଲୋକଙ୍କୁ ଜାଗ୍ରତ କରିବାକୁ ନିଜ ଗାଁ ରେ ଆରମ୍ଭକଲେ ସପ୍ତାହବ୍ୟାପି ଭାଗବତ ପରାୟଣ । ହାତରୁ ପଇସା ସାରି ମାଇକିରେ ପ୍ରଚାର କଲେ । ପୋଷ୍ଟର ଛାପି ମାରିଲେ । ଲେଖି କହିଲେ ଯେ “ଆସନ୍ତା ଶନିବାର ଠାରୁ ଶୁକ୍ରବାର ଯାଏ ଭାଗବତ ସପ୍ତାହ ଓ ସନ୍ଥ ମହାରାଜ ଦିବ୍ୟାନନ୍ଦଙ୍କ ଦିବ୍ୟ ପ୍ରବଚନ ସାଙ୍ଗକୁ ମାଗଣାରେ ଦିବ୍ୟ ଭୋଜନର ସୁଯୋଗ ନିଅନ୍ତୁ । ପୋଷ୍ଟର ତଳେ ଲେଖିଲେ ସପ୍ତାହକ ପାଇଁ ଆମିଷ. ହିଂସା ବାଦ କଳିକରିବା ନିଷେଧ । ଯେମିତି ସ୍କୁଲରେ ଉପସ୍ଥାନ ବଢିବାକୁ ମାଗଣା ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଛି.. ଠିକ ସେମିତି ଅନ୍ନଦାନ ବ୍ୟବସ୍ଥା ।
ଢ଼େରେ ଟଙ୍କା ଖରଚାକରି ପରାୟଣ ପ୍ରବଚନ ଚାଲିଲା । ଯଦିଓ ପ୍ରବଚନ ମଣ୍ଡପ ଠାରୁ ଭୋଜନ ମଣ୍ଡପ ପ୍ରବଳ ଭିଡ଼ ହେଉଥିଲା. ତଥାପି ତିନିଦିନ ଯାଏ ସବୁ ଠିକ ଠାକ ଚାଲିଲା । ଆଶା ଓ ବିଶ୍ୱାସ ଥିଲା ଅଧିକରୁ ଅଧିକ ଲୋକ ପ୍ରବଚନ ଶୁଣି ଆପଣା ବଚନ ମଧୁରକରିବେ । ନିଷ୍ଠୁର ଗୁଣ ଛାଡି ଇଷ୍ଟଙ୍କ ଠି ନିଷ୍ଠାରଖି ପରହିତରେ ମନଦେବେ । ହେଲେ ଚତୁର୍ଥଦିନ ସବୁ ଭାବନାରେ ପାଣି ପଶିଗଲା । ହଠାତ ନେତୀ ନାନୀ ଓ ପିତେଇ ଖୁଡୀଙ୍କ ଭିତରେ ପ୍ରବଳ ଝଗଡା ଆରମ୍ଭ ହେଇଗଲା ।
କଳିହୁଡ଼ି ନେତୀ ନାନୀ ସବୁଦିନ କାହାସହ ଝଗଡା ନକଲେ, ତା ପେଟର ବଗଡ଼ା ଭାତ ଜୀର୍ଣ୍ଣ ହୁଏନି କି ତା ପିନ୍ଧା ଲୁଗା ଚିରେନି ତିନି ଦିନ ହେଲା କାହାସହ କଳି ନକରି ତା ତୁଣ୍ଡ ଗନ୍ଧେଇଲାଣି.. ମୁଣ୍ଡ ବିନ୍ଧିଲାଣି । ଆଉ ସମ୍ଭାଳି ନପାରି ତା ଘର ଅଳିଆତକ ନେଇ ପିତେଇ ଖୁଡୀ ଅଗଣାରେ କୁଢେଇଦେଲା । ବିଚରା ଖୁଡୀ ଧର୍ମ ପ୍ରବଚନ ଶୁଣି ଧର୍ମ ଭାବନାରେ ଧର୍ଯ୍ୟ ଧରି ଅଳିଆତକ ନିଜହାତରେ ସଫାକଲା । ନେତୀ ମନେ ମନେ ଭାବିଲା.. ଏଁ! ଇଏ କଣ ମତେ କିଛି କହିଲାନି । ହେଲେ କେମିତି ଝଗଡା କରିବ? କଣ୍ଟାବାଡ଼ରେ ଲୁଗା ପକେଇ କଳି କରିବା ତା’ର ଦୀର୍ଘଦିନର ସଂସ୍କାର । ପିତେଇ ଖୁଡୀ କେତେବେଳେ ପଦାକୁ ବାହାରିବ ଅନେଇଥାଏ । ଭଡ଼େ ଦାଣ୍ଡକୁ ଭଡ଼େ ବାରିକି ଧାଉଁଥାଏ । ଖୁଡୀ ଯେମିତି ଦାଣ୍ଡକୁ ବାହାରିଲା, ତାକୁ ଦେଖି ନେତୀ ନାନୀ ଜୋରେ ଖଣ୍ଡି କାଶ ମାରିଲା । ଯେମିତି ଖୁଡୀ ତା ମୁହଁକୁ ଅନେଇଦେଇଛି.. ସେଇଠୁ ଆରମ୍ଭକଲା ନେତୀ ନାନୀ —
–ହାଇଲୋ ବୁଢ଼ୀ ମାଙ୍କେଡୀ ! କିଆଁ ମତେ ଏଡ଼େ ଏଡ଼େ ଆଖିକରି ଅନେଇଲୁ ଲୋ ?
