ଋଣ : ଗରିବଙ୍କୁ ମାଡ଼, ଧନୀଙ୍କୁ ଛାଡ଼

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…

ଜଣେ ଲୋକ ତା ସ୍ତ୍ରୀ’ ଓ ପିଲାକୁ ଧରି ନିଜ ମୋଟର ସାଇକେଲ୍‌ରେ ଶ୍ୱଶୁର ଘର ବୁଲିବାକୁ ଯାଇଥିଲା । ଶ୍ୱଶୁର ଘର ବୁଲାବୁଲି ସାରି ଫେରିବା ବେଳକୁ ଲୋକଟିକୁ ବାଟରେ ତିନି ଚାରୋଟି ଟୋକା ଅଟକାଇଲେ ଓ ତାକୁ ଓହ୍ଲାଇଦେଇ ତା ଗାଡ଼ି ନେଇ ଚାଲିଗଲେ । ବିଚରା ଲୋକଟି ଚାଲି ଚାଲି ଘରକୁ ଫେରିଲା ଓ ନିଜର ନିକମାପଣ ଯୋଗୁ ସ୍ତ୍ରୀ’ ଠାରୁ ମଧ୍ୟ ଭତ୍ସନା ଶୁଣିଲା । ଲୋକଟିର ଅପରାଧ ଏଇଆ ଥିଲା ଯେ, ସେ ଗାଡ଼ିଟି ଫାଇନାନ୍‌ସ କମ୍ପାନୀ ଜରିଆରେ କିସ୍ତିରେ କିଣିଥିଲା । ଏବେ କରୋନାର ପରିସ୍ଥିତି ଯୋଗୁ ତାର ବେପାର ପ୍ରାୟ ବନ୍ଦ ହୋଇଯାଇଥିଲା । ତେଣୁ ଗତ ତିନି ମାସ ହେବ ସେ ଗାଡ଼ିର କିସ୍ତି ଦେଇପାରିନଥିଲା । ଫଳରେ ଫାଇନାନ୍‌ସ କମ୍ପାନୀର ବାଉନ୍‌ସରମାନେ ତାକୁ ଅଟକାଇ ତା’ ଠାରୁ ଗାଡ଼ି ନେଇ ଚାଲିଗଲେ ।

ଠିକ୍ ସେହିପରି ଆମ ଗାଁ’ର ଗୋଟିଏ ପିଲା, ଯିଏ କି ଭୁବନେଶ୍ୱରରେ ଅଟୋ ଚଲାଏ, ସେ ବି ଲକ୍ ଡାଉନ୍ ଯୋଗୁ ଅଟୋର କିସ୍ତି ଦେଇପାରିନଥିଲା । କମ୍ପାନୀବାଲା ତା ଗାଡ଼ି ଟାଣିନେଲେ । ବିଚରା ପିଲାଟି ଆଉ କରେ କ’ଣ! ମା’ର ଗହଣା ବନ୍ଧା ପକେଇ ଆଣି କିଛି କିସ୍ତି ଶୁଝିଲା ଓ ତା ଗାଡ଼ିକୁ ଫେରି ପାଇଲା । ଏହା କେବଳ ଗୋଟିଏ ଦୁଇଟି ଘଟଣା ନୁହେଁ । ଗାଁ ଗହଳିରେ ଏପରି ଅନେକ ଘଟଣା ହେଉଥିବାର ଆମେ ଦେଖୁଛେ । ଠିକ୍ ସମୟରେ କିସ୍ତି ଦେବାରେ ଖିଲାପି ହେଉଥିବାରୁ କମ୍ପାନୀ ଗାଡ଼ି ନେଇଯାଉଛି । ଋଣ କରି ଘର କିଣିଥିବା ଲୋକ ଠିକ୍ ସମୟରେ କିସ୍ତି ଦେଇନପାରିବାରୁ ତାଙ୍କ ଘର ମଧ୍ୟ କମ୍ପାନୀ ଜବତ୍‌ କରୁଥିବାର ଦେଖିବାକୁ ମିଳୁଛି । ଏମିତି ମାଳ ମାଳ ଘଟଣା ଆମ ଚାରିପଟେ ଘଟୁଛି ।

