Latest Odisha News

BREAKING NEWS

ପାର୍ବଣରେ ମା ଝାଞିରୀ ମଙ୍ଗଳା

ଲୋପାମୁଦ୍ରା ପରିଡ଼ା 

सर्वमङ्गलमाङ्गल्ये शिवे सर्वार्थसाधिके ।
शरण्ये त्र्यम्बके गौरि नारायणि नमोऽस्तु ते ॥

ମା ଜଗତଜନନୀ, ମହାମାୟା, ଯୋଗମାୟା, କମ୍ପିଲ୍ଯବାସିନୀ ମାଙ୍କର ପାଦପଦ୍ମେ କୋଟିକୋଟି ଭୁମିଷ୍ଠ ପ୍ରଣତୀ ବାଢିଲି ।

କଟକ ଦଶହରା କଥା ଆଗେ ଆମ ଘର ପାଖରୁ କହିବା ଆରମ୍ଭିବା।

ଆମ ଘର ଝାଞିରୀମଙ୍ଗଳା ମାଆଙ୍କର ପଡୋଶୀ କହିଲେ ଚଳେ । ଝାଞ୍ଜିଖରା ବେଳେ କେତେ ଯୁଗ ତଳେ କଳାପାଟପତନୀ ପିନ୍ଧି କଳାଘୋଡାରେ ଚଢି ଉଭା ହୋଇଥିଲେ ମାଆ ଏଇଠି କେଉଁ ଭାଗ୍ଯବାନ ଭକ୍ତର ପ୍ରଗାଢ ଭକ୍ତିରେ ଅପାର କରୁଣାରେ ସିକ୍ତ ହୋଇ। ସେଇ ମାଳିବୁଢାର ଭକ୍ତି ତାଙ୍କୁ ବାନ୍ଧିରଖିଲା ଏହି ପ୍ରଗଣାରେ । ମାଆ ତାର ଅଭୟ ବାନା ତଳେ ଘଣ୍ଟ ଘୋଡେଇ ରଖିଛି ସେବେଠୁ ଆମ ଗ୍ରାମବାସୀଙ୍କୁ ।

ମା’ ର ମନ୍ଦିରରେ ଶ୍ରୀବିଷ୍ଣୁ ସହସ୍ରନାମ ସହ ହିଁ ଉଅଁନ୍ତି ତପନ ପ୍ରତିଦିନ । ମା’ ମନ୍ଦିରରେ ପାର୍ବଣ ବର୍ଷ ସାରା ଲାଗିରହିଥାଏ । ଆଶ୍ବିନ ମାସରେ ମୂଳାଷ୍ଟମୀଠୁ ( ଯୁତିଆ ବା ଦୂତିବାହାନ ଓଷା) ଷୋଡଶ ଉପଚାର ବିଧିରେ ଷୋଳ ପୂଜା ଆରମ୍ଭ ହୁଏ । ଷୋଡଶ ପୂଜାରେ ମା ଷୋଳ ଦିନେ ଷୋଳ ପ୍ରକାର ବେଶ ହୁଅନ୍ତି ।

