Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୬

ଗତିଶୀଳତା  ରହିଛି, ରହିବ। ବୁଝି ପାରିଲେ  ଜୀବନ  ଅତିକ୍ରମ ହୁଏ ସୋପାନ ପରେ ସୋପାନ। ଜଡ ହେଉ ବା ଚେତନ ସବୁଠି ରହୁଛି  ଏକ  ଭିନ୍ନଧରଣର ଆକର୍ଷଣ।

ବାଧ୍ୟତାମୂଳକ ଭାବେ ଜାଗା ବଦଳାଇବାକୁ ପଡିଲା।  ସହରର ସବାଶେଷ ମୁଣ୍ଡରେ ଯେଉଁ ବୁଦୁବୁଦୁକିଆ ଜଙ୍ଗଲ,  ଗୁଗୁଚିଆ ଭର୍ତ୍ତି ପଡିଆ, ଛାଡି ଛାଡିକା କୋଚିଳା, ତାଳ, ସାହାଡା, କରଞ୍ଜ, ତେନ୍ତୁଳି ଗଛ କେତୋଟିର ସମାହାର ଥିଲା,  ସେଇଟା ବଛାହେଲା ଲୁଚି ରହିବାର ପ୍ରକୃଷ୍ଟ ଓ ପ୍ରମୁଖ ସ୍ଥାନଭାବରେ।

ପକ୍ଷୀ, କୁକୁର, ଆକାଶ, ଗଛ, ଘାସ, ପବନ ସହ ବନ୍ଧୁତାକରି ଆରମ୍ଭ ହେଲା ନୂଆ ଜୀବନ। ଖାଇବା ପିଇବା ଚିନ୍ତା ଘାରିଲା ଏଥର ।ହାଇୱେରେ ଚାଲିଚାଲି ଆଗକୁ କିଛିବାଟ ଗଲାପରେ ଢାବାଟିଏ ମିଳିଲା।  ମରୁଭୂମିରେ ଓଏସିସ। ଜୀବନ ରହିଯିବ ଭାବନା ସହ ପୁଣି କିଛି ନୂଆ ଯାତନାକୁ ମୁହାଁମୁହିଁ ହେବାପାଇଁ ସଜାଡିବାକୁ ପଡୁଥିଲା ନିଜକୁ।

ଡରରେ ଶଙ୍କିଶଙ୍କି ନିରୁପାୟ ଭାବେ ପାଖକୁ ଗଲି। କାମ ଥିଲେ ଦେଲେ କରିବି କହିଲି। ମାଲିକ ଗୋଡରୁ ମୁଣ୍ଡ ତନଖି କଲା ଆଖିରେ, କହିଲା, ‘ତୁ  କାମ କରିପାରିବୁ?’

ମୁଣ୍ଡ ଟୁଙ୍ଗାରିଲି କେବଳ।

:ଦେଖ ସେଇ ଯେ ବରଗଛ ଦିଶୁଚି,ସେଇଠି କୂଅ ଅଛି।ଯେତେ ଦରକାର ପାଣି ଆଣିବୁ ଭାରରେ। ବଦଳରେ ଖାଇବୁ ଦି ଓଳି। ଭଲଭାବେ କାମକଲେ ଦରମା କଥା ଭାବିବା।

: ହଁ  ବ୍ୟତୀତ  ଆଉଥିଲା କ’ଣ ସେତେବେଳେ।

ଦିନସାରା ଭାରଭାର ପାଣିବୁହା ଚାଲେ। ବାହାଙ୍ଗି ଆଉ ଦୁଇଟା ଟିଣରେ। ପଚାଶ ହାତ ତଳେ ପାଣି। ଭୀଷଣ ଯନ୍ତ୍ରଣା ହୁଏ। ଓଦା ସରସର ଦେହରେ ସକାଳୁ ସଞ୍ଜଯାଏଁ କାମ କରିବାକୁ ପଡେ। ଛୋଟ ଛୋଟ କାମ ତା’ ସହିତ ଥାଏ। ରାତି ପାଇଁ ଅଧିକ ସେ ରଖେ। ଲୋକେ ବେପରୁଆ ଖର୍ଚ୍ଚ କଲେ ପାଣିକୁ, ମୋତେ ବଡ ବାଧେ।