ଆମେ ନିଜ ଭାଗ୍ୟକୁ ନିନ୍ଦି ରହିଯାଉଛୁ । ନହେଲେ ଗହଣା ଗାଣ୍ଠି ବିକି ନିଜ ବାହନକୁ ମୁକୁଳାଉଛେ । ଚାଷ ପାଇଁ ଋଣ କରି ସୁଝି ନପାରିବାର ପରିଣତି ଚାଷୀମାନଙ୍କ ପାଇଁ କ’ଣ ହେଉଛି, ଆମେ ତ ସବୁଦିନ ଦେଖୁଛେ । ପ୍ରତ୍ୟେକ ଦିନ ଖବର କାଗଜ ଓଲଟେଇଲେ ଦେଖିବାକୁ ମିଳୁଛି ଯେ, ଋଣ ଭାର ସହିନପାରି ଚାଷୀ ଆତ୍ମହତ୍ୟା କରୁଛି । ସରକାରୀ ପରିସଂଖ୍ୟାନ କହୁଛି ଯେ, ଆମ ଦେଶରେ ପ୍ରତି ଅଧଘଣ୍ଟାରେ ଜଣେ ଚାଷୀ ଆତ୍ମହତ୍ୟା କରୁଛି ଓ ତାର କାରଣ ହେଉଛି ମୁଣ୍ଡ ଉପରେ ବଢ଼ି ଚାଲୁଥିବା ଋଣ ଭାର । ସାଧାରଣ ଲୋକମାନଙ୍କ ଉପରେ ଋଣର ପ୍ରଭାବ ବେଶ୍‌ ଜଣାଶୁଣା । କିନ୍ତୁ ଠିକ୍ ଏହି ସମୟରେଆମେ ଯଦି ଦେଖିବା ଯେ, ଯେଉଁ କମ୍ପାନୀ ବା ଧନୀକମାନେ ହଜାର ହଜାର କୋଟି ଟଙ୍କା ଋଣ କରୁଛନ୍ତି, ସେମାନଙ୍କ ଉପରେ ପରିଣାମ ଅନ୍ୟ ପ୍ରକାର ହେଉଛି । ପାଞ୍ଚ ହଜାର ଦଶ ହଜାର ଟଙ୍କା ଋଣ କରୁଥିବା ଚାଷୀ ଓ ଗରିବ ଲୋକମାନଙ୍କ ଉପରେ ଋଣ ସୁଝିବା ପାଇଁ ଜୁଲମ୍ ହେଉଥିବା ବେଳେ ଧନୀକ ଓ କଂପାନୀ ମାଲିକଙ୍କ ଉପରେ ଥିବା ଋଣ ସୁଝିବା ପାଇଁ ବା ଛାଡ଼ କରିବା ପାଇଁ ସରକାର ନିଜେ ଭିଡ଼ି ଆସୁଛନ୍ତି । ଏପରିକି ଦେଖିବାକୁ ମିଳୁଛି ଯେ, ସରକାର କମ୍ପାନୀମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଋଣ ଛାଡ଼୍ କରିଦେଉଛନ୍ତି ।

ସେହିପରି ବ୍ୟାଙ୍କମାନେ ମଧ୍ୟ ଅଳ୍ପ ଋଣ କରୁଥିବା ଗରିବ ଲୋକମାନଙ୍କ ପାଖକୁ ବାଉନ୍‌ସର ପଠାଉଥିବା ବେଳେ ଓ ବା ଋଣ ସୁଝିବା ପାଇଁ ଜବରଦସ୍ତି କରୁଥିବା ବେଳେ, ଧନୀକମାନଙ୍କ ପାଇଁ କୋହଳ ନୀତି ଅବଲମ୍ବନ କରୁଛନ୍ତି । ଏବେ ବ୍ୟାଙ୍କରେ ସୁଝା ନହୋଇ ପଡ଼ିଥିବା ଋଣକୁ ଆଉ ଆଦାୟ ନକରିବା ପାଇଁ ଅର୍ଥନୀତିର ଭାଷାରେ ଏନ୍‌.ପି.ଏ. ବା ନନ୍ ପରଫର୍ମିଙ୍ଗ୍ ଆସେଟ୍ କୁହାଯାଇ ସେହି ଋଣକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଉଛି ।

ଚାଷୀ ବା ଗରିବ ଲୋକଙ୍କ ଋଣକୁ ତ କେବେ ଏଭଳି ଏନ୍‌.ପି.ଏ.ର ମାନ୍ୟତା ଦିଆଯାଇ ଫାଇଲ୍ ବନ୍ଦ କରାଯାଉନି! ସବୁ କୋହଳ ନିୟମ କ’ଣ କେବଳ ଧନୀ ବା କମ୍ପାନୀ ମାଲିକମାନଙ୍କ ପାଇଁ? ଗରିବମାନଙ୍କ ନାକରେ ସଣ୍ଢୁଆସୀ ପୁରେଇ ଋଣ ଆଦାୟ କରାଯାଉଥିବା ବେଳେ ବା ତାଙ୍କ ଉପରେ ଚାପ ପକେଇ ପକେଇ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଉଥିବା ବେଳେ ଧନୀଙ୍କ ବେଳକୁ ଏନ୍‌.ପି.ଏ । ଏହା କ’ଣ ସମସ୍ତଙ୍କ ପାଇଁ ସମାନ ନ୍ୟାୟର ନମୂନା? ଏତଦ୍‌ବ୍ୟତୀତ ବ୍ୟାଙ୍କ୍‌ମାନଙ୍କୁ ସୁବିଧା ଦେବାକୁ ଯାଇ ବ୍ୟାଙ୍କର ସୁଝା ନହୋଇ ପଡ଼ିଥିବା ସବୁ ଋଣକୁ ମିଶେଇ ଗୋଟିଏ ନୂଆ ବ୍ୟାଙ୍କର ରୁପରେଖ ଦିଆଯାଇ ତାକୁ ବ୍ୟାଡ଼୍ ବ୍ୟାଙ୍କ୍‌ କୁହାଯାଉଛି । ଯାହା ଫଳରେ ବ୍ୟାଙ୍କ୍‌ମାନେ ତାଙ୍କ ଖାତାରେ ଆଉ ସେହି ପୁରୁଣା ଋଣ ରାଶିକୁ ଦେଖାଇବେ ନାହିଁ ।