ବିରାଟ ଔପଚାରିକ ବିଧି ବିଧାନ ଅନୁଯାୟୀ ପୂଜା , ଫୁଲ ସାଜସଜ୍ଜା, ମହାଆଡମ୍ବରରେ ଶୃଙ୍ଗାର, ଅଳଙ୍କରଣ, ଭୋଗରାଗ, ଯଜ୍ଞ ଅନୁଷ୍ଠାନ, ଦାନଧର୍ମ, ବଳିଭୋଜ ( ପାଣିକଖାରୁ) ,ପ୍ରସାଦବଣ୍ଟନ, ମେଢ ସାଜ, ବେଶ, ଶୃଙ୍ଖଳିତ ଦର୍ଶନ ,ଶୃଙ୍ଖଳାର ସହ ହୋଇଥାଏ ।” ବନଦୁର୍ଗା ” ବେଶ ଦିନ ମା’ଙ୍କ ଦକ୍ଷିଣ ପାଦ ତଳୁ ନିଜେ ମହାବିଷ୍ଣୁ ତୋଳିଧରି କଣ୍ଟା କାଢୁଥିବାର ଦୃଶ୍ୟ ନମ୍ରତାର ପ୍ରତ୍ଯକ୍ଷ ପ୍ରତୀକ । “ମା ଭୂବନେଶ୍ବରୀ” ଦିନ ମା ଭୁବନ ମୋହିନୀ ଦିଶନ୍ତି, ” ବଗଳାମୁଖୀ ” ଦିନ ମା ଏକ ବିରାଟ ଶବୁଜ ରଙ୍ଗ ଅସୁରର ଜିହ୍ନା କୁ ଭିଡି ଧରିଥାନ୍ତି, ” ମହାଗୌରୀ ” ଦିନ ଚନ୍ଦନ ବର୍ଣ୍ଣା ମା ବୃଷଭ ବାହାନ ପୃଷ୍ଠରେ ଜପାମାଳା ଧାରଣ କରି ଶାନ୍ତସ୍ନିଗ୍ଧ ଆଭା ଯୁକ୍ତ ଅପରୂପା ଦର୍ଶନ ଦିଅନ୍ତି, ” ଅନ୍ନପୂର୍ଣା ” ଦିନ ମା ତାଙ୍କ ର ବାମ ପାଖରେ ଦଣ୍ଡାୟମାନ ଶୂନ୍ୟ ପାତ୍ର ଧାରଣ ପୂର୍ବକ ଆଶାୟୀ ଶିବଶମ୍ଭୁଙ୍କୁ ନିଜ ହସ୍ତରେ ଅନ୍ନମୟୀ ଅନ୍ନ ଦାନ କରି ସମଗ୍ର ପୃଥିବୀକୁ ଅନ୍ନ ବରଦା କରନ୍ତି, ” ମହାଲକ୍ଷ୍ମୀ ” ଦିନ ମା ଏକ ବିରାଟ ଲୋହିତ ପଦ୍ମ ଉପରେ ଉପବେଶନ କରି ଆଶିଷ ବରଷନ୍ତି ….. ବୋଉ ଆମର ଶଙ୍ଖା ସିନ୍ଦୁର ଲାଗି କରେ , ମାଆ ପାଇଁ ନୂଆ ଶାଢୀ, ମାଜଣା, ହଳଦୀ ଯୋଗାଡେ। ,” ନୀଳ ସରସ୍ବତୀ ” ଦିନ ମା ନୀଳ ଆଭାରେ ଝଲସି ଉଠି ଜୋଜୁଲ୍ୟମାନ ଦିଶନ୍ତି ….. ଶ୍ବେତ ହଂସ ପିଠିରେ ବସି ଶ୍ବେତ ପଦ୍ମ,ମାଳା, ପୁସ୍ତକ, ବୀଣା ଭୂଷିତା ଜନନୀ ସଭିଁଙ୍କୁ ସତ୍ ବୁଦ୍ଧି ଦାନ କରନ୍ତି ….. ଆମର ନୂଆ କଲମ, ତୂଳୀ ଲାଗି ହୁଅନ୍ତି ,” ମହାକାଳୀ” ଦିନ ଦଶ ଦଶ କୋଡିଏଟି ହସ୍ତ ଓ ମୁଣ୍ଡ ମାଳ ଧାରଣ ପୂର୍ବକ ଲହଲହ ଜିଭା ମାଗୋ ଘୋର ଦନ୍ତ ପାଟି ରୂପା ମା ମନ୍ଦାର ମାଳା, ସିନ୍ଦୁରା ମୁଖି ରୂପେ ଶିବଶମ୍ଭୁ ଙ୍କ ବକ୍ଷରେ ପାଦ ରଖି କରାଳ ରୂପା ସଂସାରକୁ ଅଭୟ ଦାନ କରନ୍ତି, ” ଛିନ୍ନମସ୍ତା ” ଦିନ ମା ଦକ୍ଷିଣ ରେ ଖଡ୍ଗହସ୍ତା ଓ ବାମରେ ଖର୍ପର ରେ ରକ୍ତବୀର୍ଯ୍ଯ ମହିଷାର ବକ୍ର ଧାରଧାର ରୁଧିର କୁ ଧାରଣ କରି ପାନ କରୁ ଥାନ୍ତି …..ମାଙ୍କ ମୁହଁ ଦିଶେନି, “ଧୂମାବତୀ ” ଦିନ ମା କେମିତି ଗୋଟେ ଅଲଗା ପ୍ରକାର ବେଶ ହୁଅନ୍ତି ,” ଗାୟତ୍ରୀ ” ରୂପେ ମା ପଞ୍ଚମୁଖି ବରଦା ,ସିଦ୍ଧି , ଆଶିଷ ପ୍ରଦାୟୀନି ହୋଇଥାନ୍ତି,” ଚାମୁଣ୍ତା” ଓ “ରୁଦ୍ରାଣୀ” ” ସିଂହ ବାହିନୀ “, ” ଉଗ୍ରତାରା “,”ଚନ୍ଦ୍ରଘଣ୍ଟା ” ବେଶ ଦିନ ମା ଯଥାକ୍ରମେ କାଳୀ ଓ ପାର୍ବତୀ, ସର୍ବମଙ୍ଗଳା ଓ ସଙ୍କଟତାରିଣୀଙ୍କ ପରି ଦିଶୁଥାନ୍ତି । ଏହିପରି ନାନାଦି ବେଶ ସଜ୍ଜିତ ମା କ୍ଲେଶ ହାରିଣୀ ସଂସାର ପାଳନ୍ତି । ଏତିକି ବେଶ ମନେ ପଡୁଛନ୍ତି ।

