ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୫
” ଯାହା ବି ହେଉ ମୋର ସହାୟତା ନେଲ ତୁମେ ଦୁହେଁ। ସେଥିପାଇଁ ତୁମକୁ ଦେଲି ସୁନୟନାଙ୍କୁ। ଦେବୀ ନର୍ମଦା ସୁନୟନାଙ୍କୁ ନେଇ ଲାଳନ ପାଳନ କଲେ ଓ ମିଥିଳା ନରେଶ ମହାରାଜା ଜନକଙ୍କ ସହିତ ତାଙ୍କର ବିବାହ କରାଇଦେଲେ। ସୁଲୋଚନାଙ୍କୁ ନାଗମାନେ ନେଇଗଲେ ପାତାଳପୁରୀକୁ ଏବଂ ନାଗରାଜ ବାସୁକି ତାଙ୍କୁ ନିଜ ପୁତ୍ରୀ ପରି ପାଳନ କଲେ। ”
” ଦେଖନ୍ତୁ ପ୍ରଭୁ ! ଆଜି ସେହି ବାସୁକି , ପୁତ୍ରୀ ସୁଲୋଚନା ସହିତ କିପରି ଅନ୍ୟାୟ କଲେ ! ”
” ବ୍ୟସ୍ତ ହୁଅନାହିଁ ଦେବୀ। ଯାହା ଅଦୃଷ୍ଟରେ ଯେତିକି ଲେଖା ଅଛି ତାକୁ ସେତିକି ହିଁ ପ୍ରାପ୍ତ ହେବ। ”
” ଏବେ ଲଙ୍କାଧିପତି ରାବଣର ପୁତ୍ର ମେଘନାଦ କଠୋର ତପସ୍ୟାରେ ମଗ୍ନ। ଲକ୍ଷ୍ୟ ତା’ର ଅମରତ୍ୱ ପ୍ରାପ୍ତି। ସମସ୍ତ ଦେବଗଣ ଚିନ୍ତିତ। ଦେବରାଜ ଯେତେ ପ୍ରକାରର ବାଧା ଭିଆଇଲେ ମଧ୍ୟ ମେଘନାଦର ତପସ୍ୟାରେ ବିଘ୍ନ ସୃଷ୍ଟି କରିବାରେ ଅସଫଳ ହୋଇଛନ୍ତି। ”
” ଏବେ କ’ଣ ହେବ ପ୍ରଭୁ ? ଅମର ବର ତ ଅଦ୍ୟାବଧି କାହାକୁ ପ୍ରାପ୍ତ ହୋଇନାହିଁ ! ମେଘନାଦର ତପସ୍ୟା ସଫଳ ହୋଇଗଲେ ତ ଅନର୍ଥ ହୋଇଯିବ। ଅସୁର ବଂଶ ଅନେକ ଉତ୍ପାତ କରିବେ। ନବଗ୍ରହ ଓ ଅନେକ ଦେବତାଙ୍କୁ ରାବଣ ବନ୍ଧନ କରି ରଖିଛି। ରାବଣର ଅତ୍ୟାଚାରରେ ସମସ୍ତେ ତ୍ରାହି ତ୍ରାହି ଡାକୁଛନ୍ତି। ଏବେ ମେଘନାଦ!! ”
” ମୁଁ ଧ୍ୟାନ ପାଇଁ ଯାଉଛି ଦେବୀ ! ସମୟକୁ ଅପେକ୍ଷା କର ” ଶିବ ଧ୍ୟାନସ୍ଥ ହୋଇଗଲେ।
ମେଘନାଦର ତପସ୍ୟା କଠୋରରୁ କଠୋରତର ହେବାରେ ଲାଗିଲା। କେତେବେଳେ ଏକ ଗୋଡ଼ରେ ଦଣ୍ଡାୟମାନ ରହି ପୁଣି କେତେବେଳେ ଶୀର୍ଷାସନରେ ରହି ଚାରିପାର୍ଶ୍ୱରେ ଅଗ୍ନି ପ୍ରଜ୍ବଳନ କରି ତପସ୍ୟାରେ ଲୀନ ରହିଲା। ବ୍ରହ୍ମଦେଵଙ୍କୁ ଜଣାଥିଲା ମେଘନାଦର ତାପସ୍ୟାର ଅଭିପ୍ରାୟ। ତେଣୁ ସେ ଆଉ ଦର୍ଶନ ଦେଲେ ନାହିଁ। ଏହିପରି ଅନେକ ବର୍ଷ ବିତିଗଲା। ଧୈର୍ଯ୍ୟଚ୍ୟୁତ ହୋଇ ସେ ନିଜର ମସ୍ତକ କାଟି ବ୍ରହ୍ମଦେବଙ୍କୁ ଅର୍ପଣ କରି ତାଙ୍କୁ ପ୍ରକଟ ହେବା ପାଇଁ ଅନୁରୋଧ କଲା।
କ୍ରମଶଃ….