Latest Odisha News

ହୀରାକୁଦ ଜଳସ୍ତର ହ୍ରାସ ପଛରେ ମହାନଦୀ ବିବାଦ, ଟ୍ରିବ୍ୟୁନାଲଙ୍କ ଏପ୍ରିଲ ଗସ୍ତ ଉପରେ ନଜର

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ଏବେର ନୁହେଁ । ଅନେକବର୍ଷ ଧରି ଓଡ଼ିଶା ଓ ପଡୋଶୀ ଛତିଶଗଡ଼ ମଧ୍ୟରେ ପାଣିକୁ ନେଇ ଚାଲିଥିବା ଏହି ବିବାଦର ସମାଧାନ ହେବ କଣ, ଓଲଟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ଏହି ବିବାଦର ସମାଧନ ପାଇଁ କେନ୍ଦ୍ର ଜଳ ମନ୍ତ୍ରାଳୟଙ୍କ ଦ୍ଵାରା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଗଠନ କରାଯାଇଥିଲା କିନ୍ତୁ ଟ୍ରିବ୍ୟୁନାଲର ଗଠନକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ବିବାଦର ଅନ୍ତ ଘଟୁନାହିଁ। ଏସବୁ ଭିତରେ ଟ୍ରିବ୍ୟୁନାଲ ଆସନ୍ତା ମାସ ଉଭୟ ଓଡ଼ିଶା ଓ ଛତିଶଗଡ଼ର ମହାନଦୀ କ୍ଷେତ୍ର ପରିଦର୍ଶନ କରିବାକୁ ଆସିବା ଧାର୍ଯ୍ୟ ହୋଇଛି । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏ.ମ ଖାନୱିଲକରଙ୍କ ସୂଚନା ଅନୁସାରେ ପରିଦର୍ଶନ ଟିମ୍ ଛତିଶଗଡ଼ରେ ଏପ୍ରିଲ ୧୭ ରୁ ୨୧ ତାରିଖ ଏବଂ ଓଡ଼ିଶାରେ ଏପ୍ରିଲ ୨୯ ରୁ ମେ’ ମାସ ୩ ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ କରିବାକୁ ଆସିବ । ପ୍ରଥମେ ମହାନଦୀର ଉପରମୁଣ୍ଡରୁ ଛତିଶଗଡ଼ର କଲମା ବ୍ୟାରେଜ୍ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନ ପରେ ପରେ ଓଡ଼ିଶାର ମହାନଦୀ କ୍ଷେତ୍ର ପରିଦର୍ଶନ କରିବ ଟ୍ରିବ୍ୟୁନାଲ। ବଡ କଥା ହେଲା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର କ୍ଷେତ୍ର ପରିଦର୍ଶନର ନିଷ୍ପତ୍ତି ଏଭଳି ସମୟରେ ଆସିଛି, ଯେତେବେଳେ ନଦୀରେ ଜଳ ପ୍ରବାହ କମ ରହିଛି।

ଏହି କ୍ଷେତ୍ର ପରିଦର୍ଶନରେ ମହାନଦୀର ତଳ ମୁଣ୍ଡକୁ ହେଉଥିବା ଜଳ ପ୍ରବହର ନିରୀକ୍ଷଣ କରିବ ଟ୍ରିବ୍ୟୁନାଲ। ଏହି ସମୟରେ ଓଡ଼ିଶା ଓ ପଡୋଶୀ ଛତିଶଗଡ଼ର ଜଳ ସମ୍ପଦ ବିଭାଗର ଅଧିକାରୀ ଓ ବିଶେଷଜ୍ଞମାନେ ଟ୍ରିବ୍ୟୁନାଲକୁ ସହଯୋଗ କରିବେ। ମହାନଦୀ ଜଳ ବିବାଦର ବଡ଼ ପ୍ରଭାବ ହୀରାକୁଦ ଜଳଭଣ୍ଡାର ଉପରେ ପଡ଼ି ଚାଲିଛି । ଯଦି ଖରା ଦିନେ ଦିନ ଆରମ୍ଭରୁ ହୀରାକୁଦ ଜଳଭଣ୍ଡାରର ଏଭଳି ସ୍ଥିତି, ତାହେଲେ ଆଗକୁ କଣ ପରିସ୍ଥିତି ହେବ, ତାହା ସହଜରେ ଅନୁମେୟ । ସୂଚନା ଅନୁସାରେ ହୀରାକୁଦରେ ବର୍ତ୍ତମାନ ମାତ୍ର ୪୮ ପ୍ରତିଶତ ଅର୍ଥାତ ୬୧୬ ଫୁଟ ଜଳ ରହିଛି, ଯାହାକି ଗତ ୧୦ ବର୍ଷରେ ସବୁଠାରୁ କମ।

ଅନ୍ୟପଟେ ମହାନଦୀ ଜଳବିବାଦକୁ ନେଇ ଓଡ଼ିଶାରେ ରାଜନୀତି ମଧ୍ୟ ବେଶ ସରଗରମ । ବିଧାନସଭାରେ ଯେଉଁଠି ରାଜ୍ୟ ସରକାର ଏହି ବିବାଦର ସମାଧାନରେ ବିଳମ୍ବ ପାଇଁ କେନ୍ଦ୍ରକୁ ଦାୟୀ କରିଛନ୍ତି ପାଲଟା ଅଭିଯୋଗ ଆଣି ନବୀନ ସରାକରଙ୍କୁ ଘେରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। ରାଜନୀତି ସରଗରମ କିନ୍ତୁ ବାହରି ପାରୁନି ସମାଧାନର ବାଟ । ଯଦି ଜଳଶକ୍ତି ମନ୍ତ୍ରାଳୟର ସୂଚନାକୁ ଦେଖିବା, ତାହେଲେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏ.ମ ଖାନୱିଲକରଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଆସନ୍ତାବର୍ଷ ଡିସେମ୍ବର ୨୪ ତାରିଖ ଯାଏଁ ରହିଛି। ତେଣୁ ଆଶା କରାଯାଉଛି ଏହି ଅବଧି ଭିତରେ ସମସ୍ୟାର ସମାଧାନ ହେବ ।

Leave A Reply

Your email address will not be published.