ସେତେବେଳେ ଆମର ମା’ ଙ୍କର ମନ୍ଦିର ଏତେ ବଡ ନଥିଲେ ଏବେକାର ପରି । ଆଗ ପଟ ସିଂହ ଠି ବିଶ୍ବାସକୁ ପୁଞି କରି ପ୍ରତି ଦିନ ଅଳତା , ସିନ୍ଦୁର ଲଗେଇ ସମସ୍ତ ନାରୀମାନେ ମାଆର ପ୍ରତିରୂପ ପରି ଦିଶୁଥାନ୍ତି ନଇଁ ପଡି କଅଁଳ ଖଲିପତ୍ରରେ ଘିଅ ସିନ୍ଦୁର ଘୋରି ମାଆକୁ ସଜଉ ସଜଉ । ଘରୁ ଘରୁ ଟଗର, ମନ୍ଦାର ଓ ବାରିର ବିଭିନ୍ନ ସୁବାସିତ ରଙ୍ଗ ବିରଙ୍ଗ ପୁଷ୍ପ ଓ ବେଲପତ୍ରର ଗଜରା ହାର ମା ପାଇଁ ସକାଳେ ସଂଜେ ଆସେ । ବର୍ଷ ସାରା ମାଜଣା, ଆଳତୀ, ଭୋଗରାଗ ଚାଲିଥାଏ ।ମନ୍ଦିର ସହ ଆମେ ପ୍ରତ୍ଯକ୍ଷ ସଂଶ୍ଳିଷ୍ଟ ଥାଉ ,ସେମିତି ବି ମା ଝାଞିରୀମଙ୍ଗଳା ସତ୍ୟ ପ୍ରକାଶ୍ଯ ପ୍ରତ୍ୟକ୍ଷ ଠାକୁରାଣୀ …… ଡାକିଲେ ଓ’ କରେ , ଆପଦେ ବିପଦେ ସାହା ହୁଏ, ବାଟ କଢେଇନିଏ, ଜଗିଥାଏ, ପଣତକାନି ତଳେ ଘୋଡେଇ ରଖେ ,ସବୁବେଳେ ଜଗିଥାଏ । ଆମମାନଙ୍କ ଜୀବନର ଅଭିନ୍ନ ଅଂଶ ଅଟେ ଝାଞିରୀମଙ୍ଗଳା ମନ୍ଦିର ।

ମହାଷ୍ଟମୀ ଓ ମହାନବମୀ ର ସନ୍ଧି ପୂଜାରେ ସାରା ରାତି ମନ୍ଦିର ରେ ଯଜ୍ଞକୁଣ୍ଡରେ ଆହୁତୀ ଚାଲିଥାଏ ଓ ଗୁପ୍ତ ନୀତିରେ ପୂଜା ସମ୍ପାଦିତ ହେଉଥାନ୍ତି ।ଘରୁ ଘରୁ ଘିଅ ,ନଡିଆ ,ସଞ୍ଚା ଆଦି ଯିଏ ଯାହା ସାମର୍ଥ୍ୟ ଅନୁଯାୟୀ ଆଣି ଦ୍ରବ୍ୟ ଯୋଗାଡିଥାନ୍ତି । ମହାନବମୀ ଭୋର ତିନିଟାରୁ ମନ୍ଦିର ବେଢାର ପଛପଟକୁ ରୋଷଶାଳଠି ସମସ୍ତେ ନିଜ ନିଜ ଟୁକନ ଦେଇ ଚାରି ଥାକିଆ ପାଞ୍ଚ ଥାକିଆ ଟିଫିନ୍ କ୍ଯାରିଅର ଧରି ଧାଡି ବାନ୍ଧି ଥାଉ । ମାଛ ତରକାରୀ, ଖେଚଡି, କାନିକା, ଟମାଟୋ ଖଜୁରୀ ଖଟା , ବେସନ ଛେନା ତରକାରୀ , ଖିରି, କାକେରା ,ଡାଲି ହୋଇଥାଏ । ନଈକୂଳ ଖାନନଗର କାଳୀ ମନ୍ଦିରରୁ ମଧ୍ୟ ଆସେ ଭୋଗ ପ୍ରସାଦ, ତାଙ୍କର ଖେଚୁଡ଼ି ଓ ମାଛ ତରକାରୀ । ସେଦିନ ବସି ସୁସ୍ଥେ ଖାଇ । ମହାଆନନ୍ଦମୟ ଦିନ । ଷୋଳ ଦିନ ଯାକ ବହୁତ ଭଲ ଭଲ ସ୍ବାଦିଷ୍ଟ ଓ ବିଭିନ୍ନ ପ୍ରକାରର ଭୋଗ ପ୍ରସାଦ ଲାଗନ୍ତି । ଆମର ସବୁଦିନେ ଭୋଜି । ଆମିଷ ଭୋଗଟି କେବଳ ମହାନବମୀକୁ ।ଗୋଟିଏ ଛେଳି ଛୁଆ ମଧ୍ୟ ବଳି ପାଇଁ ଆସେ ଓ ପଥର ସିଂହ ସାଙ୍ଗେ ସାଙ୍ଗ ହୋଇ ବାହାର ମେଲାରେ ଭକ୍ତ ମାନଙ୍କର ହାତରୁ ଘାସ ଫୁଲ ଖାଇ ଖାଇ ଖୁସିରେ ଥାଏ । ପୂଜା ଦିନ ତାକୁ ଲାଲି ଲୁଗା, ମନ୍ଦାର ମାଳ ,ସିନ୍ଦୁର ଦେଇ ବିଧି ପୂର୍ବକ ମନ୍ତ୍ର ପୂତ ପୂଜା ପରେ ଛାଡି ଦିଆଯାଏ ।