ନିକଟ ଅତୀତରେ ଆମେ ଦେଖିଲେ ବ୍ୟାଙ୍କ୍‌ର ଋଣ ନସୁଝି ଧନୀକମାନେ କିପରି ବିଦେଶକୁ ଉଡ଼ି ଯାଉଛନ୍ତି । କିଙ୍ଗ୍ ଫିସର ମାଲିକ ବିଜୟ ମାଲ୍ୟା ହୁଅନ୍ତୁ ବା ନୀରବ ମୋଦି ହୁଅନ୍ତୁ, ସେମାନଙ୍କୁ ହଜାର ହଜାର କୋଟି ଟଙ୍କା ଋଣ ଦେବା ବେଳେ ବ୍ୟାଙ୍କ୍ ତ ଆଦୌ ଆପତ୍ତି ଉଠେଇନଥିଲା । କିନ୍ତୁ ଚାଷୀକୁ ଦଶ ହଜାର ଋଣ ଦେବାକୁ ଶହେ ଆପତି ଉଠେଇବେ ଓ ଋଣ ନସୁଝିଲେ ଘରକୁ ଲୋକ ପଠେଇବେ । କିନ୍ତୁ ଧନୀକମାନେ ଋଣ ନସୁଝିଲେ ବ୍ୟାଙ୍କ୍ ତାଙ୍କୁ ଆହୁରି ଋଣ ଦେବାରେ ଲାଗୁଛି । ଏହା କିପରି ନିୟମ ? ଏବଂ ଶେଷରେ ସେହି ଠକ ଧନୀକମାନେ ଋଣ ନସୁଝି ବିଦେଶକୁ ଉଡ଼ିଗଲେ ବ୍ୟାଙ୍କ୍‌କୁ ବଞ୍ଚେଇବାକୁ ସରକାର ଆଗେଇ ଆସୁଛନ୍ତି । କେତେବେଳେ ଏନ.ପି.ଏ ତ କେତେବେଳେ ବ୍ୟାଡ଼୍‌ବ୍ୟାଙ୍କ୍‌ର ବ୍ୟବସ୍ଥା କରୁଛନ୍ତି । ଚାଷୀଙ୍କ ବେଳକୁ ବ୍ୟାଙ୍କ୍ ଓ ସରକାର ଅତ୍ୟନ୍ତ କଡ଼ା ନୀତି ପାଳନ କରୁଥିବା ବେଳେ ଧନୀକଙ୍କ ବେଳକୁ ଭାରି ନରମ ହେଉଛନ୍ତି କାହିଁକି ?

ଆମେ ସମସ୍ତେ ଜାଣିଛେ ଋଣ ସବୁବେଳେ ଗୋଟେ ବୋଝ । ଗରିବ ଲୋକ ତଥା ଚାଷୀମାନେ ତାଙ୍କ ପ୍ରାଣପଣେ ଚେଷ୍ଟା କରିଥାନ୍ତି ଋଣ ସୁଝିବା ପାଇଁ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଫସଲ ହାନୀ ହେଲେ ବା କୌଣସି କାରଣରୁ ରୋଜଗାର ପ୍ରଭାବିତ ହେଲେ ବିଚରା ଚାଷୀ ଓ ଗରିବ ଲୋକମାନେ ଋଣ ସୁଝିପାରନ୍ତି ନାହିିଁ । କିନ୍ତୁ ସିଂହଭାଗ ସାଧାରଣ ଲୋକମାନେ ଋଣ ସୁଝିବାକୁ ପ୍ରାଣପଣେ ଚେଷ୍ଟା କରିଥାନ୍ତି । ଅଥଚ ଠିକ୍ ଓଲଟା ଭାବେ ଧନୀକମାନେ ତଥା କମ୍ପାନୀ ମାଲିକମାନେ ଋଣ କରିବା ବେଳଠାରୁ ଋଣ ଫାଙ୍କିବା ପାଇଁ ବ୍ୟବସ୍ଥା କରିଥାନ୍ତି । କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଚାଷୀ ତଥା ଗରିବ ଲୋକଙ୍କ ପାଇଁ ସରକାର ଓ ବ୍ୟାଙ୍କମାନେ ଗୋଟିଏ ପ୍ରକାର ନୀତି ଅବଲମ୍ବନ କରୁଥିବା ବେଳେ ଧନ କୁବେରମାନଙ୍କ ପାଇଁ ଭିନ୍ନ ପ୍ରକାର ନୀତି ଅବଲମ୍ବନ କରୁଛନ୍ତି ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-
୭୫୪୧୩୮