କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୬
ସେଦିନ ସେ ସନ୍ଧ୍ୟା ବେଳର ଅନୁଭୂତି ମନେପଡ଼ିଗଲେ ପ୍ରତି ଲୋମକୂପରେ ଅନୁଭବ ହୁଏ ଏକ କୋମଳ ଶିହରଣ। ଦେବୀକୁ ଲାଗେ ଏ ଦୁନିଆଁ କେବଳ ଜଣକର, ଦେବଭାଇର! ସେ ଯୁଆଡେ ଚାହେଁ ଫୁଟନ୍ତା ଫୁଲରୁ ହସେ ଜଣେ,ସେ ବି ଭିତରୁ ଭିତରୁ ଫୁଟିଯାଏ ଏକ ପରିଚିତ ଦେହ ବାସ୍ନାରେ।
ସେ ଡରୁଥିଲା ନିଜକୁ ନିଜେ। କିନ୍ତୁ ଭଲ ଲାଗୁଥିଲା ଏମିତି ଏକ ମଧୁର ଡରାଣ। ସେ ଧିରେଧିରେ ମାନବୀରୁ ଦେବୀ ହେବାରେ ଲାଗୁଥିଲା। ସତରେ ଦେବୀପଣ ଆଉ କଣ କି! ଏକ ଦିବ୍ୟ ଉତ୍ତରଣ ତ!
ଏ ପ୍ରେମକଥା ମନକୁ ଆସିଲେ ସେ ଭିତରେ ଭିତରେ ପାଣିପାଣି ହୋଇଯାଏ। ନିଜ ଦେହକୁ ବି ଡର ଲାଗେ। ଘରର ଚାରିକାନ୍ଥ ପାଲଟିଯାଏ ଶତୃଦେଶର ବନ୍ଦିଶାଳା। ବଦଳିଯାଏ ମନର ପରିବେଶ। ତାଭିତରେ ତିଆରି ହୁଏ କେବଳ ଯୋଡିଏ ୠତୁ – ବସନ୍ତ ଆଉ ଶ୍ରାବଣ।
ସମସ୍ତ ଆଶଙ୍କାକୁ ସତ ପ୍ରମାଣିତ କରି ପଶ୍ଚିମ ଦିଗରୁ ଭାସି ଆସୁଥିଲା ବିଶାଳ ଏକ ଘନ କୃଷ୍ଣ ବାଦଲ। କିଛି ସମୟ ପରେ ତାହା ସ୍ଵତଃ କଳେବର ବୃଦ୍ଧିକରି ସାରା ଆକାଶକୁ ବ୍ୟାପିଗଲା। ଏକ ଅସହ୍ୟ ନିରବତା ସଞ୍ଚରିଗଲା ଚାରିଆଡ଼େ।
କ୍ରମଶଃ……..