ମୁଁ ବୋଉ କୁ ପଚାରିଥିଲି, ବୋଉ ବଳି ମାନେ କଣ ? ସେ କହିଲା, ଆମ ଭିତରର ସମସ୍ତ ଅବଗୁଣକୁ ନିଜେ ଚେତନ ଭାବରେ ତ୍ଯାଗ କରିବା ହି ବଳି । ପ୍ରବୃତ୍ତି ମଧ୍ୟ ରେ ଥିବା ସମସ୍ତ ‘ କୁ ‘ କୁ ଛାଡିଦବା ।

_ତେବେ ଏ ଛେଳି?

_ଏହା ମନୁଷ୍ୟର ତାମସିକତା ର ପ୍ରତିକ ମାତ୍ର । ମା ‘ଏଇ ଛେଳିର ବି ମା । କୌଣସି ମା ତାର ସନ୍ତାନ ର ରକ୍ତ ପି’ ଶାନ୍ତି ପାଏନି । ଏ ସବୁ। ଲୋକଚଳଣୀ ଯାହା ।

ମଣିଷ ନିଜ କୃତ ସବୁକୁ ଘୋଡେଇ ମୁଖା ପିନ୍ଧେଇବାରେ ମହାରଥା ହାସିଲ କରିଛି । ନିଜ କର୍ମ, ନିଜ ଇଛ୍ଛା ସବୁକୁ ଢାଲ ପିନ୍ଧେଇ ଦେଇ ପରମ୍ପରା ନାଁଟେ ଥୋପିଛି ଯାହା । ପରେ ବୁଝିଲି ।

ଦଶହରା ଦିନ ମା ” ମହିଷାମର୍ଦ୍ଧିନୀ ” ବେଶ ହୁଏ । ବିରାଟ ପିଙ୍ଗଳ ବର୍ଣ୍ଣ ମହିଷା ଆଁ କରିଥାଏ ମା’ର ବାମ ପାଦ ପଟକୁ …. ତା ବକ୍ଷରେ ମାର କୋମଳ ପାଦ ….. ତା’ଆଖି ରେ ବିମୁଗ୍ଧତା, କୃପା …. ହାତରେ କିନ୍ତୁ ଉନ୍ଚେଇଥିବା ଖଡ୍ଗ ପତିତ ହେବା ଅବସ୍ଥାରେ । ସେ ଅସୁର ବି ଧନ୍ଯ …. ମା ସାଙ୍ଗେ ଯୁଗେ ଯୁଗେ ପୂଜିତ । ମା କେତେ କୃପାମୟୀ …. ତା ସାନିଧ୍ଯ୍ଯରେ ପାପୀ ବି ପୂଜା ପାଏ ,ଫୁଲରେ ଲଦି ହୁଏ । ଆଜିର ଭୋଗରେ ମା ଖେଚଡି, ଖିରି,ସାଦା ଘାଣ୍ଟ, ଖଟା,ଭଜା,ପୋଟଳ ରସା, ଡାଲି, ପୁରି,ମିଠା ଓ ଫଳ ଭୋଗ ସେବା କରନ୍ତି । ପୁରା ସାଦା ଅମୃତ ।

ଏକାଦଶୀରେ ମା ପୁଣି ନିଜ ବେଶରେ ପୂଜିତା ହୁଅନ୍ତି ।

 

Leave A Reply

Your email address will not be published.