Latest Odisha News

BREAKING NEWS

କିନ୍ନରଙ୍କୁ ସ୍ୱାବଲମ୍ବୀ କରାଇଲେ ମୟୁରଭଂଜ ଜିଲ୍ଲାପାଳ

ମୟୁରଭଂଜ: ସମାଜରେ କିନ୍ନରଙ୍କୁ ପ୍ରତିଷ୍ଠିତ ତଥା ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକ୍ଷମ ହୋଇଛି ଅନେକ ଯୋଜନା । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମୟୁରଭଂଜ ପ୍ରଶାସନ ନେଇଛି ଅନନ୍ୟ ପଦକ୍ଷେପ ।

ଜିଲ୍ଲାରେ ପ୍ରଥମଥର ପାଇଁ କିନ୍ନର ଓ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ବ୍ୟାଟେରୀ ଚାଳିତ ତିନିଚକିଆ ଗାଡି ପ୍ରଦାନ କରାଯାଇଛି । ବାରିପଦା ପୌରପାଳିକା ପରିସରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଶୁକ୍ରବାର ଏହି ବ୍ୟବସ୍ଥାର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଘରକୁ ଘର ଓ ଦୋକାନ ବଜାର ବୁଲି ଏହି ଗାଡି ସହାୟତାରେ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସହ ସ୍ୱଛତା କ୍ଷେତ୍ରରେ ଅବାଦନ ପାଇଁ କିଛି ଏପରି ଯୋଜନା ରହିଛି ।

କିନ୍ନର ଓ ମହିଳାଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିବା ଯୋଜନା ସ୍ୱରୂପ ବାରିପଦାକୁ ପ୍ରଥମ ଦଫାରେ ୧୦ଟି ବ୍ୟାଟେରୀ ଚାଳିତ ତିନିଚକିଆ ଗାଡି ଅଣାଯାଇଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ କିନ୍ନର ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ହିଁ ଏହି ଗାଡି ଚଳାଇବେ ବୋଲି ସୂଚନା ରହିଛି ।

ପ୍ରଥମ ଦଫାରେ ୫ଜଣ ମହିଳା ଓ ୫ଜଣ କିନ୍ନରଙ୍କୁ ଗତ ସପ୍ତାହରୁ ତାଲିମ ପ୍ରଦାନ କରାଯାଇ ସେମାନଙ୍କୁ ଗାଡି ହସ୍ତାନ୍ତର କରାଯାଇଥିଲା । ଏହି ଅବସରରେ ବାରିପଦା ପୌରପାଳିକାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପି. ଅନ୍ୱେଷା ରେଡ୍ଡୀଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଯୋଜନାକୁ ସର୍ବସାଧାରଣରେ ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.