ଦିନେ ସାଇକଲ ପଛରେ ବସେଇ ମାଲିକେ ଆପଣେ ଘରକୁ ନେଇଥିଲା, ପିଲାକୁ ଆଶ୍ରା ମିଳିଯିବ ବୋଲି। ପହଞ୍ଚୁ ନ ପହଞ୍ଚୁଣୁ ମାଲିକାଣି ଆଖି ତରାଟି କହିଲା ,’ୟାକୁ ପାଇଲ କୋଉଠୁ?’

:କାମ ମାଗିଲା ତ ଦେଲି। ଏଇଠି ବାହାର ବାରଣ୍ଡାରେ ଶୋଇପଡିବ।ନିତି ମୋ’ ସହ ଯିବ କାମକୁ ।

:କାହାର ନା କାହା ବୁଜୁଳି, ରହିବ ଆମ ଘରେ ? ମୋ’ ପିଲାଏ ଶିଖିବେ କ’ଣ ?

ବୁଜୁଳାଏ ଲୁଗାକୁ ମଣିଷ ଯେମିତି ଫିଙ୍ଗେ, ସେମିତି ଫିଙ୍ଗି ହୋଇପଡିଲି ରାସ୍ତାରେ।

ସେଦିନରୁ ମାଟି ମୋ’ ମାଆ, ମୋ’ ବାପା ….। ମୁଁ ମୋ’ର ବନ୍ଧୁ। ମୋ’ ହାତ, ମୋ’ ଦେହ,ମୋ’ ବିବେକ, ମୋ’ ବୁଦ୍ଧି ସବୁମିଶି ମୁଁ । ଯେତେ ଯେତେ ଘୃଣା ଲାଞ୍ଛନା ପାଉଥିଲି, ସେତିକି ଏ ଦୁର୍ବଳମନାମାନଙ୍କୁ ଦୟା କରୁଥିଲି। ହାୟ! ଏଇମାନେ ମୋ’ କପାଳରେ ଲେଖାହୋଇଥିଲେ!

ସନ୍ଧ୍ୟାପରେ ଛୁଟି ମିଳେ ମୋତେ। ଦୟାଳୁ ମାଲିକ ମୋ’ର ପଖାଳ, ଆଚାର, ଲଙ୍କା,  ପିଆଜ, ଖୁଆଏ ,କେବେ କେମିତି ରୁଟି ତରକାରୀ ଦିଏ। ନାକରେ କାନରେ ଗୁଞ୍ଜି ବିଦାହୁଏ ମୁଁ। କାନ୍ଧ ପିଠିର ଦରଜ ଅସହ୍ୟ ହୁଏ। ଦିନେ ଦିନେ ଗଛ ଉପରେ ସମୟ ବିତେ। କେହି ଦିନେ ପଚାରେନି ‘ତୁ ରାତିରେ ଶୋଇଲୁ କୋଉଠି?’ ଅପରିଷ୍କାର ଓ ଅସୁରକ୍ଷିତ ଲାଗେ ସେସମୟ ବହୁତ। ତଥାପି ଦମ୍ଭ ଧରିବାକୁ ପଡେ। ସମୟ ଶିଖେଇଦିଏ ଏସବୁ ଅତି ସହଜରେ। ମାଆର ଫାଳେ ଶାଢୀ, କିଛି କାଗଜ ଢାବଲ ପୁଣି  ମଶା ଡାଆଁଶଙ୍କ ସହ ଲଢେଇକରି ତାରାଗଣୁଗଣୁ, ଜହ୍ନ ଦେଖୁ ଦେଖୁ, ଗଛପତ୍ରଙ୍କ ଆନ୍ତରିକତା ସହ ମାଟି ମାଆକୁ ଆଉଁସି ଶୋଇଯାଏ  ନିଧଡକ ରାତିସାରା।
କ୍ରମଶଃ ….

Leave A Reply

Your email address will not be published.