–ମଲା ! ମୁଁ କିଆଁ ତେତେ ଚାହିଁବି ଲୋ? ମୋର କଣ ବୁରୁତ ସରୁନି ନା ମୋ ଭାତ ହଜମ ହଉନି ଯେ… ତୋ ସହ ପାଟିକରିବି ? ଚୁପ ରହ ।
–ଆଲୋ ହେ! ତୁକିଏ ମତେ ଚୁପ କରେଇବାକୁ? ହାଇଲୋ ହନୁମୁହିଁ.. ହେ ପୁତୁଖାଇ.. ହେ ଛତର ଖାଇ.. କଣ ମୋ କଥା ଶୁଭୁନି? ତୋ କାନ ଫୁଟି ଯାଇଛି? ତୁ କିଏ ମତେ କହିବାକୁ ?
ବିଚରା ପିତେଇ ଖୁଡୀ ସହେ କେତେକେ ? ଆରମ୍ଭକଲା.. ଆଲୋ ହେ ଛୋଟଲୋକଘର ଝୁଅ.. ହେ ହାଣ୍ଡିଖାଇ.. ହେ ବାଟହଗୁରୀ .. ହେ ବଂଶ ଖାଇ ! ମରୁନୁ ତୁ, ଇତ୍ୟାଦି….
ଏ କଥା ଶୁଣି ନେତୀ ଡାକଛାଡିଲା ତା ଗିରସ୍ତକୁ.. ଆରେ ହେ ମାଇଚିଆ? ଘର ଭିତରେ କଣ ପଶିଚୁ.. ପଦାକୁ ବାହାରି ଆ..।
ଏଥର ଉଭୟଙ୍କ ପତି ପରମେଶ୍ୱର, ପତ୍ନୀଙ୍କ କୁହାଟରେ ଦାଣ୍ଡରେ ହାଜର । ଚାଲିଲା ପାଟି ତୁଣ୍ଡ । ନିଜ ନିଜ ପିଲାମାନେ ଅଣ୍ଟାରେ ଲୁଗା ଭିଡି ଆରମ୍ଭକଲେ ମାଡ଼ଗୋଳ । ପାଖରେ ମଣ୍ଡପରେ ପ୍ରବଚନ ଶୁଣୁଥିବା ଶହେ ଦେଢ଼ ଶ ‘ ମାଇପି ମରଦ ପାଟି ଶୁଣି ଧାଇଁଲେ । କିଏ ପିତେଇ ଖୁଡୀ ପଟିଆ ତ କିଏ ନେତୀ ନାନୀ ସପକ୍ଷରେ ଯୁକ୍ତିତର୍କ ପିଟା ପିଟି ଜମେଇଲେ । ମାଡି ଆସିଲେ ମଣ୍ଡପଆଡକୁ। କିଏ ମାଇକି ଷ୍ଟାଣ୍ଡ ଧରି ଧାଇଁଲା ତ କିଏ ଚେୟାର ଧରି ଫିଙ୍ଗି ପିଟିଲା । ମୂଳକାରଣ ନବୁଝି ଥୋଡେ ହାତ ସୁଖ କରିଚାଲିଲେ । ଫିଙ୍ଗା ଫୋପଡ଼ା କଲେ , ଯେମିତି ଆମ ଦେଶରେ କିଛି ନବୁଝି ହୋ ରେ ମାତି ଟେକା ପଥର ମାଡକରନ୍ତି । ଆଉ ଦଳେ ଭଲ କଥା ଭାବିବା କରିବାକୁ ସମୟ ସିନା ନଥାଏ , ହେଲେ କୋଉ ସ୍ୱାମୀ -ସ୍ତ୍ରୀ କଳିରେ ମୁଣ୍ଡ ପୂରେଇ ଯେମିତି ସମୟ ବର୍ବାଦ କରନ୍ତି । ମାନସିକ ଅଶାନ୍ତି ଶରୀର ପୀଡାକୁ ହୁଇସିଲ ମାରି ଡାକିଥାନ୍ତି । ତେଣେ ପାଟି ତୁଣ୍ଡ ମାଡ ଗୋଳ ମଞ୍ଚଯାଏ ମାଡି ଆସିବାରୁ ସାଧୁ ଦିବ୍ୟାନନ୍ଦ ପ୍ରାଣବିକଳରେ ପ୍ରବଚନ ଛାଡି ଧାଇଁ ପଳେଇଲେଣି ।
ବୁଝିଲାବେଳକୁ କଥା କିଛିନାହିଁ । ନେତୀ ନାନୀ ଜିଭ ଖଲ ଖଲ ହେଉଥିଲା କାହାସହ କଳି କରିବାକୁ । କିନ୍ତୁ ତିନିଦିନହେଲା ସମସ୍ତେ ପ୍ରବଚନ.. ଭୋଜନରେ ବ୍ୟସ୍ତ ରହୁଥିବାରୁ ସୁଯୋଗ ନପାଇ ଆଜି ପିତେଇ ଖୁଡୀରେ ପିତ ନିଗାଡ଼ିବାକୁ ନାନୀର ଏ କଳି ଆୟୋଜନ ।
ଆହା..! ବିଚରା ବାୟା ଜେଜେଙ୍କ ଦିବ୍ୟଜ୍ଞାନ ପ୍ରଦାନ.. ସମାଜ ସୁଧାରିବା ଆୟୋଜନ ଅଧାବିଧାରେ ରହିଗଲା । ଖାଲି ଜେଜେଙ୍କ ଦେଢ଼ଲକ୍ଷ ଟଙ୍କା ବରବାଦୀ ହେବା ଲାଭ ମିଳିଲା….. ।